ଅପରାଧ

ଅପରାଧ ମାମଲାରେ ରାଜନୀତି 

Email :

ଝାରସୁଗୁଡା  :  ରାଜନୈତିକ ଅପରାଧ ମାମଲାରେ ବିହାରଠାରୁ ଓଡିଶା ଆଉ ଭିନ୍ନ ନୁହେଁ । କିଛିବର୍ଷ ତଳର ଟିଟିଲାଗଡ ଅଭି ସାହୁ ହତ୍ୟାକାଣ୍ଡ ହେଉ କିଛିଦିନ ତଳର ମମିତା ମେହେର ହତ୍ୟାକାଣ୍ଡ  ଅଥବା ବ୍ରଜରାଜନଗରର  ଗୁଳିକାଣ୍ଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାମାମଲା ; ଏ ସବୁ ହାଇପ୍ରୋଫାଇଲ୍ ମର୍ଡରକେସ୍ ରେ ରାଜନୀତି ଯୋଗୁଁ ବର୍ଷ ବର୍ଷ ଧରି ତଦନ୍ତ ବାଟବଣା ହୋଇଯାଇଥିବା କଥା ମିଛ ନୁହେଁ ।  ସରକାର ବଦଳିବା ପରେ ସେସବୁର ତଦନ୍ତ ଢିଲାପଡି ଯାଉଛି । ତେବେ ରାଜ୍ୟବାସୀଙ୍କ ମନରେ ଗୋଟିଏ ବଡ ପ୍ରଶ୍ନ ସବୁବେଳେ ଉଠିଛି ଯେ , ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହୁଥିବା ଗୃହବିଭାଗରେ ଏତେ ଦାୟିତ୍ୱହୀନତା କିପରି ? ଏପରି ହେବାରୁ ଜନସାଧାରଣଙ୍କର ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରୁ ଆସ୍ଥା ଉଠିଯିବା ସ୍ବାଭାବିକ୍ । ଉପରୋକ୍ତ ସମସ୍ତ ବହୁଚର୍ଚ୍ଚିତ ଚାଞ୍ଚଲ୍ୟକର ଅପରାଧ ମାମଲାରେ ଯଦିଓ କେତେକ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଜେଲ୍ ରେ ରଖାଯାଇଛି , ତଥାପି ସେସବୁ ମାମଲାର ତଦନ୍ତରେ ଲୋକେ ଆଦୌ ସନ୍ତୁଷ୍ଟ ନୁହଁନ୍ତି ।  ବସ୍ତୁତଃ ସରକାରଙ୍କ ଉପରେ ସନ୍ଦେହ ରହିଯାଉଛି । କେତେକସ୍ଥଳେ ହତ୍ୟାର ଶିକାର ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରର ଲୋକ ବା ପତ୍ନୀ ବା ଝିଅଙ୍କୁ କ୍ଷମତାସୀନ ଦଳ ପକ୍ଷରୁ ଅନୁକମ୍ପାମୂଳକ ଭାବେ ନିର୍ବାଚନରେ ଦଳୀୟ ଟିକେଟ୍ ଦିଆଯିବା ବା ସେମାନେ ବିଧାୟିକା / ମନ୍ତ୍ରୀ ହୋଇ ନିର୍ବାଚିତା ହେବା ପରେ ବି ଏ ସନ୍ଦେହ ଆହୁରି ଦୃଢୀଭୂତ ହେଉଛି ।  ତେବେ ଏହାର ପ୍ରକୃତ କାରଣ କ’ଣ  ?
ତଦନ୍ତରେ ଏଭଳି ଗୁରୁତର ତ୍ରୁଟି ରହିଯାଉଛି କାହିଁକି ? ସର୍ବୋପରି ହତ୍ୟାର ଶିକାର ହେଉଥିବା ପରିବାରର ଅନୁଗୃହୀତ ସଦସ୍ୟମାନେ ଯଥାସମୟରେ ତାହାର ଉଚିତ୍ ତଦନ୍ତ ଦାବି କରୁନାହାଁନ୍ତି କାହିଁକି ? ପରିବାରର ମୁଖିଆଙ୍କ ଠାରୁ କ୍ଷମତାର ଲୋଭ ଏତେ ଗୁରୁତ୍ବପୂର୍ଣ୍ଣ  ? ଏଭଳି ଆଚରଣ ସେମାନଙ୍କର ଭାବମୂର୍ତ୍ତି ବା ବ୍ୟକ୍ତିତ୍ବକୁ ଅଧିକ ସନ୍ଦିଗ୍ଧ କରୁନାହିଁ କି  ?  ବିଜେଡିର ଜଣେ ବରିଷ୍ଠ ଯୁବନେତା ସ୍ବର୍ଗତଃ ଅଭି ସାହୁଙ୍କ ପତ୍ନୀ ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ ହୁଅନ୍ତୁ ବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ହୁଅନ୍ତୁ ;  ଉକ୍ତ ଅପରାଧ ମାମଲାର ସଠିକ୍ ତଦନ୍ତ ଦାବି ନକରି ଚୁପ୍ ପଡିଯିବା ପଛର କାରଣ କ’ଣ  ? ଭୟ ନା ଅନ୍ୟକିଛି  ?

ମୁଖ୍ୟମନ୍ତ୍ରୀଙ୍କ ହାତରେ ରହୁଥିବା ଗୃହବିଭାଗର ଏତେ ଦାୟିତ୍ୱହୀନତା କିପରି  ?

ଏହି ପରିପ୍ରେକ୍ଷୀରେ ସଂପ୍ରତି ଦୁଇବର୍ଷ ପରେ ଉଠିଥିବା ନବ ଦାସ ଗୁଳିକାଣ୍ଡ ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗ ପଛର ଏବେ ରାଜନୈତିକ ଉଦ୍ଦେଶ୍ୟ ଯାହାଥାଉ , ଗୋଟିଏ କଥା ଲୋକଲୋଚନକୁ ଆସିଲା ଯେ ସରକାରଙ୍କ ପୁଲିସ୍ ବନାମ କ୍ରାଇମବ୍ରାଞ୍ଚ ତଦନ୍ତରେ ଗୁରୁତର ଅକ୍ଷମଣୀୟତ୍ରୁଟି ରହିଯାଇଛି ।  ପ୍ରକାଶିତ ଖବର ଅନୁଯାୟୀ , ଏକମାତ୍ର ଗିରଫ ଅଭିଯୁକ୍ତ ଗୋପାଳ ଦାସର ବନ୍ଧୁକରୁ କେତୋଟି ଗୁଳି ଫୁଟିଛି , କେଉଁ ବା କାହାର ଗୁଳିରେ ନବ ଦାସଙ୍କ ଦେହରେ ଗଳି ମୃତ୍ୟୁ ଘଟିଥିଲା , ତାଙ୍କ ପଛ ଗାଡିରେ ଗୁଳିବାଜିଥିବା ୫ ଟି ବିଭିନ୍ନ ଆକାରର କଣା କେତୋଟି ବନ୍ଧୁକର ଓ ଆଉ କାହା କାହାର ଏବଂ ମୃତକଙ୍କ ରକ୍ତଭିଜା ପିନ୍ଧାକୁର୍ତ୍ତା ସହ ତାଙ୍କ ଗାଡି ସିଟ୍ ର ରକ୍ତଲଗା ଟାଉଏଲ୍ ବିଷୟରେ ପ୍ରଥମ ପର୍ଯ୍ୟାୟର ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ ନଥିବା ସମ୍ପର୍କରେ ପ୍ରତିପକ୍ଷ ଓକିଲଙ୍କ ବିବୃତି ସହିତ ଅଦାଲତି ପ୍ରକ୍ରିୟାର ଅନ୍ୟାନ୍ୟ ଆବଶ୍ୟକୀୟ ପ୍ରୋଟେକସନ୍ ଦରଖାସ୍ତ ବା ଆଡିସ୍ ନାଲ୍ ଏତଲାଦି କରାଯାଇ ନଥିବା ଇତ୍ୟାଦି ଏତେଦିନ ପରେ ଉଠାଯିବା ପଛର ତ୍ରୁଟିବିଚ୍ୟୁତି ଜାଣିଶୁଣି ନା  ଅଜ୍ଞାନତା ବଶତଃ  ?  ଏହାର କାରଣ କ’ଣ ଓ ଏବେ ଏଥିପାଇଁ କାହାକୁ ଦାୟୀ କରାଯିବ ? ଏହା ତଦନ୍ତକାରୀଙ୍କର ଅପାରଗତା ନା ଯୋଜନାବଦ୍ଧ  ଷଡଯନ୍ତ୍ର  ?  କାହାକୁ ସନ୍ଦେହର ପରିସରକୁ ନ ଆଣିବାକୁ ଏ ଆୟୋଜନ ଥିଲା ?  ଯଦି ଷଡଯନ୍ତ୍ର , ଏହି ହତ୍ୟାର ମୋଟିଭ୍ କ’ଣ ଥିଲା ?  ସର୍ବୋପରି ସରକାର ତରବରିଆ ଭାବେ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତଭାର ଦେବା ଓ ଜଣେ ବିବଦମାନ ବରିଷ୍ଠ ଅଧିକାରୀଙ୍କୁ ମୁତୟନ କରିବା ପରେ ପୂର୍ବର ପରୀମାମଲାର ଜାମୁକୋଳି ଗପ ବା ପାଟଣାଗଡ ପାର୍ଶଲ ବୋମା ର ଡବଲମର୍ଡର ମାମଲାର ୟୁ ଟ୍ୟୁବ୍ ଗପ ପରି ଏଥିରେ ପାଇଖାନା ଟାଙ୍କି ଗପ ଲୋକଙ୍କୁ ଶୁଣାଇବା ପରି ହାସ୍ୟାସ୍ପଦ ଭିନ୍ନମୋଡରେ ଜନମାନସକୁ ବିଭ୍ରାନ୍ତ କରାଯାଇଥିଲା  ?  କୁଆଡେ ଗଲା ସେସବୁ ପଲିଗ୍ରାଫ୍ ଟେଷ୍ଟ ,ଅନ୍ୟାନ୍ୟ ନାର୍କୋଟେଷ୍ଟ ଓ ବୈଦେଶିକ ସଂସ୍ଥା ଦ୍ବାରା ପରୀକ୍ଷା ପରି ଲୋକଙ୍କୁ ଭୁଆଁବୁଲାଇଲା ପରି ବିଭିନ୍ନ ବୈଜ୍ଞାନିକ ପରୀକ୍ଷାର ରିପୋର୍ଟ ?

ଯଦି ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟାମାମଲାରେ ଏଭଳି ବିସଙ୍ଗତି ରହୁଛି , ଜଣେ ସାଧାରଣ ନାଗରିକଙ୍କର ହତ୍ୟାରେ କିଭଳି ତଦନ୍ତ ହେଉଥିବ , ବିଚାରସାପେକ୍ଷ । ଏକଥା ଭିନ୍ନ କଥା ଯେ କେଉଁ ଗାଡିରେ କେତୋଟି ଗୁଳି ବାଜିଛି ବା  ଏହାର ଷଡଯନ୍ତ୍ରର ଦିଗ ବା ଅନ୍ୟାନ୍ୟ କୌଣସି ଦିଗ କିମ୍ବା ଅନ୍ୟ ଅପରାଧୀଙ୍କୁ ଛଡାଯାଇଛି  !  କିନ୍ତୁ ଏହା ସ୍ପଷ୍ଟ ଯେ ସରକାରଙ୍କ ବରିଷ୍ଠ ତଦନ୍ତକାରୀ ସଂସ୍ଥାର ତଥାକଥିତ ବିଚକ୍ଷଣ ଅଭିଜ୍ଞ ତଦନ୍ତଅଧିକାରୀମାନେ କେତେଦୂର ଏକ ନରହତ୍ୟା ମାମଲାର ପରିଚାଳନାରେ ସ୍ବଚ୍ଛତା ଅବଲମ୍ବନ କରିଛନ୍ତି ? ଏଣୁ ଯଦି ଏହି ମାମଲାର ସିବିଆଇ ତଦନ୍ତ ହୁଏ ଓ ତଦନ୍ତରେ ଏହି ମାମଲାର ଅଦ୍ୟାବଧି ତଦନ୍ତ ଭୁଲ୍ ପ୍ରମାଣିତ ହୁଏ , ଏଥିପାଇଁ ଉକ୍ତ ତଦନ୍ତ ଅଧିକାରୀଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ , ସରକାର ସ୍ପଷ୍ଟ କରିବା ଆବଶ୍ୟକ । କାରଣ ଉକ୍ତ ଅଧିକାରୀମାନେ ଇ ସରକାର ଓ ଜନସାଧାରଣଙ୍କୁ ତଦନ୍ତ ନାଁ’ରେ ବିଭ୍ରାନ୍ତ କରିଥିବାର ସନ୍ଦେହ ଉପୁଜିଛି । 

ଦିନ ଦ୍ବିପ୍ରହରରେ ସ୍ପଷ୍ଟଦିବାଲୋକରେ ହଜାର ହଜାର ଲୋକ , ସୁରକ୍ଷାକର୍ମୀ , ପୁଲିସ୍ , ଅଧିକାରୀ ଓ ରାଜନେତାଙ୍କ ଉପସ୍ଥିତିରେ ରାଜ୍ୟର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ହତ୍ୟାକାଣ୍ଡର ଏତେଦିନ ପରେ ତଥାପି ତଦନ୍ତରେ ଗୁରୁତର ତ୍ରୁଟି ରହିଯିବା ନିମନ୍ତେ ପୂର୍ବସରକାର ବନାମ ଗୃହବିଭାଗ ଦାୟିତ୍ୱରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଦାୟୀ କରା ନଯିବ ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖନୀୟ ଯେ , ନବ ଦାସ ଗୁଳିକାଣ୍ଡ ବନାମ ହତ୍ୟାକାଣ୍ଡରେ ଜଣେମାତ୍ର ପୁଲିସ୍ ଅଭିଯୁକ୍ତ ହୋଇ ନପାରେ ଓ ଏହାପଛରେ ମୃତକଙ୍କର ବହୁ ଶତ୍ରୁ ରହିଥିବା , ବ୍ୟବସାୟିକ ବା ଅନ୍ୟାନ୍ୟ ଧନ୍ଦାର ବିବାଦ ଥିବା ସହ ସେ ସମୟର ଭିଡିଓରେ ବେକରେ ବିଜେଡିର ନୀଳ ଉତ୍ତରୀୟ ପକାଇ ପିସ୍ତଲ୍ ଲହରାଉଥିବା ଅନ୍ୟ ଜଣେ କର୍ମୀ ବନାମ ସ୍ନାଇପର ବନାମ ସନ୍ଦିଗ୍ଧ ଆସାମୀର ଫଟୋ ଭାଇରାଲ୍ ହୋଇଥିବାରୁ ଏଥିରେ ଏକାଧିକ ହତ୍ୟାକାରୀ ବା ଅନ୍ୟକେହି ମଧ୍ୟ ସମ୍ପୃକ୍ତ ରହିଥିବାର ସନ୍ଦେହ ଆମ ରିପୋର୍ଟରେ ପ୍ରକାଶ ପାଇଛି । ତେଣୁ ବ୍ରଜରାଜନଗର ଓ ଝାରସୁଗୁଡ଼ା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀର ନେତୃତ୍ବ ବିବାଦ ଏହାର କାରଣ ବୋଲି ଲୋକଙ୍କ ଚର୍ଚ୍ଚାକୁ ପୂର୍ବ ତଦନ୍ତକାରୀ ଗୁରୁତ୍ୱ ଦେଇ ନଥିବା ବା ଜାଣିଶୁଣି ଏଡାଇ ଯାଇଥିବାର କାରଣ କ’ଣ ହେଇପାରେ  ?

ଏଣୁ ସିବିଆଇ ତଦନ୍ତ ନିମନ୍ତେ ସରକାର ନବ ଦାସଙ୍କ ପରିବାରର ସଦସ୍ୟଙ୍କ ଲିଖିତ ଆବେଦନକୁ ଅପେକ୍ଷା ନକରି ନିଜ ତରଫରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଗୁରୁତର ଅପରାଧ ମାମଲାର ସିବିଆଇ ତଦନ୍ତ ଦେବାକୁ ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରନ୍ତି ।

Leave a Reply

Your email address will not be published. Required fields are marked *

Related Post