ଅପରାଧ

ବେଆଇନ୍ ଦାଦନଚାଲାଣ ଥମିନାହିଁ 

Email :

ବଲାଙ୍ଗୀର  :  ଦାଦନଶ୍ରମିକ ସମସ୍ୟାର ସମାଧାନ ବା ବେଆଇନ୍ ଦାଦନଚାଲାଣ ରୋକିବାକୁ ସରକାରଙ୍କ ଟାସ୍କଫୋର୍ସ ଗଠନ ସତ୍ତ୍ୱେ ଜିଲ୍ଲାରେ ଏହା ଥମିନାହିଁ ।  ଚଳିତ ସରକାରର ଜିଲ୍ଲାର ମନ୍ତ୍ରୀ ବନାମ ଉପମୁଖ୍ଯମନ୍ତ୍ରୀ ତଥା ପାଟଣାଗଡ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କୁ ଏହି ଟାସ୍କଫୋର୍ସର ଅଧ୍ୟକ୍ଷ କରାଯାଇଥିବା ପରେ ମଧ୍ୟ ଜିଲ୍ଲାର ପ୍ରମୁଖ ଦାଦନଚାଲାଣ କେନ୍ଦ୍ର କଣ୍ଟାବାଞ୍ଜିରେ ସ୍ଥାନୀୟ କଣ୍ଟାବାଞ୍ଜି ବିଧାୟକ ନିଜେ ଜଣେ ସର୍ଦ୍ଦାର ହୋଇଥିବାରୁ ଜିଲ୍ଲାରେ ଏହା ଅଧିକ ନିରଙ୍କୁଶ ହୋଇପଡିଥିବା ଅଭିଯୋଗ ମିଛନୁହେଁ । ଅଧିକନ୍ତୁ ଖାସ୍ ଏଇଥିପାଇଁ ଜିଲ୍ଲାର ଦାଦନସର୍ଦ୍ଦାର ଓ ସେମାନଙ୍କ ରହିଥିବା ରାଜ୍ୟ ବାହାରର ଇଟାଭାଟି ସେଠ୍ ମାନଙ୍କ ସୁସମ୍ପର୍କ ଯୋଗୁଁ  ଏଥର ଏହା ଆହୁରି ବୃଦ୍ଧି ପାଇଛି ।  ଏହାର ଉଦାହରଣ ସ୍ୱରୂପ ଚଳିତ ଦାଦନଋତୁରେ  ଆନ୍ଧ୍ରପ୍ରଦେଶ , ତାମିଲନାଡୁ , କର୍ଣ୍ଣାଟକ ଆଦି ରାଜ୍ୟବାହାରର ଇଟାଭାଟି ସେଠ୍ ମାନେ ଆସି କଣ୍ଟାବାଞ୍ଜି ସମେତ ଦାଦନ ଅଧ୍ୟୁଷିତ ଅଞ୍ଚଳରେ ଡେରା ପକାଇ ରହିଥିବା ସହିତ ସେହି ରାଜ୍ୟର ଟି ଏସ୍ ନମ୍ବର ଥିବା ଚାରିଚକିଆ ଗାଡି ଜିଲ୍ଲାରେ ବୁଲୁଛି । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମଧ୍ୟ ପୁଲିସ୍ ବା ପ୍ରଶାସନ ଏଥିପ୍ରତି ତିଳେମାତ୍ର ଧ୍ୟାନ ଦେଉ ନାହାଁନ୍ତି  !  

ସର୍ଦ୍ଦାର-ପୁଲିସ୍ ଫିକ୍ସିଂ ଓ ଶ୍ରମବିଭାଗର ହାତପତା ହିଁ କାରଣ

ଯଦିଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଲିସ୍ କିରିଆ ମେଟାଇବା ନ୍ୟାୟରେ କାଁ’ ଭାଁ’ ଧରପଗଡ ଚଳାଇଛି , ତେବେ ଏହା ଆଦୌ ଯଥେଷ୍ଟ ନୁହେଁ ।  ଦାଦନସର୍ଦ୍ଦାରଙ୍କ ସହ ପୁଲିସ୍ ଅଧିକାରୀଙ୍କ ମଧୁଚନ୍ଦ୍ରିକାର ଫଟୋ ଭାଇରାଲ୍ ହେବା ଓ ଗଣମାଧ୍ୟମରେ ଏ ସମ୍ପର୍କରେ ସମାଲୋଚନା ପ୍ରକାଶ ପାଇବା ସତ୍ତ୍ୱେ ମଧ୍ୟ ବରିଷ୍ଠ ପୁଲିସ୍ ଅଧିକାରୀ ବା ପୁଲିସ୍ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ନ ପାଇବା ଏହି ବେଆଇନ୍ ଦାଦନଚାଲାଣରୁ ବଟିଆଦାୟ ସହିତ ତଳୁ ଉପରସ୍ତର ପର୍ଯ୍ୟନ୍ତ ସମସ୍ତେ ଜଡିତ ରହିଥିବା  ପୂର୍ବର ପ୍ରମାଣିତ ଅଭିଯୋଗକୁ ପୁନର୍ବାର ପ୍ରମାଣିତ କରୁଛି । 

ଉଲ୍ଲେଖନୀୟ ଯେ , ଇତିମଧ୍ୟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ , ଟାସ୍କଫୋର୍ସ ଅଧ୍ୟକ୍ଷଙ୍କ ନିବାସସହର ପାଟଣାଗଡ ଓ ଜିଲ୍ଲା ସଦର ମହକୁମା ସହର ବଲାଙ୍ଗୀରରେ ଦାଦନଶ୍ରମିକଙ୍କୁ ରାଜ୍ୟବାହାରେ ନିର୍ଯାତନା , ଏକାଧିକ ଅପମୃତ୍ୟୁ ବା ହତ୍ୟାଅଭିଯୋଗର ଘଟଣା ଘଟିଛି । ତଥାପି ଜିଲ୍ଲାର ପ୍ରଶାସନ , ବିରୋଧୀଦଳ , ସ୍ବେଚ୍ଛାସେବୀ ଅନୁଷ୍ଠାନ ,ରାଜନେତା ବା ବୁଦ୍ଧିଜିବୀମାନେ ସ୍ବରୋତ୍ତଳନ ନକରି ନୀରବ ରହିବା ଆଶ୍ଚର୍ଯ୍ୟଜନକ ! ମିଡିଆ ବା ଗଣମାଧ୍ୟମରେ କେବଳ ଏହାକୁ ମ୍ୟାଟର୍ ବା ବିଷୟ ଭାବରେ ନିଆଯାଇ ଖବର ପରିବେଷଣ କରାଯାଉଛି । ଇତିମଧ୍ୟରେ ଜିଲ୍ଲାକୁ ଥରେ ଆସି ଜିଲ୍ଲା ବୈଠକରେ ଦାଦନସମସ୍ୟା ସମ୍ପର୍କିତ ଆଲୋଚନା କରିଥିବା ଟାସ୍କଫୋର୍ସର ସଦସ୍ୟ ରହିଥିବା ପଞ୍ଚାୟତିରାଜ ମନ୍ତ୍ରୀ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଗସ୍ତ କରିଥିବା ମନ୍ତ୍ରୀମାନଙ୍କର ମଧ୍ୟ ଏହି ଜ୍ବଳନ୍ତ ସମସ୍ୟାଟି ପ୍ରତି ଦୃଷ୍ଟି ପଡିନାହିଁ ।

ଗୁରୁତର ବିଷୟ ଯେ , ପୂର୍ବରୁ ଅବୈଧ ଭାବେ ଦାଦନଚାଲାଣ କରି ଗିରଫ ହୋଇଥିବା ସର୍ଦ୍ଦାରମାନଙ୍କୁ ଶ୍ରମବିଭାଗ ଅଦ୍ୟାବଧି କଳାତାଲିକାଭୁକ୍ତ କରିନାହିଁ ।  ସେଇମାନଙ୍କୁ ବା ଭିନ୍ନନାମରେ ସେମାନଙ୍କର ଲୋକଙ୍କୁ ଶ୍ରମିକ ଚାଲାଣର ଲାଇସେନ୍ସ ଦିଆଯାଇଛି । ଏପରିକି କଣ୍ଟାବାଞ୍ଜି ଥାନା ବେଲପଡା ବ୍ଲକ୍ ର ଅଣ୍ଡାଲଦରୋ ଗାଁ’ର ପୂର୍ବବର୍ଷ ବେଆଇନ୍ ଦାଦନଚାଲାଣ କରି ଗିରଫ ହୋଇଥିବା ଜଣେ ଅଭ୍ୟାସଗତ ସର୍ଦ୍ଦାର ସୁଶାନ୍ତ ପାତ୍ର ସହିତ କିଛିଦିନ ତଳେ ବେଲପଡା ଥାନାନ୍ତର୍ଗତ ଖଲିପଥରର ଜଣେ ଅଭିଯୁକ୍ତ ସର୍ଦ୍ଦାର ଶ୍ରୀଧର କୁମ୍ଭାର ସହିତ ପାଟଣାଗଡ ଥାନାଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ କଣ୍ଟାବାଞ୍ଜିର ଏକ ଚାହାଦୋକାନରେ ଡିଲ୍ ବିଷୟକ ଫଟୋ ଭାଇରାଲ୍ ହେବାପରେ କୌଣସି ତଦନ୍ତ ସୁଦ୍ଧା ହେଲାନାହିଁ  !

ଅଣ୍ଡାଲଦରୋର ଏକ କୁମୁଟି ପରିବାରର ଏକାଧିକ ଦାଦନସର୍ଦ୍ଦାରଙ୍କ ଦ୍ବାରା ନିୟମିତ ବେଆଇନ୍ ଦାଦନଚାଲାଣ , କଣ୍ଟାବାଞ୍ଜିର ସେମାନଙ୍କ ଆଡ୍ଡା ଓ ଘରେ ନେଇ ଶ୍ରମିକଙ୍କୁ ଅଟକ ରଖିବା ଇତ୍ୟାଦି ସତ୍ତ୍ୱେ ସ୍ଥାନୀୟ ପୁଲିସ୍ ସେମାନଙ୍କଠାରୁ ବଟି ନେଇ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଆଶ୍ଚର୍ଯ୍ୟ ଜନକ  ! କେବଳ ଏହି ଗ୍ରାମ ନୁହେଁ , ବେଲପଡା , କୁଦୋଭଟା , ମଣ୍ଡଳ , ଧୂମାଭଟା, ଝରଣୀ  ,ମୁରିବାହାଲ,  ତୁରେକେଲା ,  ଟିକ୍ରାପଡା , କପସିପାଲି , କନ୍ଧେନଝୁଲା , ସୁଲେକେଲା , ନୁନହାଡ , ଲାଠୋର ଓ ଅନ୍ୟାନ୍ୟ ବହୁ ଗାଁ’ରେ ସର୍ଦ୍ଦାରମାନେ ବେଆଇନ୍ ଦାଦନଚାଲାଣରେ ଜଡିତ ରହିଛନ୍ତି । ଧରାପଡିବା ଭୟରେ ବଡବଡ ସର୍ଦ୍ଦାରମାନେ ସେମାନଙ୍କ ସେକେଣ୍ଡ୍ ସର୍ଦ୍ଦାରଙ୍କ ନାଁ’ରେ ମାମଲା ଋଜୁ କରାଇ ନିଜେ ଖସି ଯାଉଥିବା କୌଶଳ କରୁଥିବା ଜଣାଯାଇଛି । ଜିଲ୍ଲାର ପ୍ରାୟ ସମସ୍ତ ଦାଦନପ୍ରବଣ ଥାନାଫାଣ୍ଡିର ପୁଲିସ୍ ସହ ବଟି ଦିଆ ଫିକ୍ସିଂ ଫଳରେ ସେମାନଙ୍କୁ ଗିରଫ କରାଯାଉନାହିଁ । ଗତଥରର କଣ୍ଟାବାଞ୍ଜିର ଜଣେ ଡିଏସପି ପ୍ରାୟ କୋଟିଏ ଟଙ୍କା ହଡପ କରି ଧରାପଡିବା ଜିଲ୍ଲାର ପୁଲିସ୍ ଦାଦନଚାଲାଣରୁ ଉତ୍କୋଚ ନେବାର ସବୁଠାରୁ ବଡ ପ୍ରମାଣ ।

ତେବେ ଶ୍ରମବିଭାଗ ମଧ୍ୟ ସର୍ଦ୍ଦାରମାନଙ୍କର ଘର ଘର ବୁଲି ଓ ଅଫିସ୍ କୁ ଡକାଇ ହାତ ପତାଉଥିବା ସମସ୍ତେ ଜାଣନ୍ତି । ଏଣୁ ସରକାରଙ୍କ ଯାବତୀୟ ଘୋଷଣା ଓ କଟକଣା ସତ୍ତ୍ୱେ ପ୍ରକୃତରେ ଏହି ସମସ୍ୟାର ନିରାକରଣ କରାଯାଇ ପାରୁନାହିଁ । ଦାଦନସର୍ଦ୍ଦାରମାନେ ଏତେବର୍ଷ ଧରି ଠୁଳ କରିଥିବା ଅନ୍ୟାୟୋପାର୍ଜିତ ସମ୍ପତ୍ତି , ଭବ୍ୟ କୋଠାବାଡି , ଜମିଜମା ଓ କୋଟିକୋଟି ଟଙ୍କା ଉପରେ ଇଡି , ଆୟକର ଲଗାଇ ତଦନ୍ତ କରାଗଲେ , ବହୁ ଚାଞ୍ଚଲ୍ୟକର ତଥ୍ୟ ଧରାପଡିବ ।  ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *

Related Post