ଓଡ଼ିଶା

ଡବଲଇଞ୍ଜିନ୍ ସରକାର ଆସିଲାପରେ ଖଣିଖୋଳା ସକ୍ରିୟତା

Email :

ଗନ୍ଧମାର୍ଦ୍ଦନ , ଆଦାନୀର ଜମିକିଣା , କୁହୁଳୁଥିବା ବିଦ୍ରୋହ ଓ ସରକାର

ବଲାଙ୍ଗୀର  :  ବିଗତ କଂଗ୍ରେସ ସରକାର ଓ ବିଜେଡି ସରକାରର  ବାଲକୋ ଇତ୍ୟାଦି କମ୍ପାନୀଙ୍କର ଖଣିଖନନର ଉଦ୍ୟମ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁଁ ବିଫଳ ହେବାପରେ ଏବର ଡବଲଇଞ୍ଜିନ୍ ବିଜେପି ସରକାର ଆସିଲାପରେ ପରେ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତରେ ଖଣିଖନନ ଉଦ୍ୟମର ସକ୍ରିୟତା ଲକ୍ଷ୍ୟ କରାଯାଇଛି। ।  ଏହାର ଆଦ୍ୟ ପ୍ରସ୍ତୁତି ସ୍ବରୂପ ରାଜ୍ୟର ସୁନ୍ଦରଗଡ ପରି ଅନ୍ୟତ୍ର ଖଣିଖୋଳାର କ୍ଷତିଭରଣା ସକାଶେ ଭରଣା ନିମନ୍ତେ ବନୀକରଣ ଓ ସର୍ଭେ କରାଯାଇ ଖଣିଖୋଜିବା ଆଳରେ ମୁଖ୍ୟତଃ ଗନ୍ଧମାର୍ଦ୍ଦନକୁ ହିଁ ଲକ୍ଷ୍ୟ ରଖାଯାଇଥିବା ଅଭିଯୋଗ କରାଯାଇ ସରକାରଙ୍କ କମ୍ପାନୀପ୍ରୀତି ବିରୁଦ୍ଧରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଆନ୍ଦୋଳନ ତେଜୁଛି । ଗନ୍ଧମାର୍ଦ୍ଦନ ସହ ଓଡିଶାର ଖଣିଜସମ୍ପଦର ଲୁଣ୍ଠନ ପାଇଁ ସରକାର ନିର୍ବାଚନ ଅବ୍ୟବହିତ ପୂର୍ବରୁ ଇ ଷଡଯନ୍ତ୍ର ଆରମ୍ଭ କରିଥିବା ଓ  ନିର୍ବାଚନ ଜିତି ସରକାର ଗଠନ କରିବା ପରେ  ଏଇ ଉଦ୍ଦେଶ୍ୟକୁ ସୁହାଇବା ଭଳି ମୁଖ୍ୟମନ୍ତ୍ରୀ , ଉପମୁଖ୍ଯମନ୍ତ୍ରୀ , ସାଂସଦ ପ୍ରମୁଖଙ୍କୁ ଏଥିପାଇଁ ନିୟୋଜିତ କରିବା ନିମନ୍ତେ ପ୍ରାର୍ଥୀଚୟନଠୁଁ କଳେବଳେକୌଶଳେ ସେଭଳି ପ୍ରତିନିଧିଙ୍କୁ ଜିତାଇଆଣିଥିବା ଲୋକଙ୍କର ତର୍ଜମାରୁ ପ୍ରକାଶ । ଏବେ ସେଇ ଡବଲଇଞ୍ଜିନ୍ ସରକାର ଓଡିଶାର ପଛରେ ହୁଇସିଲ୍ ମାରୁଛି ବୋଲି କଟାକ୍ଷ କରାଯାଉଛି ।

ସବୁଠାରୁ କୌତୁହଳର କଥା ଯେ , ‘ ଦେଉଳ ଭିତରେ କିଏ ନା , ମୁଁ କଦଳୀ ଖାଇନି ‘ ଭଳି ଗନ୍ଧମାର୍ଦ୍ଦନ ପର୍ବତାଞ୍ଚଳ ରହିଥିବା ଖପ୍ରାଖୋଲ ବ୍ଲକ୍ ଥିବା ପାଟଣାଗଡ ବିଧାୟକ ବନାମ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ  ଓ  ପାଇକମାଳ ବ୍ଲକ୍ ରହିଥିବା ( ଗନ୍ଧମାର୍ଦ୍ଦନ ବଞ୍ଚାଅ ଆନ୍ଦୋଳନର ମୂଳନେତା ) ପଦ୍ମପୁର ସାଂସଦ ପ୍ରଦୀପ ପୁରୋହିତଙ୍କୁ ପଚରାଯିବାରୁ ସେମାନେ ‘ ଗନ୍ଧମାର୍ଦ୍ଦନରୁ ଇଞ୍ଚେ ବି ଜାଗା ଖୋଳିବାକୁ ଦିଆଯିବ ନାହିଁ ‘ / ‘ଦେହରେ ଶେଷ ରକ୍ତବିନ୍ଦୁ ଥିବା ଯାଏଁ , ଏହା ହେବାକୁ ଦେବୁନି ‘ / ‘ଏ ସମ୍ପର୍କରେ ଖଣ୍ଡେ କାଗଜ ଦେଖାଇ ଦିଅ ‘… ଇତ୍ୟାଦି ଡାହାମିଛ ( ଗତ ବିଧାନସଭାରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂ ଦେଓଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀଙ୍କ ତଥ୍ୟ ଉପସ୍ଥାପନ ସତ୍ତ୍ୱେ ) କହୁଥିବା ପ୍ରକାଶ  !

ଏବେ ପ୍ରାୟ ପ୍ରତିଦିନ ଖପ୍ରାଖୋଲ ବ୍ଲକ୍ ର ଗନ୍ଧମାର୍ଦ୍ଦନ ପାଦଦେଶର ଏକାଧିକ ଗାଁ’ରେ ଓ ସେପଟର ପାଇକମାଳ ବ୍ଲକ୍ ଗନ୍ଧମାର୍ଦ୍ଦନ ସମୀପବର୍ତ୍ତୀ ଗାଁ’ମାନଙ୍କରୁ ଆଦାନୀର ଖଣି କମ୍ପାନୀ ପୁଳା ପୁଳା ଜମି କିଣିନେଉଥିବାର ଖବର ଗଣମାଧ୍ୟମର ମୁଖ୍ୟଖବର ପାଲଟିଛି । କମ୍ପାନୀର ଲୋକେ ଆସି ପାଟଣାଗଡ ସହରର ଲଜ୍ ରେ ରହି ସେଠାକୁ ଜମିମାଲିକଙ୍କୁ ଡକାଇ ଆଣି ରେଜିଷ୍ଟ୍ରିଅଫିସର ଅଧିକାରୀ/ କର୍ମଚାରୀଙ୍କୁ ଡକାଇ ନେଇ କୋଟି କୋଟି ଟଙ୍କାର ଜମି କିଣିନେଉଥିବା ଖବର ମିଳିଛି । ଏଥିରେ ରାଜସ୍ୱ ବିଭାଗର ଅମୀନ , ଆର୍ ଆଇ , ଅତିରିକ୍ତ ତହସିଲଦାର , ତହସିଲଦାର , ରେଜିଷ୍ଟ୍ରୀ ଅଧିକାରୀ , କିରାଣୀ , ଦଲାଲ୍ , ଓକିଲ ସମସ୍ତେ ମାଲାମାଲ୍ ହେଉଥିବା ଆଲୋଚନା ହେଉଛି ।  ଉଲ୍ଲେଖନୀୟ ଯେ ଖାସ୍ ଏଇଥିପାଇଁ ପାଟଣାଗଡ ସବ୍- ରେଜିଷ୍ଟ୍ରୀ ଅଫିସ୍ ର ପ୍ରାୟ ସବୁ ଷ୍ଟାଫ୍ ଙ୍କୁ ବଦଳି କରିଦିଆଯାଇ ପସନ୍ଦର ଅଧିକାରୀ/ କର୍ମଚାରୀଙ୍କୁ ଅଣାଯାଇଛି । ଏବେ ସୋନପୁରରୁ ଜଣେ ସବ୍ – ରେଜିଷ୍ଟ୍ରାର୍ ଆସିଛନ୍ରି ।  କିଛିଦିନ ପୂର୍ବରୁ ପାଟଣାଗଡ ଅଞ୍ଚଳରେ ଭୁବନେଶ୍ବର , ଜଗତସିଂହପୁର ଓ ବାଲେଶ୍ବର ଆଡର ରାଜସ୍ୱ ଅଧିକାରୀ/ କର୍ମଚାରୀଙ୍କୁ ଏଠାର ଥଇଥାନ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଛି । କେଉଁଠି କିଏ ଜମି ବିକିବ ବା  ଅଧିକ ଟଙ୍କାର ପ୍ରଲୋଭନ ଦେଇ ବିକ୍ରେତା ଯୋଗାଡ କରିବାରେ ଦଲାଲ୍ , ପ୍ରାଇଭେଟ୍ ଅମୀନ , ରାଜସ୍ୱ ବିଭାଗର ଅମୀନ , ଆର୍ ଆଇ ଓ ତହସିଲଦାରମାନେ ପ୍ରଚୁର ହାତ ଚିକ୍କଣ କରି ସହାୟତା କରୁଥିବା ଚର୍ଚ୍ଚା ହେଉଛି । ଆଟ ମାମୁଲି , ବାହାଲ ମାମୁଲି ଇତ୍ୟାଦି ସବୁପ୍ରକାରର ରବି ଓ ଖରିଫ ଫସଲର ଚାଷଜମିର ଆବଶ୍ୟକସ୍ଥଳେ କିସମ ବଦଳାଇ ଦେଇ କମ୍ପାନୀ ହାତକୁ ଟେକି ଦିଆଯାଉଛି । ରାତାରାତି ଓଭର ଭେଲ୍ୟୁଏସନ୍ , କେତେକ ସ୍ଥଳରେ ଜାଲିଆତି ଓ ଅଣ୍ଡରଭେଲ୍ୟୁଏସନ୍ ରେ ଜମି ବିକାଯାଇଥିବା  ଓ ଇତିମଧ୍ୟରେ ଜମିବିକ୍ରିରେ ଜାଲିଆତି ହୋଇଥିବାରୁ ପାଟଣାଗଡରେ ଏକ ସିଭିଲ୍ ସୁଟ୍ ମାମଲା ମଧ୍ୟ ଦାଏର୍ ହୋଇଥିବା ଜଣାଯାଇଛି ।  ପାଟଣାଗଡର ସବ୍ ରେଜିଷ୍ଟ୍ରାର୍ ବା ରେଜିଷ୍ଟ୍ରି ଅଫିସର ପଦ ଦୀର୍ଘଦିନ ହେବ ଖାଲି ପଡିଥିଲା ଓ ସେଇ ଦାୟିତ୍ୱରେ ଅତିରିକ୍ତ ତହସିଲଦାର ଅର୍ଜୁନ ମାଝି ଅଛନ୍ତି । ଦୁଇଦିନତଳେ ୭ ଜଣଙ୍କର ଜମି ରେଜିଷ୍ଟ୍ରି ଏକ ସ୍ଥାନୀୟ ଲଜ୍ ରେ କରାଯାଇଛି ଓ ସେମାନେ କେହି ଅଫିସ୍ କୁ ଆସି ନଥିଲେ । ସମସ୍ତ କ୍ରେତାଙ୍କର ଏକାସାଙ୍ଗରେ ଦେହ ଅସୁସ୍ଥ ଦର୍ଶାଯାଇଥିଲା ବୋଲି ଚର୍ଚ୍ଚା ହେଉଛି । ଏଥିରୁ ଏହି ଜମିବିକ୍ରି ପ୍ରକ୍ରିୟାରେ କିଛି ଅନିୟମିତତା ରହିଥିବା ସନ୍ଦେହ ସୃଷ୍ଟି ହୋଇଛି ।

ତେବେ ପାଟଣାଗଡରେ ଏଭଳି ବାହାର ରାଜ୍ୟର କମ୍ପାନୀକୁ ରାତିଅଧିଆ ଲଜ୍ ରେ ଜମିକିଣା ନୂଆ ନୁହେଁ । କିଛିବର୍ଷ ତଳେ ଦିଲ୍ଲୀର ଠିକଣା ଦର୍ଶାଇ ପ୍ରାୟ ୩୧ ଟି କମ୍ପାନୀ ଘୁମେର , ଘସିଏନ୍ , ତମିଆ ଆଦିଗ୍ରାମର ବହୁଜମି କିଣିଥିଲେ ଓ ଏଥିରେ ସ୍ଥାନୀୟ ରାଜନେତାଙ୍କ ସମ୍ପୃକ୍ତି ଥିବା ଚର୍ଚ୍ଚା ହୋଇଥିଲା । କିଛିବର୍ଷତଳେ ଖପ୍ରାଖୋଲ ବ୍ଲକ୍ ର ଭାଲୁଡୁଙ୍ଗୁରି ଗ୍ରାମକୁ ମଧ୍ୟ କିଛିଲୋକ ବହୁ ପରିମାଣର ଜମି କିଣିନେବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡି ଖପ୍ରାଖୋଲ ଥାନାରେ ଅଟକ ରହିଥିଲେ ଓ ସେଠାକୁ ସ୍ଥାନୀୟ ରାଜନେତା ପହଞ୍ଚି ସମାଧାନ କରିବାରୁ ସେମାନଙ୍କୁ ପୁଲିସ୍ ଛାଡିଦେଇଥିବା ଘଟଣା ଘଟିଥିଲା । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲଇଞ୍ଜିନ୍ ସରକାର ଆସିବା ପରଠାରୁ ପୁଣି ଏଭଳି ସ୍ଥାନୀୟ ଲୋକଙ୍କ ଜମିକିଣା ଆରମ୍ଭ ହୋଇଛି ।

ତେବେ ଏହି ଦାଦନପ୍ରବଣ , ମାଓ ଅଧ୍ୟୁଷିତ , ଗରିବ ଆଦିବାସୀମାନଙ୍କର ଏତେବଡ କମ୍ପାନୀର ଏତେ ପରିମାଣର ଏକାଦିକ୍ରମେ ଜମିକିଣା ଘଟଣା ଅଞ୍ଚଳରେ ଝଡ ସୃଷ୍ଟି କରିଛି । ଏହାକୁ ଗନ୍ଧମାର୍ଦ୍ଦନର ଖଣିଖନନ ସନ୍ଦେହ କରାଯାଇ ଗତ ୧୫ ତାରିଖରେ ଖପ୍ରାଖୋଲଠାରେ ଏହାର ଦୃଢ ପ୍ରତିବାଦସଭା ଅନୁଷ୍ଠିତ ହୋଇ ଏହା ତିନି ଦଶନ୍ଧିତଳର ବାଲକୋ ଆନ୍ଦୋଳନ ପରି ବିଦ୍ରୋହର ବିଗୁଲ୍ ବଜାଇଛି । ଏହି ପ୍ରତିବାଦସଭାରେ ସମ୍ବଲପୁର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା , ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା , ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେର , ବଲାଙ୍ଗୀର କୋଶଳବାଦୀ ନେତା ପ୍ରମୋଦ ମିଶ୍ର , ପଦ୍ମପୁରର ବରିଷ୍ଠ କଂଗ୍ରେସ ନେତା ତଥା ପଦ୍ମପୁରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ , କଳାହାଣ୍ଡିର ଲିଙ୍ଗରାଜ ଆଜାଦ୍ , ହେମନ୍ତ ଦଳପତି ପ୍ରମୁଖ ବିଭିନ୍ନ ରାଜନୈତିକ ଦଳର ନେତା ଓ ବିଭିନ୍ନ ସଂଗଠନର ବ୍ୟକ୍ତିବିଶେଷଙ୍କ ଯୋଗଦାନ ଭବିଷ୍ୟତର ଆନ୍ଦୋଳନ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଗନ୍ଧମାର୍ଦ୍ଦନର ଖଣିଖନନକୁ  ଗନ୍ଧମାର୍ଦ୍ଦନ ପର୍ବତର ଉଭୟପାର୍ଶ୍ବର ହରିଶଙ୍କର ଓ ନୃସିଂହନାଥ ଅଞ୍ଚଳର ନିର୍ବାଚିତ ବିଧାୟକ ବନାମ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଦୀପ ପୁରୋହିତଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ମଧ୍ୟ ବିରୋଧ ପ୍ରକାଶ କରିଛନ୍ତି । ତେବେ ଆଦାନୀର ଏହି ଜମିକିଣିନେବାର ଉଦ୍ଦେଶ୍ୟକୁ ସରକାର ଅଦ୍ୟାପି ସ୍ପଷ୍ଟ କରି ନଥିଲେ ହେଁ , ଏହି ପ୍ରସଙ୍ଗ ଆଗାମୀ ବିଧାନସଭାରେ ଝଡ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଖପ୍ରାଖୋଲ ଅଞ୍ଚଳରେ ଆଦାନୀର ଏସବୁ ଜମିକିଣିନେବା ସମ୍ପର୍କରେ ଖପ୍ରାଖୋଲ ତହସିଲଦାର ଆଦିତ୍ଯ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ସେ ଗୋଟା ତୁଳସୀଗଛ ପାଲଟି ପ୍ରଥମେ ‘ ଆଦାନୀ କିଏ ? ‘ ଓଲଟା ପଚାରି , ‘ ସେଇଟା ରେଜିଷ୍ଟ୍ରିବାଲାଙ୍କ କାମ । ଯିଏ ଯେମିତି ରେଜିଷ୍ଟ୍ରି କଲେ ବି ଆମେ ୭ ଦିନ ମଧ୍ୟରେ ପାର୍ଚ୍ଚା ଦେଥାଉଁ ‘ ବୋଲି କହିଥିଲେ ।

ତେବେ କେଉଁଠି କାହାର କେତେ କେଉଁ କିସମର ଜମି ରହିଛି , କିଏ ଡିମାର୍କେସନ୍ କରେ , ରେଜିଷ୍ଟ୍ରେସନ୍ ପରେ କିଏ ତାହାର ମ୍ୟୁଟେସନ୍ ଓ ଆର୍ ଓ ଆର୍ କରିଥାଏ ? ‘ ଇତ୍ୟାଦିର ଉତ୍ତର ସେ ଦେଇ ନଥିଲେ । ଉଲ୍ଲେଖନୀୟ ଯେ ଖପ୍ରାଖୋଲ , ନାନ୍ଦୁପଲା , ଲାଠୋର ,ଧଣ୍ଡାମୁଣ୍ଡା , ଲୁହାସିଂହା ,ବାଘମୁଣ୍ଡ , ତେଲେନପାଲି ଓ ରେଙ୍ଗାଲି ଆଦି ୮ ଟି ଆର ଆଇ ସର୍କଲ ବିଶିଷ୍ଟ ଏହି ଖପ୍ରାଖୋଲ ତହସିଲରେ ଗତ ପ୍ରାୟ ୪ ବର୍ଷ ମଧ୍ୟରେ ବହୁ ଗୁରୁତର ଅନିୟମିତତାର ଅଭିଯୋଗ ପ୍ରକାଶ ପାଇଛି ଓ ଏବେ ଏହି ଆଦାନୀକୁ ଜମି ଯୋଗାଇଦେବାରେ ମଧ୍ୟ ଖପ୍ରାଖୋଲ ତହସିଲଦାରଙ୍କର ସହଯୋଗ ରହିଥିବା ଚର୍ଚ୍ଚା ହେଉଛି । ଉଲ୍ଲେଖନୀୟ ଯେ , ଏହି ତହସିଲଦାର ଗତ ୧୧ । ଅଗଷ୍ଟ । ୨୦୨୧ ତାରିଖରୁ ଏଠାରେ ଅବସ୍ଥାପିତ ରହିଛନ୍ତି । ତାଙ୍କରି କାର୍ଯ୍ୟକାଳରେ ଘୁନସରରେ ଏକ ଘରୋଇ ଯୁକ୍ତ-୨ ହାଇସ୍କୁଲକୁ ଜମିଜମା ଦେବାର ଅନିୟମିତତାରେ ତାଙ୍କର ହାତ ରହିଥିବା ଅଭିଯୋଗ ମଧ୍ୟ ପ୍ରକାଶ ପାଇଥିଲା । ଅବଶ୍ୟ ସେ ତାକୁ ଅସ୍ବୀକାର କରନ୍ତି ।

ପ୍ରକାଶିତ ଖବର ଅନୁଯାୟୀ , ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ରେଙ୍ଗାଲି ପଞ୍ଚାୟତ ଭରୁଆମୁଣ୍ଡା ଗାଁ’ର ୩ ଜଣଙ୍କର ୧୮ . ୩୯ ଏକର ( ପାର୍ଚ୍ଚା ହେଲାଣି ), ବର୍ତିଆରେ ପ୍ରସ୍ତୁତି , ପାଟଣାଗଡ ବ୍ଲକ୍ ଭାଲୁଜୁରୀରେ ୬୨ ଏକର ଖାତା ନ୦ ୬୨ / ୯୦  ( ପାର୍ଚ୍ଚା ହେଇଗଲାଣି ) , ବେଲପଡା ଅଗ୍ରବାଲ ଗ୍ରାଫାଇଟ୍ ର ସବୁ ଗ୍ରାଫାଇଟ୍ ବ୍ଲକ୍ , ବେଲପଡା ବ୍ଲକ୍ ର ଡୁଡକାମାଲ୍ ର ୨୦୦ ଏକର ନୃସିଂହନାଥ ପାଖରେ ୯୨ ଏକର , ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଗାଇସିଲେଟ୍ ବ୍ଲକ୍ ର ଯୁବାମାଲ ଗ୍ରାମରେ ୨୩ ଏକର ଜମି ଦୁଇମାସ ତଳେ ଗତ ସେପ୍ଟେମ୍ବର ୨ ତାରିଖରେ ଆଦାନୀ ଗ୍ରୁପ୍ ର ଖଣି କମ୍ପାନୀ ଜମି କିଣିନେଇ ସାରିଲାଣି । ବଲାଙ୍ଗୀର – ବରଗଡ ଜିଲ୍ଲା ସୀମାନ୍ତରେ ଏହି କମ୍ପାନୀର ଆଖି ପଡିଛି । ଏହି ଯୁବାଖୋଲ ପାହାଡର ଅନତିଦୂରରେ ରହିଛି ଗନ୍ଧମାର୍ଦ୍ଦନ ପର୍ବତ । ଗନ୍ଧମାର୍ଦ୍ଦନ ପାଦଦେଶର ବରଗଡ ଜିଲ୍ଲାର ଗାଇସିଲେଟ ବ୍ଲକର ଫିରିଙ୍ଗିମାଲ ପଞ୍ଚାୟତର ଛିନ୍ଦ୍ରାପାଲି , କଠଉମାଲ ପଞ୍ଚାୟତର ସାଇଡୁଙ୍ଗୁରିପାଲି ଓ ଗୌରେନମୁଣ୍ଡା ପଞ୍ଚାୟତର ସାଲେପାଲି ଗ୍ରାମ ଅଞ୍ଚଳରେ ଡ୍ରୋନ୍ କ୍ୟାମେରାରେ ସର୍ଭେ ବା ଖଣିଖୋଜା ଚାଲିଥିବା ପ୍ରକାଶ । ଗତ ଫେବୃଆରୀ ୨୬ ତାରିଖରେ ବରଗଡ ଜିଲ୍ଲାପାଳଙ୍କୁ ପଠାଯାଇଥିବା ଓ ଏଇ ଚିଠିରେ କମ୍ପାନୀ ଓ ଫିରିଙ୍ଗିମାଲ ସରପଞ୍ଚଙ୍କ ସ୍ବାକ୍ଷର ରହିଛି । ଏଥିରେ  ଏହି ଉଭୟ ଜିଲ୍ଲାର ୮୦ ବର୍ଗକିମିରେ ସର୍ଭେ ଚାଲୁଥିବା ଓ ଏଥିପାଇଁ କେନ୍ଦ୍ର ଖଣି ମନ୍ତ୍ରଣାଳୟର ଅନୁମତି ରହିଥିବା ପ୍ରକାଶ । ଏଣୁ ଆଦାନୀ କମ୍ପାନୀର ଜମିକିଣା ଓ ଏହି ସର୍ଭେର ଉଦ୍ଦେଶ୍ୟ ଗନ୍ଧମାର୍ଦ୍ଦନ ପର୍ବତରେ ବକ୍ସାଇଟ୍ ଓ ଅନ୍ୟତ୍ର ଗ୍ରାଫାଇଟ୍ ଓ ଏହାର ମିନେରାଲ୍ ଏକ୍ସପ୍ଲୋରେସନ୍ ଆଣ୍ଡ୍ କନ୍ସଟାନ୍ସି ଲିଃ.ର ଏଭଳି ସକ୍ରିୟତା ଏଇ ଦୁଇଜିଲ୍ଲାର ଲୋକଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଛି । 

କିଛିଦିନତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବଲାଙ୍ଗୀରକୁ ପ୍ରଥମଗସ୍ତରେ ଆସି ଏଥର ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଓ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥିତିରେ ଜନସଭାକୁ ଦେଇଥିବା ଉଦବୋଧନରେ ‘ ଏହା ଡବଲଇଞ୍ଜିନ୍ ନୁହେଁ , ଟିବଲ୍ ଇଞ୍ଜିନ୍ ‘ ବୋଲି ଘୋଷଣା କରିଥିଲେ । ଏବେ ଏହାର ଅର୍ଥ ଲୋକେ ଏହି ଗନ୍ଧମାର୍ଦ୍ଦନ ଖଣିଖନନ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗେହ୍ଲାପୁଅ ଆଦାନୀର ଏହି ଜିଲ୍ଲାର ବ୍ୟାପକ ଜମିକିଣିନେବା ଘଟଣାରୁ ଠିକ୍ ବୁଝିପାରିଥିବା ଓ ବିଜେପିକୁ ଏତେ ବିପୁଳ ପରିମାଣରେ ଭୋଟ୍ ଦେଇ ଜିତାଇ ଆଣିଥିବାରୁ ପସ୍ତାଉଥିବା ଲୋକଙ୍କ ଆଲୋଚନାରୁ ପ୍ରକାଶ ପାଇଛି । ଓଡିଶାର କେନ୍ଦୁଝର ଓ କଳାହାଣ୍ଡିର ନିୟମଗିରି ପରେ ଖଣିଜସମ୍ପଦର ଖଣିଖାଦାନ ଗୁଡିକ ଉପରେ ଲାଭଖୋର୍ କମ୍ପାନୀମାନଙ୍କର ଆଖି ପଡୁଥିବା ଏବଂ ଯେ କୌଣସି କ୍ଷମତାଲୋଭୀ ସରକାରଙ୍କର ଏହା ନିତାନ୍ତ ଜନସ୍ବାର୍ଥବିରୋଧୀ ଓ ପରିବେଶବିରୋଧୀ ଆଭିମୁଖ୍ଯ ବୋଲି  ପରିବେଶପ୍ରେମୀ ବୁଦ୍ଧିଜିବୀମାନେ ମତବ୍ଯକ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post