ବ୍ଲାକ୍ ମେଲିଂ ଅଭିଯୋଗ
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ସରକାରୀ ଚାକିରୀ କରୁଥିବା ଶିକ୍ଷକ / ଶିକ୍ଷୟିତ୍ରୀ ଓ ବନ ବିଭାଗର ରେଞ୍ଜ ଅଧିକାରୀ ପ୍ରମୁଖଙ୍କ ବିରୋଧରେ ନକଲି ଆଦିବାସୀ/ ହରିଜନ ଜାତିଗତ ପ୍ରମାଣପତ୍ରର ତଦନ୍ତ ଅଭିଯୋଗ କରି କେତେକ ତଥାକଥିତ ଆଦିବାସୀ ନେତା ସମ୍ପୃକ୍ତ କର୍ମଚାରୀଙ୍କୁ ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ପ୍ରକାଶ ପାଇଛି । ଏ ସମ୍ପର୍କରେ ଏବେ ଏକ ଖବରକାଗଜରେ ଏକ ଖବର ପ୍ରକାଶ ପାଇଥିଲା । ଏସମ୍ପର୍କରେ ଆମ ଟିମ୍ ତଦନ୍ତ କରିବାରୁ ଉପରୋକ୍ତ ଚାଞ୍ଚଲ୍ୟକର ବ୍ଲାକ୍ ମେଲିଂ ଅଭିଯୋଗ ହସ୍ତଗତ ହୋଇଛି ।
ଉଲ୍ଲେଖନୀୟ ଯେ , ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ନିକଟରେ ଜିଲ୍ଲାର ଏଭଳି ନକଲି ଜାତିଗତ ପ୍ରମାଣ ପତ୍ର ବଳରେ ସରକାରୀ ଚାକିରୀ କରୁଥିବା ଅଭିଯୋଗ ହୋଇଥିଲା । ସେଇ ଅଭିଯୋଗ କ୍ରମେ ଜିଲ୍ଲାର ୯ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ , ଅଙ୍ଗନ ବାଡି କର୍ମୀ , ଅବସରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଓ ଜଣେ ବନ ବିଭାଗର ରେଞ୍ଜ ଅଧିକାରୀଙ୍କ ନାମରେ ଉକ୍ତ ଚିଠି ନମ୍ବର ଆଦି ଉଲ୍ଲେଖ କରାଯାଇ କଳାହାଣ୍ଡି ଏସ୍ ପି ଙ୍କ ପକ୍ଷରୁ ମଧ୍ୟ ତଦନ୍ତ କରାଯାଉଥିବା ପ୍ରକାଶ ପାଇଛି । ଏହାପରେ ଆମ ଟିମ୍ ପକ୍ଷରୁ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଭେଟି ଏ ସମ୍ପର୍କରେ ପଚରାଯିବାରୁ ସେମାନେ ଏହା ପଛରେ କେତେକ ସ୍ବାର୍ଥନିଷ୍ଠ ବ୍ୟକ୍ତିବିଶେଷଙ୍କର ଟଙ୍କା ଦାବି କରି ବ୍ଲାକ୍ ମେଲିଂ କରୁଥିବା ଅଭିଯୋଗ ଆମର ହସ୍ତଗତ ହୋଇଛି ।
ଏଥିମଧ୍ୟରେ କଳାହାଣ୍ଡି ବନ ବିଭାଗ ଦକ୍ଷିଣାଞ୍ଚଳ ଡିଭିଜନର ବଗାଡ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କାଉରଙ୍କ କହିବା କଥା ଯେ , ସେ ଜଣେ ପ୍ରକୃତରେ ଆଦିବାସୀ ଓ ତାଙ୍କ ପଛରେ ତିନୋଟି ଦଳ ପକ୍ଷରୁ ବାରମ୍ବାର ଟଙ୍କା ପାଇଁ ଏଭଳି ଉଦ୍ଦେଶ୍ୟମୂଳକ ମିଥ୍ୟା ଅଭିଯୋଗ କରାଯାଇ ଆସୁଛି । ମୁଁ ଚାହେଁ ଯେ , ଏହାର ପ୍ରକୃତ ତଦନ୍ତ ହେଉ ଓ ଏଭଳି ଅଭିଯୋଗ ସବୁଦିନ ପାଇଁ ବନ୍ଦ ହେଇଯାଉ ।’ ତେବେ ସେ କେତେଦୂର ସତ , ତଦନ୍ତ ସାପେକ୍ଷ । ଅନ୍ୟପକ୍ଷରେ ସେ ପ୍ରକୃତରେ ଆଦିବାସୀ ଜାତିର ନୁହଁନ୍ତି ଓ ତାଙ୍କ ଘର ଭବାନୀପାଟଣାର ପରଦେଶୀପଡାର ହରିଜନପଡାରେ ଓ ସେ ଜଣେ ହରିଜନଜାତିର ହୋଇଥିଲେ ହେଁ , ଆଦିବାସୀ ଜାତିକୋଟାରେ ସରକାରୀ ଚାକିରୀ ହାତେଇଥିବା ଓ ଏପରିକି ତାଙ୍କର ମାଟ୍ରିକ୍ ଶିକ୍ଷାଗତ ପ୍ରମାଣ ପତ୍ରରେ ମଧ୍ୟ ଜାଲିଆତି କରାଯାଇଥିବା ସ୍ଥାନୀୟଲୋକେ କହନ୍ତି । ଏ ସମ୍ପର୍କରେ ତାଙ୍କୁ ପଚରାଯାଇଥିଲେ ହେଁ , ସେ ଏହାକୁ ଅସ୍ବୀକାର କରନ୍ତି ।
ଦ୍ବିତୀୟତଃ ଜୟନ୍ତପୁର ଆଶ୍ରମସ୍କୁଲ୍ ର ପ୍ରଧାନଶିକ୍ଷୟିତ୍ରୀ ଅସୀମା ଦୋରାଙ୍କୁ ତାଙ୍କ ଜାତିଗତ ପ୍ରମାଣ ପତ୍ର ନକଲି କି ବୋଲି ପଚରାଯିବାରୁ ସେ ମଧ୍ୟ ତାଙ୍କ ବିରୋଧରେ କଳାହାଣ୍ଡି ର ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝି ଆର ଡି ସି ଙ୍କ ନିକଟରେ ଦ୍ବିତୀୟବାର ଏଭଳି ଅଭିଯୋଗ କରିଥିବା ଓ ଏହାପଛରେ ତାଙ୍କର ଉପରୋକ୍ତ ଟଙ୍କା ଉଦ୍ଦେଶ୍ୟ ରହିଥିବା କହିଛନ୍ତି । ସେ ଏହା ମଧ୍ୟ କରିଥିଲେ ଯେ , ଅଭିଯୋଗ ହେଉ । କିନ୍ତୁ ଏହାର ସତ୍ୟାସତ୍ୟ ତଦନ୍ତ ପରେ ଯାଇ ଗଣମାଧ୍ୟମରେ ବାହାରିବା କଥା । ଏହା ଏକ ମାନସିକ ନିର୍ଯାତନା ଛଡା ଆଉ କ’ଣ ? ଆମ ଜାତି କଣ୍ଡାଦୋରା ଓ ଆମେ ଏସ୍ ଟି ଅଟୁଁ ।
ଅନେକ ସ୍ଥାନରେ ଆମର ଏଇ ଜାତି ଓ ସାଙ୍ଗିଆର ଲୋକେ ଏଇ ସରକାରୀ କୋଟାର ସୁବିଧା ନେଇଛନ୍ତି । ‘ ସେ ଜିଲ୍ଲାର ଜୟନ୍ତପୁର ଭଳି ଏକ ନିପଟ ପଲ୍ଲୀ ଗ୍ରାମାଞ୍ଚଳରେ ଆଦିବାସୀ କଲ୍ୟାଣ ବିଭାଗର ଏକ ଆଶ୍ରମସ୍କୁଲ୍ ବା କନ୍ୟାଶ୍ରମର ପ୍ରଧାନଶିକ୍ଷୟିତ୍ରୀ ଭାବରେ ଅବସ୍ଥାପିତା ଓ ଏହି ସ୍କୁଲରେ ମୋଟ ୩୮୧ ଜଣ ଅନ୍ତେବାସିନୀଙ୍କ ସମେତ ୪୪୭ ଜଣ ଛାତ୍ରୀ ଶିକ୍ଷାଗ୍ରହଣ କରୁଛନ୍ତି । ଏଠାରେ ତାଙ୍କ ସହ ୧୩ ଜଣ ଶିକ୍ଷୟିତ୍ରୀ ଓ ୬ ଜଣ ଅନ୍ୟାନ୍ୟ ମହିଳା କର୍ମଚାରୀ ଥିଲେ ହେଁ , ରାତ୍ର ଜଗୁଆଳୀ ନଥିଲେ ହେଁ , ସେ ଏହାକୁ ସୂଚାରୁରୂପେ ପରିଚାଳନା କରୁଥିବା ଦେଖାଯାଇଛି ।
ସବୁଠାରୁ ଗୁରୁତର ବିଷୟ ଯେ , ଗତ ଜୁଲାଇ ମାସରେ ଜୁନାଗଡ କାନ୍ଦୁଗୁଡା ଗ୍ରାମ ନିବାସୀ ମନ ରଞ୍ଜନ ଭୋଇ ନାମକ ଜଣେ ପୁଲିସ୍ କର୍ମଚାରୀଙ୍କ ପକ୍ଷରୁ କଳାହାଣ୍ଡି ଆଦିବାସୀ ଚେତନା ମଞ୍ଚର ସଭାପତି ପରମାନନ୍ଦ ମାଝୀଙ୍କ ନିକଟକୁ ଲେଖିଥିବା ଏକ ଅଭିଯୋଗପତ୍ରର ନକଲ ଆମର ହସ୍ତଗତ ହୋଇଛି । ସେଥିରେ ସେ ତମ୍ବାଛଡା ଗ୍ରାମର କିଶୋର ଭୋଇ ଓ କଳାହାଣ୍ଡି ଆଦିବାସୀ ସଂଘର ସଭାପତି ହୃଦାନନ୍ଦ ମାଝି ନାମକ ୨ ଜଣ ତାଙ୍କଠାରୁ ଯଥାକ୍ରମେ ୪୦ ହଜାର ଓ ୮୦ ହଜାର ଟଙ୍କା ନେଇଥିବାର ଅଭିଯୋଗ କରାଯାଇଛି । ଏହା ବ୍ୟତୀତ ଆହୁରି ୧ ଲକ୍ଷ ଟଙ୍କା ଦାବି କରି ଭବିଷ୍ୟତରେ ତାଙ୍କ ନାମରେ କେଶପତ୍ର କରିବୁ ନାହିଁ ଓ ଯଦି କିଛି ହୁଏ , ଆମେ ଦାୟୀ ରହିବୁ ବୋଲି ଆଶ୍ବାସନା ଦେଇଥିଲେ ।
ଏ ସମ୍ପର୍କରେ ଜୁନାଗଡ ତହସିଲଦାର ଓ ଥାନା ଆଇଆଇସି ତଦନ୍ତ ସାରିଥିବା ସେ ଉଲ୍ଲେଖ କରିଛନ୍ତି । କିନ୍ତୁ କେଉଁଥି ପାଇଁ ସେ ସେମାନଙ୍କୁ ଏତେ ଟଙ୍କା ଦେଇଥିଲେ , ଏହା ମଧ୍ୟ ଅନୁସନ୍ଧାନ ସାପେକ୍ଷ । ଏ ସମ୍ପର୍କରେ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । ସରକାର ଦୃଷ୍ଟିଦେବାକୁ ଲୋକେ ଦାବି କରୁଛନ୍ତି ।
ତେବେ ଏ ସମ୍ପର୍କରେ ଉଦ୍ୟମ କରାଯାଇ ଥିଲେ ହେଁ , ଆଦିବାସୀନେତା ଓ ଅପର ପକ୍ଷର କିମ୍ବା ତଦନ୍ତକାରୀ ଅଧିକାରୀଙ୍କର ମତାମତ ନିଆଯାଇ ପାରିନାହିଁ । ତେବେ ଯଦି ଏହା ସତ୍ୟ ହୋଇଥାଏ , ସାଙ୍ଘାତିକ୍ !