ଅପରାଧ

ବନେଇମୁଣ୍ଡା ଆଶ୍ରମ ସ୍କୁଲ ଛାତ୍ରଙ୍କୁ ମାଡ ଘଟଣା :

Email :

କାର୍ଯ୍ୟାନୁଷ୍ଠାନ ହେବ କହି ଚାପିଦେଲେ !

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଲ୍ଯାଣ ବିଭାଗର ସ୍କୁଲଗୁଡିକରେ ବିଶୃଙ୍ଖଳା ଓ ଅନିୟମିତତା ସୀମାଲଙ୍ଘନ କଲାଣି । ଗତ ୧୪ ତାରିଖରେ ପାଟଣାଗଡ ବ୍ଲକ୍ ଅନ୍ତର୍ଗତ ବନେଇମୁଣ୍ଡା ଆଶ୍ରମ ସ୍କୁଲରେ ଜଣେ ଶିକ୍ଷକଙ୍କ ନିସ୍ତୁକମାଡରେ ୭ ଜଣ ଛାତ୍ର ସ୍କୁଲରୁ ଭୟରେ ପଳାଇଯାଇ ବଲାଙ୍ଗୀର ବସ୍ ଷ୍ଟାଣ୍ଡରୁ ଉଦ୍ଧାର ହେବା ଘଟଣା ପରେ ଅଭିଯୁକ୍ତ ଭୋକେସନାଲ ଶିକ୍ଷକ ପ୍ରଶାନ୍ତ ପଟେଲଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଜ୍ଞାନ ମଞ୍ଜରୀ ଶିକା ପ୍ରକାଶ କରିଥିବା ପରେ ଅଦ୍ୟାବଧି କୌଣସିପ୍ରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ସହିତ ଏହାକୁ ଚପାଇ ଦିଆଯାଇଛି । ଏହାପଛରେ ଭାରପ୍ରାପ୍ତ ଜିଲ୍ଲା କଲ୍ଯାଣ ଅଧିକାରୀ ପ୍ରତାପ କୁମାର ମହାନ୍ତିଙ୍କ ବିରୁଦ୍ଧରେ ତାଙ୍କ ଅଧସ୍ତନ କିରାଣୀ ଓ ଅଧିକାରୀଙ୍କ ଜରିଆରେ ଲୋକେ ଓ ବିଭାଗୀୟ ମହଲରେ ଲାଞ୍ଚ ଖାଇଥିବା ଚର୍ଚ୍ଚା ଉଠିଛି । ଯଦିଓ ସେ ଏହାକୁ ଅସ୍ୱୀକାର କରନ୍ତି ।

ତେବେ ଘଟଣାର ଖବରପାଇ ସ୍ଥାନୀୟ ପାଟଣାଗଡ ଆଦିବାସୀ କଲ୍ଯାଣ ସଂଘର କର୍ମକର୍ତ୍ତାମାନେ ସ୍କୁଲକୁ ଯାଇଥିବା ଓ କାହିଁକି କେଜାଣି ପରେ ନୀରବତା ଅବଲମ୍ବନ କରିଥିବା ଦେଖାଯାଇଛି । ଶିକ୍ଷକଙ୍କ ବାଉଁଶରେ ନିସ୍ତୁକ ମାଡରେ ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଇଥିଲେ ହେଁ , ଜଣେ ଶିକ୍ଷକଙ୍କ ମାମୁଁ ବାବୁଲାଲ ଧରୁଆ ମଧ୍ଯ ଗଣମାଧ୍ୟମରେ ଅଭିଯୋଗ ପ୍ରକାଶ କରିଥିଲେ ହେଁ ଆହୁରି ବି ଏହି ଘଟଣା ପରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କାହାରିକୁ ସ୍କୁଲକୁ ଯିବାକୁ ଛାଡୁ ନ ଥିବା ଓ ଭିତରେ ଘଟୁଥିବା କୌଣସିପ୍ରକାର ବିଶୃଙ୍ଖଳା ଓ ଅନିୟମିତତାକୁ ଘଣ୍ଟ ଘୋଡାଉଥିବା ଦେଖାଯାଇଛି ।

ନିକଟରେ କେତେକ ଗଣମାଧ୍ୟମର ପ୍ରତିନିଧିଙ୍କ ସହ ସ୍ଥାନୀୟ ଅଭିଭାବକ ସ୍କୁଲକୁ ଯାଇଥିଲେ ହେଁ , ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଗେଟ୍ ଜଗିଥିବା ଜନୈକା ମହିଳା ସିସିଏ ‘ ଏବେ କେହି ନାହାଁନ୍ତି ‘ ମିଛ କହି ସେମାନଙ୍କୁ ଭିତରକୁ ଛାଡି ନଥିଲେ । ଉଲ୍ଲେଖଯୋଗ୍ଯ ଯେ , ଦୀର୍ଘଦିନ ଧରି ଅବସ୍ଥାପିତା ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ବହୁ ଅଭିଯୋଗ ରହିଛି । ମୁଖ୍ଯତଃ ହଷ୍ଟେଲର ମେସ୍ ନାମକୁମାତ୍ର ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀ ଚଳାଉଥିବା କୁହାଯାଉଥିଲେ ହେଁ , ଉକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ହାତରେ ରହିଛି । ଏଥିରେ ପିଲାଙ୍କୁ ନିମ୍ନମାନର ଖାଦ୍ଯ ଦିଆଯାଇ ବାଟମାରଣାର ସିଂହଭାଗ ଉପରିସ୍ଥ ଅଧିକାରୀଙ୍କ ପକେଟ୍ କୁ ଯାଉଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି । ତାଙ୍କ ବିରୋଧରେ ପ୍ରକାଶିତ ସମସ୍ତ ଅଭିଯୋଗକୁ ଉପରିସ୍ଥ ଅଧିକାରୀ କର୍ଣ୍ଣପାତ କରୁନାହାଁନ୍ତି ! ଏହି ଛାତ୍ରଙ୍କୁ ମାଡ ଘଟଣାରେ ମଧ୍ଯ ନୀରବତା ଅବଲମ୍ବନ କରାଯାଇ ଆସିଛି । ଏଣୁ ଏହି ପ୍ରଧାନ ଶିକ୍ଷୟିତ୍ରୀ ଓ ଭାରପ୍ରାପ୍ତ ଜିଲ୍ଲା କଲ୍ଯାଣ ଅଧିକାରୀଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବା ସହିତ ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବାକୁ ଦାବି ହେଉଛି । ଏହା ସହିତ ସ୍କୁଲ୍ ରେ ଘଟୁଥିବା କାଣ୍ଡକାରଖାନାର ଏକ ଉଚ୍ଚସ୍ତରୀୟ ବିଶଦ ତଦନ୍ତ କରାଯିବାକୁ ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରାଯାଉଛି ।

ଉଲ୍ଲେଖଯୋଗ୍ଯ ଯେ ବଲାଙ୍ଗୀର ଓ କିଛିଦିନ ତଳେ ଘଟିଥିବା ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡର ଏକ ସ୍କୁଲର ଜନୈକା ଛାତ୍ରୀର ପେଟ୍ରୋଲ୍ ଢାଳିହେଇ ଆତ୍ମହତ୍ୟା ଓ ନିକଟରେ ସୁବର୍ଣ୍ଣପୁର ଜିଲ୍ଲାର ଚାରଭଟା ଉଚ୍ଚ ମାଧ୍ୟମିକ ବିଭାଗୀୟ ସ୍କୁଲରେ ଜଣେ ଛାତ୍ରଙ୍କୁ ହତ୍ୟା କରି ୮ ଜଣ ସହପାଠୀ ଗିରଫ ହୋଇ ଜେଲ ଯିବା ଆଦି ଘଟଣା ସତ୍ତ୍ବେ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗର ବିଦ୍ୟାଳୟର ଏତାଦୃଶ ଚରମ ବିଶୃଙ୍ଖଳା ପ୍ରତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କର ମଧ୍ଯ ଦୃଷ୍ଟିଆକର୍ଷଣ କରାଯାଉଛି ଯେ ତୁରନ୍ତ ଏହି ବିଦ୍ୟାଳୟଗୁଡିକର ଶିକ୍ଷକ/ ଶିକ୍ଷୟିତ୍ରୀ ଏବଂ ଅଧିକାରୀଙ୍କ ବଦଳି ଅନିବାର୍ଯ୍ୟ ହୋଇପଡ଼ିଥିବାରୁ ସମୂହସଂସ୍କାର ଆବଶ୍ୟକ ବୋଲି ଜନମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *

Related Post