ଭୁବନେଶ୍ବର : ପୂର୍ବର ନବୀନ ସରକାରରେ ଗଣମାଧ୍ୟମର କଣ୍ଠରୋଧ ହେଉଥିଲା । ଉଭୟ ଶାସକ ଓ ବିରୋଧୀଦଳର ସମାଲୋଚନାରୁ ସଠିକ୍ ସାମ୍ବାଦିକତା ଜଣାପଡେ । ଗଣମାଧ୍ୟମ ହେଉଛି ସାଧାରଣଲୋକଙ୍କ ସ୍ବର । ଗଠନମୂଳକ ସମାଲୋଚନା ଓ ଏଜେଣ୍ଡା ଚଳାଇବା ମଧ୍ୟରେ ଏକ ଲକ୍ଷ୍ମଣରେଖା ରହିବା ଆବଶ୍ୟକ । ଗଲା କିଛିବର୍ଷ ମଧ୍ୟରେ ସାମ୍ବାଦିକତା ବ୍ୟବସାୟ ହୋଇପଡିଥିବା ବେଳେ ସାମ୍ବାଦିକତା ବୃତ୍ତି ହୋଇଯାଇଛି । ସାମାଜିକ ଗଣମାଧ୍ୟମ ଆଜିର ସବୁଠାରୁ ଶକ୍ତିଶାଳୀ ଗଣମାଧ୍ୟମ ଓ ଗଣମାଧ୍ୟମ ବିକେନ୍ଦ୍ରୀକରଣର ପ୍ରକୃଷ୍ଟ ଉଦାହରଣ ବୋଲି ଗତକାଲି ଭୁବନେଶ୍ବରରେ ଏକ ଦୈନିକ ସମ୍ବାଦପତ୍ରର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ।
ଏହା ଅନସ୍ବୀକାର୍ଯ୍ୟ ଯେ ମାତ୍ର ୩/ ୪ ମାସର କାର୍ଯ୍ୟକାଳ ମଧ୍ୟରେ ମୋହନ ସରକାର ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ ଓ ଅଧିକନ୍ତୁ ‘ ଦୃଷ୍ଟିପାତ ନିଉଜ୍ ପୋର୍ଟାଲ୍ ‘ ପ୍ରକାଶିତ କେତେକ ଚର୍ଚ୍ଚିତ ସମ୍ବେଦନଶୀଳ ସଦ୍ୟସମ୍ବାଦର ତର୍ଜମାତ୍ମକ ଉପସ୍ଥାପନାକୁ ଯେଉଁଭଳି ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି , ସେଥିରୁ ତାଙ୍କ ସରକାରର ଲୋକଙ୍କ ପ୍ରତି ପ୍ରତିବଦ୍ଧତା ସ୍ପଷ୍ଟ । ଏଥିପାଇଁ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ସରକାରକୁ ସାବାସୀ ନଦେଲେ ଅନ୍ୟାୟ ହେବ ।
ଉଦାହରଣ ସ୍ୱରୂପ , ଭରତପୁର ଥାନାମାମଲାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ , କନ୍ଧମାଳ ଗୋଛାପଡାଥାନା ପୁଲିସ୍ ର ଡାଙ୍ଗଣାମୁ ଘାଟୀରେ ଜଣେ ଯୁବକର ସନ୍ଦେହଜନକ ମୃତ୍ୟୁ ବନାମ ହତ୍ୟାଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ , ଭବାନୀପାଟଣାରୁ ବଲାଙ୍ଗୀରକୁ ବଦଳି କରାଯାଇଥିବା ଯୁବ ଫରେଷ୍ଟରଙ୍କ ଆତ୍ମହତ୍ୟା ପରେ ପୁରୀରେ ମୃତାହକର୍ମ ବେଳେ ତାଙ୍କ ବିଧବାପତ୍ନୀଙ୍କର ଆତ୍ମହତ୍ୟା ସଦୃଶ ଉଦ୍ୟମ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟାନ୍ୟ ମାମଲାଗୁଡିକର ନିରପେକ୍ଷ ତଦନ୍ତ ଅନ୍ୟତମ । ଯାଆକି ଗତ ସରକାର ଅମଳରେ ସମ୍ଭବ ନଥିଲା ।
ତଥାପି ରାଜ୍ୟପାଳଙ୍କ ପୁଅର ପୁଲିସ୍ ସୁରକ୍ଷାରକ୍ଷୀଙ୍କୁ ମାଡମରା ଘଟଣାରେ ଏଇ ସରକାରର ପକ୍ଷପାତ କାର୍ଯ୍ୟାନୁଷ୍ଠାନ ମନୋବୃତ୍ତି ଏକ କଳଙ୍କିତ ଉଦାହରଣ ହୋଇ ରହିଛି । ସେଇପରି ଟିଟିଲାଗଡ ପିଲାବିକ୍ରି ଉଦ୍ୟମର କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ମଧ୍ୟ ପୂରଣ ହୋଇପାରିନି । ଏଣୁ ଏହି ଡବଲଇଞ୍ଜିନ୍ ଲୋକପ୍ରିୟ ସରକାର ଏସବୁ ଗଣମାଧ୍ୟମରେ ପ୍ରକାଶିତ ଜନମତ ବା ସମାଲୋଚନା ବା ଖବର ତର୍ଜମା ପ୍ରତି ଦୃଷ୍ଟିଦେବାକୁ ରାଜ୍ୟବାସୀ ଅନୁରୋଧ କରିଛନ୍ତି ।