ନ୍ୟୁଜ୍

ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ର ତଦନ୍ତ

Email :

ଏତେଦିନ ଶୋଇଥିଲେ କେଉଁଠି  ?

ବଲାଙ୍ଗୀର  : ଦୀର୍ଘ ୨୪ ବର୍ଷକାଳ ଶାସନରେ ଥିଲେ । ରାଜ୍ୟରେ ଯାବତୀୟ ଚାଉଳ ନ ପାଇ ଆମ୍ବଟାକୁଆ ଖାଇବା ,ଅପପୃଷ୍ଟି , ଅପରାଧ ବା ଆଇନଶୃଙ୍ଖଳା ପରିସ୍ଥିତି ଓ ଅନ୍ୟାନ୍ୟ ସମସ୍ୟା ପାଇଁ ସେଇମାନଙ୍କ ସରକାର ଦାୟୀ ନ ହୋଇ ମାତ୍ର ୫ ମାସର ସରକାରଙ୍କୁ ଦାୟୀ କରାଯାଉଥିବା ଆଶ୍ଚର୍ଯ୍ୟଜନକ ବୋଲି ଲୋକେ ଆଲୋଚନା କରୁଛନ୍ତି ।ସଂପ୍ରତି କନ୍ଧମାଳର ମାଣିପଙ୍କା ଆମ୍ବଟାକୁଆଜାଉ ଖାଇ ଆଦିବାସୀଙ୍କର ମୃତ୍ୟୁ ହେଉ କି ବଲାଙ୍ଗୀରରେ ଶିଶୁବିକ୍ରି ଘଟଣା ଅଥବା ଜଣେ ନାବାଳିକାକୁ କିଣିନେଇ ବିବାହ ବନାମ ମହିଳା ନିର୍ଯ୍ଯାତନାର ଅଭିଯୋଗ ( ସେତେବେଳେ ନଥିବା ଓ ଏବର ଟିଟିଲାଗଡ ବିଧାୟକ ହୋଇଥିବା ବିଜେପିର ନବୀନ ଜୈନଙ୍କ ଶଳା ମାମଲାରେ ଅଭିଯୁକ୍ତ ବୋଲି ) ହେଉ ; ସେସବୁର ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ବା ସତ୍ୟାସତ୍ୟ ବାହାର କରିବାକୁ ଠିକ୍ ବିଧାନସଭା ବସିଲା ବେଳକୁ ବାହାରି ପଡିଛନ୍ତି ବିଜେଡି ବନାମ ରାଜ୍ୟ ବିରୋଧୀଦଳର ମହିଳାମୋର୍ଚ୍ଚାର ପୂର୍ବତନ ମନ୍ତ୍ରୀମାନେ ଓ ବିଧାୟକ ଏବଂ ବ୍ଲକ୍ ଅଧ୍ୟକ୍ଷା ! ସେମାନେ ଗସ୍ତ କରିଛନ୍ତି  ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପାଟଣାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ଖପ୍ରାଖୋଲ ବ୍ଲକ୍  ଲାଠୋର ନିକଟସ୍ଥ ସୁନାମୁଦି ସ୍ବାସ୍ଥ୍ୟ ଉପକେନ୍ଦ୍ର ବା ସାନଗୁର୍ଜିଭଟା – ପଡାପାଲିରେ ଉଠିଥିବା ଶିଶୁକନ୍ୟା ବିକ୍ରି ମାମଲା ଘଟିଥିବା ଗାଁ’କୁ । ଏଥିରେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ , ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ , ପୂର୍ବତନ ମନ୍ତ୍ରୀ ରୀତା ସାହୁ , ପାଟଣାଗଡର ପୂର୍ବତନ ବିଧାୟକ ସରୋଜ ମେହେର ଓ ସ୍ଥାନୀୟ ପଞ୍ଚାୟତ ସମିତିର ବିଜେଡିଦଳର ଅଧ୍ୟକ୍ଷାମାନେ । ( ଏମାନେ ନିକଟରେ ମଧ୍ୟ ଶିଶୁବିକ୍ରି ଅଭିଯୋଗ ଉଠିଥିବା ବୁର୍ଲାର ଭୀମସାର ବା ରାୟଗଡା ଜିଲ୍ଲାର ସେଇ ସ୍ଥାନ ଗୁଡିକୁ ଗସ୍ତ କରିଛନ୍ତି କି ନାହିଁ , ଜଣାଯାଇନାହିଁ । )

ବାହାଘରବେଳେ ବାଇଗଣ ରୁଆ  !

ଏମାନଙ୍କର ଏଇ ଗସ୍ତକୁ ନେଇ ଜନସାଧାରଣ ପ୍ରଶ୍ନ କରିଛନ୍ତି ଯେ , ଏତେଦିନ ହେଲା ଏମାନେ ଶୋଇଥିଲେ କେଉଁଠି  ? ବିଶେଷକରି ପୂର୍ବତନ ମହିଳା ଓ ଶିଶୁବିକାଶ ବିଭାଗର ମନ୍ତ୍ରୀ ଥିବାବେଳେ ତାଙ୍କରି ନିଜ ନିର୍ବାଚନମଣ୍ଡଳୀ ଟିଟିଲାଗଡ ସହରରେ ଘଟିଥିବା କିଛିଦିନ ଆଗର ଶିଶୁବିକ୍ରି ହୋଇଥିବା ମାମଲା ସମ୍ପର୍କରେ ମୁଣ୍ଡ ଖେଳାଇ ଥିଲେ ବା  ତାହା ପୂର୍ବର ସାରାରାଜ୍ୟରେ ଚାଞ୍ଚଲ୍ଯ ସୃଷ୍ଟି କରିଥିବା ଜିଲ୍ଲାର  ମମିତା ମେହେର ହତ୍ୟାକାଣ୍ଡ ପରେ ସେ ଆଦୌ ଥରେ ବି ମମିତାଙ୍କ ଘରକୁ ଯାଇଥିଲେ  କି ? କାରଣ ସେତେବେଳେ ତାଙ୍କରି ମନ୍ତ୍ରୀମଣ୍ଡଳର ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ଅଭିଯୋଗ ଉଠିଥିଲା । ଦ୍ୱିତୀୟତଃ ରାଜ୍ୟରେ ପ୍ରତିବର୍ଷର ବାହାରରାଜ୍ୟକୁ ଲକ୍ଷାଧିକ ସଂଖ୍ୟାରେ ଦାଦନଶ୍ରମିକ ଚାଲାଣ ଓ ସେଠାରେ ସେମାନଙ୍କୁ ନିର୍ଯ୍ଯାତନା ଅଭିଯୋଗ ଏବଂ ଗରିବ ପରିବାରର ଶିଶୁବିକ୍ରି ଅଭିଯୋଗ , ପରିବାର ନିୟୋଜନରେ ଚରମ ବିଫଳତା ଓ ମହିଳା ଓ ଶିଶୁବିକାଶ ବିଭାଗ ଅଧୀନସ୍ଥ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବା  ତଥାକଥିତ ଶିଶୁ ସୁରକ୍ଷା ସମିତିରେ ବା ସିଡବ୍ଲୁସି ଓ ଡିସିପିୟୁର କାର୍ଯ୍ୟ କୁଶଳତାର ସମୀକ୍ଷା କରାଯାଉଥିଲା କି  ?

ସେହିପରି ଯୋଗାଣ ବିଭାଗର କନ୍ଧମାଳରେ ସରକାରୀ ଚାଉଳ ପହଞ୍ଚି ନପାରିଥିବା ବିଫଳତା ବା  ଅଭ୍ୟନ୍ତର ପାହାଡି ଅଞ୍ଚଳର ଦୁର୍ଗମ ରାସ୍ତାଘାଟ ତଥା ସ୍ବାସ୍ଥ୍ୟସେବା ପହଞ୍ଚୁ ନଥିବା ଆଦି ସମସ୍ୟା ନିମନ୍ତେ ଆମ୍ବଟାକୁଆକୁ ଖାଦ୍ୟ ରୂପେ ଖାଉଥିବା ଜନିତ ଆଦିବାସୀଙ୍କ ମୃତ୍ୟୁ ଇତ୍ୟାଦି କେଉଁ ସରକାର ଦାୟୀ ?

ଏହାସହିତ ୫/ ୬ ମାସ ପୂର୍ବରୁ ରାଜ୍ୟରେ ଘଟିଥିବା ନାରୀନିର୍ଯାତନାର ଅଭିଯୋଗ ପ୍ରତି କେତେ ଏଇ ମହିଳାମୋର୍ଚ୍ଚା ସମ୍ବେଦନଶୀଳତା ପ୍ରକାଶ କରିଥିଲେ ? ସର୍ବୋପରି ରାଜ୍ୟର ଏସବୁ ଦାରିଦ୍ର୍ଯଜନିତ ଉପସର୍ଗର ସମସ୍ୟା ନିମନ୍ତେ କେଉଁ ସରକାରଙ୍କୁ ଉତ୍ତରଦାୟୀ କରାଯିବ ?

ଏଣୁ ଏବେ ଠିକ୍ ବିଧାନସଭା ବସିଲା ବେଳକୁ ଏହି ତତ୍ପରତା କେବଳ ତୁଚ୍ଛାରାଜନୀତି ଛଡା ଅନ୍ୟକିଛି ନୁହେଁ ଓ ‘ ବାହାଘର ବେଳେ ବାଇଗଣ ରୁଆ ‘ ବୋଲି ଜନସାଧାରଣ ମତବ୍ଯକ୍ତ କରୁଛନ୍ତି ।

Leave a Reply

Your email address will not be published. Required fields are marked *

Related Post