ଯାହାକୁ ପ୍ରସଙ୍ଗ କରାଯିବା କଥା କରାଯାଉନାହିଁ
ଯାହା ପ୍ରସଙ୍ଗ ନୁହେଁ , ସେଥିରେ ମାତି ରାଜନୀତି ପୁରାଉଛନ୍ତି !
ଭୁବନେଶ୍ବର : ଦେଖାଯାଇଆସୁଛି , ଓଡିଶାରେ ଅପ୍ରସଙ୍ଗକୁ ପ୍ରସଙ୍ଗ କରାଯାଇ ଜନମତକୁ ବିଭ୍ରାନ୍ତ କରାଯିବାର ଅପଚେଷ୍ଟା କରାଯିବା ସହିତ ସମୟର ଅଯଥା ଅପଚୟ କରାଯାଇଆସୁଛି । ସ୍ବତନ୍ତ୍ର କୋଶଳପ୍ରଦେଶ ଗଠନ ଦାବି ହେଉ ବା ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନ ଓ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଇତ୍ୟାଦି ଏଥିର ଗୋଟେ ଗୋଟେ ଉଦାହରଣ । ଯେହେତୁ ଏଇ ତଥାକଥିତ ପ୍ରସଙ୍ଗଗୁଡିକ ଜନମାନସକୁ ଗଭୀରଭାବରେ ଛୁଇଁ ପାରିନାହିଁ , ତେଣୁ ଯାବତୀୟ ଗ ଳ ଦ୍ ଘ ର୍ମ ପ୍ରୟାସ ସତ୍ତ୍ୱେ ଏତେଦିନ ଧରି ତାହାର କୌଣସି ନିଷ୍କର୍ସ ବାହାରିପାରୁ ନାହିଁ । ବରଞ୍ଚ ଏହା କତିପୟ ହତାଶ ନେତାଙ୍କର କୁମ୍ଭୀରକାନ୍ଦଣାରେ ପର୍ଯ୍ୟବେଶିତ ହୋଇଛି । ପଶ୍ଚିମଓଡିଶାକୁ ସରକାରୀ ବା ପ୍ରାଶାସନିକ ଅବହେଳା ଏକ ବାସ୍ତବିକତା ହେଇଥାଇପାରେ , ମାତ୍ର ତାହାର ସମାଧାନ ନିମନ୍ତେ ଏକ ବିଚ୍ଛିନ୍ନତାବାଦୀ ଦୃଷ୍ଟିକୋଣରେ ଆଉ ଏକ ସ୍ବତନ୍ତ୍ରରାଜ୍ୟ ଗଠନ ନିମନ୍ତେ ଅଦ୍ୟାବଧି ତଥାକଥିତ ୧୧ଟି ପଶ୍ଚିମାଞ୍ଚଳ ଜିଲ୍ଲାର ଲୋକମାନେ ସଂଗଠିତ ହେଇପାରୁ ନାହାଁନ୍ତି କାହିଁକି ? ଭାଷାଭିତ୍ତିରେ ବି କୋଶଳୀ ଓ ସମ୍ବଲପୁରୀର ଅସହମତି ରହିଛି ।
ଏଣୁ ଯେତେ ଭୋଟ୍ ଭିତ୍ତିକ ରାଜନୀତି କଲେ ବି ସରକାର ଶେଷରେ ନିରସ୍ତ୍ର ହୋଇ ‘ସମ୍ବଲପୁରୀ- କୋଶଳୀ ‘ବୋଲି ଏକ ଯୋଡାଶବ୍ଦର ଆଶ୍ରୟ ନେଇଛନ୍ତି । ଇତିମଧ୍ୟରେ କୋଶଳ ନାଁ’ରେ ଏକାଧିକ ତଥାକଥିତ ସଂଗଠନ ଦୁର୍ବଳ ହୋଇ ପ୍ରାୟ ଭୁଷୁଡି ପଡିଲାଣି । ଏହାର ନେତାମାନଙ୍କୁ ଲୋକେ ଗ୍ରହଣ କରୁ ନଥିବା ପ୍ରମାଣିତ ହୋଇଗଲାଣି । ଏବେ ଏଇ ତଥାକଥିତ କୋଶଳ ଆନ୍ଦୋଳନ ସଂକୁଚିତ ହୋଇ ପାଟଣାଗଡର କତିପୟ ଅନାମଧ୍ୟେୟ ମୁଷ୍ଟିମେୟ ଯୁବକଙ୍କ ହାତରେ । ସେମାନଙ୍କ ମଧ୍ୟରୁ କେତେକ ବଟି ଆଦାୟ କରି ଓ ଅହେତୁକ ଗଣ୍ଡଗୋଳ କରି ପୁଲିସ୍ ଦ୍ବାରା ଗିରଫ ହୋଇ ଜେଲ୍ ବି ଗଲେଣି । ଗତ ନିର୍ବାଚନରେ ତୃତୀୟସ୍ଥାନର କଂଗ୍ରେସପ୍ରାର୍ଥୀ କୋଶଳ ନାଁ’ରେ ପ୍ରଚାର କରିଥିବାବେଳେ ଏହା ତାଙ୍କର ଦଳୀୟ ଏଜେଣ୍ଡାରେ ବି ନଥିଲା । ଏକଦା କୋଶଳକୁ ବିରୋଧ କରୁଥିବା ଜଣେ ବରିଷ୍ଠ ହତାଶ କଂଗ୍ରେସନେତା ଅତ୍ୟନ୍ତ ହାସ୍ୟାସ୍ପଦ ଭାବେ ‘କୋଶଳରାଜ୍ୟ ଦରକାର ‘ ବୋଲି …. ‘ କୁ ର୍ ରା ଭାଷି ! ‘ ଛାଡିଛନ୍ତି !
ସର୍ବୋପରି ପଶ୍ଚିମଓଡିଶାର ଅବହେଳା ନିମନ୍ତେ ଏଭଳି ଏକ ପ୍ରତିବାଦର ନିଶ୍ଚିତ ଆବଶ୍ୟକତା ରହିଥିଲେ ହେଁ , ଏଇ ପ୍ରସ୍ତାବିତ ସ୍ବତନ୍ତ୍ର ପ୍ରଦେଶର ନାଁ’ କାହିଁକି ‘ କୋଶଳ ‘ ହେବ , କେବଳ ଏକ ଭାବାବେଗ ବ୍ୟତୀତ ଅନ୍ୟ କୌଣସି ଯୁକ୍ତିଯୁକ୍ତ ତଥ୍ୟପ୍ରମାଣ ଉପସ୍ଥାପନ କରାଯାଇ ପାରିନାହିଁ । କେବଳ ଉଦ୍ ଭ୍ରାନ୍ତ ଯୁବଗୋଷ୍ଠୀକୁ ଉସ୍ କାଇ ଶୋଧାଶୋଧି ଓ ଗାଳିଗଣ୍ଡଗୋଳ ସୃଷ୍ଟି କରି ବିଶୃଙ୍ଖଳା ସୃଷ୍ଟି କରାଇବା ଛଡା ଏଇ ଆନ୍ଦୋଳନ ପଛରେ ଅଦ୍ୟାବଧି ଆଉକିଛି ନାହିଁ । ଯେଉଁମାନେ ଏଇ ଦାବି ଉଠାଉଛନ୍ତି , ସେମାନେ କେବଳ ଏଇ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରାଯାଉ ବୋଲି ଏକ ଉପରଠାଉରିଆ ଦାବି କରୁଥିବାବେଳେ , ନା ଏ ଭାଷାରେ ସେମାନଙ୍କର କୌଣସି ବ୍ୟୁତ୍ପତ୍ତିଗତ ଜ୍ଞାନ ଅଛି , ନା ଅବଦାନ !
ଦ୍ୱିତୀୟତଃ ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନ ଦାବି ଆନ୍ଦୋଳନ କଥା । ପଶ୍ଚିମଓଡିଶାର ବଲାଙ୍ଗୀର ଓ ସମ୍ବଲପୁରରେ ବି ଏହାର ସହମତି ନାହିଁ । ଅଧା ଅଧା ଜିଲ୍ଲା ଉଭୟପଟରେ ରହିଛନ୍ତି । ସମସ୍ତେ ଶ୍ରେୟ ନେବାକୁ ଆଗଭର । ଖାଲି ଯେ କଚିରୀଆଗରେ ମାସ ମାସ ଧରି ବେଞ୍ଚ୍ ପକାଇ ତଥାକଥିତ ସଂଗଠନ ଓ ଲୋକଙ୍କୁ ଠୁଳେଇ ଧାରଣା ଦେଇଦେଲେ , ଦାବି ପୂରଣ ହେଇଯାଏ , ଏଗୁଡା ଲୋକଙ୍କ ଆଖିରେ ଧୂଳିଝିଣ୍ଟିବା ଭଳି ଚକ୍ ମା ! କାହିଁକି ଓ କିପରି ଏହାଦ୍ବାରା ଅଞ୍ଚଳବାସୀଙ୍କର ସୁବିଧା ହେବ , ଏକଥା ଲୋକଙ୍କୁ ବୁଝାଯାଇ ପାରିନାହିଁ ! ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ମନାକରିଦେଲେଣି , ସୁପ୍ରିମକୋର୍ଟ ରାଜ୍ୟରେ ଆଉ ଏକ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି । ଦି’ଦିନ ପରେ ପୁଣି ତାଙ୍କରି ଦଳର ଜଣେ ସଦାବିବାଦୀୟ ବିଧାୟକ ତାଙ୍କୁ ବିରୋଧ କରିଛନ୍ତି ଓ ତହିଁରେ ସେ ହଡବଡେଇ ଗଲେଣି ।
ପ୍ରକୃତରେ ଆନ୍ଦୋଳନକାରୀମାନଙ୍କୁ ପଚରାଯାଉ , ରାଜ୍ୟରେ ଆଉ କେତୋଟି ହାଇକୋର୍ଟ ବେଞ୍ଚ ସ୍ଥାପନ ହେଲେ , ଲୋକଙ୍କର କିପରି କଣ ସୁବିଧା ହେବ ଓ ସରକାର ମଧ୍ୟ ସ୍ପଷ୍ଟ କରନ୍ତୁ ଯେ , ଅସୁବିଧାଟା କ’ଣ ଓ କାହାର ହେଇଯିବ ? କଟକ ହାଇକୋର୍ଟ ଓକିଲମାନଙ୍କର ଉପାର୍ଜନରେ ଫରକ୍ ପଡିଯିବ କି ?
ଆମେ ଇତିହାସକୁ ଟାଣିଓଟାରି ଆଣି ଉଭୟ କୋଶଳ ଓ ହାଇକୋର୍ଟ ବେଞ୍ଚ ଇତ୍ୟାଦି ପ୍ରସଙ୍ଗ ଉଠାଇବାରେ ଯେତେ ବୁଦ୍ଧିପ୍ରୟୋଗ କରୁଛେଁ , ଛାତିରେ ହାତରଖି କହିପାରିବା କି ଏଥିରେ ନିକୃଷ୍ଟ ରାଜନୀତି ନାହିଁ ବୋଲି ? ଏଭଳି ରାଜନୀତି ଯେ ବିଫଳ ହୋଇଛି , ଏତେଦିନ ଭିତରେ ସେମାନେ ଏହା ବୁଝିଯିବା ଆବଶ୍ୟକ ।
ଏବେ ଅହେତୁକ ଭାବରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କଥା ଉଠାଯାଇ ନିକୃଷ୍ଟ ରାଜନୀତି କରାଯାଉଛି । ‘ଏଥିରେ ଏବେ କୌଣସି ପ୍ରାସଙ୍ଗିକତା ନାଇଁ କି ଏହା କହିଥିବା ନେତାଙ୍କର ଓଡିଶା ପ୍ରତି ବା ଓଡିଶାର ଉଚ୍ଚଶିକ୍ଷାପ୍ରତି କୌଣସି ଅବଦାନ ନାଇଁ ! କାହିଁକି ସେ ହଠାତ୍ ନିଜଭିତରର ଗୋଟେ ଚାପାହୀନମନ୍ୟତାକୁ ବିଧାମାରି ପଣସ ପଚାଇଲା ପରି ଉଖୁରାଇଲେ , ଏହାର ଉତ୍ତର ସେ ହିଁ ଜାଣନ୍ତି ‘ ବୋଲି କେତେକ ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି ।
ଅଥଚ ସବୁଠାରୁ ସମ୍ବେଦନଶୀଳ ପ୍ରସଙ୍ଗ ଓଡିଶାକୁ ଛତିଶଗଡ ମହାନଦୀ ପାଣି ନ ଛାଡି ଦାଦାଗିରି କରି ଆସୁଥିବା , ଆନ୍ଧ୍ରର କୋଟିଆ ଜବରଦଖଲ , ପୋଲାଭରମ୍ , ଟିକେ ଟିକେ କଥାରେ ପଶ୍ଚିମବଙ୍ଗର ଆଳୁ ଇତ୍ୟାଦି ପରିବହନ ବନ୍ଦ କରିଦେବାର ଧମକ ସହ ଆହୁରି ଅନେକ ଚିରପ୍ରସଙ୍ଗ ପ୍ରତି ଆମର ଦୃଷ୍ଟି ଓ ଦରଦ ରହୁନି କାହିଁକି ? ଏ ଭିତରେ ବଙ୍ଗଳାଦେଶ ବା ପଶ୍ଚିମବଙ୍ଗରୁ ଓଡିଶାରେ ରୋହିଙ୍ଗ୍ୟା ଅନୁପ୍ରବେଶ , ଅନ୍ୟରାଜ୍ୟର ସେଠ୍ ମାନେ ଆସି ଆମରାଜ୍ୟରୁ ଦାଦନଶ୍ରମିକ ଚାଲାଣ ଓ ଆନ୍ଧ୍ର , ଛତିଶଗଡ ଇତ୍ୟାଦି ରାଜ୍ୟର ମାଓଉପଦ୍ରବର ସମ୍ପୃକ୍ତିର ସମାଧାନ ସବୁଠୁଁ ଅଧିକ । କେବେ ଏଇ ଚିରନ୍ତନ ପ୍ରସଙ୍ଗଗୁଡିକ ଆମକୁ ବିଚଳିତ କରିବ ?