କଲମର କାଳି ସରିଯିବାରୁ ରୋଗୀଙ୍କ ଏଣ୍ଟ୍ରି ହୋଇପାରିଲାନି !
କହିଲେ କୁଳକୁଟୁମ୍ବଙ୍କୁ ଲାଜ
ବଲାଙ୍ଗୀର : ସ୍ବାସ୍ଥ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଜଣେ ସ୍କ୍ରବ୍ ଟାଇଫସ୍ ରେଫର୍ ସାମ୍ବାଦିକରୋଗୀଙ୍କୁ ଅଣଦେଖା କରାଯାଉଥିବା ଦେଖାଯାଇଛି । ସବୁଠାରୁ ହାସ୍ୟାସ୍ପଦ କଥା ଯେ , ଉଆର୍ଡର ସିକ୍ୟୁରିଟି ରେଜିଷ୍ଟରରେ କଲମର କାଳି ସରିଯିବାରୁ ଆଜି ଦିନଯାକ ରୋଗୀଙ୍କର ଏଣ୍ଟ୍ରି କରାଯାଇପାରି ନାହିଁ ! ଏଥିରୁ ଉକ୍ତ ହାସପାତାଳର ଅବସ୍ଥା କିପରି ଥିବ , ‘ଧୋବାତୁଠରୁ ଗାଁ’ ପରିମଳ’ ପରି ଅନୁମେୟ ?
ପ୍ରକାଶ ଯେ , କଣ୍ଟାବାଞ୍ଜିର ଜଣେ ଜଣାଶୁଣା ଯୁବସାମ୍ବାଦିକ ହରିଶ କୁମାର ବାରିକଙ୍କୁ କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଆଜି ସକାଳୁ ଭର୍ତ୍ତି କରାଯାଇଛି । ତାଙ୍କର ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଥିବା ରକ୍ତନମୁନା ପରୀକ୍ଷାରୁ ଜଣାପଡିଛି । ତେବେ ତାଙ୍କୁ ଉକ୍ତ ହାସପାତାଳର ମେଡିସିନ୍ ମେଲ୍ ଉଆର୍ଡରେ ବେଡ୍ ଅଭାବରୁ ତଳେ ଶୁଆଯାଇଥିବା ବେଳେ , ସନ୍ଧ୍ୟାରେ ଯାଇ ତାଙ୍କ ଉଆର୍ଡ ନମ୍ବର ପଚାରିବାରୁ ଦାୟିତ୍ୱରେ ଥିବା କୌଣସି ମେଡିକାଲ୍ ଷ୍ଟାଫ୍ ନ ମିଳିବା ସହିତ ଦୁଇଜଣ ସିକ୍ୟୁରିଟି କର୍ମଚାରୀ ବାଟରେ ଟେବୁଲ୍ ପକାଇ ଖାତା ଧରି ବସିଥିବା ଦେଖିବାକୁ ମିଳିବାରୁ ସେମାନେ କଲମର କାଳି ସରିଯିବାରୁ ଆଜି ସକାଳୁ କୌଣସି ରୋଗୀ ବା ଅଭିଭାବକଙ୍କ ନାଁ’ ପଞିକୃତ କରାଯାଇପାରି ନଥିବା ସେମାନେ ପ୍ରକାଶ କରିଛନ୍ତି । ‘ ୟେ ଗୋଟେ କଥା କି ? ‘ ବୋଲି କହିବାରୁ ସେମାନେ ଦାନ୍ତନେଫେଡି ଦେଇ ‘ ଆମ ଭୁଲ୍ ‘ ବୋଲି ସଫେଇ ଦେଇଥିଲେ ।
ପ୍ରକାଶ ଯୋଗ୍ୟ ଯେ , ଏହି ହାସପାତାଳରେ ପ୍ରାୟତଃ ଅବ୍ୟବସ୍ଥା ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ରୋଗୀମୃତ୍ୟୁ ଇତ୍ୟାଦି ଅଭିଯୋଗରେ ଗଣ୍ଡଗୋଳ ଓ ଡାକ୍ତରଙ୍କୁ ମାଡ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଆକ୍ରମଣ ଓ ସିକ୍ୟୁରିଟି ଗାର୍ଡଙ୍କର ଦୁର୍ବ୍ଯବହାର ଯୋଗୁଁ ଉତ୍ତେଜନା ସୃଷ୍ଟି ପରି ଅନେକ ଦୁର୍ଘଟଣାଦି ଘଟିଆସିଛି । ତେବେ ଏଇ ସାମାନ୍ୟ କାରଣଟି ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ଡାକ୍ତରଖାନାର ଅବ୍ୟବସ୍ଥାର ଏକ ନମୁନା ମାତ୍ର । ଯାହା ‘କହିଲେ କୁଳକୁଟୁମ୍ବଙ୍କୁ ଲାଜ ‘ବୋଲି ଲୋକେ କହୁଛନ୍ତି । କର୍ତ୍ତୃପକ୍ଷ ଓ ସରକାର ଦୃଷ୍ଟି ଦେବେ କି ?



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।