କେଉଁମାନେ ପ୍ରକୃତଲାଭ ପାଉଛନ୍ତି
ଭୁବନେଶ୍ବର : ଶିଶୁ ବିକାଶ ପ୍ରକଳ୍ପ ବା ଅଙ୍ଗନବାଡି କେନ୍ଦ୍ରକୁ ମହିଳା ସ୍ବୟଂସହାୟିକା ଗୋଷ୍ଠୀ ପକ୍ଷରୁ ଶିଶୁଖାଦ୍ୟ ଛତୁଆ ତିଆରି କରାଯାଇ ଯୋଗାଇ ଦିଆଯିବାରେ ପ୍ରବଳ ଦୁର୍ନୀତି ଅଭିଯୋଗ ଗତ କିଛିବର୍ଷ ହେଲା ପ୍ରକାଶ ପାଇଆସୁଛି । ପ୍ରଥମତଃ ପୁଷ୍ଟିକର ଖାଦ୍ୟ ନାଁ’ରେ ଏହା ଦିଆଯାଉଥିଲେ ହେଁ , ଅଧକାଂଶ ଶିଶୁ ଏହା ଖାଉ ନଥିବା ଓ ପସନ୍ଦ କରୁ ନଥିବା ଏକ ଅପ୍ରିୟ ସତ୍ୟ । ଏହାଛଡା ଏହାକୁ ଗ୍ରାମୀଣ ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମୀଣ ଅପରିଷ୍କାର ମହିଳାଙ୍କ ହାତରେ ପ୍ରସ୍ତୁତି , ଜାଣିଶୁଣି ବାଦାମ , ଚଣା , ଚିନି ଇତ୍ୟାଦି ପରି ପ୍ରକୃତ ପୁଷ୍ଟିକର ଉପାଦାନ ନାମମାତ୍ର ବା କମ୍ ପରିମାଣର ମିଶାଇ ଖାଲି ଗହମଗୁଣ୍ଡ ଦିଆଯାଇ ଏ ବାବଦର ଅର୍ଥ ବାଟମାରଣା କରାଯାଇ ଆସୁଛି । ଏହାଛଡା ଏଥିରୁ ଏସ୍ ଏଚ୍ ଜି ମହିଳା ୟୁନିଟ୍ ର ସଭାନେତ୍ରୀ ,ସମ୍ପାଦିକା , ପ୍ରଭାବଶାଳିନୀ ସଭ୍ୟା , କାଗଜପତ୍ର ଲେଖିଦେଉଥିବା ସହାୟକ , ପଛରେ ଥିବା ବେପାରୀ , ନେତା , ଲୋକପ୍ରତିନିଧି , ବିଭାଗୀୟା ସୁପରଭାଇଜର , ସିଡିପିଓ ,ବିଲ୍ କିରାଣୀ ,ବିଡିଓ ବ୍ଲକ୍ ଚେୟାରମ୍ୟାନ୍ , ଉପଜିଲ୍ଲାପାଳ, ଡିଏସ୍ଡବ୍ଲୁ ଓ , ଏଡିଏମ୍ , ଜିଲ୍ଲାପାଳ , ବିଧାୟକ , ମନ୍ତ୍ରୀ , ଗୁଣବତ୍ତା ପରୀକ୍ଷଣ କରୁଥିବା ଅଧିକାରୀ ( କିଛିବର୍ଷ ତଳେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ବ୍ଲକ୍ ର ବାଘପାଲିର ଏକ ଏଭଳି ୟୁନିଟ୍ ର ପଛଲୋକ ଜଣେ ଗ୍ରାମର କୁଜିନେତା ଭୁବନେଶ୍ବରର ଉକ୍ତ ପରୀକ୍ଷାଗାର ପର୍ଯ୍ୟନ୍ତ ଯାଇ ଛତୁଆର ଗୁଣବତ୍ତା ରିପୋର୍ଟକୁ ଲାଞ୍ଚ ଦେଇ ପ୍ରଭାବିତ କରିଥିବା ଜଣା ପଡିଥିଲା ।) ଓ ଯାଞ୍ଚ ଅଧିକାରୀମାନେ ନିୟମିତ ବଟି ନେଉଥିବା ଏକ ଅଲିଖିତ ପରମ୍ପରାରେ ପରିଣତ ହୋଇଛି । ଏବେ ବଲାଙ୍ଗୀର ଲୋକସଭା ସାଂସଦ ମଧ୍ୟ ସେମାନଙ୍କର ବିଲ୍ ବନ୍ଦ କରାଇ ଗୋଟିଏ ମାସର ବିଲ୍ ଲକ୍ଷାଧିକ ଟଙ୍କାର ବଟି ନେଇଥିବା ଅଭିଯୋଗ ଚର୍ଚ୍ଚାରେ ରହିଛି । ଯଦିଓ ଏହା ସମସ୍ତେ ଜାଣୁଥିଲେ ବି କେହି ସ୍ବୀକାର କରନ୍ତି ନାହିଁ ଓ ତଦନ୍ତ ପାଇଁ ପ୍ରମାଣ ଆବଶ୍ୟକ । ତେଣୁ ଏହା ଅପ୍ରିୟସତ୍ୟ ହେଲେ ବି ସତ ବୋଲି ସରକାର ଗ୍ରହଣ କରିବାକୁ ନାରାଜ୍ । ଏହା କେବଳ ଏହି ନୂତନ ମୋହନ ସରକାର ନୁହଁନ୍ତି , ଗତ ୨୪ ବର୍ଷର ବିଗତ ନବୀନ ବନାମ ପାଣ୍ଡିୟାନ୍ ସରକାର( ପ୍ରକାଶଯୋଗ୍ୟ ଯେ , ପାଣ୍ଡିୟାନ୍ ଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ମିଶନଶକ୍ତି ଓ ଏହି ବିଭାଗର ସଚିବ ଥିଲେ )ଙ୍କ ଅମଳରୁ ନିରଙ୍କୁଶଭାବେ ଚାଲିଆସୁଛି । ଅଧିକନ୍ତୁ ଏହି ଛତୁଆରୁ ପରୋକ୍ଷରେ ବାଟମାରଣାର ସୁଯୋଗ ଦେଇ ମହିଳା ଏସ୍ ଏଚ୍ ଜି ଗୁଡିକୁ ଭୋଟ୍ ବ୍ୟାଙ୍କ୍ କରିଥିବା ବା ସଭାସମିତିରେ ଭିଡ ପାଇଁ ବ୍ୟବହାର କରିବା ଗତ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
ମାଆର ଆକାଉଣ୍ଟରେ ଟଙ୍କା ପଡୁ !
ତେବେ ବର୍ଷ ବର୍ଷ ଧରି ଏହି ଛତୁଆ ତିଆରିକରି ମାସିକ ଲକ୍ଷ ଲକ୍ଷ ଟଙ୍କା ଅନ୍ୟାୟୋପାର୍ଜନ କରି ଏଭଳି ଛତୁଆୟୁନିଟ୍ ଏସ୍ ଏଚ୍ ଜିର କର୍ମକର୍ତ୍ତୀମାନେ ଆଖିଦୃଶିଆ ଭାବେ ଗାଡିମଟର ସମ୍ପତ୍ତି , କୋଠାବାଡି କରି କୋଟିପତି ପାଲଟି ଯାଇଥିବା ସହ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଉତ୍ସାହୀ ହୋଇପଡିଥିବା ମଧ୍ୟ ଦେଖାଯାଇଥିଲା । ସେମାନେ ତାଙ୍କର ଏହି ପ୍ରଚୁର ମୁନାଫା ନିମନ୍ତେ ହିଂସ୍ର ହୋଇପଡି ବିଲ୍ ନକରିବାରୁ ସୁପରଭାଇଜର ଓ ସିଡିପିଓଙ୍କୁ କଳକୌଶଳ କରି ବା ରାଜନୈତିକ ଚାପ ପକାଇ ବଦଳି ଓ ଭିଜିଲାନ୍ସରେ ଧରାଇଦେବା ଭଳି ଘଟଣା ବି ଘଟାଇଥିବା ଉଦାହରଣ ରହିଛି । ଏବେ ଯଦି ଏହି ଛତୁଆ ଏସଏଚଜିର କର୍ମକର୍ତ୍ତୀ ମାନଙ୍କର ଏହି ସୂତ୍ରରୁ ଅନ୍ୟାୟୋପାର୍ଜିତ ଆୟର ଭିଜିଲାନ୍ସ ତଦନ୍ତ କରାଯାଏ , ଗୋଟି ଗୋଟି କରି ଅନ୍ୟୁନ ଶହେଜଣ ଧରାପଡିଯିବେ । ତେଣୁ ଏ ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରାଯାଇ ବରଂ ଉକ୍ତ ଶିଶୁ ହିତାଧିକାରୀଙ୍କ ମାଆମାନଙ୍କର ବ୍ୟାଙ୍କ ଆକାଉଣ୍ଟ ରେ ଏ ବାବଦର ଟଙ୍କାକୁ ଡିପୋଜିଟ୍ କରାଯିବାକୁ ମିଶନଶକ୍ତି ମିଟିଂରେ ସିଡିପିଓ ଓ ଡିଏସ୍ ଡବ୍ଲୁ ଓମାନଙ୍କ ମଧ୍ୟରୁ କେତେଜଣ ବିଭାଗୀୟ ଅଧିକାରିଣୀ ସରକାରଙ୍କୁ ପରାମର୍ଶ ଦେଇଥିବା ପ୍ରକାଶ କରିଛନ୍ତି ।
ଉଲ୍ଲେଖନୀୟ ଯେ , ଚଳିତ ବିଧାନସଭା ଅଧିବେଶନରେ କଳିକେଶ ନାରାୟଣ ସିଂହଦେଓ ଓ ପ୍ରକାଶ ସୋରେନ୍ ଦୁଇଜଣ ବିଧାୟକଙ୍କ ପକ୍ଷରୁ ଛତୁଆ ସମ୍ପର୍କରେ ପଚରାଯିବାରୁ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା ଦେଇଥିବା ଉତ୍ତରରୁ ଗତ ୨୦୨୩ ଏପ୍ରିଲରୁ ଚଳିତବର୍ଷ ଜୁନ୍ ମାସ ମଧ୍ୟରେ ରାଜ୍ୟ ଖାଦ୍ୟ ପରୀକ୍ଷଣ ପରୀକ୍ଷାଗାରର ରିପୋର୍ଟ ଭିତ୍ତିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୧୨୫ ଟି ଏସ୍ ଏଚ୍ ଜି କୁ ନିମ୍ନମାନର ଛତୁଆ ବିକ୍ରି କରୁଥିବା ( ?) ନୋଟିସ୍ ଦେଇଥିବା ପ୍ରକାଶ । ଏହି ଅନୁଯାୟୀ , ୪୨ ଜଣ ସିଡିପିଓ ଓ ୨୧ ଜଣ ମହିଳା ସୁପରଭାଇଜର କାରଣଦର୍ଶାଅ ନୋଟିସ୍ ପାଇଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ରାୟଗଡାର ସର୍ବାଧିକ ୧୪ ଏସ୍ ଏଚ୍ ଜି ଓ ଝାରସୁଗୁଡ଼ାର ୧୨ , କୋରାପୁଟର ୧୧ , ଜଗତସିଂହପୁରର ୧୦ , ସୁନ୍ଦରଗଡ ଓ ସମ୍ବଲପୁରର ୯ ଲେଖାଏଁ ,କଳାହାଣ୍ଡି ଓ ବଲାଙ୍ଗୀର ୭ ଲେଖାଏଁ ଅନ୍ତର୍ଭୁକ୍ତ । ଭଦ୍ରକ , ଢେଙ୍କାନାଳ , ନବରଙ୍ଗପୁର ଓ ପୁରୀ ଜିଲ୍ଲାର କୌଣସି ଏସ୍ ଏଚ ଜି କୁ ନୋଟିସ୍ ଜାରୀ କରାଯାଇ ନଥିବା ପ୍ରକାଶ । ସୁବର୍ଣ୍ଣପୁର ଜିଲ୍ଲାର ଜଣେ ସିଡିପିଓଙ୍କୁ ନୋଟିସ୍ ସହ ଦରମା ବନ୍ଦ କରାଯାଇଥିବା ପ୍ରକାଶ । ତେବେ ଅନ୍ୟସୂତ୍ରରୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ସମେତ ୨ଟି ଏସ୍ ଏଚ୍ ଜି ବିରୋଧରେ ସଚିବଙ୍କ ଠାରୁ ନିମ୍ନମାନର ଛତୁଆ ବୋଲି ନୋଟିସ୍ ଆସିଥିବା ଡିଏସଡବ୍ଲୁଓ ଅନୁପମା ପଣଙ୍କ ଠାରୁ ପ୍ରକାଶ । କିନ୍ତୁ ରାଜ୍ୟର କଟକ , କେନ୍ଦ୍ରାପଡା , ବୌଦ୍ଧ , ନୂଆପଡା , ମୟୂରଭଞ୍ଜ , ଦେବଗଡ , ନୟାଗଡ , ବାଲେଶ୍ବର , କନ୍ଧମାଳ ଓ ଅନ୍ୟାନ୍ୟ ଜିଲ୍ଲା ସମ୍ପର୍କରେ କିଛି ପ୍ରକାଶ ପାଇନାହିଁ । ପ୍ରକାଶଯୋଗ୍ୟ ଯେ କନ୍ଧମାଳ , ରାୟଗଡା ଓ ବଲାଙ୍ଗୀର ଜିଲ୍ଲାରେ ଦାରିଦ୍ର୍ଯ ଯୋଗୁଁ ଶିଶୁବିକ୍ରି ପରି ଅଭିଯୋଗ ଚର୍ଚ୍ଚାରେ ରହିଛି । ଏଣୁ ମନ୍ତ୍ରୀଙ୍କର ବିଧାନସଭାରେ ଉପସ୍ଥାପିତ ଏହି ରିପୋର୍ଟ କେତ ପୂର୍ଣ୍ଣାଙ୍ଗ , ଏ ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ୍ । ତେବେ କେବଳ ଉକ୍ତ ସମୟ ଅବଧୀର କାହିଁକି ଗତ ସରକାର ଅମଳରେ ହୋଇଥିବା ସମଗ୍ର ରାଜ୍ୟରେ ଏସ୍ ଏଚ୍ ଜି ଗୁଡିକ ଦ୍ବାରା ପ୍ରସ୍ତୁତ ଏହି ଶିଶୁଖାଦ୍ୟ ଛତୁଆ କେଳେଙ୍କାରୀର ସରକାର ତଦନ୍ତ କରାନ୍ତୁ । ବହୁ ଚାଞ୍ଚଲ୍ୟକର ଦୁର୍ନୀତିର ତଥ୍ୟ ବାହାରିବ ବୋଲି ଲୋକେ କହନ୍ତି । ଏହି ଛତୁଆ ଦ୍ବାରା ଅଧିକନ୍ତୁ ଶିଶୁଙ୍କ ଅପେକ୍ଷା ବାଟମାରଣା କରୁଥିବା ବିଭାଗୀୟ ଅଧିକାରୀଙ୍କ ସହାୟତାରେ କର୍ମକର୍ତ୍ତୀମାନେ ବେଶି ଫାଇଦା ଉଠାଇଛନ୍ତି ବୋଲି ଅଭିଯୋଗ ହୋଇଆସୁଛି ।
ସେ ଯାହାହେଉ , ପୂର୍ବରୁ ଅଙ୍ଗନବାଡି ଶିଶୁଖାଦ୍ୟ ପାଇଁ ଟେଣ୍ଡର ନେଇ ‘ ଓରିମିକ୍ସ ‘ ନାଁ’ରେ ଏକ ପ୍ୟାକେଟ୍ ଖାଦ୍ୟ ଯୋଗାଣ କରାଯାଉଥିଲା । ସମ୍ଭବତଃ ୧୯୯୩ ରେ ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ୍ ର ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଏସ୍ ଏଚ୍ ଜି ମହିଳା ୟୁନିଟ୍ ପ୍ରଥମେ ଛତୁଆ ପ୍ରସ୍ତୁତ କରିଥିଲେ ଓ କୁଆଡେ ଏହାର ଉତ୍ତମ ଗୁଣବତ୍ତାରେ ଈର୍ଷାନ୍ବିତ ହୋଇ ହର୍ଲିକ୍ସ କମ୍ପାନୀ କୁଆଡେ ଉକ୍ତ ଏସ୍ ଏଚ୍ ଜି ବିରୋଧରେ ମାମଲା ଦାଏର କରିଥିବା କୁହାଯାଇଥିଲା । କିନ୍ତୁ ଏସ୍ ଏଚ୍ ଜି ମହିଳା ୟୁନିଟ୍ ଗୁଡିକର ଗତ ସରକାର ଅମଳରେ ମିଶନଶକ୍ତି ଆଳରେ ଉପରୋକ୍ତ ରାଜନୀତିକରଣ ପରେ ଏଗୁଡିକର ଆଭିମୁଖ୍ଯ ବଦଳି ଯାଇଛି ବୋଲି ଲୋକେ ଆଲୋଚନା କରୁଛନ୍ତି ।
ତେଣୁ ସରକାରଙ୍କ ପକ୍ଷରୁ ଉକ୍ତ ଛତୁଆୟୁନିଟ୍ ର ଏସ୍ ଏଚ୍ ଜି ଗୁଡିକର ଏଭଳି ହଠାତ୍ ଧନୀ ପାଲଟି ଯାଇଥିବା କର୍ମକର୍ତ୍ତୀମାନଙ୍କ ବିରୋଧରେ ଏକ ଭିଜିଲାନ୍ସ ତଦନ୍ତ ଆରମ୍ଭ କରାଯିବା ସହିତ ଏହି ଶିଶୁଖାଦ୍ୟ ଛତୁଆ ପ୍ରସ୍ତୁତିକୁ ବନ୍ଦ କରାଯାଇ ଶିଶୁହିତାଧିକାରୀଙ୍କ ମାଆମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଏ ବାବଦର ଟଙ୍କା ବରଂ ପକାଯାଉ ବୋଲି ଲୋକେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏପରି କରାଗଲେ , ଏଭଳି ବାଟମାରଣାକୁ ରୋକାଯାଇପାରିବ ଓ ସାଂସଦଙ୍କ ଏଥରୁ ଉତ୍କୋଚ ନେବା ଭଳି ଲଜ୍ଜାକର ଅଭିଯୋଗରୁ ସରକାରଙ୍କୁ ତ୍ରାହି ମିଳିବ ବୋଲି ମଧ୍ୟ ମତବ୍ଯକ୍ତ କରାଯାଇଛି ।