ଏହା କ’ଣ ଆମର ଓଡିଆଅସ୍ମିତା ?
ବରଗଡ : ନିକଟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ୧୬୨ ତମ ଜନ୍ମବାର୍ଷିକୀ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନହଲ୍ ରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗଙ୍ଗାଧର କାବ୍ୟାଞ୍ଜଳି ଉପଲକ୍ଷେ କବିଙ୍କର ଅମର କାବ୍ୟ ମାତାସୀତାଙ୍କ ଉପରେ ଆଧାରିତ ‘ ମଙ୍ଗଳେ ଅଇଲା ଉଷା….’ ଗୀତଟିର ଯେଉଁପରି ଭାବରେ ରାମ୍ପ୍ ସୋ କରାଗଲା , ଏହାକୁ ବରଗଡ ସମେତ ରାଜ୍ୟର ବହୁ ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି । ବାହାରେ ରହୁଥିବା ବରଗଡର କେତେକ ବରିଷ୍ଠ ସଂସ୍କୃତିଅନୁରାଗୀ ଅଧିକାରୀ ଆମକୁ ଫୋନ୍ କରି ଏ ସମ୍ପର୍କରେ କିଛି କରିବାକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି ।
ଆମ ରାଜ୍ୟର ସାଂସ୍କୃତିକ ସମାଲୋଚନକଙ୍କ ମତରେ ସେଠାରେ ମଞ୍ଚରେ ଓ ଉତ୍ସବରେ ଉପବେସନ କରିଥିବା ବା ଉପସ୍ଥିତ ଥିବା ବିଶିଷ୍ଟ ତଥା ଅନୁରାଗୀ ବ୍ୟକ୍ତିବିଶେଷଙ୍କର ଏଥିପ୍ରତି କିଛି ପ୍ରତିକ୍ରିୟା ଥିଲା କି ନଥିଲା , ସେମାନେ ସେଠାରେ ମୁହଁରେ ତୁଣ୍ଡିବାନ୍ଧି ବସିରହିବା ବିଡମ୍ବନାର ବିଷୟ । ଗଙ୍ଗାଧରଙ୍କ କାବ୍ୟର ଅଭିନବ ପରିବେଷଣ ସ୍ବାଗତଯୋଗ୍ଯ ହେଲେ ହେଁ , ଅନ୍ତତଃ ଦେବୀସୀତାଙ୍କ ନିମନ୍ତେ ରଚିତ ଏଇ ଅପୂର୍ବ ଭକ୍ତିପୂତ ଆଶ୍ରମେ ପ୍ରଭାତର ଗୀତର ଏତାଦୃଶ ବିକୃତିକରଣ ଅଶୋଭନୀୟ !
ଅବଶ୍ୟ ଏଭଳି ସାଂସ୍କୃତିକ ବିକୃତି ଯେ ଆମ ରାଜ୍ୟରେ ପ୍ରଥମଥର ପାଇଁ ଘଟିଛି , ତା’ ନୁହେଁ । ଏଇ ଦଶନ୍ଧିରେ ଛୋଟ ଛୋଟ ପିଲାଙ୍କର ସ୍କୁଲରେ ପ୍ରତ୍ୟେହ ଗାନ କରାଯାଉଥିବା ‘ ଆହେ ଦୟାମୟ ବିଶ୍ବବିହାରୀ..’ ପଦଟି ପରେ ‘ ଜଣେ ଗାୟକନିର୍ଦ୍ଦେଶକ ଗୁଡଲୀ ରଥ ଚାଲୁ ବଜାରୀଗୀତ ‘ କିଆଁ କଲ ମୋତେ ଏତେ ସୁନ୍ଦରୀ ‘ ଯୋଡି ଭର୍ତ୍ସିତ ହେବା , ବିଶ୍ବପ୍ରସିଦ୍ଧ ‘ ରଙ୍ଗବତୀ ‘ ଗୀତକୁ ବିଶିଷ୍ଟାଗାୟିକା ସୋନା ମହାପାତ୍ର ଆଧୁନିକସ୍ବରରେ ଗାଇ ସମାଲୋଚିତା ହେବା , ଗତ ସରକାର ଅମଳରେ ବିଶ୍ବ ଓଡିଆ ସମ୍ମିଳନୀ ଅବସରରେ କାନ୍ତକବିଙ୍କୁ ଘୋଷିକା ସର୍ବସମକ୍ଷରେ ‘ ‘କଣ୍ଠକବି ‘ ବୋଲି ସମ୍ବୋଧନ କରି ସମାଲୋଚିତା ହେବା ଓ ଏଇ ଅଳ୍ପଦିନ ତଳେ ଗାୟକ ହ୍ୟୁମାନ୍ ସାଗରଙ୍କ ସହ ଗାୟକ ରୁକୁ ସୁନା ପ୍ରସିଦ୍ଧ ନିମାଇଁ ହରିଚନ୍ଦନଙ୍କ ଐକାନ୍ତିକ ଶିଷ୍ୟ ଦୁଃଖୀଶ୍ୟାମ ତ୍ରିପାଠୀ ଗାଇଥିବା ଜଗନ୍ନାଥ ଜଣାଣକୁ ଅଶ୍ଳୀଳ ଦ୍ବିଅର୍ଥବୋଧକ ‘ ନଲିଆ ତଲେ ବଲିଆଝୁରି …’ ଚାଲୁଗୀତରେ ଶସ୍ତାବ୍ୟଙ୍ଗ କରି ସୋସିଆଲ୍ ମିଡିଆରେ ପୋଷ୍ଟ ଭାଇରାଲ୍ ହୋଇ ନିନ୍ଦିତ ହେବା ସହ ଅନେକ ଉଦାହରଣ ରହିଛି । ବିଶେଷକରି ଓଡିଆଅସ୍ମିତାର ଦ୍ବାହି ଦେଇ ସରକାରକୁ ଆସିଥିବା ମୋହନ ସରକାରଙ୍କୁ ଏହା କିମିତି ଲାଗୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।