ଅସନ୍ତୁଷ୍ଟ ଗୋଷ୍ଠୀର ଷଡଯନ୍ତ୍ର ଯୋଗୁଁ ବନ୍ଦହେଲା ବଲାଙ୍ଗୀର ବହିହାଟ
ବଲାଙ୍ଗୀର : କିଛିଦିନ ଧରି ଜିଲ୍ଲା ଲେଖକ ପରିଷଦ ନାଁ’ରେ ଅପପ୍ରଚାର ଓ ଅଣସାମ୍ବିଧାନିକ ବୈଠକ ଚଳାଇ ଖବର ପ୍ରକାଶ କରୁଥିବା ଏବଂ ଧମକଚମକ ଦେଉଥିବା କେତେକ ତଥାକଥିତ ଲେଖକ, ଅଣଲେଖକ ଅସହିଷ୍ଣୁ ଗୋଷ୍ଠୀର ବ୍ଯକ୍ତିଙ୍କୁ ଶେଷରେ ଥାନାରେ ହାଜର ହେବାକୁ ପଡିଛି । ଜିଲ୍ଲା ଲେଖକ ପରିଷଦର ସଭାପତି ମଳୟ ମିଶ୍ରଙ୍କର ସ୍ଥାନୀୟ ଟାଉନ୍ ଥାନାରେ ଗତ ୨୬ ତାରିଖରେ ଏକ ଲିଖିତ ଏତଲାକ୍ରମେ ଆଜି ପୂର୍ବାହ୍ନରେ ପୁଲିସ ଏହାର ଜେରା କରିଥିଲା ।
ଥାନାରେ ହାଜର ହେଲେ ବେଆଇନ୍ ଜିଲ୍ଲା ଲେଖକ ପରିଷଦ ଗୋଷ୍ଠୀ
ଉଲ୍ଲେଖଯୋଗ୍ଯ ଯେ , ବିଗତ ୧୯୮୭ / ୮୮ ମସିହାରେ ସୋସାଇଟି ଆକ୍ଟରେ ପଞ୍ଜିକୃତ ଜିଲ୍ଲା ଲେଖକ ପରିଷଦର ତତ୍କାଳୀନ ସମ୍ପାଦକ ଥିବା ଓ ପ୍ରାୟ ୧୦ ବର୍ଷ ତଳେ ସାଧାରଣ ପରିଷଦ ବୈଠକରେ ବହୁମତରେ ବହିଷ୍କୃତ ଜଣେ ଚୌକିଲାଳସୀ ଅଣଲେଖକ ସନାତନ ଠାକୁରର ମୁଖ୍ୟ ପ୍ରରୋଚନାରେ ଦୀର୍ଘ ଦଶବର୍ଷ ପରେ କେତେକ ତଥାକଥିତ ଲେଖକ, ଅଣଲେଖକ ଓ ଶସ୍ତାକବିଙ୍କୁ ନେଇ ଜିଲ୍ଲା ଲେଖକ ପରିଷଦର ପୁନର୍ଗଠନ ନାଁ’ରେ ଇତିମଧ୍ୟରେ ସହରରେ ୩ ଟି ବୈଠକ ହୋଇଯାଇଥିଲା ଓ ତାହାକୁ ଗଣମାଧ୍ୟମରେ ପ୍ରକାଶ କରାଯାଇ ଆସୁଥିଲା । ଶେଷରେ ନୂତନ କର୍ମକର୍ତ୍ତା ବୋଲି କେତେକଙ୍କ ନାମ ପ୍ରକାଶ ପାଇଥିଲା । ଏଥିରେ ମୁଖ୍ଯତଃ ରୁଷୁଡା କଲେଜର ଜଣେ ଅଧ୍ୟାପକ ଓ ତଥାକଥିତ ଲେଖକ ଜୟ ଆଚାର୍ଯ୍ଯ ସଭାପତି , ସୁଶାନ୍ତ ବାଗ ନାମକ ଜଣେ କୋଶଲୀ କବି ସମ୍ପାଦକ ଓ ଅନ୍ୟମାନଙ୍କ ନାମ ରହିଛି ।
ତେବେ ଉପରୋକ୍ତ ଅସହିଷ୍ଣୁ ଗୋଷ୍ଠୀର ଏତାଦୃଶ ପ୍ରତିବନ୍ଧକ ସୃଷ୍ଟି ଓ ଅପପ୍ରଚାର ଯୋଗୁଁ ପ୍ରାୟ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଥିବା ରାଜ୍ୟସ୍ତରୀୟ ପୁସ୍ତକ ମେଳା ବନାମ -୧୮ ତମ ବଲାଙ୍ଗୀର ବହିହାଟ-୨୦୨୬ ‘କୁ ବାଧ୍ୟହୋଇ ବନ୍ଦ କରିଦିଆଯାଇଛି । ବହିହାଟ ବନ୍ଦ ହେବା ଯୋଗୁଁ ବଲାଙ୍ଗୀରର ବହୁ ପୁସ୍ତକପ୍ରେମୀ , ଲେଖକ, କବି , ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷାପ୍ରେମୀଙ୍କ ଭାବାବେଗ ବାଧାପ୍ରାପ୍ତ ହୋଇଛି । ବହିହାଟ ବନ୍ଦ ହେବା ଯୋଗୁଁ ପରିଷଦ ମଧ୍ଯ ଲକ୍ଷାଧିକ ଟଙ୍କାର ଆର୍ଥିକ କ୍ଷତି ସହିଲା ।
ତେବେ ପୁଲିସ ଉଭୟପକ୍ଷଙ୍କୁ ପଞ୍ଜିକରଣ ଅଧିକାରୀ ଏଡିଏମ୍ ଙ୍କ ସହ ବିଚାରବିମର୍ଷ କରି ଯାହାକିଛି ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଅଯଥାଟାରେ ବିବାଦ ନ କରିବାକୁ ପରାମର୍ଶ ଦେଇଛନ୍ତି । ଅସନ୍ତୁଷ୍ଟଗୋଷ୍ଠୀ ପକ୍ଷରୁ ସଫେଇ ଦିଆଯାଇଛି ଯେ ଏଯାବତ୍ ସେମାନଙ୍କୁ କୌଣସି ଅନୁମୋଦନ ମିଳି ନ ଥିଲେ ହେଁ , କୁଆଡେ ଏଡିଏମ ସେମାନଙ୍କୁ ମିଟିଂ କରି ନୂତନ କର୍ମକର୍ତ୍ତାଙ୍କ ନାମ ଦେବାକୁ କହିଥିଲେ ଓ ପରିଷଦର ଆରମ୍ଭ ବେଳର ସଭାପତି ଓ ତାଙ୍କ ସହିତ ସେ ମନୋନୀତ କରିଥିବା ଏବର କମିଟି ରହିବ ବୋଲି ପରାମର୍ଶ ଦେଇଥିଲେ । ସେ କୁଆଡେ ଏତେବର୍ଷ ଧରି ପରବର୍ତ୍ତୀ କର୍ମକର୍ତ୍ତାଙ୍କ ନାମ ଜାଣିନାହାଁନ୍ତି !
ଏଠାରେ ଉଲ୍ଲେଖଯୋଗ୍ଯ ଯେ , ଜିଲ୍ଲାପାଳ ଏହି ପରିଷଦର ପେଟ୍ରନ୍ ରହିଛନ୍ତି ଓ ପ୍ରତ୍ୟେକ ଥର ଅନୁଷ୍ଠିତ ବହିହାଟ ଓ ଅନ୍ଯାନ୍ଯ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପ୍ରଥମେ ସିଧାସଳଖ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଜରିଆରେ ଆବେଦନ କରାଯାଇ ଆସୁଛି । ଆହୁରି ମଧ୍ଯ ସରକାରଙ୍କ ସଂସ୍କୃତି ବିଭାଗକୁ ପରିଷଦର ବହିହାଟ ସମ୍ପର୍କିତ ଦରଖାସ୍ତ ପଠାଯାଉଛି । ଗତ ବହିହାଟ ନିମନ୍ତେ ସଂସ୍କୃତି ବିଭାଗରୁ ପ୍ରଥମଥର ପାଇଁ ୧ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର ହୋଇଥିଲେ ହେଁ ଅଦ୍ୟାବଧି ମିଳିନାହିଁ । ବହିହାଟ ବା କୌଣସି ଉତ୍ସବ ନିମନ୍ତେ କୌଣସି ସରକାରୀ ଅର୍ଥ ଅନୁଦାନ ମିଳେନାହିଁ । କେବଳ ବୁକ୍ ଷ୍ଟଲ୍ ର ଭଡା ପଇସାରେ ବହିହାଟ ଚାଲିଥାଏ । ଏକଥା ସମସ୍ତେ ଜାଣନ୍ତି । ଏହି ବହିହାଟରେ ଜିଲ୍ଲାପାଳ, ବିଧାୟକ, ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସମେତ ରାଜ୍ୟସ୍ତରୀୟ ବିଶିଷ୍ଟ ସାହିତ୍ୟିକ ଅତିଥି ଭାବେ ଯୋଗ ଦେଇଥାନ୍ତି । ତେଣୁ ଅପର ଗୋଷ୍ଠୀର କହିବାନୁଯାୟୀ ଏଡିଏମ୍ ସେମାନଙ୍କୁ ପରିଷଦର ଆରମ୍ଭ ବେଳରେ ସମ୍ପାଦକ ଥିବା ଓ ନିଜର ମନମାନୀ କାର୍ଯ୍ୟକଳାପ ଯୋଗୁଁ କିଛିବର୍ଷ ତଳେ ବହିଷ୍କୃତ ଏହି ଗୋଷ୍ଠୀର ଖଳନାୟକ ହିଁ ମୂଳ କାର୍ଯ୍ୟକର୍ତ୍ତା ବୋଲି ଯଦି କହିଥା’ନ୍ତି , ତେବେ ପରିଷଦର ବାଇ- ଲ ରେ ଏଭଳି କିଛି ନାହିଁ ଓ ଉକ୍ତ ସନାତନ ଠାକୁରଙ୍କ ପରେ ଆଉ ୨ ଜଣ ସଭାପତି ବା କମିଟି ଯିବା ପରେ ମଳୟ ମିଶ୍ର ଗତ ପ୍ରାୟ ୧୦ ବର୍ଷ ଧରି ନିର୍ବିଘ୍ନରେ ସଭାପତି ରହିଆସିଛନ୍ତି ।
ଯଦିଓ ସେ ଆଉ ପରିଷଦରେ ରହିବାକୁ ଚାହୁଁନାହାନ୍ତି ବୋଲି ତାଙ୍କ ଠାରୁ ପ୍ରକାଶ ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।