ମୁଖ୍ୟମନ୍ତ୍ରୀଙ୍କ ଗସ୍ତବେଳେ ଅଘଟଣ !
ବଲାଙ୍ଗୀର : ବଲାଙ୍ଗୀର ବନବିଭାଗକୁ ସତେ ଅବା କାଳ ଗୋଡାଇଛି ! ଅଳ୍ପ କିଛିଦିନତଳେ ବଲାଙ୍ଗୀର ବନଖଣ୍ଡରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ପରେ ଆଜି ଏଇ କେଇଘଣ୍ଟାତଳେ ପାଟଣାଗଡ ରେଞ୍ଜ୍ ର ଲରମ୍ଭା ସେକ୍ ସନ୍ ଗଡିଆଯୋର ଗାଁ’ରେ ଲିଫ୍ଟ ଇରିଗେସନ୍ ରୁ ଲମ୍ବିଥିବା ଅବୈଧ ବାର୍ ହା ଶିକାର ପାଇଁ ଖେଳିଯାଇଥିବା ବିଦ୍ଯୁତ୍ ତାରରେ ଲାଗି ପ୍ରାୟ ୩୦ ବର୍ଷ ବୟସ୍କ କୁହାଯାଉଥିବା ଏକ ଦନ୍ତାହାତୀର ମୃତ୍ୟୁ ଖବର ବନବିଭାଗକୁ ମିଳିଛି।
ଆଜି ଦିନ ଦଶ /ବାରଟା ପର୍ଯ୍ୟନ୍ତ ଏହି ହାତୀମୃତ୍ୟୁର ଖବର ବନବିଭାଗ ପାଖରେ ନଥିଲା । ଖବରପାଇ ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଜିଲ୍ଲା ବା ବଲାଙ୍ଗୀର ବନଖଣ୍ଡରେ ବାରମ୍ବାର ହାତୀମୃତ୍ୟୁ ବୃଦ୍ଧି ପାଉଥିବା ସତ୍ତ୍ୱେ କେମିତି ବନବିଭାଗର ବୁଦ୍ଧି ପଶିନାହିଁ , ସର୍ବତ୍ର ଚର୍ଚ୍ଚା ହେଉଛି ।
ଉଲ୍ଲେଖନୀୟ ଯେ , ବଲାଙ୍ଗୀର ବନଖଣ୍ଡର ବଲାଙ୍ଗୀର ସଦର ରେଞ୍ଜର ଦୁଇଟି ସ୍ଥାନରେ ମଠଖାଇ ସଂରକ୍ଷିତ ଜଙ୍ଗଲରେ ମୃତଦନ୍ତାଟି ସେହି ଗ୍ରାମର କେତେକ ଚୋରାଶିକାରୀ ବାର୍ହା ମାରିବାକୁ ଲଗାଇଥିବା ବିଦ୍ୟୁତ୍ ଜିଆଇ ତାର ଫାଶରେ ଲାଗି ମରିବାର ୪/ ୫ ଦିନ ପରେ ବନବିଭାଗକୁ ଖବର ମିଳିଥିଲା । ଏହି ଘଟଣାରେ ବନବିଭାଗ ସେହିଗ୍ରାମର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହାର ପାଞ୍ଚଦିନ ପରେ ସେହି ରେଞ୍ଜ୍ ର ପୁରୁଣାପାଣି ଗ୍ରାମ ନିକଟସ୍ଥ ସୁଲିଆଘାଟୀତଳେ ଆଉ ଏକ ଦନ୍ତାର ମୃତଦେହ ଉଦ୍ଧାର ହୋଇଥିଲା । ଏହାକୁ ବନବିଭାଗ ସ୍ବାଭାବିକ୍ ମୃତ୍ୟୁ ବୋଲି ଏଡାଇ ଦେଇଥିଲା । ଯଦିଓ ଏଯାବତ୍ ତାହାର ଶବବ୍ୟବଚ୍ଛେଦ ରିପୋର୍ଟ ମିଳିନାହିଁ । ୪/ ୫ ଦିନ ଅନ୍ତରରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ଘଟିଥିଲା । ଗୋଟିକର ଗୋଟିଏ ଦାନ୍ତକଟାଯାଇ ଚୋକ ହୋଇଥିବା ବେଳେ ଅଦ୍ୟାବଧି ଏହି ଦାନ୍ତ କିମ୍ବା ଚୋରଙ୍କର ବନବିଭାଗ ଟେର୍ ପାଇନାହିଁ।
ଏବେ ପୁଣି ଆଜି ବଲାଙ୍ଗୀର ବନଖଣ୍ଡର ପାଟଣାଗଡ ରେଞ୍ଜ୍ ଲରମ୍ଭା ସେକ୍ସନ୍ ଗଡିଆଯୋର ଗାଁ’ରେ ଆଉ ଏକ ଦନ୍ତାହାତୀର ସେଇ ଢଙ୍ଗରେ ବାର୍ହା ମାରିବାକୁ ଚୋରା ବିଦ୍ୟୁତ୍ ତାର ସଂଯୋଗ କରି ସମ୍ଭବତଃ ଗଲାରାତିରେ ହାତୀମୃତ୍ୟୁର ଖବର ଏଇ କିଛିଘଣ୍ଟାତଳେ ବନବିଭାଗକୁ ମିଳିବା ବିଭାଗର ଅବହେଳାକୁ ସୂଚାଉଛି । ହାତୀଙ୍କର ଗତିବିଧି ସମ୍ପର୍କରେ ଖବର ସଂଗ୍ରହ ପାଇଁ ନିୟୋଜିତ ଏଲିଫ୍ୟାଣ୍ଟ୍ ଟ୍ରାକର୍ ବା ପାରାଷ୍ଟାଫ୍ ମାନେ ବିଭାଗୀୟ ଅଧିକାରୀଙ୍କ ଘରେ ଚାକର ହୋଇ ଖଟୁଥିବା ସମ୍ପର୍କରେ ଅଭିଯୋଗ ପ୍ରକାଶ ପାଇ ଆସୁଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯେ ଆଜି ବଲାଙ୍ଗୀର ଜିଲ୍ଲାର ପ୍ରତିଷ୍ଠାଦିବସ ବା ‘ ବଲାଙ୍ଗୀର ଦିନ୍ ‘ ପାଳିତ ହେଉଛି ଓ ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବାକୁ ଆସିଛନ୍ତି । କିଛିଦିନତଳେ ଉକ୍ତ ପାଟଣାଗଡ ରେଞ୍ଜ୍ ର ସେଇ ଲରମ୍ଭା ସେକ୍ସନ୍ ରେ ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବୃକ୍ଷରୋପଣ ମହାଦୁର୍ନୀତି ଧରିବାରୁ ତୁମୁଳ ଆଲୋଡନ ସୃଷ୍ଟି ହୋଇଥିଲା । ସେଥିରେ ତୁରନ୍ତ ‘ ମାର୍ ମାର୍ ଭଣ୍ଡାରିଆକୁ ମାର୍ ‘ ନୀତିରେ ଜଣେ ତଳିଆ କର୍ମଚାରୀ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଥିଲା । ଏଣୁ ଏବେ ଏହି ଲାଗ୍ ଲାଗ୍ ତିନୋଟି ହାତୀଶିକାର ଘଟଣାରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି , ଦେଖିବାକୁ ବାକି ରହିଲା ?

“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।