ଅପରାଧ

ଏଯାଏଁ ଆସିନି ଭିସେରା ରିପୋର୍ଟ !

Email :

ଲୋକନାଥ ନାଏକ ହତ୍ୟା ଅଭିଯୋଗ ମାମଲା

ସୋନପୁର : ଗତ ୨୦୨୩ ନଭେମ୍ବର ୨୩ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡି ଫାଣ୍ଡିର କେଶଲପୁରା ଗ୍ରାମର ନିବାସୀ ତଥା ଶିକ୍ଷକ ଲୋକନାଥ ନାଏକଙ୍କର ହତ୍ୟା ଅଭିଯୋଗ ମାମଲା । ସେହିଦିନ ସୋନପୁର ଥାନା ଅନ୍ତର୍ଗତ ମହାନଦୀ ବିଜୁ ସେତୁ ତଳ ଏକ ଅଳ୍ପ ପାଣିଖାଲରେ ଭାସୁଥିବା ଅବସ୍ଥାରେ ତାଙ୍କର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା । କାହାର ଫୋନ୍ ପାଇ ପୂର୍ବଦିନ ସନ୍ଧ୍ୟାରେ ସେ ଏକାକୀ ବାଇକ୍ ରେ ତରତର ହୋଇ ଘରୁ ବାହାରି ଯାଇଥିଲେ । ବିଳମ୍ବିତ ରାତିସୁଦ୍ଧା ଘରକୁ ନ ଫେରିବାରୁ ଘରଲୋକେ ତାଙ୍କୁ ଫୋନ୍ କରିବା ସହିତ ଖୋଜ୍ ଖବର ନେଇଥିଲେ । ସେ କେଭେଁ ମଦଫଦ ପିଉ ନ ଥିଲେ ହେଁ , ଅସଂଲଗ୍ନ ସ୍ବରରେ ‘ ମୁଁ ମହାନଦୀରେ ଅଛି ‘ ବୋଲି କହିଥିବା ଏବଂ ତାଙ୍କ ପାଖରେ କେହି କେହି ଥିବାର ଚାପାସ୍ବର ଓ ତାଙ୍କୁ କେହି ପିଟାମରା ଭଳି କରୁଥିବାରୁ ସେ ‘ ମରିଗଲି ‘ ବୋଲି କହିଥିବା ଶୁଭିଥିଲା । ତା’ପରେ ତାଙ୍କ ଫୋନ୍ ଟି ବନ୍ଦ ହୋଇଯାଇଥିଲା । ଏଣୁ ଅଘଟଣ ସନ୍ଦେହରେ ଘରଲୋକଙ୍କ ପକ୍ଷରୁ ବୀରମହାରାଜପୁର ଥାନା , ହିକୁଡିଫାଣ୍ଡି ଓ ସୋନପୁର ଏସ୍ ପିଙ୍କୁ ଜଣାଇ ଥିଲେ । ତତ୍କାଳୀନ ଏସ୍ ପି ଅମରେନ୍ଦ୍ର ପଣ୍ଡା କିଛିବେଳ ପରେ ‘ ସେ ପାଖ ଟାୱାର ପାଖରେ ଅଛି । ସକାଳୁ ଦେଖିବା ‘ କହି ଫୋନ୍ କାଟିଦେଇଥିବା ତାଙ୍କ ଘରଲୋକଙ୍କ ଠାରୁ ପ୍ରକାଶ ।

ପରଦିନ ତାଙ୍କ ପାଣିରେ ଭାସୁଥିବା ମୃତଦେହକୁ ତାଙ୍କ ଥାନା ଇଲାକା ହୋଇଥିବାରୁ ସୋନପୁର ଥାନା ପୁଲିସ ଉଦ୍ଧାର କରି ଏହା ଏକ ହତ୍ୟାକାଣ୍ଡ ବୋଲି ଘରଲୋକଙ୍କ ସନ୍ଦେହରୁ ଅଭିଯୋଗ କ୍ରମେ ପୁଲିସ ସୋନପୁର ଥାନା କେସ୍ ନ୦ ୨୯୭ ( ତା ୨୩ . ୧୧ . ୨୦୨୩ ୟୁ ଏସ୍ ୩୦୨ ରେ କେସ୍ ଋଜୁ କରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଶବବ୍ୟବଚ୍ଛେଦ କରାଇଥିଲ। ଏହାପରେ ଗ୍ରାମବାସୀମାନେ ତାଙ୍କ ମୃତଦେହକୁ ହାସପାତାଳରୁ ଷ୍ଟ୍ରେଚର୍ ସମେତ ପ୍ରାୟ ତିନି କିମି ଉକ୍ତ ବ୍ରିଜ୍ ପାଖକୁ ଟାଣି ଟାଣି ଆଣି ପ୍ରାୟ ୩ ଘଣ୍ଟା କାଳ ସୋନପୁର -ବୀରମହାରାଜପୁର ରାସ୍ତା ଅବରୋଧ କରି ସଠିକ୍ ତଦନ୍ତ ଦାବି କରିଥିଲେ ।

ଉଲ୍ଲେଖଯୋଗ୍ଯ ଯେ , ଉକ୍ତ ମୃତ ଶିକ୍ଷକ ଓ ତାଙ୍କ ପତ୍ନୀଙ୍କ ମଧ୍ଯରେ ଦୀର୍ଘ ପ୍ରାୟ ୪ ବର୍ଷ ହେଲା ବିବାଦ ରହିଥିଲା । ମଝିରେ ପତ୍ନୀ ବିଶ୍ବସୁନ୍ଦରୀ ବାଗ ସେମାନଙ୍କର ଭିନ୍ନକ୍ଷମ ଝିଅର ଚିକିତ୍ସା ପାଇଁ କଟକରେ ରହୁଥିଲେ । ଏହାର ଖର୍ଚ୍ଚ ଉକ୍ତ ଶିକ୍ଷକ ବହନ କରୁଥିବା ସହ ଗୋଟିଏ ପୁଅକୁ ପାଖରେ ରଖି ଯାଆଆସ ମଧ୍ଯ କରୁଥିଲେ । ତେବେ ବିଶ୍ବସୁନ୍ଦରୀ କିଛି ରି ଲ୍ ସ ଆଦି କରୁଥିବାରୁ ତାଙ୍କ ଚରିତ୍ରକୁ ସନ୍ଦେହ କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ଝଗଡା ଲାଗି ରହିଥିଲା । ଏପରିକି କଟକରୁ ଆସି ପତ୍ନୀ ଘରେ ରହିବା , ଦୁଇମାସ ତଳେ ଜଣକ ସାଙ୍ଗରେ ଦିନେ ସନ୍ଧ୍ୟାରେ ଘରେ ନ କହି ବାଇକ୍ ରେ ବସି ସୋନପୁରକୁ ଲୁଚି ପଳାଇବା , ସୋନପୁରରେ ଏକ କ୍ରୀଡାହଷ୍ଟେଲ୍ ଓ ପରେ ଭଡାଘରେ ରହୁଥିବା ତାଙ୍କର ବଡଭଉଣୀର ଝିଅ ପର୍ବତାରୋହିଣୀ ଜଣେ ଯୁବତୀ ସାଙ୍ଗରେ ରହିବା ,ଥାନାରେ ମାମଲା ଦେଇ ବାରମ୍ବାର ଥାନା ଓ ହିକୁଡି ଫାଣ୍ଡିକୁ ଧାଉଁଥିବା ଓ ଏଥିରେ ବୀରମହାରାଜପୁର ଡାକ୍ତରଖାନାରେ ଚାକିରୀ କରୁଥିବା ତାଙ୍କର ବିନିକା ଆଡର ଜଣେ ଯୁବଡାକ୍ତର ବାଇକ୍ ରେ ବସାଇ ନେବାଆଣିବା କରି ସାହାଯ୍ଯ କରୁଥିବା ଏବଂ ସର୍ବୋପରି ହିକୁଡି ଫାଣ୍ଡିର ଜଣେ ଗୃହରକ୍ଷୀ ଓ କନେଷ୍ଟବଳ ଉକ୍ତ ମହିଳା ଓ ଯୁବତୀଙ୍କୁ ସାହାଯ୍ଯ କରୁଥିବାରୁ ପରିବାରଲୋକେ ଏହାପଛରେ ପତ୍ନୀଙ୍କ ହାତ ଥିବା ସନ୍ଦେହ ରହିଥିବା ପ୍ରକାଶ । ଏହି ସୂତ୍ର ରୁ ପ୍ରକାଶ ଯେ ଶବଉଦ୍ଧାରର ପୂର୍ବଦିନ ସେମାନେ ହିକୁଡି ଫାଣ୍ଡିକୁ ସ୍ବାମୀ-ସ୍ତ୍ରୀଙ୍କୁ ଡକାଇଥିବା ଇତ୍ୟାଦି ଯୋଗୁଁ ଏହାପଛରେ ମୁଖ୍ଯତଃ ଉକ୍ତ ଗୃହରକ୍ଷୀ , କନେଷ୍ଟବଳଙ୍କ କୌଣସି ହାତ ଥିବା ଅଭିଯୋଗ ପ୍ରକାଶ ପାଇଆସିଛି । ସମ୍ଭବତଃ ପୂର୍ବଦିନ ସନ୍ଧ୍ୟାରେ ସେମାନଙ୍କର ଫୋନ୍ ପାଇ ଶିକ୍ଷକ ଜଣକ ହିକୁଡି ଫାଣ୍ଡିକୁ ଆସି ସେମାନଙ୍କ ତଥାକଥିତ ଜେରାବେଳେ କିଛି ଅକସ୍ମାତ୍ ଅଘଟଣର ଶିକାର ହୋଇଥିବା ସନ୍ଦେହ କରାଯାଉଛି ।

ଆହୁରି ମଧ୍ଯ, ମୃତଦେହ ଉଦ୍ଧାର ବେଳେ ମୃତକଙ୍କ ଅଡିଓ ରେକର୍ଡ ରହିଥିବା ତାଙ୍କ ମୋବାଇଲଟି ଗାଏବ ହୋଇଯିବା , କିଛିଦିନ ପରେ ଉକ୍ତ କନେଷ୍ଟବଳ ସହିତ ହିକୁଡି ଫାଣ୍ଡି ଅଧିକାରୀ ତାଙ୍କ ଘରକୁ ଯାଇ ସେ ମୋବାଇଲଟି ଉକ୍ତ ହଷ୍ଟେଲର ଜଣେ ଝିଅ ପାଖରେ ଅଛି ‘ ବୋଲି ତାଙ୍କ ଘରଲୋକଙ୍କୁ ବିଭ୍ରାନ୍ତ କରିବାର ଅପଚେଷ୍ଟା କରିଥିଲେ ହେଁ ପରେ ନ ମାନିବା ଓ ଅନ୍ଯାନ୍ଯ କେତେକ ସନ୍ଦେହଜନକ ଘଟଣାରୁ ଏପରି ସନ୍ଦେହ ଦୃଢ ହୋଇଛି । ଅନ୍ୟ ଏକ ଦିଗରୁ ମୃତଶିକ୍ଷକଙ୍କୁ ଉକ୍ତ ଦିନ ସେମାନେ ଫୋନ୍ ରେ ସମାଧାନ କରିବା ବାହାନାରେ ଡକାଇ ହିକୁଡି ଫାଣ୍ଡି , ଏସ୍ ପିଙ୍କ ବାସଭବନ କିମ୍ବା ନଦୀକୂଳରେ ସେମାନେ ବା ସୋନପୁର ଜିଲ୍ଲାପାଳଙ୍କ ପୁରୁଣା ଅଫିସ୍ ପଡାର କେତେକ ଦଳିତ ଆୱାରା ଗୁଣ୍ଡା ପ୍ରବୃତ୍ତିର ଭଡାଟିଆ ଯୁବକଙ୍କ ଦ୍ବାରା ମରଣାନ୍ତକ ମାଡ ମାରି ମରିଯିବାରୁ ନେଇ ପାଣିରେ ଫିଙ୍ଗିଦେଇଥିବାର ଅନୁମାନ କରାଯାଉଛି । ଏ ସମ୍ପର୍କରେ କିଛିଦିନ ତଳେ ସ୍ପିନିଂମିଲ୍ ଛକରେ ଚା’ ପକୁଡ଼ି ଦୋକାନ କରିଥିବା ଓ ଅନତିଦୂରର ନଦୀକୂଳରେ ଘରକରି ରହୁଥିବା ବିଶିପଡାର ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରକାଶ । ଆହୁରି ମଧ୍ଯ ଏବେ ବଦଳି ହୋଇ ଯାଇଥିବା ପ୍ରଥମ ତଦନ୍ତକାରୀ ପୁଲିସ ଅଧିକାରୀଙ୍କ ଠାରୁ ଏଥିରେ ଉକ୍ତ ସନ୍ଦିଗ୍ଧ ମହିଳା ଦ୍ବୟଙ୍କ ସହ ସମ୍ପର୍କରେ ଥିବା କିଛି ଲୋକ ଓ ୪ ଜଣ ସ୍ଥାନୀୟ ଅସାମାଜିକ ଯୁବଙ୍କ ହାତ ଥିବା ଅନୌପଚାରିକଭାବେ ପ୍ରକାଶ । ଆହୁରି ମଧ୍ଯ ସୋନପୁର ଜିଲ୍ଲାରେ ହୋମ୍ ଗାର୍ଡ ମାନଙ୍କର ଦୌରାତ୍ମ୍ଯ ପ୍ରବଳ । ଉଦାହରଣସ୍ୱରୂପ, ତତ୍କାଳୀନ ପୂର୍ବତନ ଏସ୍ ପିଙ୍କ ହାତବାରିସୀ ସାଜିଥିବା ଜଣେ କରିତ୍ କର୍ମା ହିରୋମାର୍କା ହୋମ୍ ଗାର୍ଡ ଗଞ୍ଜେଇ ଧରପଗଡ ଟିମ୍ ରେ ରହି ଏତେ କ୍ଷମତାଶାଳୀ ହୋଇଉଠିଥିଲା ଯେ , ଉଲୁଣ୍ଡାଥାନାର ଜଣେ ତତ୍କାଳୀନ ମହିଳା ସବ୍ ଇନ୍ସପେକ୍ଟରଙ୍କୁ ପ୍ରେମନିବେଦନ କରି ବିଫଳ ହେବାରୁ ତାଙ୍କ ସ୍କୁଟିକୁ ଗଞ୍ଜେଇ ଚୋରାଚାଲାଣରେ ଫସେଇ ଦେବା ଓ ହଇରାଣ କରିବା ଅଭିଯୋଗରେ ଆଇଜିଙ୍କୁ ଅଭିଯୋଗ ପରେ ବହିଷ୍କୃତ ହୋଇଥିଲେ । ତେଣୁ ଏହି ମାମଲାରେ ମଧ୍ଯ ଉକ୍ତ ହିକୁଡିଫାଣ୍ଡିର ହୋମଗାର୍ଡ ଓ ତାଙ୍କ ସହଯୋଗୀଙ୍କ କାରନାମା ସନ୍ଦେହରେ ରହିଆସିଛି ।

ସବୁଠାରୁ ବିଡମ୍ବନାର ବିଷୟ ଯେ , ଏହି ମାମଲାର ପୋଷ୍ଟମର୍ଟମ୍ ରିପୋର୍ଟ ବିଳମ୍ବ ଘରଲୋକଙ୍କୁ ଦିଆଯିବା ଓ ଅଦ୍ୟାବଧି ଘଟଣାର ବର୍ଷେ ଆଠମାସ ପରେ ବି ଭିସେରା ରିପୋର୍ଟ ନ ଆସିବା !

ଗୁରୁତ୍ବପୂର୍ଣ୍ଣ ଯେ , ଶବବ୍ୟବଚ୍ଛେଦ କରିଥିବା ଡାକ୍ତର ଡା କୃତାତିବାସ ସୁବୁଦ୍ଧିଙ୍କ ସୂତ୍ରରୁ ଅନୌପଚାରିକ ଭାବେ ପ୍ରକାଶ ଯେ , ଉକ୍ତ ବ୍ଯକ୍ତିଙ୍କର ମୃତ୍ୟୁ ପାଣିରେ ବୁଡି ହୋଇନାହିଁ । କାରଣ ଡାଏଟମ୍ ଟେଷ୍ଟ୍ ରେ ତାଙ୍କ ଶରୀରର ଫୁସ୍ ଫୁସ୍ ରେ ପାଣି ପଶି ନ ଥିବା ସହ ଉପରୁ ସୁଇଟର୍ , ସାର୍ଟ ଓ ପେଟର ମୋଟା ଚମଡା ମାଂସ ତଳେ ଥିବା ପ୍ଳୀହା ଆଘାତପ୍ରାପ୍ତ ହୋଇଥିବାର ଫଟୋ ଭବିଷ୍ୟତରେ ତାଙ୍କୁ କେବେ କୌଣସି କୋର୍ଟର ସମ୍ମୁଖୀନ ହେବା ଆଶଙ୍କାରେ ସେ ସଂରକ୍ଷିତ ରଖିଛନ୍ତି ।

ତେଣୁ ଅନ୍ଧାର ରାତିରେ ବାଲିବୁହା ଟ୍ରାକ୍ଟର ଅଘାଟରେ ମୃତକଙ୍କ ବାଇକ୍ ଟି ନଦୀକୂଳର ଶୁଖିଲାବାଲିରେ ଫସି ପଡିଥିବା ସହ ପ୍ରାୟ ପାଣିଧାର ଶୁଖିଥିବା ପଥର ଟାଙ୍ଗର ପାଖର ଅଣ୍ଟାଏ ପରିମିତ ଚହଲା ପାଣିକୁ ମୃତଦେହଟି କେମିତି ଗଲା ବୋଲି ଇଙ୍କ୍ବେଷ୍ଟ ରିପୋର୍ଟରେ ରହିଥିବାରୁ ପ୍ରଶ୍ନ ଉଠିବା ସ୍ବାଭାବିକ୍ ବୋଲି ଚର୍ଚ୍ଚା ପ୍ରକାଶ ପାଇଆସୁଛି । ଏଣୁ ଉକ୍ତ ଭିସେରା ରିପୋର୍ଟଟି ଶୀଘ୍ର ଅଣାଯିବାକୁ ଦାବିହେଉଛି ।

ଉଲ୍ଲେଖଯୋଗ୍ଯ ଯେ , ଇତିମଧ୍ୟରେ ଆଉ ୨ ଜଣ ଏସ୍ ପି ବଦଳି ହୋଇ ଗଲେଣି । ଉକ୍ତ ସ୍ବାମୀହତ୍ୟା ସନ୍ଦିଗ୍ଧା ଅଭିଯୁକ୍ତା ପତ୍ନୀ ଜଣକ ଉଲୁଣ୍ଡା ତହସିଲରୁ ବିଧବା ପ୍ରମାଣପତ୍ର ନେଇ ସ୍ବାମୀର ଅନ୍ତର୍ଦୃଷ୍ଟି ଆଦି କରି ନ ଥିଲେ ହେଁ , ଉଲୁଣ୍ଡା ବିଇଓଙ୍କ ଠାରୁ କ୍ଷତିପୂରଣ ବାବଦକୁ ୪ ଲକ୍ଷ ୩୦ ହଜାର ଟଙ୍କା ଶିକ୍ଷାବିଭାଗର ଅଧିକାରୀଙ୍କୁ ହାତ କରି ଉଠାଇ ନେଲେଣି । ମଝିରେ ତାଙ୍କର ପୁଅଝିଅ ରହିଥିବା ଶାଶୁଘରୁ ପିଲାଙ୍କୁ ନେବାକୁ ବାରମ୍ବାର ଥରେ ଜନୈକା ମହିଳା ଡିଏସ୍ ପି ଓ ପୁଲିସ୍ , କୋର୍ଟରୁ ସମନ୍ ବୋଲି ଅଜଣାଲୋକଙ୍କୁ ଗାଁ’କୁ ପଠାଇ ଅପଚେଷ୍ଟା କରି ଚାଲିଛନ୍ତି । ଇତିମଧ୍ୟରେ ତାଙ୍କର ଉକ୍ତ ପର୍ବତାରୋହିଣୀ ଝିଆରୀଙ୍କର ଜଣେ ପୋଲିସବାଲା ସହିତ ବିବାହ ମଧ୍ଯ ହୋଇଗଲାଣି ।

ତଥାପି ଭିସେରା ରିପୋର୍ଟ ଆସି ନଥିବା ଆଳରେ ଏହି ବହୁଚର୍ଚ୍ଚିତ ନରହତ୍ୟା ମାମଲାର ତଦନ୍ତ ଅଟକି ରହିଛି ! ଏପରିକି ମୃତକଙ୍କର ଉକ୍ତ ମୋବାଇଲ ଫୋନ୍ ,ମୃତ୍ୟୁର ଅନ୍ତିମ ମୁହୂର୍ତ୍ତର ସିଡିଆର୍ , ଅଭିଯୁକ୍ତମାନଙ୍କର ବୟାନାଦି ପ୍ରତି ସୋନପୁର ପୁଲିସ ଉଦାସୀନ ରହିଆସିଛି । ଘରଲୋକେ ନ୍ୟାୟ ପାଇଁ ଏଯାବତ୍ ମୁଖ୍ଯମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି, ଜିଲ୍ଲାପାଳ , ଏସ୍ ପିଙ୍କ ଏକାଧିକ ଅଭିଯୋଗ ଶୁଣାଣୀ ଇତ୍ୟାଦିକୁ ଧାଇଁ ଧାଇଁ ନିରାଶ ହୋଇପଡିଲେଣି । ଶେଷୋକ୍ତ ସୂଚନାନୁଯାୟୀ , ଏବେ ଯୋଗଦେଇଥିବା ନୂତନ ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକଙ୍କୁ ସ୍ବାଗତ କରିବାକୁ ଯାଇଥିବା ଅବସରରେ ସୋନପୁରର କେତେକ ସାମ୍ବାଦିକମାନଙ୍କ ପକ୍ଷରୁ ମଧ୍ଯ ଏହି ଚର୍ଚ୍ଚିତ ମାମଲାର ତଦନ୍ତ ପ୍ରତି ଦୃଷ୍ଟିଦେବାକୁ ତାଙ୍କର ଦୃଷ୍ଟିଆକର୍ଷଣ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post