ଦୁର୍ନୀତି

ହସ୍ତତନ୍ତ ଓ ବୟନଶିଳ୍ପରେ ହରିଲୁଟ୍ !

Email :

୪ ଜିଲ୍ଲାରେ ଜଣେ ଏଡିଟି : ଜାଲ୍ ବୁଣାକାରଙ୍କ ନାଁ’ରେ ଜାଲିଆତି !

ବଲାଙ୍ଗୀର : ଚଳିତ ରାଜ୍ୟବଜେଟ୍ ରେ ସରକାର ମୁଖ୍ଯମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ଓ ମୁଖ୍ଯମନ୍ତ୍ରୀ ରେଶମ ବିକାଶ ଯୋଜନାରେ ୧୦୨ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଥିବା ବେଳେ ଚଳିତ ଡବଲ ଇଞ୍ଜିନ୍ ଭାଜପା ସରକାର ତାଙ୍କର ଗତ ପ୍ରାୟ ଦେଢବର୍ଷର ଶାସନକାଳ ମଧ୍ଯରେ ଓଡ଼ିଶା ରାଜ୍ୟର ହସ୍ତତନ୍ତ ଓ ବୟନଶିଳ୍ପ କ୍ଷେତ୍ରରେ ତଥାକଥିତ ବୁଣାକାର ବିକାଶ ପ୍ରକଳ୍ପଗୁଡ଼ିକ ନାଁ’ରେ ମିଛ ବୁଣାକାର, ପୁରୁଣା ଠକ ସଂସ୍ଥା ବା ଦାଗୀ କର୍ମକର୍ତ୍ତା , ଧଳାହାତୀ ପୋଷା ଓ ଉତ୍ପାଦନ ନାଁ’ରେ ଠକେଇର କାରବାର ପ୍ରତି ଆଦୌ ନଜର ପକାଇ ନାହାଁନ୍ତି । ନିମ୍ନୋକ୍ତ କେତୋଟି ଉଦାହରଣରୁ ଏହା ସୁସ୍ପଷ୍ଟ ।

ହସ୍ତତନ୍ତ ବୁଣାକାରଙ୍କ ମୁଖ୍ଯ ବସତି ପଶ୍ଚିମଓଡିଶାର ବଲାଙ୍ଗୀର, ସୋନପୁର ବୌଦ୍ଧ ଓ ଫୁଲବାଣୀ ଆଦି ୪ ଟି ଜିଲ୍ଲାରେ ଏବେ ମାତ୍ର ଜଣେ ସହକାରୀ ବୟନଶିଳ୍ପ ଅଧିକାରୀ ବା ଏଡିଟି ଅଛନ୍ତି । ସେ କେମିତି ଏହି ଚାରିଟି ଜିଲ୍ଲାର ଏତେ ବିସ୍ତୃତ ଅଞ୍ଚଳ ସମ୍ଭାଳିଛନ୍ତି , ଆଶ୍ଚର୍ଯ୍ୟର ବିଷୟ ! ପୂର୍ବରୁ ଏହି ଜିଲ୍ଲାଗୁଡିକରେ ଶହ ଶହ କୋଟିର ଦୁର୍ନୀତି ଅଭିଯୋଗ ପ୍ରତି ସରକାର ଆଖିବୁଜି ଦେଇଛନ୍ତି । ଏପରିକି କେନ୍ଦ୍ରୀୟ ଯୋଜନାର ଠକେଇ ଅଭିଯୋଗ ପ୍ରତି ବହୁବାର ବିଭିନ୍ନ ଫୋରମରେ ଅଭିଯୋଗ ସତ୍ତ୍ବେ କର୍ଣ୍ଣପାତ କରିନାହାଁନ୍ତି । ଶତାଧିକ ଡବ୍ଲୁ ସି ଏସ୍ , କ୍ଲଷ୍ଟର ଓ ସ୍ବତନ୍ତ୍ର ଯୋଜନାଦିରେ ଶହ ଶହ କୋଟିର ବାଟମାରଣାର ଅଭିଯୋଗ ଫସରଫାଟି ଯାଇଛି । ତେଣୁ ଚଳିତ ବଜେଟ୍ ର ଶତାଧିକ କୋଟିର ଏହି ବ୍ୟୟବରାଦ ପ୍ରତି ବୁଣାକାରମାନଙ୍କର ଆସ୍ଥା ରହିନାହିଁ ।

ନିକଟରେ ଏହି ଅଞ୍ଚଳର ହସ୍ତତନ୍ତ ଓ ବୟନଶିଳ୍ପ ଯୋଜନା କାର୍ଯ୍ଯକାରୀ ହେଉଥିବା କେତେକ ପ୍ରକଳ୍ପ ଉପରେ ଆମର ଏକ ବିହଙ୍ଗାବଲୋକନରୁ ଜଣାଯାଇଛି ଯେ , ସଂପ୍ରତି ବୟନଶିଳ୍ପ ସହକାରୀ ଅଫିସ୍ କୋଠାର ନବନିର୍ମାଣ ସତ୍ତ୍ବେ ଏସବୁର କାର୍ଯ୍ୟପ୍ରଣାଳୀ ଓ ଢାଞ୍ଚାର ଆଦୌ ସଂସ୍କାର ହୋଇନାହିଁ । ଗତ ୧୯ ତାରିଖରେ ଆମ ଟିମ୍ ପାଟଣାଗଡଠାରେ ଥିବା ବଲାଙ୍ଗୀର ବୟନଶିଳ୍ପ ସହକାରୀ ନିର୍ଦ୍ଦେଶକଙ୍କ ଅଫିସ୍ ଆଡେ ଘେରାଏ ବୁଲି ଆସିଥିଲୁଁ । ଏଡିଟି ନ ଥିଲେ ଓ ଅଳ୍ପ କିଛି କର୍ମଚାରୀ ଓ ବରଗଡରୁ ଆସିଥିବା ମଙ୍ଗା ସପ୍ଲାୟର ସେଠି ଥିଲେ । ଏବେ ବୁଣାକାରମାନଙ୍କୁ ୯୦ ପ୍ରତିଶତ ରିହାତିରେ ସରକାର ଯୋଗାଉଥିବା ହସ୍ତତନ୍ତ ବା କାଠର ମଙ୍ଗା ଯୋଗାଇବାର ଜଣେ ପୁରୁଣା ସପ୍ଲାୟର ବରଗଡର ସୁରେଶ ମେହେର ତାଙ୍କ ଅସୁବିଧା ବଖାଣିଥିଲେ । ପଡୋଶୀ ଜିଲ୍ଲାର ସୋନପୁରରେ ମେଣ୍ଡା ଓ ଅନ୍ଯ ଅଞ୍ଚଳର ଜେନା ଓ ମହାପାତ୍ର ବୋଲି ୨ ଜଣ ସପ୍ଲାୟର କୁଆଡେ ତାଙ୍କର ଦାନାମାରି ଦେଉଛନ୍ତି ? ତେବେ ଅଫିସରେ ଥିବା ସୁପରଭାଇଜର ନିରଞ୍ଜନ ମେହେର କିଛି ଡାଟା ଯୋଗାଇଦେଇ ଥିଲେ । ବଲାଙ୍ଗିର ,ବୌଦ୍ଧ-ସୋନପୁର- ଫୁଲବାଣୀ ଇତ୍ୟାଦି ୪ ଟି ଜିଲ୍ଲାର ଭାରପ୍ରାପ୍ତ ଏଡିଟି ସୁଶାନ୍ତ ନାୟକଙ୍କ ସହ ଟେଲିଫୋନ ଯୋଗାଯୋଗରୁ ଜଣାପଡିଲା ଯେ ସେ ଆଜି ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ମିଟିଂରେ ଯୋଗଦେବାକୁ ବଲାଙ୍ଗୀର ଆସୁଛନ୍ତି ଓ ସେଇଠି ସେ ଆମ ଟିମ୍ ସହିତ ଭେଟ ହେବାର ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ ଗତକାଲି ଏକ ଦୈନିକ ସମ୍ବାଦପତ୍ରର ରିପୋର୍ଟ ଅନୁଯାୟୀ ସୋନପୁର ଜିଲ୍ଲାର ଏହି ବିଭାଗ ସମ୍ପର୍କରେ ଏକ ମୋଟାମୋଟି ତର୍ଜମାରୁ ଯାହା ତଥ୍ଯ ମିଳିଛି , ତହିଁରେ ବୁଣାକାରଙ୍କର ସାଂପ୍ରତିକ ସ୍ଥିତି ଯଥେଷ୍ଟ ନୈରାଶ୍ୟଜନକ !

ଜିଲ୍ଲାର ପ୍ରାୟ ସାଢେ ୭ ହଜାର ୭୫୫ ରୁ ଉର୍ଦ୍ଧ୍ବ ମଙ୍ଗାଶାଳ ରହିଛି ଓ ଅଧିକାଂଶ ଉପେକ୍ଷିତ। ଉଲ୍ଲେଖଯୋଗ୍ଯ ଯେ ଏହି ଜିଲ୍ଲାର ବୁଣାକାର ସହଯୋଗ ସମିତି ବା ଡବ୍ଲୁସିଏସ୍ ଗୁଡିକ ସହ କ୍ଲଷ୍ଟର , ପାଟବସ୍ତ୍ର ଉତ୍ପାଦନ କାରଖାନା ଇତ୍ୟାଦିର ଇତିହାସ ବହୁ ଦୁର୍ନୀତିରେ କଳଙ୍କିତ। ସେଇ ମହାଠକ ପୁରୁଣା କର୍ମକର୍ତ୍ତାଙ୍କ ନବୀକରଣ ଭିତ୍ତିରେ ବିଭାଗର ପ୍ରାୟ ସମସ୍ତ ଯୋଜନା ଚାଲିଛି । କିଛିବର୍ଷ ତଳେ ସାଗରପାଲିର ‘ ଉଦ୍ୟୋ ଗିକା ‘ ନାମକ ଏକ ବୁଣାକାର କଲ୍ଯାଣ ସମିତିକୁ ଡୁଙ୍ଗୁରିପାଲି ବ୍ଲକ୍ ର ହରିହର ନଗର ଓ ବଡ ନୂଆପାଲି କ୍ଲଷ୍ଟରର ୫୦୦ ବୁଣାକାରଙ୍କ ଉନ୍ନତି ନିମନ୍ତେ ଆଇ ଏଚ୍ ଡି ଏସ୍ ଦୀର୍ଘମିଆଦୀ ସ୍କିମ୍ ରେ ୬୦ ଲକ୍ଷ ଟଙ୍କାର ସହାୟତା ମିଳିଥିଲା । କିନ୍ତୁ ଏହାର ସଭାନେତ୍ରୀ ପାଲଟିଥିବା ଦିଲ୍ଲୀର ଜଣେ ଓଡ଼ିଆ ମହିଳା ଓ ଏହାର କେତେକ ସ୍ଥାନୀୟ କର୍ମକର୍ତ୍ତାଙ୍କ ବିବାଦ ଓ ଜାଲିଆତି ଯୋଗୁଁ ଏହାର ବଡଭାଗ ଅନୁଦାନ ଫେରିଗଲା ।

ସେହିପରି ପାଟଣାଗଡ ବନାମ ବଲାଙ୍ଗୀର ଏଡିଟିଙ୍କ ଅଧୀନରେ ଏବେ ୫୨ ଟି ଡବ୍ଲୁସିଏସ୍ ରହିଛି ଓ ତହିଁରୁ ୩୫ ଟି ସକ୍ରିୟ ଥିବା ପ୍ରକାଶ । ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନାନୁଯାୟୀ , ଏବେ ୭୧୫୬ ଟି ବୁଣାକାର ପରିବାରର ୧୦୬୧୩ ଜଣ ବୁଣାକାର ଅଛନ୍ତି । ଏ ସମ୍ପର୍କିତ ତଥ୍ଯ ଓ ଅନୁସନ୍ଧାନମୂଳକ ବିବରଣୀ ପରେ ପ୍ରକାଶ ପାଇବ । ବୌଦ୍ଧ ଓ ଫୁଲବାଣୀର ରିପୋର୍ଟ ବି ପରେ ପ୍ରକାଶ ପାଇବ । ତେବେ ଏହି ଜିଲ୍ଲାଗୁଡିକରେ ବୁଣାକାରଙ୍କ ତଥାକଥିତ ବିକାଶକେବଳ କାଗଜପତ୍ରରେ ସୀମିତ ଓ ପ୍ରକୃତ ସ୍ଥିତି ଅନୁଲ୍ଲେଖନୀୟ । କେତେକ ଚତୁର ଓ ଧୂର୍ତ୍ତ କର୍ମକର୍ତ୍ତାଙ୍କ ବାଟମାରଣାର ସହଭାଗୀ ବିଭାଗୀୟ ଅଧିକାରୀମାନେ । ମିଥ୍ୟା ବ୍ୟୟ ଓ ମିଛ ବିଲ୍ ଭାଉଚରରେ ପ୍ରତିବର୍ଷ କୋଟି କୋଟି ଟଙ୍କାର ବାଟମାରଣା ଜାରୀ ରହିଛି । ଏ ସମ୍ପର୍କିତ ବିଶଦ ବିବରଣୀ ପରେ ପ୍ରକାଶ ପାଇବ ।

Leave a Reply

Your email address will not be published. Required fields are marked *

Related Post