ଏଫ୍ ଆଇ ଆର୍ ନ ନେଇ ଓ କେସ୍ ଋଜୁ ନ କରି ଗିରଫ ନ କରିବାର ପୁରସ୍କାର ବଦଳି !
କଣ୍ଟାବାଞ୍ଜି : ଏଇ ଅଳ୍ପଦିନ ତଳର କଣ୍ଟାବାଞ୍ଜିରେ ରାତିରେ ଏକ ଝାଲ୍ ମୁଢି ଠେଲାରେ ମଦପିଇ ମାତାଲ୍ ଥାନାଧିକାରିଣୀଙ୍କ ସ୍ବାମୀଙ୍କର ସେଠାରେ ପତ୍ନୀଙ୍କ ସହ ଭୁଜା ଖାଉଥିବା ଜଣେ ସ୍ଥାନୀୟ ମାରୁଆଡି ଯୁବବ୍ୟବସାୟୀଙ୍କୁ ସାମାନ୍ଯ ବଚସାରେ ମୁଥମାରି ମାଡମାରିବା ଓ ଥାନାରୁ ପୁଲିସ ଓ ପୁଲିସ ଗାଡି ଡକାଇ ପୀଡିତଙ୍କୁ ଥାନାକୁ ଘୋଷାଡିନେବାରୁ ସ୍ଥାନୀୟଲୋକଙ୍କ ଦ୍ବାରା ଥାନାଘେରାଉ ପରି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିବା ଜଣେ ପୁଲିସ୍ ବିଭାଗରେ କାର୍ଯ୍ଯରତ ଅଭିଯୁକ୍ତଙ୍କ ବିରୁଦ୍ଧରେ ହୋଇଥିବା ଏତଲା ଗ୍ରହଣ ନ କରିବା ସହ ଏତଲାକାରୀଙ୍କ ଉପରେ ଏତଲା ଫେରେଇନେବାକୁ ଏସଡିପିଓ ଓ ଥାନାଧିକାରିଣୀ ଚାପ ପକାଇ ଏତଲା ଫେରାଇନେବାକୁ ଏକପ୍ରକାର ବାଧ୍ଯ କରିବା , ଅଭିଯୁକ୍ତ ସର୍ବ ସମ୍ମୁଖରେ ଦୋଷ ସ୍ବୀକାର କରି କ୍ଷମାମାଗିବା ଘଟଣା ପରେ ତାଙ୍କୁ ଗିରଫ ନ କରିବା ଇତ୍ୟାଦି ଚରମ ଦାୟିତ୍ବହୀନତା ଏବଂ କର୍ତ୍ତବ୍ଯପାଳନରେ ଖିଲାପ ସତ୍ତ୍ବେ ତାଙ୍କୁ ମାତ୍ର ଗୋଳାବାରୁଦ କାରଖାନା ରହିଥିବା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପାଖ ସଇଁତଳା ଥାନାକୁ ଭାରପ୍ରାପ୍ତ ଥାନାଧିକାରୀ ଭାବରେ ବଦଳି କରିଦେବା କିପରି କାର୍ଯ୍ଯାନୁଷ୍ଠାନ ବୋଲି ଜନସାଧାରଣ ସରକାରଙ୍କୁ ପ୍ରଶ୍ନ ପଚାରିଛନ୍ତି ? ଏହି ପୂର୍ବତନ ଥାନାଧିକାରିଣୀ ରଶ୍ମିତା ବେହେରାଙ୍କୁ ତୁରନ୍ତ ନିଲମ୍ବନ, ଏସଡିପିଓଙ୍କୁ ସ୍ଥାନାନ୍ତର , ଜିଲ୍ଲା ହେଡକ୍ବାର୍ଟରରୁ ରାତିରେ କ୍ଷମାମଗାଇବାକୁ ନିର୍ଦ୍ଦେଶ ଦେଇଥିବା ଉପରିସ୍ଥ ବରିଷ୍ଠ ଅଧିକାରୀଙ୍କ ଠାରୁ କୈଫିୟିତ୍ ତଲବ ଓ ଅଭିଯୁକ୍ତ ରଶ୍ମିତାଙ୍କ ସ୍ବାମୀ ଅରବିନ୍ଦ ମହାପାତ୍ରକୁ ତୁରନ୍ତ ଗିରଫ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ମୁଖ୍ଯମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

ଉଲ୍ଲେଖଯୋଗ୍ଯ ଯେ , ରାଜ୍ଯରେ ସ୍ବଚ୍ଛ ଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ଲୋକମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହବିଭାଗ ରହିଛି ଓ ଏ ତଥାକଥିତ ଡବଲଇଞ୍ଜିନ୍ ସରକାର ଆସୁ ଆସୁ ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ପରି ମହାମହିମ ପୂର୍ବତନ ରାଜ୍ୟପାଳଙ୍କ ପୁତ୍ରମଣୀ ତାଙ୍କରି ସୁରକ୍ଷାକର୍ମୀଙ୍କୁ ମାଡ ମାରି ମୁହଁ ଫଟାଇ ରକ୍ତାକ୍ତ କରିଦେଇଥିବା ଘଟଣାରେ ମଧ୍ଯ ଅଭିଯୁକ୍ତକୁ କ୍ଷମାମଗାଇ ମାମଲାର ଦଫାରଫା କରିଦିଆଯାଇଥିଲା ।
ପୁଣି ଏବେ ଦୀର୍ଘ ୨୪ ବର୍ଷର ବିଜେଡିଶାସନର ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଜାଏଣ୍ଟ କିଲର୍ ଭାଜପାର ବିଧାୟକ ଭାବେ ଜିତିଥିବା ଲକ୍ଷ୍ମଣ ବାଗଙ୍କ କଣ୍ଟାବାଞ୍ଜିରେ ସେଭଳି ପୁଲିସ ଅରାଜକତାର ପୁନରାବୃତ୍ତି ହେଇଥିବା ରାଜ୍ୟବାସୀଙ୍କୁ ସରକାରଙ୍କ ସମ୍ପର୍କରେ କି ଧାରଣା ସୃଷ୍ଟି ହେଲା ବୋଲି ଲୋକେ କଟାକ୍ଷ କରିଛନ୍ତି ?
ଉଲ୍ଲେଖଯୋଗ୍ଯ ଯେ , ଜିଲ୍ଲାର ପ୍ରମୁଖ ବାଣିଜ୍ଯ କେନ୍ଦ୍ର ଭାବରେ ଜଣାଶୁଣା ଦାଦନପ୍ରବଣ , ମାଓ ଅଧ୍ୟୁଷିତ, ଅଣଓଡିଆ ବ୍ୟବସାୟୀଙ୍କ ଅଧାଅଧିଦଖଲରେ ରହିଥିବା କଣ୍ଟାବାଞ୍ଜିରେ ହିଁ ଏଭଳି ବିଡମ୍ବନା ସୃଷ୍ଟି ହୋଇଆସୁଛି । ନକଲି ଔଷଧ , ଜାଲ୍ କୋର୍ଟ ପେପର୍ , ସାଇବର ଆଇପିଏଲ୍ ଜୁଆଠାରୁ ଦାଦନଗଡ ପାଲଟିଥିବା ଏଠାରେ ଆନ୍ଧ୍ର ଦାଦନସେଠ୍ ଙ୍କ ଠାରୁ ଜଣେ ପୂର୍ବତନ ଏସ୍ ଡି ପିଓ ପ୍ରାୟ କୋଟିଏ ଟଙ୍କାର ହଡପ କରି ମାମଲା ବଦଳାଇ ଦେଇ ନିଲମ୍ବିତ ହେବା ଓ ଜେଲ୍ ଭିତରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟଆସାମୀ ଗୋବିନ୍ଦ ସାହୁର ସନ୍ଦେହ ଜନକ ମୃତ୍ୟୁ ବନାମ ହତ୍ୟା ଅଭିଯୋଗ ପରି ପୁଲିସ୍ ଇତିହାସର କଳଙ୍କିତ ଉଦାହରଣ ଘଟିଆସିଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।