ଦୁର୍ନୀତି

ଛତୁଆ ଖାଇ ଶିଶୁମୃତ୍ୟୁ ପରେ ବି ଚେତିଲେନି ସରକାର

Email :

୨ ଶିଶୁ ମୃତ : ୨ ଗୁରୁତର ମାମଲାକୁ ଚାପିଦେଲେ !

ବ୍ରହ୍ମପୁର : ଶିଶୁବିକାଶ ଯୋଜନାରେ ଅଙ୍ଗନବାଡି କେନ୍ଦ୍ରକୁ ଗତ ସରକାରଙ୍କ ଅମଳରୁ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ସରକାର ଯୋଗାଉଥିବା ପୁଷ୍ଟିକର ଶିଶୁଖାଦ୍ୟ ପ୍ରସ୍ତୁତି ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହିତ ପ୍ରକୃତରେ ଶିଶୁଙ୍କ ଅପପୁଷ୍ଟି ରୋକିବା ଦିଗରେ ସହାୟକ ହେଉ ବା ନହେଉ , ବିଭାଗରୁ ପ୍ରଶାସନ ଓ ରାଜନେତାଙ୍କ ପାଇଁ ଦୁହାଁଳିଆ ଗାଈ ପାଲଟିଛି ! ସାରାରାଜ୍ଯରେ ଦୁର୍ନୀତି , ବଟି , ରାଜତଣ୍ଡ ଓ ନାନାଦି ଗୁରୁତର ଅବ୍ୟବସ୍ଥାର ଅଭିଯୋଗ ସତ୍ତ୍ବେ ଖୋଦ୍ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ! କୁହାଯାଉଛି , ତଳୁଉପରସ୍ତର ଅଙ୍ଗନବାଡି ସୁପରଭାଇଜର, ସିଡିପିଓ, ଡିଏସ୍ ଡବ୍ଲୁଓ , ଜିଲ୍ଲାପାଳଙ୍କ ଠୁଁ ମନ୍ତ୍ରୀ ଓ ଏବେ ବିଧାୟକ/ ସାଂସଦଙ୍କ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଛତୁଆର ମାନପରୀକ୍ଷଣ ଏକ ପ୍ରହସନରେ ପରିଣତ ହୋଇଛି ।

ପ୍ରକାଶ ଯେ , ଗତ ମାର୍ଚ୍ଚ ୨୪ ତାରିଖରେ ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ତୁଳସୀନଗର ଗାଁ’ର ବଡମୁଣ୍ଡି ପରିବାରର ୨ ଜଣ ଶିଶୁ ଗୁଣବତୀ ବଡମୁଣ୍ଡି (୩) ଓ ତୁଳସୀ ବଡମୁଣ୍ଡ ( ୬)ଙ୍କର ତାଙ୍କ ଗାଁ’ର ଅଙ୍ଗନବାଡିରୁ ଆଣିଥିବା ଛତୁଆ ଖାଇ ମୃତ୍ୟୁ ହେବା ସହ ସେମାନଙ୍କ କାକା ଅର୍ଜୁନ ବଡମୁଣ୍ଡି ( ୪୬) ଓ ତାଙ୍କ ଝିଅ ସୁମିତ୍ରା ବଡମୁଣ୍ଡି ( ୧୨) ମଧ୍ଯ ଏହାକୁ ଖାଇବା ପରେ ଗୁରୁତର ଅସୁସ୍ଥ ହୋଇପଡି ରାମଗିରି ଡାକ୍ତରଖାନା , ପରେ ପାରଳାଖେମୁଣ୍ଡି ଜିଲ୍ଲା ହାସପାତାଳ ଓ ସେଠାରୁ ବ୍ରହ୍ମପୁରର ଏମ୍ କେସିଜି ମେଡିକାଲ କଲେଜ ହାସପାତାଳର ଆଇ ସିୟୁ ରେ ଭର୍ତ୍ତି ହୋଇଥିଲେ । ଡା ରଞ୍ଜନ ଖଟୁଆଳ ଏହାର ଚିକିତ୍ସା କରି ଗରମପାଣିରେ ଗୋଳାଇ ଏହି ଅଙ୍ଗନବାଡିର ଛତୁଆକୁ ଖାଇବା ପରେ ଏପରି ଘଟିଥିବା ପ୍ରକାଶ କରିବା ସହ ଚିକିତ୍ସା କରିଥିଲେ । ଏହା ଗଣମାଧ୍ୟମରେ ପ୍ରକାଶ ପାଇ ଚହଳ ସୃଷ୍ଟି ହୋଇଥିବା ସହ ନମୁନା ପରୀକ୍ଷଣ ନିମନ୍ତେ ଭୁବନେଶ୍ଵର ପଠାଯାଇଥିବା ପ୍ରକାଶ ପାଇଥିଲା ।

ନିମ୍ନମାନର ଛତୁଆ ପାଇଁ କିଏ ଦାୟୀ ?

ତେବେ ଏଠି ପ୍ରଶ୍ନ ଉଠେ ଯେ , ଏହି ଅପମିଶ୍ରିତ ବା ବିଷାକ୍ତ, ଏକ୍ସପାୟାରି ଡେଟ୍ ର ବା ନିମ୍ନମାନର ଅଥବା ଦୂଷିତ ଶିଶୁଖାଦ୍ୟର ଚରମ ଅବହେଳା ନିମନ୍ତେ କିଏ ଦାୟୀ ?

ବାରମ୍ବାର ଗଣମାଧ୍ୟମର ପ୍ରକାଶିତ ଅଭିଯୋଗ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଛତୁଆ ଦୁର୍ନୀତିକୁ ନେଇ ସୁପରଭାଇଜର/ ସିଡିପିଓଙ୍କୁ ଛତୁଆ ଏସଏଚଜି କର୍ମକର୍ତ୍ତୀ ବା ସେମାନଙ୍କ ପଛରେ ଥିବା କୁଜିନେତା ବା ବେପାରୀଙ୍କ ଚକ୍ରାନ୍ତରେ ଭିଜିଲାନ୍ସ ଧରାଇଦେବା ଇତ୍ୟାଦି ଉଠୁଥିବା କେଳେଙ୍କାରୀ ସରକାରଙ୍କ ଦୃଷ୍ଟିକୁ ଆସୁନାହିଁ । ସେହିପରି ସରକାରୀ ଦଳର ରାଜନେତା ବା ମନ୍ତ୍ରୀ / ବିଧାୟକ/ ସାଂସଦଙ୍କ ଖୋଲାଖୋଲି ତଣ୍ଡ ଆଦାୟର ଖବରକୁ ସରକାର ହଜମ କରି ଦିଅନ୍ତି । ମାନପରୀକ୍ଷଣ , ଯାଞ୍ଚ ଓ ପୂର୍ବ ସରକାରଙ୍କ ଅମଳର ପ୍ରତିଶୋଧ ଆଳରେ କାଟିଦେବା / ନୂଆ ଗୋଷ୍ଠୀକୁ ଅନୁମତି ଦେବା କିମ୍ବା ଏବର ତିନିମାସିଆ ନିୟମର ପ୍ରବର୍ତ୍ତନ ଇତ୍ୟାଦି ଆଳରେ ମୋଟାଅଙ୍କର ଲକ୍ଷ ଲକ୍ଷ ଟଙ୍କାର କମିଶନୀ ନେବା ପରେ ଏହି ଶିଶୁଖାଦ୍ୟର ଗୁଣାତ୍ମକ ମାନ କେତେ ଓ କିପରି ରହନ୍ତା ? ଏଣୁ ଶୁଣାଯାଉଥିବା ଗୁଜବ ଅନୁସାରେ ଏହା ବନ୍ଦ କରାଯାଇ ବରଂ ପୂର୍ବର ଓରିମିକ୍ସ ପରି ରୁଚି କମ୍ପାନୀକୁ ଦେଇଦେବା ଅଧିକ ନିରାପଦ ଓ ଝିନ୍ ଝଟ୍ ମୁକ୍ତ ବୋଲି ବିଭାଗୀୟ ଅଧିକାରିଣୀମାନେ ମଧ୍ଯ ମତପ୍ରକାଶ କରୁଛନ୍ତି । ଆଜି ଖବରକାଗଜରେ ପ୍ରକାଶିତ ଏକ ତଥ୍ଯ ଅନୁଯାୟୀ , ସମ୍ବଲପୁର ଜିଲ୍ଲାରେ ୧୮୧୦ ଶିଶୁ କୁପୋଷଣର ଶିକାର !

ପ୍ରକୃତରେ ମାଗଣା ସ୍ଥଳବିଶେଷରେ ପୋକରାଗହମ , ନିମ୍ନମାନର ଶସ୍ତା ବାଦାମ ଓ ବୁଟ , ଠିକ୍ ସମୟରେ ଷ୍ଟକ୍ ମିଳୁ ନଥିବାର ଅନିୟମିତତା ସହ ବିଶେଷ କରି ଏଇ ବର୍ଷାଋତୁରେ ଅପରିଚ୍ଛନ୍ନ ଜାଗାରେ ପ୍ରସ୍ତୁତ ଏହି ତଥାକଥିତ ପୁଷ୍ଟିକର ଶିଶୁଖାଦ୍ୟର ଉପଯୋଗ ଅଧିକାଂଶତଃ ଗୋଖାଦ୍ୟ ରୂପେ ହେଉଥିବାର ଅଭିଯୋଗ ମିଥ୍ୟା ନୁହେଁ । ବସ୍ତୁତଃ ଏହା ଏକ ମୁନାଫା ଓ ଅମଲା ଅଫିସର ଟାଉଟର ସାମ୍ବାଦିକ ବେପାରୀ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ବିଭାଗ ଓ ସରକାରଙ୍କ ପାଇଁ ଦୁହାଁଳିଆ ଗାଈ ପାଲଟିଥିବା ଏବଂ ପୂର୍ବ ସରକାର ଅମଳର ମହିଳାଙ୍କୁ ଦଳୀୟ କାମରେ ନିୟୋଜିତ ଲକ୍ଷ୍ୟରେ ପ୍ରଚଳିତ ଏ ଧନ୍ଦା ଏସ ଏଚ ଜି କର୍ମକର୍ତ୍ତୀଙ୍କୁ କୋଟିପତି କରୁଥିବା ଅପେକ୍ଷା ବନ୍ଦ କରିଦେବା ଉଚିତ ବୋଲି ମତପ୍ରକାଶ ପାଉଛି । ବିଡମ୍ବନାର ବିଷୟ ଯେ , ଏହି ଛତୁଆ ଏସଏଚଜି ମାନେ ସଂଘ ଗଢି ମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ଦାବିପତ୍ର ମଧ୍ଯ ଦେଇଛନ୍ତି ‘ ତିନିମାସିଆ ଅନୁମତି ‘ବଦଳାଇବାକୁ !

Leave a Reply

Your email address will not be published. Required fields are marked *

Related Post