ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ସୁରକ୍ଷା ସମିତିର କାର୍ଯ୍ୟକଳାପ ସନ୍ଦେହରେ !
ବଲାଙ୍ଗୀର : ଗତକିଛି ବର୍ଷ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନଅଞ୍ଚଳରେ ଶିଶୁଚୋରି , ଆନ୍ତଃରାଜ୍ୟ ଶିଶୁବିକ୍ରି ଉଦ୍ୟମ ଓ ଶିଶୁ ଉଦ୍ଧାର ଘଟଣା ଇତ୍ୟାଦି ପରେ ଏବେ ବିଦେଶକୁ ଅବୈଧ ଶିଶୁଚାଲାଣ ରାକେଟ୍ ସକ୍ରିୟ ରହିଥିବା ସମ୍ପର୍କୀୟ ଏକ ଚାଞ୍ଚଲ୍ୟକର ସୂତ୍ର ହସ୍ତଗତ ହୋଇଛି । ଗୁରୁତର ବିଷୟ ଯେ , ଖୋଦ୍ ଶିଶୁ ସୁରକ୍ଷା ସମିତିର ଜନୈକା ସଦସ୍ୟା ଏ ସମ୍ପର୍କରେ ସୂଚନା ଦେଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଏଣୁ ଏହି ସୂଚନାର ଗୁରୁତ୍ୱ ବୃଦ୍ଧି ପାଇଛି । ଏହି ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ , କେତେକ ମହିଳା ଅଧିକାରୀ ଏଭଳି ଅବୈଧ କାରବାରରେ ଜଡିତ ରହି ମି ଲିଅ ନ୍ ସ ଅଙ୍କର ଅର୍ଥ ଅନ୍ୟାୟୋପାର୍ଜନ କରୁଛନ୍ତି । ଏହା ସତ୍ୟ ହୋଇଥିଲେ , ସାଙ୍ଘାତିକ୍ ! ଏଣୁ ଏହି ଗୁରୁତର ଅଭିଯୋଗର ସତ୍ୟତା ବା ବିଭାଗୀୟ ସଦସ୍ୟାଙ୍କ ପକ୍ଷରୁ ଏଭଳି ତଥାକଥିତ ଗୁଜବ୍ ର କାରଣ ସମ୍ପର୍କରେ ପ୍ରଶାସନ, ବିଭାଗୀୟ କର୍ତ୍ତୃପକ୍ଷ ଓ ସରକାରଙ୍କ ଠାରେ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଉଛି ।
ଉଲ୍ଲେଖନୀୟ ଯେ , କିଛି ଦିନତଳେ ଗତ ସେପ୍ଟେମ୍ବର ୨୬ ତାରିଖରେ ଟିଟିଲାଗଡରେ ଏକ ନବଜାତ ଶିଶୁକୁ ବିକ୍ରିପାଇଁ ମସୁଧା ଚାଲିଥିବାବେଳେ ରାଜ୍ୟ ଚାଇଲ୍ଡ ଲାଇନ୍ ଓ ବଲାଙ୍ଗୀର ସିଡବ୍ଲୁୟୁ ଏହାକୁ ଭଣ୍ଡୁର କରିଥିବା ଏବଂ ସ୍ଥାନୀୟ ପୁଲିସ୍ ସହାୟତାରେ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ଟିଟିଲାଗଡ ଉପଖଣ୍ଡ ସରକାରୀ ହାସପାତାଳର ଏମସିଏଚରୁ ଏହାକୁ ଉଦ୍ଧାର କରିଥିବା ଚାଞ୍ଚଲ୍ୟକର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଏହି ଅନୁଯାୟୀ , ଟିଟିଲାଗଡ ସହରର ଆଦିବାସୀପଡାର ଜଣେ ମହିଳା ସଇଁନ୍ତଳା ଅଞ୍ଚଳରେ ବିବାହ କରିଥିଲେ । ପ୍ରାୟ ଚାରିବର୍ଷ ତଳେ ସ୍ବାମୀଙ୍କର ମୃତ୍ୟୁପରେ ସେ ଟିଟିଲାଗଡକୁ ଆସି ବହୁକଷ୍ଟରେ ଜୀବନ ଅତିବାହିତ କରୁଥିବା ବେଳେ ଅବୈଧ ସମ୍ପର୍କରେ ଆସି ଗର୍ଭବତୀ ହୋଇ ପଡିଥିଲେ । ତାଙ୍କର ଦୁଃଖ ଦେଖି ପଡାର ଏକ ଦମ୍ପତି ତାଙ୍କୁ ଖାଇବାକୁ ଦେଉଥିବା ଓ ୧୪ ନମ୍ବର ଉଆର୍ଡର ଆଶାକର୍ମୀ ତାଙ୍କୁ ନେଇ ନିଜଘରେ ରଖିବା ସହ ଉକ୍ତ ଗର୍ଭବତୀ ମହିଳାଙ୍କ ସ୍ବାମୀଙ୍କ ନାମ ସ୍ଥାନରେ ଅନ୍ୟଜଣକ ନାମ ଏମସିପି କାର୍ଡରେ ପଞ୍ଜିକରଣ କରି ପ୍ରସବ ପାଇଁ ଗତ ସେପ୍ଟେମ୍ବର ୨୦ ତାରିଖରେ ଏମସିଏଚ୍ ରେ ଭର୍ତ୍ତି କରିଥିଲେ । ସେଠାରେ ଅସ୍ତ୍ରୋପଚାର ବେଳେ କୌଣସି କାରଣରୁ ଆଶାକର୍ମୀ ଜଣକ ମହିଳାଙ୍କ ସ୍ବାମୀଙ୍କ ନାଁ ବଦଳରେ ନିଜ ସ୍ବାମୀଙ୍କ ନାମ ଲେଖିବା ଘଟଣାରୁ ଡାକ୍ତରଙ୍କର ସନ୍ଦେହ ହୋଇଥିଲା । ଏଣୁ ଡାକ୍ତରଖାନାରେ ନବଜାତ ଶିଶୁଟିକୁ ତୁରନ୍ତ ରିଲିଭ୍ କରା ନଯାଇ ଗୋଟିଏ ଦିନ ଅଟକାଇ ରଖି ଡାକ୍ତରଖାନା ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ଚାଇଲ୍ଡ ଲାଇନ୍ କୁ ଖବର ଦିଆଯାଇଥିଲା । ସଙ୍ଗେ ସଙ୍ଗେ ଏ ସମ୍ପର୍କରେ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ କୁ ଖବର ଦିଆଯାଇ ହାସପାତାଳରେ ଟିଟିଲାଗଡ ଥାନାକୁ ଖବର ଦିଆଯାଇଥିଲା ଓ ପୁଲିସ୍ ସହାୟତାରେ ଚଢାଉ କରାଯାଇ ମାଆ ଓ ଶିଶୁଙ୍କୁ ଉଦ୍ଧାର କରାଯିବା ସହ ଆଶାକର୍ମୀଙ୍କୁ ମଧ୍ୟ ବଲାଙ୍ଗୀର ଅଣାଯାଇ ସିଡବ୍ଲୁସିରେ ହାଜର କରାଯାଇଥିଲା । ଏହାପରେ ଆଶାକର୍ମୀଙ୍କୁ ପଚରାଉଚୁରା ପରେ ଛାଡିଦିଆଯାଇ ବଲାଙ୍ଗୀର ସା ବନାମ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଛି । ଏହା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାରେ ହୈ ଚୈ ସୃଷ୍ଟି ହୋଇଥିଲା ।
ଏଠାରେ ଗୁରୁତର ବିଷୟ ଏହା ଯେ , ଏହା ଟିଟିଲାଗଡରେ ପ୍ରଥମ ଘଟଣା ନୁହେଁ । ଏହା ତୃତୀୟ ଶିଶୁବିକ୍ରି ମାମଲା । କିଛିମାସ ପୂର୍ବରୁ ସେଇ ଟିଟିଲାଗଡରେ ୨୦ ଲକ୍ଷ ଟଙ୍କାରେ ଏକ ଶିଶୁବିକ୍ରି ମାମଲାରେ ଗୋଟିଏ ଶିଶୁପୁତ୍ରକୁ ତା’ର ନିଜ ଜନ୍ମକଲା ବାପମାଆ ବିକ୍ରି କରିଦେଇଥିବା ଓ ଅଭିଯୋଗକ୍ରମେ ଟିଟିଲାଗଡ ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ କରି ତଦନ୍ତ ପୂର୍ବକ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ସହାୟତାରେ ଶିଶୁପୁତ୍ରଟିକୁ ରାଇଘରରୁ ଉଦ୍ଧାର କରାଯାଇଥିବା ଘଟଣା ଘଟିଥିବା ପ୍ରକାଶ । ଏଇ ସଦ୍ୟତମ ତୃତୀୟଘଟଣାଟିରେ ଏହି ଶିଶୁପୁତ୍ରଟିକୁ ଅଢେଇଲକ୍ଷ ଟଙ୍କାରେ ବିକ୍ରିକରିଦିଆଯିବାକୁ ମୂଲଚାଲ ହୋଇଥିବା ଓ ଛତିଶଗଡର ଜଣେ ଅଜଣାଲୋକ ଆସି ଡାକ୍ତରଖାନା ପରିସରରେ ଦୁଇଦିନ ଧରି ଜଗି ରହିଥିବା ଦେଖି ଡାକ୍ତରଖାନାର ଷ୍ଟାଫ୍ ସନ୍ଦେହ କରିଥିଲେ ବୋଲି ବିଶ୍ୱସ୍ତସୂତ୍ରରୁ ପ୍ରକାଶ ଓ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ ରେ ମଧ୍ୟ ଏହାକୁ ସ୍ବୀକାର କରାଯାଇଥିଲା ।
କିନ୍ତୁ ପୁଲିସ୍ ଥାନାରେ ପ୍ରଥମେ ମାମଲା ଋଜୁ ନକରି ପରେ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ପ୍ରକାଶ ପାଇବା ପରେ ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀଙ୍କ ଏତଲାକ୍ରମେ ଦୁଇଦିନ ପରେ ଏକ ମାମଲା ଋଜୁ କରାଯାଇଥିବା ପ୍ରକାଶ ।
ଏହାପରର ଆଉ ଏକ ଘଟଣା ଖପ୍ରାଖୋଲ ବ୍ଲକ୍ ର ଲାଠୋର ଥାନା ଅନ୍ତର୍ଗତ ଲାଠୋର ହାଟରେ ଘଟିଥିବା ଜିଲ୍ଲା ସୀମାନ୍ତବର୍ତ୍ତୀ କୋମନା ଥାନାରେ ଏତଲା ଦିଆଯାଇଥିଲା ଓ ପୁଲିସ୍ ଉକ୍ତ ୫ ବର୍ଷର ଶିଶୁପୁତ୍ରଟିକୁ ହାଇଦ୍ରାବାଦ୍ ରୁ ଉଦ୍ଧାର କରିଛି । ଶିଶୁଟିକୁ ଭିକ୍ଷାବୃତ୍ତି କାମରେ ନିୟୋଜିତ କରିବାକୁ ତାକୁ କିଣିନିଆ ଯାଇଥିଲା ଓ ଏଥିରେ ଶିଶୁଟିର ମାଆ ଓ ଦିଅର ଜଡିତ ଥିବା ପ୍ରକାଶ ।
ତେଣୁ ଏହିସବୁ ପରିପ୍ରେକ୍ଷୀରେ ସିଡବ୍ଲୁସିର ଜନୈକା ସଦସ୍ୟାଙ୍କ ଉପରୋକ୍ତ ସୂଚନା ଅତ୍ୟନ୍ତ ଗୁରୁତର । ଏହା ଶୁଣିବା ପରେ ବଲାଙ୍ଗୀର ଶିଶୁ ସୁରକ୍ଷା ୟୁନିଟ୍ କୁ ଯାଇ ଡିସିପିଓ ଲକ୍ଷ୍ମୀ ସିଂ ଙ୍କୁ ପଚରାଯିବାରୁ ସେ ଏଠାରେ ସେଭଳି ସମ୍ଭାବନାକୁ ଦୃଢଭାବେ ଅସ୍ବୀକାର କରିଥିବା ସହ ଓଲଟା ଯିଏ ଏହା କହିଛି ଓ ସିଡବ୍ଲୁସିର କାର୍ଯ୍ୟକଳାପ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ସେ ବଲାଙ୍ଗୀରରେ ଗତ ୨୦୧୩ରେ ଶିଶୁସୁରକ୍ଷା ୟୁନିଟ୍ ସ୍ଥାପନ ଓ ଏହି ସ୍କିମ୍ ଟିର କାର୍ଯ୍ୟକାରୀତା ସହିତ ଅଦ୍ୟାବଧି ତାଙ୍କର ଗତ ୨୦୧୯ କାର୍ଯ୍ୟକାଳ ମଧ୍ୟରେ ଅଦ୍ୟାବଧି ୟୁନିଟ୍ ର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବରେ ସୂଚନା ଦେଇଛନ୍ତି ।
ଏହି ଅନୁଯାୟୀ , ସରକାରୀ ନିର୍ଦ୍ଦେଶାବଳୀ ଓ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ସମସ୍ତ କାର୍ଯ୍ୟ ନିହାତି ଅଳ୍ପସଂଖ୍ୟକ ସହକାରୀ କର୍ମଚାରୀଙ୍କ ସହଯୋଗରେ ସୂଚାରୁରୂପେ କରାଯାଉଥିବା ଦାବି କରିଛନ୍ତି । ଗତବର୍ଷ ସରକାର ଏହି ୟୁନିଟ୍ କୁ ୧ ରୁ ଦେଢକୋଟି ଓ ଗତ ଏପ୍ରିଲରୁ ସେପ୍ଟେମ୍ବର ମାସ ମଧ୍ୟରେ ୪୯ ଲକ୍ଷ ୭୨ ହଜାର ଟଙ୍କାର ଅନୁଦାନ ଦେଇଥିବା ଏବଂ ସମୁଦାୟ ୧୭୬+ ୫୪ = ୨୩୦ ଛୁଆଙ୍କୁ ମାସିକ ୪ ହଜାର ହିସାବରେ ସହାୟତା ରାଶି ଖର୍ଚ୍ଚ କରାଯାଉଛି ବୋଲି ହିସାବ ଦେଇଛନ୍ତି । ଏହା ସହିତ ଷ୍ଟ୍ରିଟ୍ ଅନାଥ ଶିଶୁଙ୍କୁ ଉଦ୍ଧାର ଓ ଥଇଥାନ ଇତ୍ୟାଦି ସମ୍ପର୍କରେ ସୂଚନା ଦେଇଛନ୍ତି । ଚଳିତ ବର୍ଷସୁଦ୍ଧା ମୋଟ ୧୮ ଜଣ ଶିଶୁଙ୍କୁ ପୋଷ୍ୟ ସନ୍ତାନ ଭାବରେ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ CARA ନିୟମ ଅନୁସାରେ ବିଦେଶ ( ସ୍ପେନ୍ କୁ ୧ ପୁ . ଶିଶୁ ‘ ଇସ୍ପାତ ‘ ଓ ସୁଇଡେନ୍ କୁ ୧ ପୁ.ଶିଶୁ ‘ ସିଦ୍ଧାର୍ଥ ‘ ) ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ରରୁ ପ୍ରଦାନ କରାଯାଇଛି ବୋଲି କହିଛନ୍ତି । ଏ ସମ୍ପର୍କରେ ସେ ବୁଝାଇଦେଇଥିଲେ ଯେ ବିଦେଶକୁ ପୋଷ୍ୟସନ୍ତାନ ଦିଆଯିବା ପ୍ରକ୍ରିୟା ଏତେ ସହଜ ନୁହେଁ । ଅନ୍ୟୁନ ୧୫ ଥର ଖଣ୍ଡେ ଆବେଦନ ବାତିଲ୍ ହେଲାପରେ ସର୍ବଭାରତୀୟ ସ୍ତରରେ ସରକାରୀ କମିଟିର ଯାଞ୍ଚ ଓ ଅନୁମୋଦନ ପରେ ଯାଇ ଏହା ସମ୍ଭବ ହୋଇପାରିଥାଏ । ସାଧାରଣତଃ ଭାରତୀୟ ପୋଷ୍ୟସନ୍ତାନ ଇଚ୍ଛୁକ ବାପମାଆ ମାନେ ବିକଳାଙ୍ଗ ଶିଶୁଙ୍କୁ ଗ୍ରହଣ କରୁ ନଥିବା ବେଳେ ବିଦେଶୀଦମ୍ପତିମାନେ ସେ ଧରଣର ଶିଶୁଙ୍କୁ ଆଦରି ନେଇଥା’ନ୍ତି ।
ତେବେ ବେଆଇନ୍ ଭାବେ ଏଭଳି ହୋଇଥିବା ତାଙ୍କ ନଜରକୁ ଆସିନାହିଁ ଓ ଟିଟିଲାଗଡ ମାମଲା ପରେ ଏଭଳି ଟ୍ରାଫିକିଂ ହେଉଥିବାର ତାଙ୍କର ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଏହାସହିତ ସେ ବଲାଙ୍ଗୀର ସିଡବ୍ଲୁସିର କାର୍ଯ୍ୟକଳାପ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ‘ ଅପାରଗ ‘ ବୋଲି ମନ୍ତବ୍ଯ ଦେଇଥିଲେ । ସିଡବ୍ଲୁସି ଶିଶୁ ସୁରକ୍ଷା ୟୁନିଟ କୁ ସମୟୋଚିତ ସହାୟତା କରୁ ନଥିବା ପ୍ରକାଶ କରିଥିଲେ । ଏପରିକି ଗତ ୬ ମାସ ହେଲା ୨୩୦ ପିଲାଙ୍କ ପାଇଁ ଅର୍ଥ ଅନୁମୋଦନ କରୁ ନଥିବା , ଅଯଥା ଉଦ୍ଧାର ହୋଇଥିବା ରାସ୍ତାକଡର ଶିଶୁଙ୍କର ଆଇ ଡି ମାଗି ଅହେତୁକ ବିବାଦ ସୃଷ୍ଟି କରୁଥିବା ସହ ଏବେ ଏକ ମାମଲାରେ ଜିଲ୍ଲାପାଳ ଡିଏନ୍ ଟେଷ୍ଟ୍ ପାଇଁ ପରାମର୍ଶ ଦେଇଥିବା ଓ ଉଦ୍ଦେଶ୍ୟମୂଳକ ଭାବେ ଭ୍ରାନ୍ତି ସୃଷ୍ଟି ବା ଅପପ୍ରଚାର କରୁଥିବା କ୍ଷୋଭ ପ୍ରକାଶ କରିଛନ୍ତି ।

ଅପରପକ୍ଷରେ ବଲାଙ୍ଗୀର ସହରରେ ଏକ ଭଡାଘରେ କାର୍ଯ୍ୟ କରୁଛି ସିଡବ୍ଲୁସି ବା ଶିଶୁ ସୁରକ୍ଷା ସମିତି । ଏବର ଏହି ୩ ବର୍ଷିଆ ୫ ଜଣିଆ କମିଟିରେ ଏବେ ସୁବର୍ଣ୍ଣପୁର ଜିଲ୍ଲାର ଲମ୍ବୋଦର ଦୀପ ଅଧ୍ୟକ୍ଷ , ସୁବର୍ଣ୍ଣପୁର ଜିଲ୍ଲାର ଆଉଜଣେ ଆଇନ ପାଠ ପଢିଥିବା ସୀତାରାମ ହୋତା , ବଲାଙ୍ଗୀରର ଜନୈକା ମହିଳା ଓକିଲ ଏସ୍ ଲତା ଶ୍ରୀ , ଲୀନା ବାବୁ ଓ ଜନୈକା ହୋମିଓପାଥି ଡାକ୍ତରାଣୀ ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖ ସଭ୍ୟ ରହିଥିବା ପ୍ରକାଶ । ପ୍ରତି ବୈଠକକୁ ୨ ହଜାର ହିସାବରେ ମାସକୁ ୨୦ଟି ବୈଠକକୁ ସେମାନଙ୍କ ଜଣପିଛା ବେତନ ୪୦ ହଜାର ଟଙ୍କା । ସବୁଦିନ ଖୋଲାରହିବାର ନିୟମ ଥିବା ପ୍ରାୟତଃ ଏଇ ଅଫିସ୍ ରେ ସବୁବେଳେ ଅଧିକାଂଶ ଅନୁପସ୍ଥିତ ରହୁଥିବା ଦେଖାଯାଇଛି । ସିଡବ୍ଲୁସି ସମ୍ପର୍କରେ ଅଧ୍ୟକ୍ଷଙ୍କ ନମ୍ବର ମାଗିବାକୁ ଫୋନ୍ କରିବାରୁ ଜନୈକା ସ୍ଥାନୀୟ ସଦସ୍ୟା ନିହାତି ଋକ୍ଷକଣ୍ଠରେ ଓଲଟା ‘ ମୋ ନମ୍ବର କେଉଁଠୁ ପାଇଲେ ? ‘ ବୋଲି ଧମକାଇ ଚିହିଁକି ଉଠିଥିଲେ । ପଚାରିଲେ : କ’ଣ ଦରକାର ଥିଲା ? ‘ ‘ ଏଇ ଶିଶୁସୁରକ୍ଷା ସମ୍ପର୍କରେ କିଛି ପଚାରିବାକୁ ଥିବା କହିବାରୁ ‘ ତାହା ଆମ କାମ ନୁହେଁ , ଶିଶୁ ସୁରକ୍ଷା ୟୁନିଟ୍ କୁ ପଚାରନ୍ତୁ ! ଆପଣ କିଏ ? ‘ ଓ ପରିଚୟ ଦେବାରୁ ‘ ମୁଁ ଆପଣଙ୍କୁ ଜାଣିନି ! ହାଓ ଷ୍ଟ୍ରେଞ୍ଜ୍ ! ‘ ବୋଲି କହି ଅଭଦ୍ର ଭାବରେ ଅକସ୍ମାତ୍ ଫୋନ୍ କାଟି ଦେଇଥିଲେ ! ଏଥିରୁ ତାଙ୍କର ଭିନ୍ନ ମନୋବୃତ୍ତିର ସଂକେତ ମିଳୁଛି । ଆଗାମୀଦିନରେ ବଲାଙ୍ଗୀର ଶିଶୁସୁରକ୍ଷା ସମିତି , ଶିଶୁ ସୁରକ୍ଷା ୟୁନିଟ୍ , ସା , ସଖୀ ଓ ଶିଶୁ ମଙ୍ଗଳ ବିଭାଗର ଯାବତୀୟ କାର୍ଯ୍ୟକଳାପ ସମ୍ପର୍କରେ ଧାରାବାହିକ ଭାବରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବ । ତେବେ କେବଳ ଏଇ ସମିତିର ନୁହେଁ , ପୂର୍ବ ସମିତିର କେତେକ କାର୍ଯ୍ୟକର୍ତ୍ତାଙ୍କର କାର୍ଯ୍ୟକଳାପର ଖୋଳତାଡ କରାଗଲେ , କ୍ଷମତାର ଅପବ୍ଯବହାର କରି ନିକୃଷ୍ଟ ସ୍ବାର୍ଥ ସାଧନ , ଆର୍ଥିକ ଅନିୟମିତତା ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗର ଏବେ ବି ଚର୍ଚ୍ଚା ରହିଆସିଥିବାରୁ ବିଳମ୍ବରେ ହେଲେ ବି ତହିଁର ତଦନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି । ଆଶ୍ଚର୍ଯ୍ୟର ବିଷୟ ଯେ ଏଇ ସିଡବ୍ଲୁସିର କେତେକ କାର୍ଯ୍ୟକର୍ତ୍ତା ବା ସଦସ୍ୟ/ ସଦସ୍ୟା ନିଜକୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ ସମକକ୍ଷ ବୋଲି ପ୍ରଚାର କରିଥା’ନ୍ତି !
ଏଣୁ ଏଭଳି ଲୋକଙ୍କୁ କିଏ କେମିତି ଓ କାହିଁକି ଶିଶୁ ସୁରକ୍ଷା ସମିତିରେ ନିଯୁକ୍ତି ଦେଲା , ଏହାର ସମୀକ୍ଷା କରାଯିବାକୁ ଜିଲ୍ଲାପାଳ , ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ତଥା ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଦୃଷ୍ଟି ଆକର୍ଷଣ କରାଯାଉଛି ।
ସର୍ବୋପରି ବଲାଙ୍ଗୀର ଜିଲ୍ଲାରୁ ବିଦେଶକୁ ବେଆଇନ୍ ଶିଶୁବିକ୍ରିର ଏକ ଉଚ୍ଚସ୍ତରୀୟ ତଦନ୍ତ ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ଏହା ସତ୍ୟ ହୋଇଥିଲେ , ସାଙ୍ଘାତିକ୍ !