ଅପରାଧ

ଭୀମଭୋଇ ମେଡିକାଲ କଲେଜ ହାସପାତାଳର ଶିଶୁବିକ୍ରି ଘଟଣା :

Email :

ନର୍ଲାରୁ ଉଦ୍ଧାର : ଲୁଚାଉଛି ପୁଲିସ୍ ?

ଡିପିସିଓଙ୍କ ବିରୁଦ୍ଧରେ ସିଡବ୍ଲୁସି ସଦସ୍ଯାଙ୍କର ଗୁରୁତର ସୂଚନା

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଏକାଧିକ ଶିଶୁବିକ୍ରି ଘଟଣା ପଛରେ ଆନ୍ତଃରାଜ୍ୟ ରାକେଟ୍ ଜରିଆରେ ଆନ୍ତର୍ଜାତିକ ଶିଶୁଚୋରାଚାଲାଣର ସୁରାକ୍ ମିଳିଛି । ଆଗର କେତେକ ମାମଲାରେ ଏହି ସନ୍ଦେହ ପ୍ରକାଶ କରାଯାଇ ଆସୁଥିଲେ ହେଁ , ସମ୍ପୃକ୍ତ ବିଭାଗ , ପୁଲିସ, ପ୍ରଶାସନ ଓ ସରକାର ଏଥିନେଇ ଗୁରୁତ୍ବ ଦେଇନାହାଁନ୍ତି ! ଏପରିକି ସିଡବ୍ଲୁସିର ଜନୈକା ଆଇନଜିବୀ ସଦସ୍ଯା ଡିପିସିଓଙ୍କ ବିରୁଦ୍ଧରେ ସେ ଏପରି ବିଦେଶକୁ ପୋଷ୍ୟସନ୍ତାନ ଚୋରାଚାଲାଣ ସୂଚନା କେତେକ ଓକିଲ , ସାମ୍ବାଦିକ ଓ ପ୍ରଶାସନିକ ଅଧିକାରୀଙ୍କ ଆଗରେ ପ୍ରକାଶ କରିଥିଲେ ହେଁ , ଏଭଳି ଗୁରୁତର ଅଭିଯୋଗକୁ ଗୁରୁତ୍ବ ଦିଆଯାଇନାହିଁ ! ପୂର୍ବ ମାମଲାରେ ତଦନ୍ତକାରୀ ପୁଲିସ ମଧ୍ଯ ଏଭଳି ସୂଚନା ପାଇଥିଲେ ହେଁ ନିକୃଷ୍ଟ ସ୍ବାର୍ଥସାଧନ କରି , ଏତଲା ଋଜୁ କରିବାରେ ଆନାକାନି କରି ଆନ୍ତଃରାଜ୍ୟ ଦଲାଲକୁ ଛାଡିଦେଉଥିବା ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ଯ ଯେ , କିଛିମାସ ତଳର ଟିଟିଲାଗଡ ଉପଖଣ୍ଡ ହାସପାତାଳ ଏମ୍ ସି ଏଚ୍ ର ଶିଶୁକନ୍ୟା ବିକ୍ରି ଉଦ୍ୟମ ବେଳେ ଉଦ୍ଧାରରେ ସହାୟତା କରିଥିବା ଟିଟିଲାଗଡ ଥାନାର ପୁଲିସ ଗଣମାଧ୍ୟମରେ ଘନଘନ ଖବର ପ୍ରକାଶ ସତ୍ତ୍ବେ ଓ ଉପଜିଲ୍ଲାପାଳ ଏବଂ ଏସ୍ ଡିପିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ହେଁ , ପ୍ରଥମେ ଭିନ୍ନ ଆଳ ଦେଖାଇ ମାମଲା ଋଜୁ କରି ନଥିଲେ । ଆହୁରି ମଧ୍ଯ ଗଣମାଧ୍ୟମର ଚାପରେ କିଛିଦିନ ଅହେତୁକ କାଳକ୍ଷେପଣ କରାଯିବା ପରେ ଡିପିସିୟୁ ପକ୍ଷରୁ ଏତଲା ଦିଆଯିବାରୁ ଏକ ମାମଲା ଋଜୁ କରି ତଥାକଥିତ ତଦନ୍ତ କରିଥିଲେ ହେଁ , କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ! ଏପରିକି ଉକ୍ତ ଶିଶୁକନ୍ୟାର ଅବୈଧ ବିକ୍ରିରେ ସହଯୋଗ କରିଥିବା ୧୪ ନମ୍ବର ୱାର୍ଡର ଆଶାକର୍ମୀ ବା ହାସପାତାଳରେ ଶିଶୁକନ୍ୟାଟିକୁ ଅଢେଇଲକ୍ଷ ଟଙ୍କାରେ କିଣିନେବାକୁ ଦୁଇଦିନକାଳ ଡେରା ପକାଇଥିବା ରାୟପୁରର ଆନ୍ତଃରାଜ୍ୟ ଦଲାଲକୁ ତଦନ୍ତକାରୀ ପୁଲିସ ଗିରଫ ନକରି ଛାଡିଦେଇଥିବା ମୂଳରେ କ’ଣ ଥିଲା , ଜଣାପଡିଲା ନାହିଁ ! ପୁଲିସ ଉକ୍ତ ଦଲାଲଠାରୁ ମୋଟାଅଙ୍କର ହାତଚିକ୍କଣ କରି ତା’କୁ ଖସାଇ ଦେଇଥିବା ଓ ଏହାପଛରେ ବଡ ବଡ ମୁଣ୍ଡମାନେ ରହିଥିବାର ଲୋକେ ଚର୍ଚ୍ଚା କରିଥିଲେ ।

ସେହିପରି କିଛିମାସ ତଳର ଲାଠୋର ଥାନା ପୁଲିସ ଗଣମାଧ୍ୟମରେ ପ୍ରକାଶିତ ଏଭଳି ଶିଶୁଚାଲାଣ ସନ୍ଦେହରେ ପାଟଣାଗଡ ଏସ୍ ଡିପିଓଙ୍କୁ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସୁନାମୁଦି ଗ୍ରାମର ଶିଶୁକନ୍ୟା ବିକ୍ରି ଘଟଣାରେ ଏକ ମାମଲା ଋଜୁ କରି ରାୟପୁରରୁ ଶିଶୁଟିକୁ ଉଦ୍ଧାର କରି ଉକ୍ତ ଘଟଣାରେ ସମ୍ପୃକ୍ତ ଜଣେ ସ୍ଥାନୀୟ ମଧ୍ୟସ୍ଥି , କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁରର କିଣିଥିବା ବ୍ୟବସାୟୀ ଓ ସ୍ଥାନୀୟ ସ୍ବାସ୍ଥ୍ୟଉପକେନ୍ଦ୍ରର ଜଣେ ମହିଳା ସ୍ବାସ୍ଥ୍ୟସେବିକାଙ୍କୁ ଗିରଫ କରିଥିଲେ ହେଁ , ତଦନ୍ତ ନାଁ’ରେ କାଳକ୍ଷେପଣ କରି ରାୟପୁର ବା ଆଉ କୌଣସି ଜଡିତ ସନ୍ଦିଗ୍ଧଆସାମୀଙ୍କୁ ଧରି ନ ଥିଲେ !

ଆନ୍ତର୍ଜାତିକ ଚୋରାଚାଲାଣ ଅଭିଯୋଗ !

ଏବେ ଗତ ୮ ତାରିଖର ବଲାଙ୍ଗୀର ଜିଲ୍ଲା ସଦର ମହକୁମାର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଏକ ତିନିଦିନର ଅବୈଧ ଶିଶୁପୁତ୍ର ବିକ୍ରି ଏବଂ ଉଦ୍ଧାର ଘଟଣାରେ ଗତ ୧୦ ତାରିଖରେ ସିଡବ୍ଲୁସି ପକ୍ଷରୁ ସଦସ୍ଯା ଏସ୍ . ଲତାଶ୍ରୀଙ୍କ ପକ୍ଷରୁ ପ୍ରଦତ୍ତ ଏତଲା କ୍ରମେ ବଲାଙ୍ଗୀର ଟାଉନଥାନାରେ ଟିଟିଲାଗଡର କୁନି ପଶାୟତ , ଶୋଭାକର ପଶାୟତ ଓ ଭାଗ୍ୟ ବାରିକ ପ୍ରମୁଖ ୩ ଜଣଙ୍କ ନାଁ’ରେ ମାମଲା ଋଜୁ ହୋଇଛି । ଏ ଭିତରେ ଏଥିରେ ରାଜନୈତିକ ହସ୍ତକ୍ଷେପ ହେଉଥିବା ମଧ୍ଯ ଚର୍ଚ୍ଚା ହେଉଛି ।

ଏହି ଶିଶୁପୁତ୍ରଟିର ବିକ୍ରି ଘଟଣାରେ ଦିନକୁ ଦିନ ନୂଆ ନୂଆ ସୂଚନା ମିଳିବାରେ ଲାଗିଛି । ସେସବୁ ଏହା ଯେ , ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ନିକଟସ୍ଥ ବୈଦୁପାଲିରେ ବିବାହ କରିଥିବା ପୁଇଁନ୍ତଳାର ପିଙ୍କି ଦାସ ବଲାଙ୍ଗୀର ସହରର ମାଲପଡାର ଏକ ଭଡାଘରେ ଲୋକଙ୍କ ଘରେ ପାଇଟି କରି ଗୁଜୁରାଣ ମେଣ୍ଟାଉଥିବା ଯୁବତୀଟି ୨ ବର୍ଷ ତଳୁ ଜଣେ ବିଧବା ଓ ତା’ର ଗୋଟିଏ ଦୁଇବର୍ଷର ଝିଅ ଥିବା ବେଳେ , ଗତ ୬ ତାରିଖରେ ତା’ର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା । ସେମାନେ ଅସୁସ୍ଥ ହେବାରୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଭର୍ତ୍ତି ହୋଇଥିଲେ । ଗତ ୮ ତାରିଖରେ ଡାକ୍ତରଖାନାରୁ ଘରକୁ ଗଲାରୁ ଛୁଆଟି ତାଙ୍କ ପାଖରେ ନଥିବା ଦେଖାଯାଇଥିଲା । ପାଖପଡୋଶୀ ପଚାରିବାରୁ ସେ ପୋଷି ନ ପାରିବାରୁ ଜଣକୁ ପାଳିବାକୁ ଦେଇ ଦେଇଥିବା କହିଥିଲେ । ଏଥିରୁ ଶିଶୁଟିକୁ ସେ ବିକି ଦେଇଥିବା ଚର୍ଚ୍ଚା ହୋଇଥିଲା । ଖବର ପାଇ ଗଣମାଧ୍ୟମର ପ୍ରତିନିଧିମାନେ , ସିଡବ୍ଲୁସିର ସଦସ୍ଯା , ଡିପିସିୟୁର ସଦସ୍ଯ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଓ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ଓ ପୁଲିସ ଯାଇ ତନାଘନା କରିବାରୁ ଶିଶୁପୁତ୍ରଟିକୁ ଯୁବତୀଜଣକ ଲୋକଲଜ୍ଜା ଓ ପୋଷିବାକୁ ଅକ୍ଷମ ହେବାରୁ ସଇଁତଳା ଅଞ୍ଚଳର ଜଣକୁ ୫ ହଜାର ଟଙ୍କାରେ ବିକି ଦେଇଥିବା ଜଣାପଡିଥିଲା । ଏହାପରେ ପ୍ରଶାସନ, ପୁଲିସ ଓ ସିଡବ୍ଲୁସିର ସଦସ୍ଯା , ଡିପିସିୟୁର କର୍ମଚାରୀମାନେ ଯାଇ ଶିଶୁଟିକୁ ଉଦ୍ଧାର କରି ଆଣି ବଲାଙ୍ଗୀର ପ୍ୟାଲେସ ଲାଇନ ରେ ଥିବା ପୋଷ୍ୟସନ୍ତାନ ଗ୍ରହଣ କେନ୍ଦ୍ର ‘ ସା ‘ ରେ ରଖିଥିବା ପ୍ରକାଶ ।

ତେବେ କଥା ଏତିକିରେ ସରିନାହିଁ । ପ୍ରକାଶ ଯେ , ଏହି ଶିଶୁପୁତ୍ରଟିକୁ ବିକ୍ରି ପାଇଁ ଜଣେ ନର୍ସ ଜରିଆରେ ୨୦ ହଜାର ଟଙ୍କାର ଡିଲ୍ ହୋଇ ଅଗ୍ରୀମ ସ୍ବରୂପ ଜନୈକ ବିଶ୍ବଭୂଷଣ ଡାଙ୍ଗ ବ୍ୟାଙ୍କ ଆକାଉଣ୍ଟରେ ୫ ହଜାର ଟଙ୍କାର ଫୋନ୍ ପେ’ ପଠାଯାଇଥିଲା ଓ ଦିନକ ପରେ ଅବଶିଷ୍ଟ ୧୫ ହଜାର ଟଙ୍କା ପଇଠ କରାଯାଇ କାଗଜପତ୍ର କରାଯିବାକୁ ଧାର୍ଯ୍ଯ କରାଯାଇଥିଲା । ତେବେ ପ୍ରଦତ୍ତ ଏତଲାରେ ଏହି ପରିମାଣ ୭୦ ହଜାର ଟଙ୍କା ବୋଲି ଉଲ୍ଲେଖ ରହିଛି । ଭୀମଭୋଇ ମେଡିକାଲ କଲେଜ ହାସପାତାଳର ଏହି ନର୍ସ ସମ୍ପର୍କରେ ସୂଚନା ମିଳିପାରିନାହିଁ । ଏଠାରେ ଉଲ୍ଲେଖଯୋଗ୍ଯ ଯେ କିଛିବର୍ଷ ତଳେ ତତ୍କାଳୀନ ଏହି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଜଣେ ନର୍ସ ଜରିଆରେ ମଧ୍ଯ ଏକ ଶିଶୁବିକ୍ରି ହୋଇ ଲୋଇସିଂହା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା । ବିଗତବର୍ଷ ମଧ୍ଯ ଏହି ଭୀମଭୋଇ ମେଡିକାଲ କଲେଜ ହାସପାତାଳରୁ ଏକ ଶିଶୁଚୋରି ହୋଇ ବୌଦ୍ଧ ଜିଲ୍ଲାର ଏକ ଗ୍ରାମରୁ ଉଦ୍ଧାର ହୋଇଥିଲା । ସେହିପରି ଉକ୍ତ ଆକାଉଣ୍ଟଧାରୀ ବିଶ୍ବଭୂଷଣ ଡାଙ୍ଗ କିଏ ବୋଲି ପଚରାଯିବାରେ ‘ ସେ ମୋର ଜଣେ ମାମୁଁ ଓ ତାଙ୍କର ଏଥିରେ କିଛି ସମ୍ପୃକ୍ତି ନଥିବା ଶିଶୁଟିର ଜନ୍ମଦାତ୍ରୀ ମାଆ ସଫେଇ ଦେଇଥିଲେ ।

ତେବେ ଏହି ଶିଶୁପୁତ୍ରଟିକୁ କେତେବେଳେ ଟିଟିଲାଗଡର ହାଟପଦାପଡାରୁ ଓ ପୁଣି ହାଇସ୍କୁଲପଡାରୁ ଉଦ୍ଧାର କରାଯାଇଥିବା କୁହାଯାଉଥିଲା ବେଳେ , ତାହାକୁ କଳାହାଣ୍ଡି ଜିଲ୍ଲାର ନର୍ଲାରୁ ପୁଲିସ ଉଦ୍ଧାର କରିଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଅଥଚ ଅଭିଯୁକ୍ତ ଶୋଭାକର ପଶାୟତ ଘଟଣା ପ୍ରଘଟ ହେବାରୁ ନିଜେ ଆଣି ଶିଶୁଟିକୁ ଦାଖଲ କରିଦେଇଥିବା କହୁଥିବା ବେଳେ ତା’ର କେବଳ ତିନୋଟି ଝିଅ ସନ୍ତାନ ଥିବାରୁ ନିଜେ ରଖିବାକୁ ଆଣିଥିବା ସଫେଇ ଦେଇଛି ।

ଲୁଚାଉଛି ପୁଲିସ୍ ?

ତେବେ ଅନୁସନ୍ଧାନରୁ ଜଣାଯାଇଛି ଯେ , ସଇଁତଳା ବରଗାଁ’ ଛକରେ ଏକ ସେଲୁନ୍ ଦେଇଥିବା ଭଦ୍ରା ଗ୍ରାମର ବିନୋଦ ପଶାୟତଙ୍କ ପୁଅ ହାଡୁ ଓରଫ ଅଭିଯୁକ୍ତ ଶୋଭାକର ପଶାୟତ ପାଖରେ ଦାମୀ ଗାଡି ଅଛି ଓ ସେ ପ୍ରାୟ କୌଣସି ମାଲ୍ ଆଣିବାକୁ ରାୟପୁର ଓ ନିଜ ଶଶୁରଘର ନର୍ଲାକୁ ବହୁ ସମୟରେ ଯାଆଆସ କରିଥାଏ । ତା’ର ସ୍ତ୍ରୀ ପିଙ୍କି ପଶାୟତ ବ୍ୟାଙ୍କ ଓ ଏନ ଜି ଓ ପରି କାମରେ ମହିଳାମାନଙ୍କୁ ସହାୟତା ପରି କାମ କରୁଥିବା ପ୍ରକାଶ । ଅନ୍ୟତମ ଅଭିଯୁକ୍ତା ଭାଗ୍ୟ ବାରିକ ନର୍ଲାର ତା’ର ସମ୍ପର୍କୀୟ । ଟିଟିଲାଗଡର ତା’ର ସଢୁ ଦିଲିପ ପଶାୟତ ଓ ତା’ ସ୍ତ୍ରୀର ବଡଭଉଣୀ ଅଭିଯୁକ୍ତା କୁନି ପଶାୟତଙ୍କର ଦୁଇଟି ଝିଅ ( ଗୋଟିଏ ବିବାହିତା ) ଓ ଗୋଟିଏ ପୁଅ ଥିବା ପରବର୍ତ୍ତୀ ସୂଚନାରୁ ପ୍ରକାଶ । ଏହି ସଢୁ ଓ ଦେଢଶାଶୁ ପ୍ରାୟତଃ ଭଦ୍ରାର ଶୋଭାକର ଘରକୁ ପ୍ରାୟତଃ ଯାଆଆସ କରିଥା’ନ୍ତି । ଦିଲିପ ଓ କୁଲିଙ୍କ ସହ ରାୟପୁରର ଜଣେ ପଠାଣର ସମ୍ପର୍କ ରହିଛି ଓ ସେ ସେମାନଙ୍କ ପାଖକୁ ଆସିଥାଏ । ଏହି ପଠାଣକୁ ପୂର୍ବରୁ ଏହିପରି ମାମଲାରେ ଜଡିତ ଥିବା ଓ ଥରେ ତା’ଠାରୁ ଟଙ୍କାପଇସା ନେଇ ପୁଲିସ ଛାଡିଡେଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଶୋଭାକରର ଅନ୍ୟକୌଣସି ସେପରି ଆୟଉପାର୍ଜନର ପନ୍ଥା ନ ଥିଲେ ହେଁ , ସେ କିଛିବର୍ଷ ହେଲା ଦାମୀ ଗାଡିମଟର ଚଢି ବରାବର ରାୟପୁର, ନର୍ଲାକୁ ଯାଆଆସ କରୁଥିବା ଏବଂ ବେଶ୍ ଠାଟ୍ ବାଟ୍ ରେ ଚଳୁଥିବାରୁ ପାଖପଡୋଶୀ ସନ୍ଦେହ ଚକ୍ଷୁରେ ଦେଖିଥା’ନ୍ତି । ତେଣୁ ଏହି ଅଭିଯୁକ୍ତମାନେ , ସେମାନଙ୍କର ଉକ୍ତ ସମ୍ପର୍କୀୟଙ୍କ ସମେତ ଉକ୍ତ ସନ୍ଦିଗ୍ଧପଠାଣକୁ ଏହି ଆନ୍ତଃରାଜ୍ୟ ଶିଶୁବିକ୍ରି ରାକେଟ୍ ର ତଦନ୍ତର ପରିସରଭୁକ୍ତ କରାଯିବାକୁ ପୁଲିସ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି ।

ସେହିପରି ସିଡବ୍ଲୁସିର ଉକ୍ତ ସଦସ୍ଯାଙ୍କ ପକ୍ଷରୁ ଡିପିସିୟୁର ଅଧିକାରିଣୀଙ୍କ ବିରୋଧରେ କରାଯାଇଥିବା ବିଦେଶକୁ ଆନ୍ତର୍ଜାତିକ ପୋଷ୍ୟସନ୍ତାନ ଚୋରାଚାଲାଣ ଅଭିଯୋଗର ସତ୍ଯାସତ୍ଯର ତଦନ୍ତ ମଧ୍ଯ କରାଯିବା ଜରୁରୀ ! ଅବଶ୍ଯ ଡିପିସିୟୁର ଉକ୍ତ ଅଧିକାରିଣୀ ଏଥରର ଉକ୍ତ ଘଟଣା ସମୟରେ ଗତ ୬ ତାରିଖରୁ ଅସୁସ୍ଥତା ଯୋଗୁଁ ଛୁଟିରେ ରହିଥିବା କୁହାଯାଉଛି । ପୂର୍ବରୁ ତାଙ୍କୁ ଉକ୍ତ ସିଡବ୍ଲୁସିର ସଦସ୍ଯାଙ୍କର ଉପରୋକ୍ତ ଆରୋପ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଅସ୍ୱୀକାର କରି ପ୍ରଚଣ୍ଡ ପ୍ରତିକ୍ରିୟାଶୀଳ ହୋଇପଡିଥିବା ଦେଖାଯାଇଥିଲା । ସେ ଯାହାହେଉ , ଏଭଳି ଏକ ଗୁରୁତର ସୂଚନା , ସଂକେତ ଓ ଅଭିଯୋଗର ଉଚ୍ଚସ୍ତରୀୟ ସ୍ବତନ୍ତ୍ର ତଦନ୍ତ ଜରୁରୀ ହୋଇପଡିଛି ।

ଯଦିଓ ସରକାରୀ ଭାବେ ବିଦେଶୀମାନଙ୍କ ପାଇଁ ଅନାଥ ପୋଷ୍ୟସନ୍ତାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି । ବଲାଙ୍ଗୀର ଡିପିସିୟୁ ଓ ସିଡବ୍ଲୁସିରେ ଆବେଦନ କରି ସରକାରଙ୍କ କେନ୍ଦ୍ରୀୟ ସ୍ତରୀୟ କମିଟିର ଅନୁମୋଦନ କ୍ରମେ ଏଠାରୁ କେତେକ ଶିଶୁଙ୍କୁ ବିଦେଶକୁ ଦିଆଯାଇଥିବା ଡିପିସିଓ ଲକ୍ଷ୍ମୀ ସିଂ ଗତଥର ଆଲୋଚନା ବେଳେ ପ୍ରକାଶ କରିଥିଲେ ।

କିନ୍ତୁ ଏହି ପ୍ରକ୍ରିୟାରେ ମାସାଧିକ କାଳର ବିଳମ୍ବ ନିମନ୍ତେ ବୋଧହୁଏ ବିପୁଳ ଅର୍ଥ ଲୋଭରେ ଏଭଳି ଚୋରାଚାଲାଣ କରାଯାଉଥିବା ବିଚିତ୍ର ନୁହେଁ ବୋଲି ସନ୍ଦେହ କରାଯାଉଛି । ଆହୁରି ମଧ୍ଯ ବଲାଙ୍ଗୀର ଜିଲ୍ଲାର ପ୍ରାୟ ୫୪ ଟି ନିଖୋଜ ଅନାଥ ଶିଶୁଙ୍କ ସମ୍ପର୍କରେ ଗତବର୍ଷ ସିଡବ୍ଲୁସି ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ ନିମନ୍ତେ ଦାବି କରାଯାଇଥିଲା । ଏହାକୁ ନେଇ ସିଡବ୍ଲୁସି ଓ ଡିପିସିୟୁ ମଧ୍ଯରେ ବିବାଦୀୟ ବାତାବରଣ ସୃଷ୍ଟି ହୋଇଥିଲା । ଉକ୍ତ ରିପୋର୍ଟର ଅଦ୍ୟାବଧି କ’ଣ ହେଲା , ଜଣାଯାଇନାହିଁ !

ଆହୁରି ବି ଡିପିସିୟୁ ଜରିଆରେ ସଚେତନତା ସୃଷ୍ଟି ଇତ୍ୟାଦି ସକାଶେ ବର୍ଷକୁ ବର୍ଷ ସରକାରଙ୍କ ପକ୍ଷରୁ ପ୍ରାୟ ଏକକୋଟିରୁ ଦେଢକୋଟି ଟଙ୍କାର ଖର୍ଚ୍ଚ ହୋଇଥାଏ । ଏହାସତ୍ତ୍ବେ ଏହି ଜିଲ୍ଲାରେ ଏକାଧିକ ଶିଶୁବିକ୍ରି ଘଟଣା ଘଟୁଥିବା ଚିନ୍ତାଜନକ ବିଷୟ ନିଶ୍ଚୟ । ସର୍ବୋପରି ବଲାଙ୍ଗୀରର ସିଡବ୍ଲୁସି ଓ ଡିପିସିୟୁର ସଦସ୍ୟା ଓ କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ସମୀକ୍ଷାସାପେକ୍ଷ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Post