ବଲାଙ୍ଗୀର : ଆଜି ଅପରାହ୍ନରେ ବଲାଙ୍ଗୀର ଗସ୍ତରେ ଆସିଥିବା ରାଜ୍ୟ ସଂସ୍କୃତିମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ସର୍କଟ୍ ହାଉସ୍ ରେ ଭେଟି ଆଗାମୀ ପୁସ୍ତକମେଳା ବନାମ ବଲାଙ୍ଗୀର ବହିହାଟ ପାଇଁ ସରକାରୀ ଅନୁଦାନ ନିମନ୍ତେ ଅନୁରୋଧ କରିଥିଲେ ଜିଲ୍ଲା ଲେଖକ ପରିଷଦର କର୍ମକର୍ତ୍ତାମାନେ । ବହିହାଟର ମୁଖ୍ୟ ସଂଯୋଜକ ମହେନ୍ଦ୍ର କୁମାର ଦର୍ଜୀଙ୍କ ଅଧ୍ୟକ୍ଷତାରେ ପରିଷଦର ସମ୍ପାଦକ କପିଳେଶ୍ବର ଖମାରୀ , ସହ- ସମ୍ପାଦକ ରଘୁନନ୍ଦନ ସିଂ ଓ ଅନ୍ୟମାନେ ମନ୍ତ୍ରୀଙ୍କୁ ଭେଟି ପରିଷଦର ଏହି ପୁସ୍ତକମେଳା ( ବଲାଙ୍ଗୀର ବହିହାଟକୁ ସିଧାସଳଖ ସରକାରୀ ଅନୁଦାନ ପ୍ରଦାନ କରାଯିବାକୁ ଅନୁରୋଧ କରିଥିଲେ । ଏଥିପାଇଁ ଜିଲ୍ଲା ଭାଜପା ସଭାପତି ଶିବାଜୀ ମହାନ୍ତି ଏବଂ ଗତ ବଲାଙ୍ଗୀର ବିଧାନସଭା ଭାଜପା ପ୍ରାର୍ଥୀ ଗୋପାଳଜୀ ପାଣିଗ୍ରାହୀ ମନ୍ତ୍ରୀଙ୍କୁ ସୁପାରିଶ କରିବାରୁ ମନ୍ତ୍ରୀ ଏଥିପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି ।

ଉଲ୍ଲେଖନୀୟ ଯେ , ବଲାଙ୍ଗୀର ଜିଲ୍ଲା ଲେଖକ ପରିଷଦ ପକ୍ଷରୁ ସମ୍ପୂର୍ଣ୍ଣ ନିଜସ୍ବ ଉଦ୍ୟମରେ ବିଗତ ୧୫ ବର୍ଷ ଧରି ବଲାଙ୍ଗୀର ବହିହାଟ ଅନୁଷ୍ଠିତ ହୋଇ ଆସୁଥିଲେ ହେଁ , କୌଣସି ସରକାରୀ ଅନୁଦାନ ମିଳି ନଥିଲା । ଗତବର୍ଷ ପ୍ରଶାସନ ସହ ମିଳିତ ଭାବରେ ପୁସ୍ତକମେଳା କରାଯାଇଥିବାରୁ ପରିଷଦର ସଭାପତି ଓ ବହୁ ବରିଷ୍ଠ ଲେଖକ ଯୋଗ ଦେଇ ନଥିଲେ । ଏଣୁ ଏଥର ବିଭାଗୀୟ ମନ୍ତ୍ରୀଙ୍କ ସିଧାସଳଖ ଜିଲ୍ଲା ଲେଖକ ପରିଷଦକୁ ସରକାରୀ ଅନୁଦାନ ପ୍ରଦାନ ପ୍ରତିଶ୍ରୁତିରେ ପରିଷଦ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପରିଷଦର ସଭାପତି ମଳୟ ମିଶ୍ର ଓ କୋଷାଧ୍ୟକ୍ଷ ଅଜିତ କୁମାର ମହାନ୍ତି ତଥା ପରିଷଦର ସଦସ୍ୟମାନେ ଏଥିପାଇଁ କିଛିଦିନ ପୂର୍ବରୁ ପରିଷଦର ଏକ ପ୍ରତିନିଧିଦଳ ଭୁବନେଶ୍ବର ଯାଇଥିବା ବେଳେ ଏଥିପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଡା ମୁକେଶ ମହାଲିଙ୍ଗ ମଧ୍ୟ ସୁପାରିଶ କରିଥିବାରୁ ଉଭୟମନ୍ତ୍ରୀ ଏବଂ ଜିଲ୍ଲା ଭାଜପା ସଭାପତି ଶ୍ରୀ ମହାନ୍ତି ଓ ବରିଷ୍ଠ ଭାଜପା ନେତା ଶ୍ରୀ ପାଣିଗ୍ରାହୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଉଲ୍ଲେଖନୀୟ ଯେ ପରିଷଦର ପେଟ୍ରନ୍ ତଥା ଜିଲ୍ଲାପାଳ ଶିବାଜୀ ଗୌରବ ଇସଲବାରଙ୍କ ଉପସ୍ଥିତିରେ ମନ୍ତ୍ରୀ ଲିଖିତ ସ୍ବୀକୃତି ଦେଇଥିଲେ ।
ପ୍ରକାଶ ଥାଉ କି , ଗତ ୨୦୦୦ ପରଠାରୁ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆଠାରେ ବିଗତ ପ୍ରାୟ ୧୫ ବର୍ଷ ଧରି ଜିଲ୍ଲା ଲେଖକ ପରିଷଦ ତରଫରୁ ଅନୁଷ୍ଠିତ ହୋଇଆସୁଥିବା ରାଜ୍ୟସ୍ତରୀୟ ପୁସ୍ତକମେଳା ବନାମ ‘ବଲାଙ୍ଗୀର ବହିହାଟ’ ପଡିଆ ନ ମିଳିବା ବା ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି ଇତ୍ୟାଦି କେତେକ ଅନିବାର୍ଯ୍ୟ କାରଣ ଓ କରୋନା ଯୋଗୁଁ ଧାର୍ଯ୍ୟ ଜାନୁୟାରୀ ୮ ତାରିଖରୁ ୭ ଦିନ / ୧୦ ଦିନ ଧରି ହୋଇପାରି ନଥିଲା । ଏଥର ମଧ୍ୟ ସେଇସବୁ କାରଣରୁ ଉକ୍ତ ତାରିଖରେ ପଡିଆ ନ ମିଳିବାରୁ ଆଗାମୀ ଫେବୃଆରୀ ୨୩ ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ବହିହାଟ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି ।