ହତ୍ୟା ଉଦ୍ୟମ : ପୁଲିସ୍ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କଲା
ପାଟଣାଗଡ : ଦାଦନ ନିର୍ଯାତନା ରୋକିବାକୁ ମୋହନ ସରକାର ଟାସ୍କଫୋର୍ସ ଗଠନ କରିଥିଲା ବେଳେ , ତାହାର କୌଣସି ପ୍ରଭାବ ପଡୁନି । ଏହାର ଅଧ୍ୟକ୍ଷ ଥିବା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ନିଜ ନିର୍ବାଚନ ମଣ୍ଡଳୀ ତଥା ନିବାସ ପାଟଣାଗଡ ଥାନା ଅଞ୍ଚଳର ଯୁବକ ଦାଦନଶ୍ରମିକଙ୍କୁ ଜଣେ କୁଖ୍ୟାତ ସର୍ଦ୍ଦାର ଅପହରଣ କରି ଜଙ୍ଗଲ ଭିତରେ ଏହି ପ୍ରଚଣ୍ଡ ଶୀତରାତିରେ ରାତିସାରା ଉଲଗ୍ନ କରି ଲୁହାଛଡରେ ପ୍ରବଳମାଡ ମାରିବା ସହ ହତ୍ୟା ଉଦ୍ୟମ କରିଥିଲା । ଏପରିକି ଘରୁ ୧୦ ଲକ୍ଷ ଟଙ୍କା ଆଣିବାକୁ ଦାବିକରି ନିର୍ଯାତନା ବେଳର କରୁଣ ଚିତ୍କାରକୁ ଫୋନ୍ କରାଇଥିଲେ । ଅଭିଯୋଗ ପାଇବା ପରେ ପାଟଣାଗଡ ପୁଲିସ୍ ଉକ୍ତ ମୁମୂର୍ଷୁ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିବା ପ୍ରକାଶ ।

ସର୍ଦ୍ଦାର ସୁରେଶ ରାଓ
ପାଟଣାଗଡ ବ୍ଲକ୍ ର ଅନ୍ତର୍ଗତ କଦଳୀମୁଣ୍ଡା ଗ୍ରାମର ଉକ୍ତ ଯୁବ ଦାଦନଶ୍ରମିକ ଅଜିତ ବାଗ କଣ୍ଟାବାଞ୍ଜିର ଦାଦନସର୍ଦ୍ଦାର ସୁରେଶ ରାଓ ଠାରୁ ବାହାରରାଜ୍ୟକୁ ଦାଦନ ଖଟି ଯିବାକୁ ୪୦ ହଜାର ଟଙ୍କା ଅଗ୍ରୀମ ନେଇଥିଲେ । ସେ ଆଉ ୫୦ ହଜାର ଟଙ୍କା ଦେବାର ଥିଲା । ତେବେ କୌଣସି କାରଣରୁ ଅଜିତ ନ ଯାଇ ଲୁଚି ବୁଲୁଥିବା ଓ ଗତ ୨୪ ତାରିଖରେ ସେ ବଲାଙ୍ଗୀର ଯାଉଥିବା ବେଳେ ତାଙ୍କର ଗତିବିଧିର ଖବର ରଖୁଥିବା ସର୍ଦ୍ଦାର ଓ ତା’ର ଗୁଣ୍ଡାମାନେ ତାଙ୍କୁ ପାଟଣାଗଡ- ବଲାଙ୍ଗୀର ରାସ୍ତାର ଭଇଁଷା ବସ୍ ଷ୍ଟାଣ୍ଡ୍ ଠାରେ ପିଛାକରି ଅପହରଣ କରି ତୁରେକେଲା ଜଙ୍ଗଲକୁ ନେଇଯାଇଥିଲେ । ସେଠାରେ ସେମାନେ ତାଙ୍କୁ ରାତିସାରା ଉଲଗ୍ନ କରି ଠେଙ୍ଗା ଓ ଲୁହାଛଡରେ ନିସ୍ତୁକ୍ ମାଡମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରୁ ପ୍ରକାଶ । ଦରମଲା ଅବସ୍ଥାରେ ଅଜିତ ଘରଲୋକଙ୍କୁ ଫୋନ୍ କରି ସର୍ଦ୍ଦାର ୧୦ ଲକ୍ଷ ଟଙ୍କା ଦାବି କରୁଥିବା ଓ ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଜଣାଇଥିଲେ । ଏ ସମ୍ପର୍କରେ ଘରଲୋକଙ୍କ ପକ୍ଷରୁ ପାଟଣାଗଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଫୋନ୍ ଟ୍ରାକିଂ କରି ଉକ୍ତ ଜଙ୍ଗଲରୁ ସଂକଟାପନ୍ନ ଅଜିତଙ୍କୁ ଉଦ୍ଧାର କରି ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଓ ଏବେ ଗୁରୁତର ଉକ୍ତ ଯୁବକ ଜଣକ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଚିକିତ୍ସିତ ହେଉଥିବା ପ୍ରକାଶ ।
ଉଲ୍ଲେଖନୀୟ ଯେ , ଜିଲ୍ଲାର ମୁଖ୍ୟ ଦାଦନଚାଲାଣ ପେଣ୍ଠ କଣ୍ଟାବାଞ୍ଜି ସହରଟି ଗତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିବା ଦାଦନସର୍ଦ୍ଦାର ଥିବା ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ନିର୍ବାଚନ ମଣ୍ଡଳୀ ଓ କିଛିଦିନ ତଳେ ବିଧାୟକଙ୍କ ଭାଇ ପୁରନ ବାଗ ବିରୁଦ୍ଧରେ ମଧ୍ୟ କେତେକ ଦାଦନଶ୍ରମିକଙ୍କୁ ଅଟକ ରଖି ମାଡପିଟ କରିଥିବା କଣ୍ଟାବାଞ୍ଜି ଥାନାରେ ଅଭିଯୋଗ ହେବାରୁ ପୁଲିସ୍ ଜଣେ ସହକାରୀକୁ ଗିରଫ କରିଥିଲା । ଏହି ସର୍ଦ୍ଦାର ସୁରେଶ ରାଓ ଜଣେ କୁଖ୍ୟାତ ଗୁଣ୍ଡା ପ୍ରବୃତ୍ତିର ଦାଦନ ସର୍ଦ୍ଦାର । ସେ ପୂର୍ବରୁ ଏକ ସୁନାରୀ ଥିବା ଓ ବାହାରୁ ଆସି ସ୍ଥାନୀୟ ଝିଅକୁ ବିବାହ କରି ଏଠାରେ ସ୍ଥାନୀୟ ବାସିନ୍ଦା ପାଲଟିଯାଇଛି । ଏକ ଜିମ୍ ଖୋଲି ପିଲାମାନଙ୍କୁ ସାଙ୍ଗରେ ରଖି ଦଳବଳ ଧରି ଉପଦ୍ରବ ଚଳାଉଛି । କଣ୍ଟାବାଞ୍ଜିର ଜାଏଣ୍ଟ୍ କିଲର୍ ଭାଜପା ବିଧାୟକ ଓ ପାଟଣାଗଡ ଉପମୁଖ୍ଯମନ୍ତ୍ରୀଙ୍କର ଡବଲଇଞ୍ଜିନ୍ ସରକାରର ପ୍ରଭାବରେ ଏହି ଅଞ୍ଚଳର ସର୍ଦ୍ଦାରମାନେ ଅଧିକ ନିରଙ୍କୁଶ ହୋଇପଡିଥିବା କୁହାଯାଉଛି ।
ତେବେ ଦାଦନଶ୍ରମିକମାନେ ମଧ୍ୟ ଅଗ୍ରୀମ ଟଙ୍କା ନେଇ ଅନ୍ୟତ୍ର ପଳାଉଥିବାର ଅଭ୍ୟାସଗତ ଠକ ହୋଇଗଲେଣି । ତେଣୁ ଏପରି ଘଟଣା ଘଟୁଛି । ଏହି ଅପହରଣ ଓ ହତ୍ୟା ଉଦ୍ୟମ ଘଟଣାଟି ଚର୍ଚ୍ଚିତ ହୋଇପଡିଛି ।