ଜିନିୟସ୍ ଇଂରାଜୀମିଡିୟମ୍ ସ୍କୁଲ୍ ରେ ସାଂଘାତିକ୍ ଅବ୍ୟବସ୍ଥା !
ବଲାଙ୍ଗୀର : ବଲାଙ୍ଗୀର ସହରର ଗାନ୍ଧୀନଗର ପଡା ବାଗଗଳିରେ ରହିଛି ‘ ଜିନିୟସ୍ ଇଂରାଜୀ ମିଡିୟମ୍ ଆବାସିକ ସ୍କୁଲ୍ । ଏହି ଘରୋଇ ସ୍କୁଲ୍ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ , ୨୦୧୮ ରୁ ଖୋଲିଥିବା ମାତ୍ର ୧୩ ଜଣ ପିଲାରୁ ଆରମ୍ଭ ହୋଇଥିବା ଏହି ସ୍କୁଲ୍ ରେ ଏବେ ବଲାଙ୍ଗୀର ସମେତ ଆଖପାଖ ବିଭିନ୍ନ ଜିଲ୍ଲା ବରଗଡ , ବିଜେପୁର , ଟେପରେନ ,ବୁଢିସିଣ୍ଢୋଲ୍ , ବୌଦ୍ଧ ଆଦି ଅଞ୍ଚଳର ଶତାଧିକ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ରେ ରଖି ନର୍ସରୀ ବା ଏଲ କେଜିରୁ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଯାଉଛି । ଏବେ ଏହି ସ୍କୁଲର ଡେ ସ୍କଲାର , ବୋର୍ଡର ଓ ମୋଟ ଛାତ୍ରଛାତ୍ରୀଙ୍କ ସଂଖ୍ଯା ୨୫୦ ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରକାଶ ।
ଏକ ଶିକ୍ଷକଦମ୍ପତ୍ତିଙ୍କ ନିଜଘରେ ଓ ପାଖର ଆଉ ଏକ ଘରଭଡ଼ା ନିଆଯାଇ ହଷ୍ଟେଲ୍ କରାଯାଇଥିଲେ ହେଁ , ବସ୍ତୁତଃ ଏହା ଏକ ସ୍କୁଲ୍ ବା ହଷ୍ଟେଲ ପରି ସେପରି ସୁବ୍ୟବସ୍ଥା ନଥିବା ଦେଖାଯାଇଛି । ବରଗଡ ଜିଲ୍ଲାର ପଦ୍ମପୁର ଅଞ୍ଚଳର ଅଶ୍ପିନୀ ସାହୁ ଓ ତାଙ୍କ ପତ୍ନୀ ଜେମାମଣି ସାହୁ ଏହି ସ୍କୁଲର ମାଲିକ ପରିଚାଳକ ଅଟନ୍ତି । ସେମାନେ ରହୁଥିବା ଏହି ଗଳିର ଏକ ଅଣଓସାରିଆ ଓ ଛୋଟ ଛୋଟ କୋଠରୀବିଶିଷ୍ଟ ସ୍କୁଲ୍ ବ ଶ୍ରେଣୀ ଅନୁପଯୋଗୀ ତିନିମହଲା କୋଠାଘରେ ଏହି ସ୍କୁଲ ଚାଲିଛି । ୧ମ ମହଲାରେ ସେମାନେ ରହୁଥିବା ବେଳେ ୨ୟ ମହଲାରେ କ୍ଲାସ୍ ରୁମ୍ ଓ ୩ୟ ମହଲାରେ ଡାଇନିଂ କରାଯାଇଛି । ୨ଟି ବାଥ୍ ରୁମ୍ ଓ ଲାଟ୍ରିନ୍ ରହିଛି । ଉକ୍ତ ଶିକ୍ଷକଙ୍କୁ ଗୋଟିଏ ଦ୍ବାର ନଥିବା ବାଥ୍ ରୁମ୍ ରେ ରହିବାକୁ ଦିଆଯାଇଥିଲା । ଏହି ସ୍କୁଲ ବିରୁଦ୍ଧରେ ବହୁ ଅଭିଯୋଗ ଶୁଣାଯାଇ ଆସୁଛି ।
ତେବେ ଗତମାସ ୨୨ ତାରିଖରେ ଏହି ସ୍କୁଲରେ ଚାକିରୀ କରୁଥିବା ଲୋଇସିଂହା ଥାନା ଆଗଲପୁର ବ୍ଲକ୍ ବକଟୀ ଗ୍ରାମର ଜଣେ ଗଣିତ ଶିକ୍ଷକ ସୁଚିତ କୁମାର ଭୋଇ ହଠାତ୍ ଚାକିରୀ ଛାଡି ଚାଲିଯାଇଥିଲେ । ସେ ସେଠାରେ ଆଉ ଚାକିରୀ କରିବେନାହିଁ ବୋଲି ଜଣାଇଦେବା ପରେ ‘ ହଁ , ନ ଆସ ‘ ବୋଲି କହି ସ୍କୁଲ୍ କର୍ତ୍ତୃପକ୍ଷ ତାଙ୍କର ଶିକ୍ଷାଗତ ପ୍ରମାଣପତ୍ର ଓ ଆଧାର କାର୍ଡ ଇତ୍ୟାଦି ନ ଦେବା ସହ ମାସକର ବେତନ ଦେବାକୁ ମନା କରିଦେଲେ । ଶେଷରେ ଏହି ଶିକ୍ଷକ ବନାମ ଶିକ୍ଷିତବେକାର ଯୁବକ ଜଣକ ସହରର କେତେକ ସାମ୍ବାଦିକଙ୍କ ଶରଣାପନ୍ନ ହେବାରୁ ଦୁଇଜଣ ବରିଷ୍ଠ ସାମ୍ବାଦିକ ଗତ ୨ ତାରିଖରେ ସ୍କୁଲକୁ ଯାଇ ପଚରାଉଚୁରା କରିବାରୁ ସେମାନଙ୍କ ଉଦ୍ୟମରେ ଉକ୍ତ ଶିକ୍ଷକଙ୍କୁ ଡକାଇ ତାଙ୍କର ବକେୟା ପାଉଣାରୁ ୫ ହଜାର ଟଙ୍କା ଦିଆଇଥିଲେ । ତେବେ ଆଉ ୨ ହଜାର ଟଙ୍କା ଚୁକ୍ତି ଅନୁଯାୟୀ ମାସକ ଆଗରୁ ଚାକିରୀ ଛାଡିବାକୁ ଦରଖାସ୍ତ ନ ଦେଇ ଚୁକ୍ତିଖିଲାପ କରିଥିବା ଦର୍ଶାଇ କାଟି ରଖିଥିଲେ ଓ ଏଗ୍ରିମେଣ୍ଟ୍ ବିଷୟରେ କହିବାରୁ ଶ୍ରୀ ସାହୁ କରାଯାଇଥିବା ଚୁକ୍ତିପତ୍ରକୁ ଚିରି ଦେଇଥିଲେ ।
ଶିଶୁକୁ ନିର୍ମମମାଡ ଦେଖି ଚାକିରୀ ଛାଡିଲେ ଶିକ୍ଷକ
ତେବେ ଉକ୍ତ ଶିକ୍ଷକଙ୍କର ଏପରି ହଠାତ୍ ମାତ୍ର ପ୍ରାୟ ମାସକ ପରେ ଚାକିରୀ ଛାଡିଦେବାର କାରଣ ଖୁବ୍ ଗୁରୁତର ।

ଉକ୍ତ ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ , ଉକ୍ତ ଦିନ ଅର୍ଥାତ୍ ଗତ ଜୁଲାଇ ୨୨ ତାରିଖର ପୂର୍ବାହ୍ଣ ପ୍ରାୟ ୧୦ .୪୫ ରେ ସେ ୪ର୍ଥ ପିରିୟଡ୍ ପକାଉଥିଲା ବେଳେ ସ୍କୁଲର ଚେୟାରମ୍ୟାନ ଶ୍ରୀ ସାହୁ ଜଣେ ୟୁ କେଜିର ୪/୫ ବର୍ଷ ବୟସର ଛାତ୍ର . ଅନିକେଶ ମଟାରୀକୁ ସେ ଲେଖିବାକୁ ତାର ଖାତା ବାହାର କରିବାକୁ ସାମାନ୍ଯ ବିଳମ୍ବ କରିଦେବାରୁ ଶ୍ରେଣୀକୁ ପଶିଯାଇ ତା’ ପିଠିରେ ଏପରି ପ୍ରଚଣ୍ଡ ବିଧା ମାରିଲେ ଯେ , ପିଲାଟି କଠଲେଇ ଗଲା । ଏପରି ଅମାନବୀୟ ଆଚରଣ ଦେଖି ସେଠାରେ ପଢାଉଥିବା ଶିକ୍ଷକ ଜଣକ ତଟସ୍ଥ ହେଇଯାଇ ଡରିଗଲେ । ଆପାତତଃ ଏହା ହିଁ ତାଙ୍କର ଉକ୍ତ ସ୍କୁଲରେ ଚାକିରୀ ଛାଡିଦେବାର କାରଣ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଘଟଣାର ଆଉଜଣେ ଶିକ୍ଷୟିତ୍ରୀ ‘ନିତୁ’ମାମ୍ ପ୍ରତ୍ୟେକ୍ଷ ଦର୍ଶୀ ଅଟନ୍ତି ଓ ଉକ୍ତ ସମୟର ସିସିଟିଭି ଫୁଟେଜରେ ( ଯଦି ଉଡାଇ ଦିଆଯାଇ ନ ଥାଏ ! ) ରହିଥିବ ବୋଲି ସେ ଦାବି କରନ୍ତି ।
ଏହାସହିତ ଉକ୍ତ ସ୍କୁଲର ମାଲିକ ଶ୍ରୀ ସାହୁ ଛୋଟ ଛୋଟ କୋମଳମତି ପିଲାଙ୍କୁ ବରାବର ନିସ୍ତୁକମାଡ ମାରୁଥିବା ଉକ୍ତ ଶିକ୍ଷକ ଅଭିଯୋଗ ପ୍ରକାଶ କରିଛନ୍ତି ।
‘ଉକ୍ତ ଶିକ୍ଷକ ଜଣକ କାହିଁକି ହଠାତ୍ ଚାକିରୀ ଛାଡିଦେଲେ ? ‘ର ଉତ୍ତରରେ ଶ୍ରୀ ସାହୁ ‘ ସେ ଭଲ । କିନ୍ତୁ ତାଙ୍କର ଟିକେ ମୁଣ୍ଡଦୋଷ ଅଛି ‘ ବୋଲି କହିଥିବା ବେଳେ , ‘ ସେ ପିଲାଙ୍କୁ ଏପରି ମାଡ ମାରୁଥିବା ‘ ସମ୍ପର୍କରେ ପଚାରିବାରୁ ସେ ନିରୁତ୍ତର ରହି ଆସନ୍ତୁ ହଷ୍ଟେଲକୁ ନେଇ ବୁଲାଇ ଦେଖାଇ ଦେବି କହିବା ସହ କେତୋଟି ଛୋଟ ପିଲାଙ୍କୁ ଡକାଇ ନମୁନା ପ୍ରଦର୍ଶନ କରିଥିଲେ । ତେବେ ସେ ହଷ୍ଟେଲରେ ରଖିଥିବା ପିଲାଙ୍କୁ ଏପରିକି ସେମାନଙ୍କ ବାପମାଆ ବା ଅଭିଭାବକଙ୍କୁ ମଧ୍ଯ ଭେଟାଇ ଦେଉ ନଥିବା ଉକ୍ତ ଶିକ୍ଷକ ଅଭିଯୋଗ ପ୍ରକାଶ କରିଛନ୍ତି । କିନ୍ତୁ ଏହାର ଉତ୍ତରରେ ଶ୍ରୀ ଓ ଶ୍ରୀମତୀ ସାହୁ ସଫେଇ ଦେଇଥିଲେ ଯେ , ଛୁଆମାନେ ସେମାନଙ୍କୁ ଏତେ ଭଲପାଇ ଯାଇଛନ୍ତି ଯେ , ସେମାନଙ୍କ ମାଆବାପ ଆସିଲେ ବି ସେମାନଙ୍କ ପାଖକୁ ଯାଆନ୍ତି ନାହିଁ । ତେବେ ପ୍ରକୃତରେ ପିଲାଙ୍କୁ ଏତେ ଭୟଭୀତ କରିଦିଆଯାଇଛି ଯେ , ସେମାନେ ସେମାନଙ୍କ ବାପମାଆଙ୍କୁ ସ୍ଵଳ୍ପସମୟ ପାଇଁ ଦେଖିଲେ ବି ଭରସି କିଛି କହିପାରୁ ନଥିବା କୁହାଯାଇଛି । ଏହା ତଦନ୍ତସାପେକ୍ଷ !
ବାସଗୃହରେ ଶ୍ରେଣୀ ଓ ହଷ୍ଟେଲ୍ !
ଏହାସହିତ ପିଲାଙ୍କୁ ଛୋଟ ସଂକୀର୍ଣ୍ଣ କୋଠରୀରେ ନିହାତି ଅବ୍ୟବସ୍ଥା ଓ ଅପରିଷ୍କାର ଭାବେ ସେଠାରେ ରଖାଯାଉଥିବା , ଅଗ୍ନିଶମ ସଂସ୍ଥାର ପ୍ରମାଣପତ୍ର ନ ଥିବା , ନିମ୍ନମାନର ଖାଦ୍ୟପେୟ ଦିଆଯାଉଥିବା , ଉଚିତ୍ ଶିକ୍ଷା ଦିଆଯାଉ ନଥିବା ଓ ସାମାନ୍ଯ କଥାରେ ନିଜେ ମାଲିକ- ପରିଚାଳକ ଦୁଲଦାଲ ମାଡ ମାରୁଥିବା , ସହଜରେ କେହି ପିଲାଙ୍କୁ ନେବାକୁ ଚାହିଁଲେ , ଛାଡୁ ନଥିବା ଓ ନିଜ ନିୟମକାନୁନ୍ ଦେଖାଉଥିବା ଇତ୍ୟାଦି ତାଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ କରାଯାଇଛି । ପରିସ୍କାର ପରିଚ୍ଛନ୍ନତା ଅଭାବରୁ ପିଲାଙ୍କୁ ବରାବର କାଛୁକୁଣ୍ଡିଆ, ଫଙ୍ଗଲ୍ ଇନଫେକସନ୍ ହେଉଛି । ସ୍କୁଲର କୌଣସି ପରିଚାଳନା ପରିଷଦ ନାହିଁ ଓ କେବେ କେହି ସରକାରୀ ଅଧିକାରୀଙ୍କ ପାଦ ପଡେ ନାହିଁ । ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମାଲିକାନାରେ କେବଳ ଟଙ୍କା ରୋଜଗାରର ମାଧ୍ୟମ ସାଜିଥିବା ଏହି ତଥାକଥିତ ଆବାସିକ ଇଂରାଜୀ ମାଧ୍ୟମିକ ସ୍କୁଲଟି ବର୍ଷ ବର୍ଷ ଧରି ଏପରି ଚାଲିଥିବା ଜଣାଯାଇଛି । ତେବେ ସେ ଓ ହଷ୍ଟେଲ ପରିଚାଳିକା ତାଙ୍କ ପତ୍ନୀ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ସ୍କୁଲ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ଯେ , ଏହି ସ୍କୁଲରେ ୩ ପ୍ରକାରର ଫିଜ୍ ନିଆଯାଇଥାଏ । ଆଡମିସନ ପାଇଁ ୪, ୫୦୦ ଟଙ୍କା ଓ ହଷ୍ଟେଲ ସହ ଖାଇବା ରହିବା ଓ ଅନ୍ଯାନ୍ଯ ବ୍ୟବସ୍ଥା ପାଇଁ ବାର୍ଷିକ ୩୦ ରୁ ୬୦ / ୭୦ ହଜାର ଟଙ୍କା ନିଆଯାଉଛି । ଛାତ୍ରଛାତ୍ରୀଙ୍କୁ ସଂଗ୍ରହ କରିବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପିଲା ପିଛା ୪ ହଜାର ଟଙ୍କା କମିଶନ ଦିଆଯିବାର ବ୍ୟବସ୍ଥା ରହିଛି । ଆଗାମୀ ଦିନରେ ସ୍କୁଲ ପାଇଁ ଚନ୍ଦନଭାଟି ରୋଡରେ ୪ ଏକର ଜମି କିଣା ସରିଲାଣି ବୋଲି ସେମାନେ ପ୍ରକାଶ କରିଛନ୍ତି । ଶିକ୍ଷାଦାନ ସହିତ ପିଲାଙ୍କୁ ମନୋରଞ୍ଜନ, ଭ୍ରମଣ ଇତ୍ୟାଦିର ସୁବିଧା ଯୋଗାଇ ଦିଆଯାଉଥିବା ମଧ୍ଯ ଏହିସୂତ୍ରରୁ ପ୍ରକାଶ । ଏବେ ସ୍କୁଲରେ ୯ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀ , ୱାଡେନ୍ , ରାନ୍ଧୁଣିଆ ଓ ପରିଚାରିକାମାନେ ରହିଛନ୍ତି । ତେବେ ଇତିମଧ୍ୟରେ ଅଭିଭାବକମାନେ ସେଠାରୁ ପିଲାଙ୍କୁ ନେଇ ଯାଉଥିବା ଓ ଆହୁରି କେତେକ ଶିକ୍ଷକ ଚାକିରୀ ଛାଡିଥିବା ଜଣାଯାଇଛି ।
ପିଲାମାନଙ୍କୁ ଶ୍ରୀ ସାହୁ ତାଙ୍କ କାର୍ ବି ଧୁଆନ୍ତି
ପୁନଶ୍ଚ ଗତ ୪ ତାରିଖରେ ଆଉ ଦୁଇଜଣ ବରିଷ୍ଠ ସାମ୍ବାଦିକ ଉକ୍ତ ସ୍କୁଲକୁ ଯାଇ ଉକ୍ତ ଶିକ୍ଷକଙ୍କ ଅଭିଯୋଗ ଅନୁଯାୟୀ , ସ୍କୁଲ୍ ମାଲିକ ଶ୍ରୀ ସାହୁ ଗତ ୨୨ ତାରିଖରେ ଏକ ୟୁ କେଜି ଛାତ୍ରକୁ ପ୍ରଚଣ୍ଡ ମାଡ ମାରିଥିବା ବିଷୟରେ ପଚରାଉଚୁରା କରିବାରୁ ଶ୍ରୀ ସାହୁ ଉକ୍ତ ପିଲାକୁ ଡକାଇଦେଇ ପଚାରିବାରୁ ଉକ୍ତ ଛାତ୍ର ଓ ସେ ଏଭଳି ଅଭିଯୋଗକୁ ଅସ୍ୱୀକାର କରିଥିବା ପ୍ରକାଶ । ତେବେ ଗୋଟିଏ ଛୋଟପିଲା ସ୍କୁଲ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ କେତେଦୂର ସାହସର ସହ ସତ କହିବ , ଏହା ବିଚାର୍ଯ୍ୟ । ସେମାନେ ଉକ୍ତ ଶିକ୍ଷକ ଜଣକ ଜଣେ ପାଗଳ ଓ ମଦ୍ୟପ ବୋଲି ମଧ୍ଯ କହିଛନ୍ତି । କିନ୍ତୁ ଏ ସମ୍ପର୍କରେ କୌଣସି ଅଭିଯୋଗ ନାହିଁ ଓ ଉକ୍ତ ଶିକ୍ଷିତବେକାର ଯୁବକ ଜଣକ ଏହାପୂର୍ବରୁ ବଲାଙ୍ଗୀରରେ କାର୍ଯ୍ୟ କରୁଥିବା ଏକ ସର୍ବଭାରତୀୟ ବିତ୍ତୀୟ ସାକ୍ଷରତା କେନ୍ଦ୍ର ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ‘ ଧନ ଫାଉଣ୍ଡେସନ’ ର ‘ମନି ୱାଇଜ୍ ‘ ରେ ବଲାଙ୍ଗୀର ସଦର ବ୍ଲକ୍ ର କ୍ଷେତ୍ର ସହଯୋଗୀ ଭାବେ କାର୍ଯ୍ୟରତ ଥିଲେ । ଏବେ ମଧ୍ଯ ସେ ଅନ୍ୟ ଏକ ସଂସ୍ଥାର କର୍ମଚାରୀ ଭାବରେ କାର୍ଯ୍ଯ କରୁଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ୍ ଯେ , ଏଭଳି ଜଣେ ଶିକ୍ଷକଙ୍କୁ ସେ ସ୍କୁଲରେ ନିଯୁକ୍ତି ଦେଇଥିଲେ କିପରି ?
ଆଖପାଖର ପଡୋଶୀମାନେ ସେଠାରେ ସେପରି ଶିଶୁଙ୍କୁ ନିର୍ଯାତନା ଦିଆଯାଉଥିବା କହନ୍ତି ।
ଆଜି ଦେଖାଯାଇଛି ଯେ , ଆଗାମୀ ଅଗଷ୍ଟ ପନ୍ଦର ପାଇଁ ନିର୍ଧୁମ୍ ଖରାରେ ରାସ୍ତାଉପରେ ଛୋଟ ଛୋଟ ପିଲାମାନଙ୍କୁ ଡ୍ରିଲ୍ କରାଉଥିବା ଆଖପାଖର ଲୋକେ ନାପସନ୍ଦ କରି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ଏଣୁ ଏଭଳି ଏକ ତଥାକଥିତ ଆବାସିକ ସ୍କୁଲକୁ ଅନୁମତି ଦେଇଥିବା ସମ୍ପୃକ୍ତ ଶିକ୍ଷାବିଭାଗର ଅଧିକାରୀ , ଶିଶୁ ବିକାଶ ଅଧିକାରୀ , ଡିସିପିୟୁ , ଶିଶୁ ମଙ୍ଗଳ ସମିତି ,ପ୍ରଶାସନ ଓ ପୁଲିସ ଏଠାରେ ପ୍ରକାଶ ପାଉଥିବା ଦଣ୍ଡମୁକ୍ତ ଅଞ୍ଚଳ ଭାବେ ସରକାର ଘୋଷଣା କରିଥିବା ବିଦ୍ୟାଳୟରେ ଶିଶୁଶୋଷଣ ଅଭିଯୋଗ ବିରୁଦ୍ଧରେ ତୁରନ୍ତ ତଦନ୍ତ ପୂର୍ବକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।