ଅପରାଧ

ବିଡିଓ ଓ ସାମ୍ବାଦିକଙ୍କ ମଧ୍ୟରେ ମାଡପିଟ ଅଭିଯୋଗ

Email :

ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକସଂଘର ଦାବିପତ୍ର ପ୍ରଦାନ

ସୋନପୁର  :   ଗତ ୧ ତାରିଖରେ ସୋନପୁର ବ୍ଲକ୍ ର ବିଡିଓ ସୌମ୍ଯରଞ୍ଜନ ସ୍ବାଇଁ ଏବଂ ସୋନପୁରର ନିଉଜ୍ -୭ ର  ସାମ୍ବାଦିକ ଧୀରେନ୍ଦ୍ର ଦାନୀଙ୍କ ମଧ୍ୟରେ ସୋନପୁର ବ୍ଲକ୍ କାର୍ଯ୍ୟାଳୟର ବିଡିଓଙ୍କ ଅଫିସ୍ ପ୍ରକୋଷ୍ଠରେ ଏକ ବିଷୟକୁ ନେଇ ଉଚ୍ଚବାଚ୍ଚ ପରେ ହାତାହାତି ହୋଇ ଉଭୟେ ଉଭୟଙ୍କୁ ମୁଥ ମାରି ଆହତ କରିଥିବା ପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା ।  ଏ ସମ୍ପର୍କରେ ଉଭୟଙ୍କ ପକ୍ଷରୁ ସୋନପୁର ଥାନାରେ ମଧ୍ୟ ଏତଲା ଦିଆଯାଇଥିଲା । ଏହି ଆଧାରରେ ଉଭୟଙ୍କ ବିରୁଦ୍ଧରେ ପୁଲିସ୍ ଦୁଇଟି ମାମଲା ଋଜୁକରିଛି । ତେବେ  ବିନା ଉପଯୁକ୍ତ ତଦନ୍ତରେ ସେହିଦିନ   ଅଭିଯୁକ୍ତ ସାମ୍ବାଦିକଙ୍କୁ ତାଙ୍କଘରୁ ଯାଇ ରାତିଅଧିଆ ଗିରଫ କରିଆଣି ପରଦିନ କୋର୍ଟଚାଲାଣ କରିଥିବା ବେଳେ ଅଭିଯୁକ୍ତ ବିଡିଓଙ୍କୁ ଅଦ୍ୟାବଧି ଗିରଫ କରି ନଥିବାରୁ ସ୍ଥାନୀୟ ସାମ୍ବାଦିକ ସଂଘ ପକ୍ଷରୁ ପୁଲିସ୍ ର ଏହି ପକ୍ଷପାତ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ପୁଲିସ୍ ଓ ପ୍ରଶାସନକୁ  ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ଘଟଣାରେ ଏସ୍ ୟୁ ଜେ ରାଜ୍ୟ ସଂଘ ପକ୍ଷରୁ ବଲାଙ୍ଗୀରଠାରେ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ ଅବସରରେ ଅଭିଯୁକ୍ତ ବିଡିଓଙ୍କୁ ତୁରନ୍ତ ଗିରଫ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଏହି ଘଟଣାକୁ ଅଯଥା ବଢାଇବାରେ ରାଜନୈତିକ ହସ୍ତକ୍ଷେପର ନିରପେକ୍ଷ ତଦନ୍ତ ଦାବି କରାଯାଇଛି । ଏହି ଦାବିପତ୍ର ପ୍ରଦାନ କରିଥିଲେ ସଂଘର ବଲାଙ୍ଗୀର ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥୀ ଓ ରାଜ୍ୟ ସମ୍ପାଦକ ମହେନ୍ଦ୍ର କୁମାର ଦର୍ଜୀ । ପ୍ରକାଶଯୋଗ୍ୟ ଯେ  ଗିରଫ ଅଭିଯୁକ୍ତ ଧୀରେନ୍ଦ୍ର ଦାନୀ ଏସ୍ ୟୁ ଜେର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଅଟନ୍ତି । ଅବଶ୍ୟ ଇତିମଧ୍ୟରେ ସେ କୋର୍ଟରୁ ଜାମିନ୍ ରେ ଆସିସାରିଛନ୍ତି ।

ଏ ବିଷୟରେ ବିଭିନ୍ନ ଗଣମାଧ୍ୟମରେ ଉଭୟ ସପକ୍ଷ ଓ ବିପକ୍ଷରେ ଭିନ୍ନ ଭିନ୍ନ ଖବର ପରିବେଷଣ କରାଯାଇ ପ୍ରକୃତ ଘଟଣାକୁ ଭିନ୍ନରୂପ ଦିଆଯାଉଛି ।  ଅଦ୍ୟାବଧି ରାଜ୍ୟରେ ଅମଲାତାନ୍ତ୍ରିକ ପ୍ରଭାବ ଚାଲିଥିବା ଓ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ସାମ୍ବାଦିକଙ୍କ ଉପରେ ମିଥ୍ୟାମାମଲା ଋଜୁ କରିବାର ନିକୃଷ୍ଟ ପରମ୍ପରା ଜାରୀ ରହିଛି । ସୋନପୁରର ଏହି ଘଟଣା ତାହାର ଏକ ଜ୍ବଳନ୍ତ ଉଦାହରଣ ।

ଏହି ଗଣ୍ଡଗୋଳର କାରଣ ସମ୍ପର୍କରେ ଜଣାଯାଇଛି ଯେ , ସୋନପୁର ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀଙ୍କ ଖାଲିସ୍ଥାନରେ ଏହାପୂର୍ବରୁ ତରଭା ବିଡିଓ ଭାରପ୍ରାପ୍ତ ଦାୟିତ୍ୱରେ ଥିଲେ । ତାଙ୍କ ବଦଳି ପରେ ଏବେ ସୋନପୁର ବିଡିଓ ସେହି ସୋନପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କ ଭାରପ୍ରାପ୍ତ ଦାୟିତ୍ୱରେ ରହିଛନ୍ତି । 

କିଛିବର୍ଷ ହେଲା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ବାସଭବନ ପଛପଟର ଗୋଚର ଜମିକୁ କିଛିଲୋକ ଜବରଦଖଲ କରିଛନ୍ତି ଓ ଅଭିଯୁକ୍ତ ସାମ୍ବାଦିକ ଜଣକ ମଧ୍ୟ ତାଙ୍କ ସଂଘ ପାଇଁ ଏକ ଗୃହ ନିମନ୍ତେ ଏକ ପ୍ଲଟ୍ ରଖିଥିବା ସେମାନଙ୍କ ଭିତରୁ ଜଣେ । ତେବେ ଏଠାରେ ଏକ ରାସ୍ତା ଛଡାଯିବାକୁ  ଦଖଲକାରୀଙ୍କ ଆବେଦନକ୍ରମେ ଡିମାର୍ କେସନ୍ କରିବାକୁ ଜିଲ୍ଲାପାଳ ଚାରିବର୍ଷ ତଳେ ଏହା ପୌରାଞ୍ଚଳର ଜାଗା ହୋଇଥିବାରୁ ମ୍ୟୁନିସିପାଲିଟିକୁ ମାର୍କ କରିଦେଇଥିଲେ । 

ତେବେ ଏହି ବିଡିଓ ସେହିଦିନ  ଏହି ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ଦାୟିତ୍ବରେ ଯୋଗଦେଇ ଥିବାରୁ ସେଥିର ଭିତରକୁ ପଶି ନଥିଲେ ଓ ଫାଇଲ୍ ଦେଖି ତାହା ବିରୁଦ୍ଧରେ ଲୋକଙ୍କ ଅଭିଯୋଗ ଥିବାରୁ ତା’କୁ ତହସିଲଦାରଙ୍କୁ ଫରୁଆଡ୍ କରିବାକୁ  ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଦେଇଥିଲେ । ଏହାପରେ ଜିଲ୍ଲାପାଳ ଏହି ରାସ୍ତାଦାବିକୁ ବାତିଲ୍ କରି ଦେଇଥିବା ପ୍ରକାଶ ।  ଆପାତତଃ ଏହା ହିଁ ପୂର୍ବଆକ୍ରୋଶବଶତଃ ଏହି ଗଣ୍ଡଗୋଳର ମୂଳକାରଣ ବୋଲି  କୁହାଯାଉଛି । ତେବେ ଉକ୍ତଦିନ ଉକ୍ତ ଅଭିଯୁକ୍ତ ସାମ୍ବାଦିକ ବିଡିଓଙ୍କ ଅଫିସ୍ ପ୍ରକୋଷ୍ଠରେ ଯାଇ ବିଡିଓଙ୍କୁ ‘ ତମେ ଗୋଟେ ଫାଲ୍ ତୁ ଲୋକ …. ଇତ୍ୟାଦି ଦୁର୍ବ୍ଯବହାର ପ୍ରଦର୍ଶନ କରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ଉଚ୍ଚବାଚ ହୋଇ ଶେଷରେ ମାଡପିଟ ପର୍ଯ୍ୟନ୍ତ କଥା ଯାଇଥିଲା ।

ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ  କହିଛନ୍ତି ଯେ , ଅଭିଯୁକ୍ତ ତଥାକଥିତ ସାମ୍ବାଦିକ ଜଣକ ତାଙ୍କର ଉପରୋକ୍ତ ବ୍ୟକ୍ତିଗତ ସ୍ବାର୍ଥ ସମ୍ପର୍କିତ କାମ ହେଇ ନପାରିବାର ପୂର୍ବ ଆକ୍ରୋଶବଶତଃ ଆସି ଆରମ୍ଭରୁ ଝଗଡା କରିଥିଲେ । ସେତେବେଳେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତାଙ୍କ ପ୍ରକୋଷ୍ଠରେ ଉପସ୍ଥିତ ଥିଲେ। ସିସିଟିଭି ଫୁଟେଜ୍ ରୁ ସବୁ ସତ ଜଣାପଡିବ । ଏହା ତାଙ୍କର ମାନସିକତାକୁ ଶକ୍ତ ଆଘାତ ଦେଇଛି । ‘

ଅପରପକ୍ଷରେ ଅଭିଯୁକ୍ତ ସାମ୍ବାଦିକଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ସେ ମଧ୍ୟ ତାଙ୍କର ସଫେଇରେ କହିଲେ ଯେ , ‘ ମୁଁ ଜଣେ କୋଡିଏ ବର୍ଷର ସାମ୍ବାଦିକ । ଜଣେ ଓଏଏସ୍ ଅଫିସର ଉପରେ ପହିଲେ ହାତ ଉଠାଇବି କି  ? ମୁଁ ବ୍ଲକ୍ ରେ ହୋଇଥିବା ଅନିୟମିତତା ଓ ୫-ଟିର ଦୁର୍ନୀତିର ସୂଚନା ଅଧିକାର ଆଇନ୍ ବଳରେ ମାଗିଥିବା ତଥ୍ୟ କାହିଁକି ଦେଇନିହାଁନ୍ତି ବୋଲି କହିବାରୁ ବିଡିଓ ହଠାତ୍ ରାଗିଯାଇ ମୋ ସହ ବାକ୍ ବିତଣ୍ଡା କରି ମୋ’ ହାତକୁ ମୋଡିଦେଇଥିଲେ । ସେ ଜଣେ କମ୍ ବୟସର ଯୁବକ ଓ ତାଙ୍କ ମାନସିକ ଭାରସାମ୍ୟ ଠିକ୍ ନାହିଁ । ‘

ତେବେ ଯିଏ ସତ କହୁ , ତଦନ୍ତକାରୀ ପୁଲିସ୍ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ।

ଏଣୁ ଏଠାରେ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଯଦି ଜିଲ୍ଲାପାଳ ଚାରିବର୍ଷ ପୂର୍ବରୁ ତାହା ଅନୁମୋଦନ କରିଥିଲେ , ଜଣେ ଭାରପ୍ରାପ୍ତ ପୌର ନିର୍ବାହୀ ଅଧିକାରୀ ତାହା ତାଙ୍କ ଅଧିକାର ବହିର୍ଭୂତ ଓ ତହସିଲଦାରଙ୍କୁ ଦିଆଯିବାକୁ ଚିଠି ଲେଖିଥିଲେ , ଏଥିରେ ତାଙ୍କର ଭୁଲ୍ ରହିଥିଲା କି ? ସର୍ବୋପରି ଜିଲ୍ଲାପାଳ ଗୋଚରଜମିରେ ରାସ୍ତାପାଇଁ ସୁପାରିଶ୍ କରିଥିଲେ କିପରି  ?

ଏମିତିରେ ଦେଖିବାକୁ ଗଲେ , ସୁବର୍ଣ୍ଣପୁର ନୂତନ ଜିଲ୍ଲା ଗଠନ ପରେ ଏହି ପଟାଭାଡି ଅଞ୍ଚଳ ସମେତ ଜିଲ୍ଲା ଓ ଜିଲ୍ଲା ସଦର ମହକୁମାର ବହୁ ସରକାରୀ , ଗୋଚର , ଆଦାୟଯୋଗ୍ୟ ଅନାବାଦୀ ଜମି ଇତ୍ୟାଦିର ଜବରଦଖଲ ବୃଦ୍ଧି ପାଇଛି । ଖାସ୍ ସୋନପୁର ସହରରେ ବି ଜମିମାଫିଆମାନେ ସକ୍ରିୟ ଅଛନ୍ତି । କିଛିବର୍ଷ ପୂର୍ବେ ବଲାଙ୍ଗୀର- ସୋନପୁର ରାଜ୍ୟ ରାଜପଥ ପାର୍ଶ୍ବରେ ସିଆଲଜୁରୀ ନିକଟରେ ସୋନପୁରର ଜଣେ ଅଣଓଡିଆ ବ୍ୟବସାୟୀ -ସାମ୍ବାଦିକ ଏକ ପେଟ୍ରୋଲ୍ ପମ୍ପ ବସାଇଛନ୍ତି , ଯାହାର ମୁଖ୍ୟ ସଡକ ସହ ସଂଯୋଗ ରାସ୍ତାଟି ବନବିଭାଗର ଜବଲଦଖଲ ( ଜୀବଜନ୍ତୁଙ୍କ ପାଣି ପିଇବାର ନାଳା ) ଜମି ଓ ଏହାର ଅନୁମତି ଦେବାକୁ ତତ୍କାଳୀନ ଏଡିଏମ୍ ୧୦ ଲକ୍ଷ ଟଙ୍କା ଉତ୍କୋଚ ମାଗିଥିବା ଚର୍ଚ୍ଚା ହୋଇଥିଲା ଏବଂ ସେଇ ନାଳାଟିକୁ ଏବେ ପୋତି ଦିଆଯାଇ ଉକ୍ତ ପେଟ୍ରୋଲ୍ ପମ୍ପକୁ ରାସ୍ତା ତିଆରି କରିଦିଆ ଯାଇଛି  !

ବିଡିଓଙ୍କ ପକ୍ଷରୁ ଦିଆଯାଇଥିବା ଏତଲାରେ ଅଭିଯୁକ୍ତ ସାମ୍ବାଦିକ ଜଣକ ପ୍ରଥମେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ବେକରୁ ସୁନାଚେନ୍ ଲୁଟି ନେଇଥିଲେ ଓ ସେଠାରେ ସେତେବେଳେ ଉପସ୍ଥିତ ଥିବା ବ୍ଲକ୍ ଅଧ୍ୟକ୍ଷ ପ୍ରହଲାଦ ନାଏକ ଓ ସିସିଟିଭି ଏହାର ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ରହିଛନ୍ତି ବୋଲି କୁହାଯାଇଛି ।

ସାମ୍ବାଦିକଙ୍କ ପକ୍ଷରୁ ମଧ୍ୟ ଥାନାରେ ସେହିଦିନ ସନ୍ଧ୍ୟାରେ ଏକ କାଉଣ୍ଟର ଏତଲା ଦିଆଯାଇ ତାଙ୍କୁ ବିଡିଓ ପ୍ରଥମେ ମାଡ ମାରିବା ଓ ତାଙ୍କର ସୁନାଚେନ୍ ଛିଣ୍ଡାଇ ନେବା ଇତ୍ୟାଦି ଅଭିଯୋଗ କରିଛନ୍ତି ।

ଏଣୁ ଉଭୟଙ୍କର ଏତଲାରେ ଯେତେ ସତ୍ୟତା ଥାଉ ନଥାଉ , ପୁଲିସ୍ ଏହାର ତଦନ୍ତ ନିମନ୍ତେ ଆଦୌ ସମୟ ନ ଦେଇ ଏପରି ପକ୍ଷପାତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଠିକ୍ ନୁହେଁ ବୋଲି ଜନସାଧାରଣଙ୍କ ପକ୍ଷରୁ ମତପ୍ରକାଶ ପାଇଛି ।

ବିଡିଓଙ୍କ ସପକ୍ଷରେ ବ୍ଲକ୍ ର ବିଭିନ୍ନ କର୍ମଚାରୀ ସଂଘ ସମେତ ସରପଞ୍ଚ ଓ ସମିତିସଭ୍ୟ ସଂଘ ପକ୍ଷରୁ ସୁରକ୍ଷା ଦାବି କରି ଜିଲ୍ଲାପାଳ ଓ ଏସ୍ ପି ଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ଜିଲ୍ଲା ଏବଂ ଓଏ ଏସ ସଂଘର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଥିବା ପ୍ରକାଶ ।  ଆସନ୍ତାକାଲି ଅଭିଯୁକ୍ତ ବିଡିଓଙ୍କୁ ଗିରଫ ଓ ପୁଲିସ୍ ର ପକ୍ଷପାତ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଏସ୍ ପିଙ୍କ ବଦଳି ଦାବି କରି ଏସ୍ ୟୁ ଜେ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଜଣାଯାଇଛି ।

ସଂପ୍ରତି ରାଜ୍ୟବ୍ୟାପି ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ଓ ପ୍ରଶାସନର ଏତାଦୃଶ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଆନ୍ଦୋଳନ ବ୍ୟାପକ ହୋଇଛି ।  ମୁଖ୍ୟମନ୍ତ୍ରୀ ଏହାର ଉଚିତ୍ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା  ପ୍ରକାଶ।

Leave a Reply

Your email address will not be published. Required fields are marked *

Related Post