ଆଉଟ୍ ସୋର୍ସିଂରେ ରହିଯାଇଥିଲେ ସରକାର
ଭୁବନେଶ୍ବର : ଚଳିତ ବିଧାନସଭାରେ ମୁଖ୍ୟମନ୍ତ୍ରୀ ପୂର୍ବର ନବୀନ ସରକାରଙ୍କୁ ତୀବ୍ର ସମାଲୋଚନା କରି ନିଯୁକ୍ତି ଆଳରେ ଆଉଟ୍ ସୋର୍ସିଂ ଜରିଆରେ ନିଯୁକ୍ତି ଦେଇ ଓ ଲକ୍ଷ ଲକ୍ଷ ଟଙ୍କାରେ ଚାକିରୀ ବିକ୍ରି କରାଯାଇଥିବା ସହିତ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଥିବାର ଅଭିଯୋଗ ଆଗତ କରିଥିଲେ ।
ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ , ‘ ପୂର୍ବସରକାରଙ୍କ ନିଯୁକ୍ତିରେ ସ୍ବଚ୍ଛତା ନଥିଲା , ଦୁର୍ନୀତି ଭରି ରହିଥିଲା । ଦାୟିତ୍ୱରେ ରହୁଥିବା ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ରାକେଟ୍ ରେ ସମ୍ପୃକ୍ତ ରହୁଥିଲେ , ଯାହାର ଉଦାହରଣ ୨୦୨୩ ର JE ପରୀକ୍ଷା । ସଚିବାଳୟରେ ASO ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି । ୨୫ ରୁ ୩୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା ASO ଚାକିରୀ। ସରକାରଙ୍କ ନାକତଳେ ହେଉଥିଲେ ସୁଦ୍ଧା କାହିଁକି ଚୁପ୍ ରହୁଥିଲେ ? ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ପୂର୍ବ ସରକାର ଆଉଟ୍ ସୋର୍ସିଂରେ ରହିଛିଯାଇଥିଲେ ।
ସ୍ବଚ୍ଛତା ଓ ସାଧୁତା ଆମ ସରକାରର ଦାୟିତ୍ୱ , ପ୍ରତିଶ୍ରୁତି ପାଳନ କରିବୁ । ଆଗକୁ ଦେଢଲକ୍ଷ ନିଯୁକ୍ତି ହେବ। ଖାଲିଥିବା ସମସ୍ତ ପଦବୀ ପୂରଣ ହେବ ।
ତେବେ ତାଙ୍କ ସରକାର ଦାୟିତ୍ୱ ଓ ପ୍ରତିଶ୍ରୁତି ପାଳନ କରିବା ବା ଦେଢଲକ୍ଷ ନିଯୁକ୍ତି ଦେବା ସହ ସମସ୍ତ ଖାଲିଥିବା ପଦବୀ ପୂରଣ କରିବା କଥା ପଛକୁ ଥାଉ । ତାହା ସମୟ କହିବ ।
ତେବେ ଉପରୋକ୍ତ ଅଭିଯୋଗର ପ୍ରତିବାଦରେ ବିଧାନସଭାରେ ବିରୋଧୀଦଳ ବିଜେଡି ପକ୍ଷରୁ ପ୍ରତିବାଦ ପ୍ରକାଶ ପାଇଛି । ବିଜେଡି ନେତାମାନେ ଏହି ଚାକିରୀ ବିକ୍ରି ଅଭିଯୋଗର ପ୍ରମାଣ ଦାବି କରିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ କିଛି ଭୁଲ୍ କହିନାହାଁନ୍ତି ବୋଲି ଲୋକେ ଆଲୋଚନା କରୁଛନ୍ତି । ଏହା କ’ଣ ମିଛ ଯେ ସଚିବାଳୟରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସୁରକ୍ଷାକର୍ମୀ ଠାରୁ ଆର ଆଇ , ଅମୀନ , ଫରେଷ୍ଟଗାର୍ଡ , ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ ଚାକିରୀଗୁଡିକୁ ଆଉଟ୍ ସୋର୍ସିଂ ଠିକାଦାରଙ୍କୁ ଟେଣ୍ଡର ଦେଇ ସରକାର ନିଜ ଦାୟିତ୍ୱରୁ ମୁଣ୍ଡ ଖସାଇ ନେଇଆସିଛନ୍ତି ? ଉତ୍କଟ ବେକାରୀ ସମସ୍ୟାରେ ହତାଶ ଯୁବଗୋଷ୍ଠୀକୁ ଏପରି ବିକଳ୍ପନିଯୁକ୍ତି ବିନା ଭବିଷ୍ୟତ , ବିନା ନିୟମିତ ଗ୍ୟାରେଣ୍ଟିରେ ଓ ମନଇଚ୍ଛା ବହିଷ୍କାର କରିବା ଗତ ସରକାରଙ୍କ ଚରମ ଦାୟିତ୍ୱହୀନତା ନୁହେଁ କି ? ଟେଣ୍ଡର ନେଇଥିବା କମ୍ପାନୀର ଗୋଟିଏ ସିକ୍ୟୁରିଟି ଗାର୍ଡ ଚାକିରୀ ପାଇଁ ୨ ରୁ ୩ ଲକ୍ଷ ଟଙ୍କା ଉତ୍କୋଚ ନେବା ଓ ହଠାତ୍ ଡିସ୍ ଏନ୍ ଗେଜ୍ କରିଦେଇ ଆଉ ଦଫାଏ ଅନ୍ୟମାନଙ୍କୁ ନିୟୋଜିତ କରିବାର ଦାବି ଆନ୍ଦୋଳନ ଓ ମାମଲା ଘଟିଚାଲିନି କି ?
ଗଣମାଧ୍ୟମରେ ପ୍ରକାଶିତ ପ୍ରାୟତଃ ବିଭିନ୍ନ ପରୀକ୍ଷାକେନ୍ଦ୍ରରେ ଘୋଟାଲା ଓ ବିକ୍ଷୋଭ ପ୍ରଦର୍ଶନ ସହ ଅଧିକାରୀଙ୍କ ସମ୍ପୃକ୍ତି ନିରାଧାର ଥିଲା କି ? ଏସବୁ ନିମନ୍ତେ କିଏ ଦାୟୀ ? ସରକାରଙ୍କର ଉତ୍ତରଦାୟିତ୍ଵ ନଥିଲା କି ? – ଏହା ଲୋକେ ପ୍ରଶ୍ନ କରିଛନ୍ତି ।