ଓଡିଆ ସାହିତ୍ୟ ଏକାଡେମୀରେ ପୂର୍ବବତ୍ ମନୋପଲି !
କେତେକଙ୍କର ପାଲଟିଛି ହସ୍ତମୁଦି ମାହାଲ
ଭୁବନେଶ୍ବର : ଆଜିର ନୁହେଁ , ଦୀର୍ଘବର୍ଷ ଧରି ସଂସ୍କୃତି ବିଭାଗର ୪ ଟି ଏକାଡେମୀରେ ଚାଲିଛି ଥଇଥାନ ନାଁ’ରେ ବ୍ୟାପକ ଅନିୟମିତତା । ଅଭିଯୋଗ ଓ ଅସନ୍ତୋଷକୁ ସରକାର ଖାତିର୍ କରୁନାହାଁନ୍ତି । କେବଳ ଇତିହାସରେ ଲିପିବଦ୍ଧ ହୋଇ ରହିଛି ଯାବତୀୟ କେଳେଙ୍କାରୀର କଳଙ୍କିତ ପୃଷ୍ଠା । ଯେମିତି ଏହା ପାଲଟିଛି କେତେକଙ୍କର ହସ୍ତମୁଦି ମାହାଲ ! ଗୋଡାଣିଆ ତଥାକଥିତ ଧ୍ବଜାଧାରୀ , ବିଭାଗୀୟ ସଚିବ ଓ ଅଧିକାରୀ , ନାମ ବାଚକ ମନ୍ତ୍ରୀଫନ୍ତ୍ରୀ ଓ ଅମଲାରାଜ୍ ବଦନାମ କରି ରଖିଛି ଏଇ ଚାରୋଟି ଏକାଡେମୀକୁ । ମୁଖ୍ୟତଃ ଓଡିଶା ସାହିତ୍ୟ ଏକାଡେମୀର ବିଗତବର୍ଷର କାର୍ଯ୍ୟକଳାପ ଅସହ୍ୟ !
ଚଳିତ ନୂଆ ସରକାରରେ ଜଣେ ଯୁବମନ୍ତ୍ରୀଙ୍କ ହାତରେ ବିଭାଗଟି । ସବୁଆଡୁ କଥା ଉଠିଲାଣି , ଏହାର କାର୍ଯ୍ୟକର୍ତ୍ତା ଚୟନ , ପୁରସ୍କାର ବିତରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡିକ ଭାବରେ ଅଟକି ରହିଥିବା ବା ଅହେତୁକ କାଳକ୍ଷେପଣର ଅଭିଯୋଗ । ଅଦ୍ୟାବଧି ଅବୋଧ୍ୟ -ଓଡିଆଅସ୍ମିତାର ଦ୍ବାହି ଦେଇ କ୍ଷମତାକୁ ଆସିଥିବା ନୂତନ ସରକାରଙ୍କ ଏସବୁ ଜନପ୍ରତିକ୍ରିୟା କର୍ଣ୍ଣଗୋଚର ହେଲାଭଳି ଲାଗୁନି ! ଏକଥା ଆଉଥରେ ଉଠାଇବା ଅନାବଶ୍ୟକ ଯେ , ସମଗ୍ର ଦେଶରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟଗଠନର ଏତେବର୍ଷ ପରେ ବି ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ପ୍ରକୃତ ମୂଲ୍ୟାୟନ ହୋଇପାରିନାହିଁ । କେବଳ ବିଭିନ୍ନ ସମୟରେ ଏହା କେତେକ ମନ୍ଦକବି- ଯଶପ୍ରାର୍ଥୀ ଓ ପରେ ଅର୍ଥଲାଳସୀଙ୍କର କବ୍ ଜାରେ ଏହା ବ୍ୟବହୃତ ହୋଇଛି ।
ଉଦାହରଣ ସ୍ୱରୂପ , ଏହାର ଗାଦୀନସୀନ କର୍ମକର୍ତ୍ତା , ସ୍ବୀକୃତି , ପୁରସ୍କାରାଦିର ଚୟନ କମିଟି ଓ ପ୍ରାପକମାନଙ୍କର କ୍ଷମତାର ଅପବ୍ଯବହାର କରିଥିବା ଅଭିଯୋଗର ସମୀକ୍ଷା ବାକି ରହିଛି । ବେଶି ଦୂରର ଅତୀବକୁ ନଯାଇ ଗତଥରର ଓଡିଶା ସାହିତ୍ୟଏକାଡ଼େମୀର ବିଭିନ୍ନ କମିଟି ସହିତ ସଭାପତି ଇତ୍ୟାଦି ପଦର ନିଯୁକ୍ତିରେ ଆଶ୍ଚର୍ଯ୍ୟଜନକ ଅନିୟମିତତା ଶେଷପର୍ଯ୍ୟନ୍ତ ଦୃଷ୍ଟିକଟୁ ହୋଇରହିଥିଲା । ଗତଥରର ସଭାପତିଆଦି କର୍ମକର୍ତ୍ତା ନିଯୁକ୍ତି ନିମନ୍ତେ ପ୍ରଥମଥର ପାଇଁ ବିଜ୍ଞାପନ ଓ ଆବେଦନ ପ୍ରହସନ ଇତ୍ୟାଦି ପରେ କରୋନା ଆଳରେ ପଛଦ୍ବାର ବାଟେ ଗଳିପଶି କେତେକ ଯଶପ୍ରାର୍ଥୀ- ମନ୍ଦକବି ଓ ପ୍ରାଶାସନିକ ଅଧିକାରୀଙ୍କ ଗୋଡାଣିଆ ଯେପରି ଅନେକ ସୁଯୋଗ୍ୟ ଆଶାୟୀଙ୍କ ନାମକୁ ତାଲିକାରୁ କଟାଇ ସଚିବଙ୍କୁ ଚୁଗୁଲି କରି ସେମାନଙ୍କ ଆବେଦନକୁ ଫୋପାଡିଦେଇ ଚୌକିରେ ବସିପଡିଥିଲେ ଓ ନିର୍ବିଘ୍ନରେ ସମ୍ପୂର୍ଣ୍ଣ କାର୍ଯ୍ୟକାଳର କ୍ଷମତା ଓ ଆର୍ଥିକ ଫାଇଦା ଉପଭୋଗ କରିଗଲେ , ଏହା ଇତିହାସରେ ବିରଳ । ସବୁଠାରୁ ଗୁରୁତର ବିଷୟ ଯେ , ଓସାଏର ସାଧାରଣ ପରିଷଦ ବା କାର୍ଯ୍ୟକାରିଣୀ ପରିଷଦ ଇତ୍ୟାଦିରେ ଏଭଳି ସଦସ୍ୟ/ ସଦସ୍ୟାମାନଙ୍କୁ ରଖାଯାଇଥିଲା , ଯେଉଁମାନଙ୍କର ଯୋଗ୍ୟତା ଓ ଲେଖକୀୟତା ତଥାକଥିତ ଏବଂ ବ୍ୟକ୍ତିଗତ ଛବି ଦୂଷିତ ବୋଲି ଜଣାଶୁଣା ।
ସେମାନଙ୍କୁ ଚୟନ କରାଯିବାର ପ୍ରକ୍ରିୟା ପ୍ରିୟାପ୍ରୀତିତୋଷଣରେ କରାଯାଇଥିଲା ବୋଲି ଅଭିଯୋଗ ରହିଥିଲା । ଆହୁରି ମଧ୍ୟ ପୂର୍ବରୁ କ୍ରମାଗତ ଭାବରେ ସଭାପତି ପୂର୍ବ ଓଡିଶାର ଓ ଉପସଭାପତି ପଶ୍ଚିମ ଓଡିଶାର ହେବାର ଏକ ଅଲିଖିତ ପରମ୍ପରା ରହିଆସିଥିବା ଓ ଗତଥର ତାହାକୁ ମଧ୍ୟ ବେଦଖଲ କରାଯାଇଥିବା ପଶ୍ଚିମଓଡିଶାର ଲେଖକମାନଙ୍କ ଭିତରେ ଚରମ ଅସନ୍ତୋଷ ସୃଷ୍ଟି କରିଥିଲା । ମୁଖ୍ୟତଃ ଓସାଏ ଅମଲାତାନ୍ତ୍ରିକ ନିୟନ୍ତ୍ରଣରେ ରହିଥିବା ଅଭିଯୋଗ ମଧ୍ୟ ପ୍ରକାଶ ପାଇଥିଲା । ଶେଷରେ ସମସ୍ତ ଚର୍ଚ୍ଚା ଓ ପ୍ରବଳ କଳ୍ପନାଜଳ୍ପନାର ଅବସାନ ଘଟାଇ ପୂର୍ବସରକାରଙ୍କ ଅମିତ କ୍ଷମତାଶାଳୀ ଅମଲାଙ୍କ ଲବିର ନିକୃଷ୍ଟ ମନୋବୃତ୍ତିର ଅମଲାଙ୍କ ଭିତିରିଆ କାରସାଦୀରେ ପୂର୍ବରୁ ଏକ ଆର୍ଥିକ ଅନିୟମିତତାରେ ଜଡିତ ତଥାକଥିତ କଳଙ୍କିତ ଭାବମୂର୍ତ୍ତିର କବି ଓ ଅନ୍ୟାନ୍ୟ ଆକସ୍ମିକ ଉ ଦ୍ ଭୂ ତ ତଥାକଥିତ ଲେଖକଙ୍କୁ କାର୍ଯ୍ୟକର୍ତ୍ତା ଭାବରେ ଚୟନ କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ସେମାନଙ୍କ ମଧ୍ୟରୁ ଏକମାତ୍ର ସୁଯୋଗ୍ୟ ମେଳାପି ସଚିବଙ୍କର ଦୁର୍ଘଟଣାରେ ଆକସ୍ମିକ ବିୟୋଗ ପରେ ଏହି ସ୍ଥାନଟିକୁ ଦୀର୍ଘଦିନ ଧରି ଭାରପ୍ରାପ୍ତ ଭାବରେ ରଖାଯାଇଥିଲା । ଏସବୁ ପରେ ଓସାଏ ସମେତ ସଂସ୍କୃତିବିଭାଗର ୪ ଟି ଏକାଡେମୀର ଅଦ୍ୟାବଧି ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ ଓ ଅହେତୁକ ଭାବରେ ଏହାସହ ଏକାଧିକବର୍ଷର ପୁରସ୍କାର ଓ ଅନ୍ୟାନ୍ୟ ଆନୁସଙ୍ଗିକ କମିଟି ଗଠନ କରା ନଯାଇ ମନଇଚ୍ଛା ପକାଇ ରଖାଯାଇଛି । ଏହା ଓଡିଆଅସ୍ମିତା ଦ୍ବାହିରେ କ୍ଷମତା ହାସଲ କରିଥିବା ମୋହନ ସରକାରର ଓଡିଶାବାସୀଙ୍କୁ ଏକ ଜବରଦସ୍ତ ଉପହାସ ଓ ବେଖାତିର୍ ମନୋଭାବ ଛଡା ଆଉ କ’ଣ କୁହାଯିବ ବୋଲି ଲେଖକମହଲରେ ଚର୍ଚ୍ଚା ହେଉଛି ।
ଏଥର ବି ପୂର୍ବସରକାର ଅମଳର ପୂର୍ବପ୍ରକ୍ରିୟା ଅନୁଯାୟୀ , ଲେଖକମାନେ ଓସାଏର ସଦସ୍ୟ ବା ସଭାପତି / ଉପସଭାପତି / ସମ୍ପାଦକ ଇତ୍ୟାଦି ହେବାକୁ ଲଜ୍ଜାଜନକ ଦରଖାସ୍ତ ଆବେଦନ କରିବାର ପୂର୍ବପଦ୍ଧତି ଅନୁସୃତ ହେବ ଓ ଆଞ୍ଚଳିକ ବୈଷମ୍ୟର ସ୍ବର ଉଠୁଥିବା ପଶ୍ଚିମଓଡିଶାର ଲେଖକଙ୍କର ସ୍ବାଭିମାନକୁ ଚାପିଦେଇ କେବଳ ପୂର୍ବଓଡିଶା ବନାମ କଟକ , ଭୁବନେଶ୍ବର , ବାଲେଶ୍ବର ଆଦି ଅଞ୍ଚଳର ବହୁପ୍ରଚାରିତ ତଥାକଥିତ ଲେଖକ / ଲେଖିକାମାନଙ୍କୁ ଆସନରେ ଅଳଂକୃତ କରାଯିବ ? ଦୁର୍ଭାଗ୍ୟବଶତଃ ପୂର୍ବରୁ ସଂସ୍କୃତିବିଭାଗର କେତେକ ପୁରୁଣାମୂଷା ପୁଣି ‘ ଆରେ ଢମଣା , ବୁଲିବାଲିକିରି ସେଇ ଅଗଣା ‘ ନ୍ୟାୟରେ ଆସି ବସିଛନ୍ତି । ତେବେ ଓସାଏ ସମେତ ଏଇ ଏକାଡେମୀ ଗୁଡିକ ସାରାରାଜ୍ୟର ନା କେବଳ ମୋଗଲବନ୍ଦୀ ଇଲାକାର , ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।
ସର୍ବୋପରି ସଂସ୍କୃତିର ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଗୁଡିକ କିପରି ଚାଲିଛି , ଏହାର ଉଦାହରଣ ଦେଖିବାକୁ ଅନ୍ତତଃ ବଲାଙ୍ଗୀର ଜିଲ୍ଲା ସଂସ୍କୃତି ବିଭାଗର କାର୍ଯ୍ୟାଳୟକୁ କେହି ଅକସ୍ମାତ୍ ବିଶେଷତଃ ସନ୍ଧ୍ୟାପରେ ପଶି ଆସିଲେ , ସେଠାରେ ଦଲାଲ୍ ରାଜ୍ ର ସପ୍ରମାଣ ମଧୁଶାଳାର ଦୃଶ୍ୟ ଦେଖିପାରିବେ । ଏହାସହିତ ବିଗତ ବର୍ଷମାନଙ୍କର ଉତ୍ସବାନୁଷ୍ଠାନର ହିସାବ ମାଗିଲେ , ତଥ୍ୟ ମିଳିପାରିବ । କହିବାବାହୁଲ୍ୟ , ରାଜ୍ୟର ପ୍ରାୟ ପ୍ରତ୍ୟେକ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହ ରାଜ୍ୟ ସଂସ୍କୃତି ବିଭାଗର ମଧୁଚନ୍ଦ୍ରିକା ଚାଲିଛି । ଏଣୁ ସାଧୁ ସାବଧାନ !