ପଦ୍ମପୁର : ପୂର୍ବାହ୍ନରେ ପାଚେରୀ ଡେଇଁ ଫେରାର୍ ହୋଇ ଯାଇଥିବା ପଦ୍ମପୁର ଉପ କାରାଗାରର ୨ ଜଣ କଏଦୀଙ୍କୁ ପୁଲିସ୍ ଗିରଫ କରିଥିବା ଓ ପୁଣି ସେମାନଙ୍କୁ ଜେଲ୍କୁ ଫେରାଇ ଅଣାଯାଇଥିବା ଜଣାଯାଇଛି ।
ପ୍ରକାଶ ଯେ ଗତକାଲି ପୂର୍ବାହ୍ନ ପ୍ରାୟ ୧୧ ଟା ୧୫ ମିନିଟ୍ ସମୟରେ ଖାଇବା ପାଇଁ ଆସିବା ବେଳେ ପଦ୍ମପୁର ଅଞ୍ଚଳର ଖଇରପାଲି ଗ୍ରାମର କପିଳାସ ମାହାର ଡକାୟତି ଏବଂ ବାଦୀମାଲ ଗ୍ରାମର ତ୍ରିନାଥ ଶବର ଚୋରି , ଗଣ୍ଡଗୋଳ ଅଭିଯୋଗରେ ଗିରଫ ହୋଇ ଏହି ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ । ତେବେ ଖାଇବାକୁ ନ ଆସି ପୂର୍ବଯୋଜନା ଅନୁଯାୟୀ , ସେମାନେ ଜେଲ୍ ର ପୂର୍ବଦିଗର ପଛପଟର ପ୍ରାୟ ୨୦ ଫୁଟ୍ ର ପାଚେରୀକୁ ତିନୋଟି ଗାମୁଛା ଓ ଗୋଟିଏ ସାର୍ଟକୁ ଦଉଡି ପରି ଗୋଟିଏ ପଟେ ଇଟାବାନ୍ଧି ଫିଙ୍ଗି ତାହା ସାହାଯ୍ୟରେ ଚଢି ଡେଇଁ ପଳାଇଥିଲେ । ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କ ଠାରୁ ଖବର ପାଇ ଜେଲର ପୁନିରାମ ବାଗ ଦିନ ପ୍ରାୟ ୧୨ଟା ବେଳେ ଗଣତିବେଳେ ଜାଣିବାପରେ ପଦ୍ମପୁର ଥାନାରେ ଏତଲା ଦେଇଥିଲେ । ପଦ୍ମପୁର ଥାନା ଆଇ ଆଇ ସି ମମତା ନାଏକ ସଦଳବଳେ ଘଟଣାସ୍ଥଳ ପରିଦର୍ଶନ ପୂର୍ବକ ଏକ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିଦେଇଥିଲେ । ଜେଲରଙ୍କ କହିବାନୁଯାୟୀ , ସେମାନଙ୍କ ସୂଚନାକୁ ଆଧାର କରି ପୁଲିସ୍ ଗତକାଲି ଘରୁ ଜଣକୁ ଓ ଜଙ୍ଗଲରେ ଲୁଚିଥିବା ଆରଜଣକୁ ଆଜି ପୁଲିସ୍ ଗିରଫ କରି ପୁଣି ଜେଲ୍ କୁ ଫେରାଇ ଅଣାଯାଇ ଥିବା ପ୍ରକାଶ ।
ଜେଲରଙ୍କ ସୂତ୍ରରୁ ପ୍ରକାଶ ଯେ , ସେ ମାସେ ତଳେ ବରଗଡରୁ ଆସି ଏଠାରେ ଜଏନ୍ କରିଛନ୍ତି । ତେବେ ପୂର୍ବରୁ ଥିବା ଜେଲର ଦଶମୀ ବାଗ ଏଯାବତ୍ ତାଙ୍କ କୌଣସି ଚାର୍ଜ ହସ୍ତାନ୍ତର କରି ନଥିବା ବେଳେ ତାଙ୍କୁ କେବଳ ଓଜିଏଫ ଆଋ -୨ ବା ଆର୍ଥିକ କ୍ଷମତା ଦିଆଯାଇଛି । ଏହି ଉପକାରାଗାରରେ ଉକ୍ତ ଦିନ ୮ ଜଣ ମହିଳା ଓ ୯୮ଜଣ ପୁରୁଷ ଏପରି ମୋଟ ୧୦୬ ଜଣ ଅନ୍ତେବାସୀ ଥିଲେ । ସେମାନେ ଡେଇଁ ପଳାଇଥିବା ପାଚେରୀର ଉଚ୍ଚତା ପ୍ରାୟ ୨୨ ଫୁଟ୍ ରହିବା କଥା ସ୍ଥଳେ ୨୦ ଫୁଟ୍ ରହିଛି । ପୁରୁଣା ଜେଲ୍ ମାନଙ୍କରେ ଏଇଭଳି ବ୍ୟବସ୍ଥା ଥାଏ ।
ଖବର ପାଇ ସମ୍ବଲପୁର ପଶ୍ଚିମାଞ୍ଚଳ ଜେଲ୍ ବିଭାଗର ଡିଆଇଜି କୁଳମଣି ବେହେରା ପଦ୍ମପୁର ଉପକାରାଗାରକୁ ଆସି ଘଟଣାର ଯାଞ୍ଚ କରିଥିଲେ । ଏହି ଘଟଣାରେ ‘ ମାର୍ ମାର୍ ଭଣ୍ଡାରିଆକୁ ମାର୍ ‘ନୀତିରେ ତଳିଆ କର୍ମଚାରୀଙ୍କୁ ବଳି ପକାଇ କର୍ତ୍ତବ୍ୟରେ ଅବହେଳା ନିମନ୍ତେ ଜଣେ ଉଆଡର ଓ ଜଣେ ଚିଫ୍ ଉଆଡରଙ୍କୁ ନିଲମ୍ବନ କରାଯାଇଛି । ଏହି ଜେଲ୍ ରେ ଏହାପୂର୍ବରୁ ଗତ ୨୦୧୯ରେ ଏଭଳି ଜଣେ କଏଦୀ ଫେରାର୍ ହୋଇଯିବା ଘଟଣା ଘଟିଥିଲା । ଏହି ଉପକାରାଗାରର କାପାସିଟି ଅନୁସାରେ କର୍ମଚାରୀ ଅଭାବ ରହିଛି । ଏଣୁ ତୁରନ୍ତ ୧=୬ ଅନୁଯାୟୀ ଷ୍ଟାଫ୍ ନିଯୁକ୍ତି ସହ ପାଚେରୀର ଉଚ୍ଚତା ବଢାଇବାକୁ ଦାବି ହେଉଛି ।

ତେବେ ଏହି ଉପକାରାଗାରରେ ଏବେ ଅନ୍ତେବାସୀଙ୍କୁ ଖାଇବାକୁ କୌଣସି ଠିକାଦାର ନିଯୁକ୍ତ କରାଯାଇନାହିଁ ଓ ଜେଲର ନିଜେ କିଣାକିଣି କରି ମେସ୍ ଚଳାଉଥିବା ପ୍ରକାଶ କରିଛନ୍ତି । ଏଣୁ ନିମ୍ନମାନର ଖାଦ୍ୟ ଯୋଗୁଁ ଅସନ୍ତୁଷ୍ଟ ହୋଇ ଉକ୍ତ କଏଦୀମାନେ ପଳାଇଥିବା ସ୍ଥାନୀୟ ଲୋକେ ଚର୍ଚ୍ଚା ପ୍ରକାଶ କରନ୍ତି ।