ନୂଆପଡା : ସାରା ରାଜ୍ୟରେ ବନ୍ୟପ୍ରାଣୀ ସୁରକ୍ଷା ବିପନ୍ନ ହୋଇପଡିଛି।ବିଭିନ୍ନ ବନଖଣ୍ଡରେ ବହୁହାତୀଙ୍କର ଉଦ୍ ବେଗଜନକ ମୃତ୍ୟୁ ବା ଶିକାର ପରେ , ଏବେ ନୂଆପଡା ଜିଲ୍ଲାରେ ବାର୍ହାବିଦ୍ୟୁତ୍ ଫାଶରେ ପଡି ମରିଥିବା ଏକ କଲରାପତରିଆ ବାଘର ମାଂସ ଚୋରାଶିକାରୀମାନେ ଖାଇଥିବା ଖବର ବହୁଚର୍ଚ୍ଚିତ ହୋଇପଡିଛି ।
ସବୁଠାରୁ ଗୁରୁତର ବିଷୟ ଯେ , ଏଇ ଧାନଫସଲ ଅମଳ ଋତୁରେ ଜଙ୍ଗଲ ସଂଲଗ୍ନ କ୍ଷେତକୁ ପାଚିଲାଧାନ ଖାଇବାକୁ ଆସୁଥିବା ବାର୍ହା ମାରିବାକୁ ଗ୍ରାମବାସୀ ଚୋରାଶିକାରୀମାନେ ମାଇଲ୍ ମାଇଲ୍ ଦୂରରୁ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଖମ୍ବରୁ ବାଇଣ୍ଡିଙ୍ଗ୍ ତାର ଖଞ୍ଜି ଫାଶ ବସାଇଥା’ନ୍ତି ଓ ସେଥିରେ ହାତୀ ବା ବାଘ ମଧ୍ୟ ଲାଗିଯାଇ ମରିଯାଉଛନ୍ତି। ଏଥିରେ ଉଭୟ ବନବିଭାଗ ଓ ଶକ୍ତିବିଭାଗର ଚରମ ଦାୟିତ୍ୱହୀନତା ରହୁଛି ।
ବନ୍ୟପ୍ରାଣୀ ସୁରକ୍ଷା ବିପନ୍ନ
ବନବିଭାଗର ବରିଷ୍ଠ ଅଧିକାରୀଙ୍କ ଗଜସାଥୀ ବା ପାରାଷ୍ଟାଫ୍ ଙ୍କୁ ଘରୋଇ ଚାକର ଭାବେ ଖଟାଉଥିବାରୁ ହାତୀଙ୍କର ଗତିବିଧିର ତଥ୍ୟ ମିଳିବାରେ ବାଧା ସୃଷ୍ଟି ହେଉଛି । ଏହି ତ୍ରୁଟିକୁ ଘଣ୍ଟଘୋଡାଇ ବନଅଧିକାରୀମାନେ ହାତୀମୃତ୍ୟୁର କାରଣକୁ ବୟସାଧିକ୍ୟ ବା ରୋଗରେ ପଡି ଇତ୍ୟାଦି ଆଳ ଦର୍ଶାଇ ପ୍ରକୃତସତକୁ ଲୁଚାଇ ଆସୁଛନ୍ତି । ବଲାଙ୍ଗୀର ବନଖଣ୍ଡର ବିଭିନ୍ନ ରେଞ୍ଜ୍ ରେ ଚଳିତବର୍ଷ ଏଇ ଅଳ୍ପଦିନ ମଧ୍ୟରେ ଏକାଦିକ୍ରମେ ଏକାଧିକ ହାତୀଶିକାର ଘଟଣାରେ ବୟସାଧିକ୍ୟ ଓ ଅନଗୁଳର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ତଥା ଅଭୟାରଣ୍ୟରେ ୬ ବର୍ଷରେ ୧୯ ହାତୀ ରୋଗରେ ମରିଯିବା ଖବରରେ ସନ୍ଦେହ ରହିଛି । ସେହିପରି ରେଢାଖୋଲ ବନଖଣ୍ଡର ନାକଟିଦେଉଳ ରେଞ୍ଜ୍ ରେ ବିଦ୍ୟୁତ୍ ବାର୍ହାଫାଶରେ ଲାଗି ୩ ଟି ହାତୀମରିଯାଇଥିବା ଘଟଣାରେ ତଦନ୍ତରିପୋର୍ଟକୁ ଭିନ୍ନମୋଡ ଦିଆଯାଉଥିବା ଅଭିଯୋଗ ହୋଇଛି । ଜଙ୍ଗଲମନ୍ତ୍ରୀଙ୍କ ଉ ଦ୍ ବେ ଗ ଓ ତଦନ୍ତ ନିର୍ଦ୍ଦେଶ ସତ୍ତ୍ବେ , ଉପରୋକ୍ତ ପ୍ରକୃତ କାରଣ ଦିଗରେ ଅନୁସନ୍ଧାନ କରାଯାଉନାହିଁ । ଜଙ୍ଗଲବାବୁ ମାନଙ୍କର ଘରୋଇଚାକର ସେବାସୁଖ ବା ଗଜସାଥୀ – ଘରୋଇ ଚାକରଙ୍କୁ ଅପସାରଣ ନ କରିବାକୁ ସେମାନଙ୍କର ପତ୍ନୀଦେବୀଙ୍କ ଭିତିରିଆ ଚାପ ହିଁ ଏଥିରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ଆହୁରି ମଧ୍ୟ ସରକାରୀ ଦରମା ଖାଇ ଜଙ୍ଗଲରେ ନ ବୁଲି କାଠଚୋରଙ୍କ ଠାରୁ ଲାଞ୍ଚ ନେଇ ଉତ୍କୋଚଖୋର୍ ହୋଇପଡିଥିବା ବନକର୍ମଚାରୀଙ୍କ ଏସବୁ ବିରଳ ବନ୍ୟପ୍ରାଣୀଙ୍କ ତଥ୍ୟସଂଗ୍ରହରେ ଅଳସୁଆମି ଅନ୍ୟତମ କାରଣ ହୋଇଛି । ଏସବୁ ସହିତ କର୍ମଚାରୀ ସଂକଟ , ଶବବ୍ୟବଚ୍ଛେଦ ରିପୋର୍ଟରେ ଅହେତୁକ ବିଳମ୍ବ ବା ହେରଫେର ଇତ୍ୟାଦିକୁ ଏଡାଇ ଦିଆଯାଇ ନପାରେ । ବଲାଙ୍ଗୀର ବନଖଣ୍ଡର ଗତ କିଛିବର୍ଷ ତଳର ଏକ ମହାବଳ ବାଘ ଓ ଏକାଧିକ ହାତୀମୃତ୍ୟୁର ଶବବ୍ୟବଚ୍ଛେଦ ରିପୋର୍ଟରେ କାରଣ ଜଣା ନପଡିବା ବା ଆନ୍ଥ୍ରାକ୍ସ ବୋଲି ଭିନ୍ନମୋଡ ଦିଆଯାଇଥିବା ଅଭିଯୋଗରୁ ଏହାର ଦୃଷ୍ଟ୍ବାନ୍ତ ରହିଛି ।
ଜଙ୍ଗଲରେ ଚୋରାବିଦ୍ୟୁତ୍ ବାର୍ହାଫାଶ
ଦ୍ୱିତୀୟତଃ ଜଙ୍ଗଲ ମଧ୍ୟଦେଇ ବା ଆଖପାଖର ବିଦ୍ୟୁତ୍ ଖମ୍ବ , ଟ୍ରାନ୍ସଫର୍ମର୍ ରୁ ଚୋରା ବିଦ୍ୟୁତ୍ ସଂଯୋଗର ଉପଯୁକ୍ତ ଯାଞ୍ଚ କରାଯାଉ ନଥିବା ଏହାର ଏକ ବଡ କାରଣ । ଏଭଳି ଚୋରାବିଦ୍ୟୁତ୍ ତାରରେ ଲାଗି ହାତୀ ପରି ବଡପ୍ରାଣୀ ମରିଯାଉଥିବା ବେଳେ ସମ୍ପୃକ୍ତ ଅଞ୍ଚଳରେ ଲାଇନ୍ କଟିଯାଏ । ଏହାର ରିପୋର୍ଟ ବିଜୁଳି କର୍ମଚାରୀଙ୍କ ଜାଣିବା କଥା । କେଉଁଠି ଏଭଳି ଘଟଣା ଘଟିଗଲେ , ନିଜମୁଣ୍ଡରୁ ଦୋଷ ଛଡାଇବା ବା ବନବିଭାଗ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଇ ଘଟଣାକୁ ଚପାଇଦେବା ଛଡା ଏମାନେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦିଅନ୍ତିନାହିଁ ବା ଉପରିସ୍ଥ ଅଧିକାରୀଙ୍କର ଏଥିପ୍ରତି କୌଣସି ଦାୟିତ୍ୱବୋଧ ନଥାଏ । ସର୍ବୋପରି ଏଇଋତୁରେ ଅବୈଧ ବାର୍ହାଶିକାର ଓ ଫଳରେ ହାତୀ ବା ବାଘଙ୍କ ମୃତ୍ୟୁର ପ୍ରମୁଖ ମାଧ୍ୟମ ଚୋରାବିଦ୍ୟୁତ୍ ତାର ସଂଯୋଗ ବୋଲି ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ହେଁ , ସରକାର ସଚେତନ ହେଉନାହାଁନ୍ତି ।
ଓଡିଶାର ହାତୀମୃତ୍ୟୁ ସମ୍ପର୍କରେ ହାଇକୋର୍ଟରେ ଏକ ମାମଲା ମଧ୍ୟ ଦାଏର୍ ହୋଇଛି । ଏଥିରେ ମାନ୍ୟବର ଉଚ୍ଚ ଅଦାଲତ ମୁଖ୍ୟ ବନ ସଂରକ୍ଷକଙ୍କୁ ବ୍ୟକ୍ତିଗତ ହାଜିରାରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଗତ ୨୦୨୦ରୁ ଏଯାବତ୍ କେତେ ହାତୀ ମରିଛନ୍ତି , ସେ ସମ୍ପର୍କରେ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ପ୍ରକାଶ । ଏଥି ସହିତ ଗତ ୨୦୧୫ ଓ ୨୦୨୨ରେ ଋଜୁ ହୋଇଥିବା ମାମଲା ସମେତ ଏକତ୍ର ଶୁଣାଣି ହେବ ବୋଲି ପ୍ରକାଶ ।
ଏବେ ନୂଆପଡା ବନଖଣ୍ଡର ସୁନାବେଡା ଅଭୟାରଣ୍ୟର ତଳିଅଞ୍ଚଳ କୋମନା ରେଞ୍ଜ୍ ର ଦେଓଦରା ଗ୍ରାମରେ ଗତ କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଟିଡଙ୍ଗର ଜଙ୍ଗଲରେ ଲଗାଇଥିବା ଚୋରାବିଦ୍ୟୁତ୍ ତାରର ବାର୍ହାଫାଶରେ ଏକ କଲରାପତରିଆ ବାଘ ଲାଗିଯାଇ ମରିଯାଇଥିଲା । ତାକୁ ୪ ଜଣ ଚୋରାଶିକାରୀ ସେହି ଜଙ୍ଗଲର ଏକ ନାଳାପାଖରେ ଖଣ୍ଡ ଖଣ୍ଡ କରି କାଟି ଅଧାମାଂସକୁ ଭୋଜିକରି ଖାଇଥିଲେ । ଖବରପାଇ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ରଦଳ ଉକ୍ତ ଗ୍ରାମରେ ଚଢାଉ କରି ଅଭିଯୁକ୍ତମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଘରୁ ଉକ୍ତ ମୃତବାଘର ମାଂସ , ମୁଣ୍ଡ , ଲାଞ୍ଜ , ଛାଲ ଆଦି ସହ ଶୁଖିଲା ସମ୍ବର ଓ ବାର୍ହାମାଂସ ଜବତ କରିଥିବା ପ୍ରକାଶ । ତେବେ ବନ୍ୟପ୍ରାଣୀ ବନଖଣ୍ଡର ଏହି ସୁନାବେଡା ଅଭୟାରଣ୍ୟ ସଂଲଗ୍ନ ଏ ବନାଞ୍ଚଳରେ ନିୟମିତ ଭାବରେ ବାର୍ହା , ହରିଣ , କୁଟ୍ରା , ଝିଙ୍କ, କୋଚିଳାଖାଈ ପକ୍ଷୀ , ସମ୍ବର ଓ ବଜ୍ରକାପ୍ତା ଇତ୍ୟାଦିର ଶିକାର ବା ଧରି ଚୋରାଚାଲାଣ କରୁଥିବା ଓ ଏପରିକି ମହାବଳ ବାଘକୁ ଶିକାର କରାଯାଇଥିବାର ନଜିର୍ ରହିଛି । ତେବେ ଏ ସମ୍ପର୍କରେ ପୂର୍ବରୁ ଫରେଷ୍ଟରରୁ ପଦୋନ୍ନତି ପାଇ ଏଠାରେ ରେଞ୍ଜର ଓ ଏସିଏଫ୍ ହୋଇ ଅବସ୍ଥାପିତ କୋମନା ରେଞ୍ଜର ଦେବବ୍ରତ ସୂତାରଙ୍କ ସହ ଯୋଗାଯୋଗର ଉଦ୍ୟମ କରାଯାଇଥିଲେ ହେଁ , ସମ୍ଭବ ହୋଇପାରିନାହିଁ !
ରାଜ୍ୟର ଜଙ୍ଗଲ , ସଂରକ୍ଷିତ ଜଙ୍ଗଲ ଓ ଅଭୟାରଣ୍ୟରେ ଚୋରାଶିକାରୀଙ୍କ ଏତାଦୃଶ ଚୋରା ବିଦ୍ୟୁତ୍ ତାରର ବାର୍ହାଫାଶରେ ବାରମ୍ବାର କ୍ରମେ ସଂଖ୍ୟା କମି କମି ଯାଉଥିବା ବୃହତ୍ତମ ସ୍ଥଳଚର ହାତୀ ଓ ଜାତୀୟପଶୁ ବାଘପରି ବିରଳ ବନ୍ୟପ୍ରାଣୀଙ୍କର ହତ୍ୟାଘଟଣା ଚାଞ୍ଚଲ୍ଯ ଖେଳାଇ ଦେଇଥିଲେ ହେଁ , ବନବିଭାଗ , ଶକ୍ତି ବିଭାଗ ବନାମ ସରକାରଙ୍କର ନିଦ ନ ଭାଙ୍ଗିବା ଅତ୍ୟନ୍ତ କ୍ଷୋଭ ଓ ଲଜ୍ଜାର ବିଷୟ ବୋଲି ଲୋକେ କହୁଛନ୍ତି ।