ଦୁର୍ନୀତି

ବାରଭାଇ ଆଖଡାରେ ବହୁବାଣ୍ଟ

Email :

ଅଙ୍ଗନବାଡି ଛତୁଆ ରାଜନୀତି !

ମିଶନଶକ୍ତିର ସ୍ବୟଂ ସହାୟିକା ଗୋଷ୍ଠୀ ହାତରେ ଶିଶୁଖାଦ୍ୟ !

ବଲାଙ୍ଗୀର : ଅଙ୍ଗନବାଡିର ଶିଶୁଖାଦ୍ୟ ରୂପେ ଦିଆଯାଉଥିବା ଛତୁଆ ସରକାରଙ୍କ ଦ୍ଵାରା କ୍ରମଶଃ ରାଜନୀତିକରଣ ହୋଇଚାଲିଛି । କେବେ ଏହାର ମହିଳାଙ୍କୁ କ୍ଷମତାସୀନ ଦଳର ଭୋଟ୍ ବ୍ୟାଙ୍କ୍ ବା ନିର୍ବାଚନୀ ସଭାର ଶକ୍ତିପ୍ରଦର୍ଶନ ତ , କେଉଁଠି ନେତା / ଅଧିକାରୀଙ୍କ ବେପାର ଓ କମିଶନୀ ପାଇଁ ‘ବନ୍ଧାହୁଆ ଅଣ୍ଡାବାଲୀ ମୁ ର୍ ଗୀ ‘ ଭାବେ ବ୍ୟବହାର କରାଯିବା ଲକ୍ଷ୍ୟ କରାଯାଇ ଆସୁଛି ।

ଗତ ୨୦୧୧ ରେ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ମିଳିତ ଉଦ୍ୟମରେ ମିଶନଶକ୍ତିର ସ୍ବୟଂ ସହାୟିକା ଗୋଷ୍ଠୀ ଜରିଆରେ ପ୍ରସ୍ତୁତ କରାଯାଇ ଆରମ୍ଭ କରାଯାଇଥିବା ଗର୍ଭବତୀ , ପ୍ରସୂତୀ ମାଆ ଓ ଶିଶୁଙ୍କ ପାଇଁ ଗାଁ ଗାଁ ର ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ମାଗଣା ବଣ୍ଟନ କରାଯାଉଥିବା ଏହି ପୁଷ୍ଟିକର ଶୁଖିଲା ଭଜା ଗହମ , ବୁଟ , ବାଦାମ , ଚିନି ଗୁଣ୍ଡ ବା ଟି ଏଚ୍ ଆର୍ କିଗ୍ରାପ୍ରତି ପ୍ୟାକେଟ୍ ର ବଜାର ଦର ଟ ୧୫୦ /_ ଥିବା ବେଳେ ଏହାର ମୂଲ୍ଯ ଟ ୨୪ . ୪୦ ହେବ ବୋଲି ରଖାଯାଇଥିଲା ।

ତେବେ ୨୦୧୮ ରେ ଏହା କେନ୍ଦ୍ର ସରକାରଙ୍କ ଠାରୁ ଭାଗ କରାଯାଇ ରାଜ୍ୟ ସରକାରଙ୍କ ମିଶନଶକ୍ତି ପକ୍ଷରୁ ଏଥି ସହ ବାଦାମ ଲଡୁ , ସୁଜି ହାଲୁଆ , ମକା ହାଲୁଆ ଓ ପେଣ୍ଡି ଖଜୁରୀ ଇତ୍ୟାଦି ଯୋଗ କରାଯାଉଛି । ଆହୁରି ମଧ୍ଯ ମିଶନଶକ୍ତି ପକ୍ଷରୁ ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ମାନଙ୍କୁ ଉନ୍ନତିକରଣ ସକାଶେ ୨୫ ଲକ୍ଷ ଟଙ୍କାପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯାଇଥିଲା । ଏହାପୂର୍ବରୁ ଏହା ରନ୍ଧାଖାଦ୍ୟ , ଡାଲିଭାତ , ସୋୟାବିନ୍ , ତେଲ ପରେ ଓରିମିକ୍ସ ଇତ୍ୟାଦି ଦିଆଯାଉଥିଲା ।

ତେବେ ମିଶନଶକ୍ତି ଜରିଆରେ ମହିଳାମାନଙ୍କୁ ସଶକ୍ତିକରଣ ବା କର୍ମନିୟୋଜନ ଯୋଗାଇବା ଆଳରେ ସେମାନଙ୍କୁ ଦଳୀୟ ରାଜନୈତିକ ସଭାସମିତିରେ ଠୁଳ କରି ଶକ୍ତିପ୍ରଦର୍ଶନ କରିବା ଇତ୍ୟାଦି ରାଜ୍ଯସରକାରଙ୍କ ଏକ କୌଶଳ ହୋଇଥିଲା । ଏହି ମହିଳାସଂଗଠନ ଏତେ ଶକ୍ତିଶାଳୀ ହୋଇଉଠିଥିଲା ଯେ ଏବେ ନୂତନ ସରକାର ଗଠନ ହେଲା ପରେ ବି ମିଶନଶକ୍ତିର ଜୟଗାନ କରିବା ଛଡା ସରକାରଙ୍କର ଗତ୍ୟନ୍ତର ନାହିଁ ! ଗତ ବିଧାନସଭାରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗତ ସରକାରଙ୍କ ମିଶନଶକ୍ତିର ଗୁଣଗାନ କରିବା ଏହାର ଉଦାହରଣ ! ଯଦିଓ ଅଦ୍ୟାବଧି ମିଶନଶକ୍ତିର ଏକ ବିକଳ୍ପ ରାଜନୈତିକ ରୂପାନ୍ତରୀକରଣ କରିବେ କରିବେ ବୋଲି କରାଯାଇପାରିନାହିଁ ।

ଦ୍ବିତୀୟତଃ ଏହି ଲାଭଦାୟକ ଛତୁଆ ୟୁନିଟ୍ ଗୁଡିକ ମୁନାଫାଖୋର୍ ବ୍ୟବସାୟୀ , ଅସାଧୁ ଅଧିକାରୀ ଓ ଦୁର୍ନୀତିଗ୍ରସ୍ତ ରାଜନେତା ବା ଲୋକପ୍ରତିନିଧିଙ୍କ ଲୋଲୁପ ଦୃଷ୍ଟିରେ ପଡିଲା । ମାସିକ ଲକ୍ଷାଧିକ ଟଙ୍କାର ବିଲ୍ ସେମାନଙ୍କୁ ଆକୃଷ୍ଟ କଲା । ଏଣୁ ସେମାନେ ନିୟମିତ କମିଶନ , ବଟି , ଲାଞ୍ଚ ନେଲେ । ବିଭାଗୀୟ ସୁପରଭାଇଜର, ସିଡିପିଓ, ବିଲିଂ କିରାଣୀ , ଯାଞ୍ଚକାରୀ ଅଧିକାରୀଙ୍କ ଠାରୁ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଡିଏସ୍ ଡବ୍ଲୁ ଓ ,ଜିଲ୍ଲାପାଳ ,ବିଧାୟକ, ସାଂସଦ ଓ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଏହା ଲମ୍ବିଯାଇଛି କି ନାହିଁ , ତଦନ୍ତ ସାପେକ୍ଷ ! କେବଳ ବଲାଙ୍ଗୀର , କଳାହାଣ୍ଡି ବା ଉପାନ୍ତ ଜିଲ୍ଲାରେ ଛତୁଆ ବିଲ୍ ରୁ ମାତ୍ରାତିରିକ୍ତ ବିଭାଗୀୟ ବଟିକୁ କେନ୍ଦ୍ର କରି ଛତୁଆ ପ୍ରସ୍ତୁତକାରୀ ଏସ ଏଚ ଜି ର କର୍ମକର୍ତ୍ତୀ ସୁପରଭାଇଜର ଓ ସିଡିପିଓଙ୍କୁ ଥୋପ ପକାଇ ଭିଜିଲାନ୍ସ ହାତରେ ଧରାଇବା , ରାଜନୈତିକ ଚାପ ପକାଇ ବଦଳି କରାଇଦେବା ଓ ନିଜ ନିଜ ମଧ୍ଯରେ ବିବାଦ ସୃଷ୍ଟି କରିବାର ଅନେକ ଉଦାହରଣ ମିଳିଯିବ ।

ସବୁଠାରୁ ସାଙ୍ଘାତିକ୍ ଘଟଣା ଯେ କିଛିମାସ ତଳେ ଗତ ନୂଆଖାଇଠାରୁ ବଲାଙ୍ଗୀର ମହିଳା ସାଂସଦ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର ଛତୁଆ ଏସ୍ ଏଚ୍ ଜି ଙ୍କ ଠାରୁ ନୋମିନୀ ବା ଏଜେଣ୍ଟ ତାଙ୍କଲୋକ ଲଗାଇ ମାସକର / ସ୍ଥଳବିଶେଷରେ ଦୁଇମାସର ବିଲ୍ ଅଟକାଇ ଦେଇ ଲକ୍ଷ ଲକ୍ଷ ଟଙ୍କାର ଉତ୍କୋଚ ଅସୁଲ୍ କରିବାର ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗ । ଏହି ପରିମାଣ କେଉଁଠି ୭ ଲକ୍ଷ ( ବୀରମହାରାଜପୁର ବ୍ଲକର ଜଟେସିଂହା ) ତ , ବଲାଙ୍ଗୀର ଜିଲ୍ଲାର ଲୋଇସିଂହାର ଏକ ଏସ୍ ଏଚ୍ ଜିର କହିବାନୁଯାୟୀ କେଉଁଠି ଏହା ୧୫ ଲକ୍ଷ । କେତେକ ଏସ୍ ଏଚ୍ ଜି କର୍ମକର୍ତ୍ତୀ କାନ୍ଦି ପକାଇ ଏହା ଅଭିଯୋଗ କରିଥିଲେ । ବଲାଙ୍ଗୀର ପୁଇଁନ୍ତଳା ବ୍ଲକର ଏକ ଏସ୍ଏଚ୍ ଜିର ସମ୍ପାଦିକା ସାଂସଦଙ୍କ ଏହି ରାଜତଣ୍ଡର ଉଲ୍ଲେଖ ତାଙ୍କ କ୍ୟାସ୍ ବୁକ୍ କରିଥିବା ପ୍ରକାଶ କରିଛନ୍ତି । ଏଥିରେ ସମ୍ପୃକ୍ତ ଡି ଏସ୍ ଡବ୍ଲୁଓ ଓ ଜିଲ୍ଲାପାଳମାନେ ସହଯୋଗ କରିଥିବା ସହିତ ନିଜ ନିଜର ଭାଗ ମଧ୍ଯ ଆଦାୟ କରିଥିବା ଅଭିଯୋଗରୁ ପ୍ରକାଶ । ଅଦ୍ୟାବଧି ଅଭିଯୋଗ ପ୍ରକାଶର ମାସାଧିକ କାଳ ପରେ ବି ସେମାନଙ୍କ ତରଫରୁ କୌଣସି ସ୍ପଷ୍ଟୀକରଣ ବା ପ୍ରତିବାଦ ପ୍ରକାଶ ପାଇନାହିଁ । ଓଲଟି ସୁବର୍ଣ୍ଣପୁର ଜିଲ୍ଲାର ଜନୈକ ବିଧାୟକ କଟାକ୍ଷ ପ୍ରକାଶ କରିଥିଲେ ଯେ , ‘ଗତ ସରକାରଙ୍କ ୨୪ ବର୍ଷର ପାପକୁ ସେମାନେ ଗଙ୍ଗାରେ ଧୋଇଛନ୍ତି ! ‘ଆହୁରି ବି ଏହି ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ଙ୍କୁ କାଟିବାକୁ ସୁନିୟୋଜିତ ଭାବରେ ବିଭାଗୀୟ ନମୁନା ଯାଞ୍ଚର ଆଳ ନିଆଯାଇଥିଲା । ଏସବୁ ଚାପ , ଧମକ ଓ ତଥାକଥିତ କାର୍ଯ୍ୟାନୁଷ୍ଠାନ ଇତ୍ୟାଦି ପରେ ‘ ଯିଏ ଦେଲା , ତାକୁ ରଖି ବାକିମାନଙ୍କୁ କାଟି ଦିଆଗଲା ‘ ବା ପଞ୍ଚାୟତ ଭାଗ କରିଦିଆଯାଇଛି ।

‘ରୁଚି’ କମ୍ପାନୀକୁ ଦେଇଦେବେ କି ସରକାର ?

ତେବେ ସଦ୍ୟତମ ଘଟଣା ଅନୁଯାୟୀ , ଓଡ଼ିଶାର ସୁପ୍ରତିଷ୍ଠିତ ମସଲା କମ୍ପାନୀ ‘ ରୁଚି ‘କୁ ରାଜ୍ୟର ଏହି ଛତୁଆ ପ୍ରସ୍ତୁତ କରିବାର ଦାୟିତ୍ବ ଦିଆଯିବ ବୋଲି ଶୁଣିବାକୁ ମିଳୁଛି । ( ଯଦିଓ ସରକାର କିମ୍ବା ‘ ରୁଚି ‘ ପକ୍ଷରୁ ଏହାର କୌଣସି ବିଜ୍ଞପ୍ତି ପ୍ରକାଶ ପାଇନାହିଁ । ତେବେ ଅତୀତର କଟକ ଜଗତପୁରର ଏକ ସଂସ୍ଥାର ‘ଓରିମିକ୍ସ ‘ଏହି ଛତୁଆ ଦେଉଥିବା ଘଟଣାକୁ ସ୍ମରଣ କରି ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ମାନେ ବିଚଳିତ ହୋଇପଡିଥିବା ଓ ଗତ ଅପ୍ରେଲ ୧୦ ତାରିଖରେ ଏଭଳି ଏସ୍ ଏଚ୍ ଜି ଗୁଡିକୁ ବର୍ଷିକିଆ ଚୁକ୍ତି ବଦଳରେ ୩ ମାସିଆ ଚୁକ୍ତି କରିବାକୁ ସମସ୍ତ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି କରାଯାଇଥିବାରୁ କିଛିଦିନ ତଳେ ଅନୁଗୁଳରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ରାଜ୍ୟ ଛତୁଆ ପ୍ରସ୍ତୁତକାରୀ ସଂଘ ପକ୍ଷରୁ କେନ୍ଦ୍ର ସରକାର ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଥିବା ସହ କେନ୍ଦ୍ର ସହ ଏହି ଯୋଜନାର ବିଭକ୍ତିକରଣ ଯୋଗୁଁ ସୃଷ୍ଟ କାରଣରୁ ନିମ୍ନମାନର ବୋଲି ଅପବାଦ ଦିଆଯାଉଥିବା ଓ ଅନ୍ଯାନ୍ଯ ସମସ୍ୟା ସହିତ ସରକାରଙ୍କୁ ଏକ ଦାବିପତ୍ର ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାର ଶ୍ରୀ ମା’ ଅନ୍ନପୂର୍ଣ୍ଣା ଏସ୍ ଏଚ୍ ଜି ର ସମ୍ପାଦିକା ସବିତା ମିଶ୍ରଙ୍କ ଠାରୁ ଜଣାଯାଇଛି । ଆହୁରି ମଧ୍ଯ , ଗତ ୧୩ ତାରିଖରେ ସଂଘ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଅଭିଯୋଗ ପ୍ରକୋଷ୍ଠରେ ଭେଟି ଏ ସମ୍ପର୍କରେ ଅନୁରୋଧ କରାଯାଇଥିବା ସଂଘର ରାଜ୍ୟ ସଭାନେତ୍ରୀ କୋରାପୁଟର ସୁପ୍ରଭା ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ।

ତେବେ ଏକଥା ମଧ୍ଯ ମିଥ୍ୟା ନୁହଁ ଯେ , ଏହି ଛତୁଆ ପ୍ରସ୍ତୁତକାରୀ ଅଧିକାଂଶ ଏସ୍ ଏଚ୍ ଜି ଗୁଡିକର ସଭାନେତ୍ରୀ , ସମ୍ପାଦିକା , ସେମାନଙ୍କର ପଛରେ ଥିବା ପୃଷ୍ଠପୋଷକମାନେ ବର୍ଷ ବର୍ଷ ଧରି ଶିଶୁ ଓ ଏହି ମହିଳା ହିତାଧିକାରୀଙ୍କ ପେଟରୁ କାଟି ବ୍ୟାପକ ଲୁଣ୍ଠନ କରିଆସି କୋଟିପତି ପାଲଟିଗଲେଣି । ଏହି ମୁନାଫାର ପରିମାଣ ଏତେ ହେଲାଣି ଯେ ସେମାନଙ୍କ ମଧ୍ୟରୁ କେତେକ ପ୍ରଚୁର ଅନ୍ଯାୟୋପାର୍ଜନ କରି ନିର୍ବାଚନରେ ମଧ୍ଯ ଠିଆହୋଇଥିଲେ ! ସୁବର୍ଣ୍ଣପୁର ଜିଲ୍ଲାର ବଡବାହାଲିରେ ଏଭଳି ଏସ୍ ଏଚ୍ ଜି ର ସମ୍ପାଦିକା ସେ ତାଙ୍କ ଗ୍ରାମରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାରେ ବିପୁଳ ଆର୍ଥିକ ସହାୟତା ଦେଇଥିବା ଓ ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକର କୁଲଥିପାଲିର ଜଣେ କର୍ମକର୍ତ୍ତୀ ଦୁଇଲକ୍ଷ ଟଙ୍କାର ଧର୍ମାନୁଷ୍ଠାନ ଏକ ଭାଗବତ ପାରାୟଣରେ ଏହି ଲାଭାର୍ଥ ଟଙ୍କାକୁ ବ୍ୟୟ କରିଥିବା ପ୍ରକାଶ କରିଥିଲେ ।

ଏଣୁ ସେମାନଙ୍କର ଓ ସେମାନଙ୍କ ପଛରେ ଥିବା ବେପାରୀ , ମାରୁଆଡିମାନଙ୍କର ଏଥିରୁ ଗତ କେଇବର୍ଷର ବେଆଇନ୍ ଅର୍ଜିତ ଘରବାଡି , ଗାଡିମଟର ଇତ୍ୟାଦି ସମ୍ପତ୍ତିର ଭିଜିଲାନ୍ସ ତଦନ୍ତର ଆବଶ୍ୟକତା ରହିଥିବା ମତପ୍ରକାଶ ପାଉଛି । ଏଣୁ ରାଜ୍ଯର ଅନ୍ଯାନ୍ଯ ଜିଲ୍ଲାର ଏଭଳି ଛତୁଆ ପ୍ରସ୍ତୁତକାରୀ ଏସ୍ ଏଚ୍ ଜି ଗୁଡିକର କାର୍ଯ୍ୟକଳାପର ତନ୍ନ ତନ୍ନ ସମୀକ୍ଷା ଓ ଉଚ୍ଚସ୍ତରୀୟ ସ୍ବତନ୍ତ୍ର ତଦନ୍ତ ଜରୁରୀ ବୋଲି ଜନମତ ପ୍ରକାଶ ପାଇଛି । ଯଦିଓ ଅଭିଯୁକ୍ତଙ୍କ ପକ୍ଷରୁ ଉପରୋକ୍ତ ଅଭିଯୋଗକୁ ଅସ୍ୱୀକାର କରାଯାଇଛି ।

ଏଣୁ ସରକାରଙ୍କର ଏହି ପଞ୍ଚାୟତ ଭାଗ ଭାଗ ଓ ତିନିମାସିଆ ଚୁକ୍ତି ସମେତ ଏପରି ବାରଭାଇ ଆଖଡାରେ ବହୁବାଣ୍ଟ କରାଯାଉଥିବା ଅପେକ୍ଷା କୌଣସି ଉତ୍ତରଦାୟୀ ସୁପ୍ରତିଷ୍ଠିତ କମ୍ପାନୀକୁ ଏହାର ପ୍ରସ୍ତୁତି ଦାୟିତ୍ବ ଦିଆଯିବା ଅଧିକ ଉପଯୁକ୍ତ ହେବ ବୋଲି ଜନସାଧାରଣଙ୍କ ପକ୍ଷରୁ ସ୍ବାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *

Related Post