
ସୋନପୁର : ( ନି. ପ୍ର. ) ସଂପ୍ରତି ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ସେୟାର୍ ମାର୍କେଟ୍ ର ଜାଲ । ଏପରିକି ସରକାରୀ କର୍ମଚାରୀ , ବିଭାଗୀୟ ଆକାଉଣ୍ଟାଣ୍ଟ୍ ଡାଟା ଏଣ୍ଟ୍ରି ଅପରେଟର , ପେକ୍ସ କର୍ମଚାରୀ ବା ଡିଇଓ , ଅଧିକାରୀମାନେ ବିଭାଗୀୟ ସରକାରୀ ପାଣ୍ଠିକୁ ଏଥିରେ ନିବେଶ କରି ସର୍ବସ୍ବାନ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି । ଗତ ୫ ତାରିଖରେ ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି ସୋନପୁର ଲିଫ୍ଟ ଇରିଗେସନ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟର ସହକାରୀ ହିସାବରକ୍ଷକଙ୍କ ଦ୍ବାରା ୧ କୋଟି ୧୯ ଲକ୍ଷ ୭୧ ହଜାର ଟଙ୍କା ହଡପ କରି ଧରାପଡି ଫେରାର୍ ହୋଇଯିବା ।
ଏ ସମ୍ପର୍କରେ ସୋନପୁର ଭିଜିଲାନ୍ସରେ ଏକ ମାମଲା ଋଜୁ ହୋଇ ତଦନ୍ତ ଚାଲିଛି । ଅଭିଯୁକ୍ତ ଜଣକ ସୋନପୁର ୟୁନିଅନ ବ୍ୟାଙ୍କ୍ ରୁ ନିର୍ବାହୀଯନ୍ତ୍ରୀଙ୍କ ସ୍ବାକ୍ଷରିତ ଚେକ୍ ରେ ଗତବର୍ଷ ୨୨। ୮ । ୨୩ ତାରିଖରେ ୩୨ ଲକ୍ଷ , ଚଳିତବର୍ଷ ୧୨। ୭ । ୨୪ ତାରିଖରେ ୮୬ ଲକ୍ଷ ଉଠାଇ ନେଇ ନିଜର ବି ଏମ୍ କମ୍ପ୍ୟୁଟର ଫାର୍ମର ଆକାଉଣ୍ଟକୁ ଓ ସେଠାରୁ ଆଉ ଏକ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରିନେବା ପରେ ଗତ ୨ ।୮ । ୨୪ତାରିଖରେ ଆଉ ୭୬ ଲକ୍ଷ ଟଙ୍କା ଉଠାଇବାକୁ ଉଦ୍ୟମ କଲାବେଳେ ବ୍ୟାଙ୍କ୍ ର ସନ୍ଦେହ ହେବାରୁ ଧରାପଡିଯାଇଥିଲା । ଉକ୍ତ ଆଉଟ୍ ସୋର୍ସିଂରେ ଜଣେ ଡାଟାଏଣ୍ଟ୍ରି ଅପରେଟର ଭାବେ ନିଯୁକ୍ତି ପାଇ ପରେ ସହକାରୀ ହିସାବ ରକ୍ଷକ ହୋଇଥିବା ଦଶବର୍ଷର ଜଣେ ସ୍ଥାନୀୟ ଯୁବକ ଘୋଡାଘାଟ ପଡାର ବଳରାମ ମେହେରର ଏଭଳି କାରସାଦୀ ପଛରେ ଆଉ କିଏ କିଏ ଜଡିତ ରହିଆସିଛନ୍ତି , ତଦନ୍ତସାପେକ୍ଷ ।
ତେବେ ବ୍ୟାଙ୍କ୍ ରୁ ସ୍ବାକ୍ଷରିତ ଅଧିକାରୀ ନିର୍ବାହୀଯନ୍ତ୍ରୀଙ୍କୁ ବ୍ୟାଙ୍କ୍ ରୁ ପ୍ରତିଥର ଏତେ ପରିମାଣରେ ଟଙ୍କା ଉଠାଣ ପରେ ଦିଆଯାଇଥିବା ମେସେଜ୍ ଓ ପ୍ରତିମାସର ତଦାରଖ ବା ରିକନସିଲ୍ ସମ୍ପର୍କରେ ନିର୍ବାହୀଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା କିପରି ଜାଣିପାରି ନଥିଲେ , ଆଶ୍ଚର୍ଯ୍ୟକ ! ସେ କହିଛନ୍ତି ଯେ ଦଶବର୍ଷର ଜଣେ ସହକାରୀହିସାବ ରକ୍ଷକଙ୍କୁ ସେ ବିଶ୍ବାସରେ ନିଜର ଆଇ ଡି , ପାସ୍ଉଆର୍ଡ , ସିଲ୍ , ଆରଟିଜିଏସ୍ ପାଇଁ ଦସ୍ତଖତ ଇତ୍ୟାଦି ଦେଇଦେଇଥିଲେ ।
ତେବେ ସୋନପୁରର ବାଟଘାଟରେ ବି ଚର୍ଚ୍ଚାହେଉଛି ଯେ ଉକ୍ତ ଯୁବକ ସେୟାର ମାର୍କେଟ୍ ରେ ଟଙ୍କା ନିବେଶ କରି ଆସୁଥିଲା । ଏପରିକି ତଦନ୍ତକାରୀ ଭିଜିଲାନ୍ସର ସୋନପୁର ଡିଏସପି ରୀତାଞ୍ଜଳି ପ୍ରଧାନ ଏ ସମ୍ପର୍କରେ ଜାଣିଥିବା ଏବଂ ଅଭିଯୁକ୍ତର ପତ୍ନୀଙ୍କ ସୂତ୍ରରୁ ଏଇ ଅଫିସ୍ ର ପୂର୍ବତନ ଅବସରପ୍ରାପ୍ତ ତଥା ପୁଣି କର୍ମଚାରୀ ଅଭାବରୁ ଅଫିସ୍ ରେ କାମ କରୁଥିବା ଆକାଉଣ୍ଟାଣ୍ଟ୍ , ନିଜେ ନିର୍ବାହୀଯନ୍ତ୍ରୀ ଓ ଅନ୍ୟମାନେ ସମସ୍ତେ ସେୟାର୍ ମାର୍କେଟ୍ ରେ ଜଡିତ ରହିଆସିଛନ୍ତି ବୋଲି ପ୍ରକାଶ ।
ଏଠାରେ ମୁଖ୍ୟ ସନ୍ଦେହଜନକ କଥାହେଉଛି , ସୋନପୁର ୟୁନିଅନ ବ୍ୟାଙ୍କ୍ ରେ ସୋନପୁର ଉଠା ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଏତେ ସରକାରୀ ଟଙ୍କା ରଖିବାର କାରଣ , ସୁଧ ପରିମାଣ ଓ ଏକାଧିକବାର ଜଣେ କର୍ମଚାରୀଙ୍କ ଦ୍ବାରା ଟଙ୍କା ଟ୍ରାନ୍ସଫର୍ ଘଟଣାର ତଦନ୍ତ ଭିଜିଲାନ୍ସ ନା ସିବିଆଇ କରିବା କଥା ; ଏ ସବୁର ତର୍ଜମା କରା ନଯିବା ।

ଅନ୍ୟ ଏକ ଘଟଣାନୁଯାୟୀ , ଗତ ମାସ ଖରିଫ୍ ଋତୁରେ ଫେକ୍ ଭେଣ୍ଡର ରସିଦ୍ ଦେଇ ମିଥ୍ୟା ଧାନଖର୍ଦ୍ଦିର ଠକେଇରେ ଫସି ନିକଟରେ ଜମିବିକି ୧୫ ଲକ୍ଷ ଟଙ୍କା ଅଭିଯୋଗକାରୀ ଚାଷୀଙ୍କୁ ଭରଣା କରିଥିବା ଏହି ଜିଲ୍ଲାର ତରଭା ବ୍ଲକ୍ କମସରା ପେକ୍ସର ଡାଟାଏଣ୍ଟ୍ରି ଅପରେଟର ମନୋରଞ୍ଜନ ମିଶ୍ର ମଧ୍ୟ ଏହି ଲକ୍ଷାଧିକ ଟଙ୍କାର ଜୁଆ ବା ଏହିପରି ସେୟାର୍ ମାର୍କେଟ୍ ରେ ନିବେଶ କରି ବରବାଦ ହୋଇଥିବା ଚର୍ଚ୍ଚା ହେଉଛି । କେବଳ ଏତିକି ନୁହେଁ , ତାଙ୍କ ସହ ଏପରି କାରବାରରେ ସୋନପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ଆଉଜଣେ ଡିଇଓ ରଞ୍ଜନ ଦୀପ ଏବଂ ଭୁବନେଶ୍ବରର ମୁଖ୍ୟ କାର୍ଯ୍ୟାଳୟର ଜଣେ କମ୍ପ୍ୟୁଟର ଅପରେଟରମାନେ ସାମିଲ୍ ରହିଥିବା କମସରା ଗାଁ’ରେ ବସିଥିବା କଙ୍ଗାରୁକୋର୍ଟରେ ସେ ହାତକାଟି ଲେଖି ଦେଇଥିବା ତାଙ୍କ ସ୍ବୀକାରୋକ୍ତିର କାଗଜ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ତଥାପି ମିଥ୍ୟାଧାନଖର୍ଦ୍ଦି ଓ ରାଜ୍ୟବାହାରର ଛତିଶଗଡକୁ ଧାନ ଚୋରାଚାଲାଣ ପରି ଗୁରୁତର ଅଭିଯୋଗର ବାସ୍ନା ଆସିଥିବା ଏଇ ମାମଲାର ତଦନ୍ତ ହେଉ ନଥିବା ଆଶ୍ଚର୍ଯ୍ୟଜନକ! ତେଣୁ ଅନ୍ୟ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ବା ଆକାଉଣ୍ଟାଣ୍ଟ୍ ମାନେ ଯେ ବାପଧନ ଭଳି ସରକାରୀପାଣ୍ଠିକୁ ଏଭଳି ସେୟାର୍ ମାର୍କେଟ୍ ରେ ନିବେଶ କରୁ ନଥିବେ , ତଦନ୍ତସାପେକ୍ଷ ।






“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।
