ଓଡ଼ିଶା

ବିକଳ୍ପ ଆହାର ଓ ଆମ୍ବକୋଇଲି 

Email :

ଭୁବନେଶ୍ବର  :  କୋରାପୁଟ ବା ରାୟଗଡା ଓ କନ୍ଧମାଳର ଓ ରାଜ୍ୟର ଅନ୍ୟାନ୍ୟ  ଅଭ୍ୟନ୍ତର ଅଞ୍ଚଳରେ ପୁରାତନ କାଳରୁ ମୁଖ୍ୟତଃ ଆଦିବାସୀ ଜନଜାତିର ଲୋକେ ଧାନଚାଉଳ , ମାଣ୍ଡିଆ ଆଦି ଶସ୍ଯର ବିକଳ୍ପଆହାର ଭାବେ ଆମ୍ବଟାକୁଆ କୋଇଲିକୁ ଖାଇ ଆସୁଛନ୍ତି । ଚଳିତ ରାଜ୍ୟ ସରକାର ବନାମ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହା ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି କହିବା  ରାଜ୍ୟରାଜନୀତିରେ ଆଲୋଡନ ସୃଷ୍ଟିକରିଛି । କିନ୍ତୁ ଏହା ମିଛ ନୁହେଁ ।  ଆମ୍ବଟାକୁଆଜାଉ ଖାଇ ଝାଡାବାନ୍ତି ବା ଅନାହାରରେ ଲୋକେ ମରିବା ଘଟଣା ବି ମିଛ ନୁହେଁ । ମୁଖ୍ୟତଃ ଏଭଳି ଅଭିଯୋଗ ଏକ ରାଜନୈତିକ ପ୍ରସଙ୍ଗ ହୋଇଆସୁଛି । କାରଣ କ୍ଷମତାସୀନ ସରକାରଙ୍କୁ ଘେରିବାକୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ।  ଅତୀତର କଂଗ୍ରେସ ସରକାର ହେଉ ବା ଗତ ବିଡେଡି ସରକାର ଓ ଏବର ବିଜେପି ସରକାରଙ୍କ ବିରୁଦ୍ଧରେ ବି ଏହା ଏକ ମହା ଅଭିଯୋଗ ।

ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଚର୍ଚ୍ଚାରେ ରହିଥିବା କାଶୀପୁରରେ ଆମ୍ବଟାକୁଆଜାଉ ଖାଇ ୧୯୮୬-୮୭ ରେ ୭୦ ରୁ ଉର୍ଦ୍ଧ୍ବଲୋକଙ୍କର ଅନାହାରମୃତ୍ୟୁ ଅଭିଯୋଗ ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କାଶୀପୁର ପରିଦର୍ଶନରେ ଆସିଥିଲେ । ଏହାପରେ ସେଠାରେ ୬୪ କୋଟିର କେନ୍ଦ୍ରୀୟ ଯୋଜନାରେ ଦାରିଦ୍ର୍ଯ ଦୂରୀକରଣ ୧୪ ବର୍ଷୀୟା ଯୋଜନା ଚାଲିଥିଲା । ଏହା ସରିବାପରେ ପୁଣି ୨୦୦୧ ରେ ଝାଡାବାନ୍ତିରେ ସରକାରୀ ହିସାବରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ଗତ ସରକାରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଡୁଆରେ ପଡିଥିଲେ । ଏହାକୁ ପ୍ରତିହତ କରିବା ପାଇଁ ସରକାର ସେଠାରେ ରିଫାଇନରୀ , ମନରେଗା ଓ ଅନ୍ୟାନ୍ୟ ପ୍ରକଳ୍ପ କରିଥିଲେ । ତଥାପି ଏହି ଅଞ୍ଚଳର ଲକ୍ଷାଧିକ ଲୋକେ ଦାଦନ ଯାଉଛନ୍ତି ।

କାଶୀପୁରରୁ ମାଣ୍ଡିପଙ୍କା

ଏବେ ପୁଣି ଉଠିଛି କନ୍ଧମାଳଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆଜାଉ ଖାଇ ୨ ଜଣଙ୍କର ମୃତ୍ୟୁ ଓ ୬ ଜଣ ଅସୁସ୍ଥ ହୋଇପଡିବା ଘଟଣା ରାଜ୍ୟରାଜନୀତିରେ ଆଲୋଡନ ସୃଷ୍ଟିକରିଛି । ଏହାସହିତ ଏବେ ବି କାଶୀପୁରରେ ଜନଜାତିର ଲୋକେ ଆମ୍ବଟାକୁଆ କୋଇଲି ଖାଇବା ଛାଡିପାରି ନଥିବା ଗଣମାଧ୍ୟମର ଶୀର୍ଷକଖବରରେ ରହିଛି । ହୁଏତ ଆଗାମୀ ବିଧାନସଭାର ଇଏ ଏକ ପ୍ରମୁଖପ୍ରସଙ୍ଗ ହୋଇପାରେ  !

ତେବେ ସେ ଯାହାହେଉ , ଆମ୍ବକୋଇଲିକୁ ଲୋକେ ଜାଉ କରି ଖାଇବା ଓ ଝାଡାବାନ୍ତିରେ ପଡି ମୃତ୍ୟୁବରଣ କରୁଥିବା ଘଟଣା ସହିତ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗମ ରାସ୍ତାଘାଟ ଓ ବିଶୁଦ୍ଧ ପାନୀୟଜଳ ସଙ୍କଟ ସହିତ ସରକାରୀ ରିହାତିଚାଉଳ ବଣ୍ଟନରେ ଚରମ ଅନିୟମିତତାଦି କାରଣ ନିହିତ । ତେଣୁ ସରକାର ତୁରନ୍ତ ଦୁଇଦିନ ପୂର୍ବେ ଦୀର୍ଘବର୍ଷ ଧରି ଗାଦିମାଡି ବସିଥିବା ବହୁ ଅଭିଯୋଗ ହେଉଥିବା ଯୋଗାଣ ସଚିବ ବୀର ବିକ୍ରମ ଯାଦବଙ୍କୁ ହଟାଇ ଦେଇ ସମୁଚିତ ପଦକ୍ଷେପ ନେଇଛନ୍ତି ।  ସମ୍ପୃକ୍ତ ଅଞ୍ଚଳରେ ଉପରୋକ୍ତ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିବାକୁ ସରକାର ତୁରନ୍ତ ଉଦ୍ୟମ ଆରମ୍ଭ କରିଦେବା ଉଚିତ୍ ବୋଲି ଚର୍ଚ୍ଚା ହେଉଛି ।

ଆମ୍ବଟାକୁଆ ବା ଆମ୍ବକୋଇଲିକୁ ଆମଦେଶର କେତେକ ଅଞ୍ଚଳରେ ଖାଦ୍ୟ ଭାବରେ ଲୋକେ ଖାଇଥା’ନ୍ତି । ଏକ ପ୍ରକାଶିତ ତଥ୍ୟ ଅନୁସାରେ , ୨୦୦୧ରେ ୨୪ ଜଣ କାଶୀପୁର , ୨୦୧୨-୧୩ରେ କୋରାପୁଟର ଲକ୍ଷ୍ମୀପୁର , ୨୦୧୮ରେ ନବରଙ୍ଗପୁର ଝରିଗାଁ’ରେ ଓ ୨୦୨୪ରେ ଅର୍ଥାତ୍ ଏବେ କନ୍ଧମାଳର ମାଣ୍ଡିପଙ୍କାରେ ୨ ଜଣଙ୍କର ଏହା ଖାଇ ମରିଥିବା ପ୍ରକାଶ ।

ଏହାର ଅସଲ କାରଣ ହେଉଛି , ଆମ୍ବଟାକୁଆର କୋଇଲିରେ ବେଶିସମୟ ଧରି ଦୂଷିତ ପାଣିରେ ବତୁରାଇ ରଖିଲେ ତହିଁରେ ଫଙ୍ଗସ୍ ବା ଫିମ୍ପି ମାରିଗଲେ , ଏହା ବିଷାକ୍ତ ହୋଇ ପଡିଥାଏ ଓ ଏହାକୁ ଖାଇ ଲୋକେ ଝାଡାବାନ୍ତିରେ ପଡି ମରିଥା’ନ୍ତି । ଆଦିବାସୀ ଜନଜାତିର ଲୋକଙ୍କର ବଣମୁଲକର ଆମ୍ବକୋଇଲି , ପଣସମଞ୍ଜି , ମହୁଲଫଳ ବା ଟୋଲମଞ୍ଜି ଇତ୍ୟାଦି ପାରମ୍ପରିକ ଖାଦ୍ୟ ।

ଅନାହାରମୃତ୍ୟୁ ବନାମ ସରକାରୀଚାଉଳ

ତେବେ ଜନଜାତିର ବଣପାହାଡ ଦୁର୍ଗମ ଅଞ୍ଚଳର ଲୋକଙ୍କର ବିକଳ୍ପଆହାର ଭାବେ ଆମ୍ବଟାକୁଆକୁ ପ୍ରସଙ୍ଗ ଉଠିବା ମୂଳରେ ସରକାରୀ ରିହାତିଚାଉଳର ବଣ୍ଟନରେ ଚରମ ଅନିୟମିତତା ଓ ଅବ୍ୟବସ୍ଥା ବିଗତ ତିନି ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରି ଆସୁଛି । ତଥାପି ସରକାର ଏଯାବତ୍ କେବଳ ରାଜ୍ୟର ଉପରୋକ୍ତ ସଚିବଙ୍କୁ ହଟାଇ ଦେଲେ ଚଳିବ ନାହିଁ , ସମଗ୍ର ରାଜ୍ୟରେ ଆମୂଳଚୂଳ ଯୋଗାଣ ବ୍ୟବସ୍ଥାର ସଂସ୍କାର ବା ନବୀକରଣ କରିବା ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି ।

ଅଥଚ ସରକାର ଏବେ ରାଜ୍ୟର ଏହି ଅବ୍ୟବସ୍ଥାକୁ ଏତେଶୀଘ୍ର ସୁଧାରିବାକୁ ହୁଏତ ସକ୍ଷମ ନୁହଁନ୍ତି  ! କାରଣ କେଉଁଥିପାଇଁ ବା କେଉଁ ଚାପରେ କେଜାଣି , ରାଜ୍ୟର ଯୋଗାଣ ବିଭାଗର ଡିଲର୍ ଓ ଏଜେଣ୍ଟମାନଙ୍କୁ ଆହୁରି ଦୁଇବର୍ଷ ନିମନ୍ତେ ସରକାର ସେମାନଙ୍କ ଅବଧି ବୃଦ୍ଧି କରିଥିବା ପ୍ରକାଶ ପାଇଥିଲା ।  ଆପାତତଃ ସେଇ ପୁରୁଣା ମୂଷାମାନେ ଇ ଏଭଳି ଦୂରବସ୍ଥା ପାଇଁ ଦାୟୀ ବୋଲି ଲୋକେ ଆଲୋଚନା କରୁଛନ୍ତି ।  ଜିଲ୍ଲା ଯୋଗାଣବିଭାଗର ଅଧିକାରୀଙ୍କ ଠାରୁ ପଞ୍ଚାୟତର ଯୋଗାଣ ସହାୟକଙ୍କ ପର୍ଯ୍ୟନ୍ତ ସମୂହ ବଦଳି ବି ଏକାନ୍ତ ଜରୁରୀ ।

ଏହା ସହିତ ସରକାର ମହୁଲ ଓ ଆମ୍ବଟାକୁଆକୁ ଖାଦ୍ୟ ପ୍ରକ୍ରିୟାକରଣରେ ଖାଦ୍ୟପୋଯୋଗୀ କରିବା ଦିଗରେ ମଧ୍ୟ ଏକ ପରିକଳ୍ପନା କରିପାରନ୍ତେ  ବୋଲି କେତେକ ଅତିବୁଦ୍ଧିସମ୍ପନ୍ନ ବୁଦ୍ଧିଜିବୀ ପ୍ରସ୍ତାବ ଦିଅନ୍ତି ।

Leave a Reply

Your email address will not be published. Required fields are marked *

Related Post