ପୁଲିସର ତତ୍ପରତା ଫଳରେ ପୁରୀରୁ ଉଦ୍ଧାର : ବ୍ୟବହୃତ କାର୍ ଜବତ
ଗଞ୍ଜେଇ ଚୋରାଚାଲାଣ କାରଣ ସନ୍ଦେହ !
ସୋନପୁର : ଗତ ୭ ତାରିଖ ଦିନ ସଂନ୍ଧ୍ଯାରେ ସୋନପୁର ସହରର ପଟାଭାଡି ଅଞ୍ଚଳର ଏକ ନାବାଳକକୁ ଅପହରଣ କରିନିଆଯିବା ପରେ ପୁଲିସ୍ ର ତତ୍ପରତା ଫଳରେ ତାକୁ ପୁରୀରୁ ଉଦ୍ଧାର କରାଯାଇଛି । ପୁଲିସ୍ ପକ୍ଷରୁ ଏହାର କାରଣ ସମ୍ପର୍କରେ ଭିନ୍ନ କଥା କୁହାଯାଉଥିଲେ ହେଁ ,ଏହାପଛରେ ଏଥିରେ ଏହାପୂର୍ବର ଗଞ୍ଜେଇ ଚୋରାଚାଲାଣ ଓ ପିଲାଟିର ବାପର ସମ୍ପୃକ୍ତି ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ପୁଲିସ୍ ପୁରୀରୁ ଘଟଣାରେ ସମ୍ପୃକ୍ତ ମଧ୍ୟପ୍ରଦେଶର ୩ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଥିବାବେଳେ ବ୍ୟବହୃତ ଏକ କାର୍ ଓ ସେମାନଙ୍କ କିଛି ପୋଷାକପତ୍ର , ବନ୍ଧୁକର ଗୁଳି ଓ ବ୍ୟାଗ୍ ଆଦି ଜବତ କରିଥିବା ପ୍ରକାଶ। ପ୍ରକାଶ ଯେ , ଉକ୍ତଦିନ ସନ୍ଧ୍ୟାରେ ପଟାଭାଡିର ଜଣେ ଦୋକାନୀ ଶ୍ରଦ୍ଧାକର ନାଏକଙ୍କ ୯ ବର୍ଷର ପୁଅ ଆୟୁଷ , ଛକର ବଜାରକୁ ମାଞ୍ଚୁରିଆନ୍ ଖାଇବାକୁ ଯାଇ ଘରକୁ ନ ଫେରିବାରୁ ବାପମାଆ ବ୍ୟସ୍ତ ହୋଇପଡି ଖୋଜାଖୋଜି କରୁଥିଲା ବେଳେ ରାତି ୯ ଟାବେଳେ ଏକ ଅଜଣା ନମ୍ବରରୁ ତାଙ୍କ ନିକଟକୁ ଏକ ଫୋନ୍ ଆସିଥିଲା । ଅପହରଣକାରୀମାନେ ଫୋନ୍ ରେ ପିଲାଟି ତାଙ୍କ ନିକଟରେ ଅଛି ଓ ୨୦ ଲକ୍ଷ ଟଙ୍କା ଦେଲେ ଫେରସ୍ତ ମିଳିବ । ନହେଲେ ପିଲାଟିକୁ ହତ୍ୟା କରିଦିଆଯିବ’ ବୋଲି ଧମକ ଦିଆଯାଇଥିଲା।
ଚାଞ୍ଚଲ୍ଯ
ସୂଚନା ମିଳିଥିଲା ଯେ, ପଟାଭାଡିର ଉକ୍ତ ଫାଷ୍ଟଫୁଡ୍ ଦୋକାନରେ କାମ କରୁଥିବା ଓ ପିଲାଟିର ବାପାଙ୍କ ସହିତ ପୂର୍ବ ସମ୍ପର୍କ ଥିବା ଜଣେ ବିହାରୀ ଯୁବକ ପିଲାଟିକୁ ଭୁଲାଇ ନେଇଯାଇଥିଲ। । ତେଣୁ ପିଲାର ବାପମାଆ ସୋନପୁର ଥାନାରେ ଏତଲା ଦେଇଥିଲେ । ପରଦିନ ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉକ୍ତଦିନ ଗ୍ରହଣ ଲାଗିଥିବା ସତ୍ତ୍ବେ ସ୍ଥାନୀୟ ଲୋକଙ୍କ ମଧ୍ଯରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ତୁରନ୍ତ ଏସ୍ ପି ନାରାୟଣ ନାଏକ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଖବର ପାଇ ସମ୍ବଲପୁର ଉତ୍ତରାଞ୍ଚଳ ଆଇ ଜି ହିମାଂଶୁଲାଲ୍ ପହଞ୍ଚି ତଦନ୍ତର ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରିଥିଲେ । ଆଇ ଜି ଓ ଏସ୍ ପି ଙ୍କ ନିର୍ଦ୍ଦେଶରେ ସୋନପୁର ଥାନାର ଆଇ ଆଇ ସି ତାପସ କୁମାର ଭୋଇଙ୍କ ନେତୃତ୍ବରେ ଗୋଟିଏ ଓ ବଲାଙ୍ଗୀର ଅତିରିକ୍ତ ଏସ୍ ପି ଆଲୋକ ଜେନାଙ୍କ ନେତୃତ୍ବରେ ଦୁଇଟି ଟିମ୍ ଗଠନ କରାଯାଇ ଅନ୍ଯାନ୍ଯ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସାଇବର ଓ ସାଇଣ୍ଟିଫିକ୍ ଦଳର ସହଯୋଗରେ ତନାଘନା ତଦନ୍ତ କରାଯାଇଥିଲା । ଏକ ସ୍ବତନ୍ତ୍ର ଟିମ୍ ପିଲାର ବାପାଙ୍କୁ ସାଙ୍ଗରେ ନେଇ ପୁରୀରେ ପହଞ୍ଚି ପୁରୀ ଏସ୍ ପି ପ୍ରତୀକ ସିଂଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମାର୍କେଟ୍ ଛକ ସ୍ଥିତ ମହାବୀର ଗେଷ୍ଟ ହାଉସ୍ ରୁ ଅପହୃତ ନାବାଳକଟିକୁ ଉଦ୍ଧାର କରିବା ସହିତ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଥିବା ଅପହରଣରେ ବ୍ୟବହୃତ କାର୍ ଟିକୁ ପୁଲିସ ଜବତ କରିଛି ।
ଆଜି ସନ୍ଧ୍ୟାରେ ସୋନପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକ ସୋନପୁରରେ ରହୁଥିବା ପିଲାଟିର ପିତା ବୌଦ୍ଧର ଶ୍ରଦ୍ଧାକର ନାଏକଙ୍କ ଏତଲାକ୍ରମେ ଏକ ମାମଲା ଋଜୁ ପୂର୍ବକ ଅପହୃତ ନାବାଳକଟିକୁ କିପରି ପୁଲିସ ଉଦ୍ଧାର କଲା , ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଏଥିରେ ଉତ୍ତରପ୍ରଦେଶ ପ୍ରୟାଗରାଜର ବିଷ୍ଣୁ ଯାଦବ , ବିକାଶ ଯାଦବ ଓ ସେ ଅଞ୍ଚଳର ଅନ୍ୟମାନେ ସମ୍ପୃକ୍ତ ଥିବା ଓ ଫେରାର୍ ହୋଇଯାଇଥିଲେ ହେଁ ନିଶ୍ଚିତ ଭାବରେ ସେମାନଙ୍କୁ ଗିରଫ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ହେଁ , ଅପହୃତ ଓ ଉଦ୍ଧାର ହୋଇଥିବା ନାବାଳକଟିର ବାପମାଆ ଅପହରଣର କାରଣ ସମ୍ପର୍କରେ ସେପରି କିଛି ସନ୍ତୋଷଜନକ ତଥ୍ଯ ପ୍ରକାଶ କରି ନଥିବା ବେଳେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଅପହରଣର କାରଣସ୍ବରୂପ ଉକ୍ତ ଅପହରଣକାରୀ ବିହାରୀ ଯୁବକ ପୂର୍ବରୁ ତାଙ୍କର ଡ୍ରାଇଭର ଥିବା ଓ ସେ କିଛିଦିନ ତଳେ ତାକୁ ବାହାର କରିଦେଇ ଥିବାରୁ ସେ ସେଇ ରାଗରେ ଓ ତାଙ୍କ ଦୋକାନଟି ଭଲ ଚାଲୁଥିବାରୁ ସମ୍ଭବତଃ ଟଙ୍କା ଲୋଭରେ ଏହା କରିଥିବା ଅସ୍ପଷ୍ଟ ଉତ୍ତର ପ୍ରକାଶ କରିଥିଲେ । ଅସମର୍ଥିତ ସୂତ୍ରରୁ ପୂର୍ବରୁ ତାଙ୍କର ଏକ ଚାରିଚକିଆଗାଡି ଗଞ୍ଜେଇ ଚୋରାଚାଲାଣରେ ଧରାପଡିଥିବା ମଧ୍ଯ ଶୁଣାଯାଉଛି ।
ତେବେ ସୋନପୁରରେ ବାହାରରାଜ୍ୟର ଗଞ୍ଜେଇ ଚୋରାଚାଲାଣକାରୀମାନେ ସ୍ଥାନୀୟ ଲୋକଙ୍କ ଜରିଆରେ ଏହା କରୁଥିବା ଓ ଅପହୃତ ନାବାଳକଟିର ବାପା ମଧ୍ଯ ଏହି କାରବାରରେ ଜଡିତ ଥିବା ଚର୍ଚ୍ଚା ହେଉଛି । ପ୍ରକୃତରେ ତାଙ୍କର ଉକ୍ତ ବିହାରୀଯୁବକ ସହ କେଉଁଦିନରୁ କିଭଳି ସମ୍ପର୍କ ରହିଥିଲା , ଏବଂ କାହିଁକି ସେମାନେ ତାଙ୍କ ପୁଅକୁ ଅପହରଣ କରିନେଇ ୨୦ ଲକ୍ଷ ଟଙ୍କା ଦାବି କଲେ ? ‘-ଏହାପଛରେ କି ରହସ୍ଯ ରହିଛି କି ? -ଜାଣିବାକୁ ଲୋକେ ଦାବି କରିଛନ୍ତି । ଏହା ସହ ଫେରାର୍ ଅଭିଯୁକ୍ତ ଅପହରଣକାରୀମାନଙ୍କୁ ତୁରନ୍ତ ଗିରଫ କରାଯିବାକୁ ମଧ୍ଯ ଲୋକଙ୍କର ଦାବି ରହିଛି । ସେମାନେ ଫେରାର୍ ହେଇଗଲେ ନା ସେମାନଙ୍କୁ ଜାଣିଶୁଣି ଖସାଇ ଦିଆଗଲା , ଏହା ତଥାପି ଲୋକଙ୍କ ଅଭିଯୋଗରେ ରହିଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।