ଲୋକଙ୍କ ଆନ୍ଦୋଳନ ଯୋଗୁଁ ସ୍ଥାନାନ୍ତରିତ ହୋଇଥିଲା..
ପାଟଣାଗଡ : ଦିନକୁ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବା ବଲାଙ୍ଗୀର ଜିଲ୍ଲାର ପାଟଣାଗଡରେ କିଛିବର୍ଷ ହେଲା ଜଣେ ବ୍ୟକ୍ତି ଏକ ବିଶୁଦ୍ଧ ପାନୀୟ ଜଳ କାରଖାନା ଖୋଲି ପାଣି ବିକ୍ରି ବେପାର ଚଳାଇଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।
ପ୍ରକାଶ ଯେ , ପାଟଣାଗଡର ସୁରେଶ ମେହେର ନାମକ ଜଣେ ବ୍ୟବସାୟୀ କିଛିବର୍ଷ ତଳେ ପାଟଣାଗଡ – ରାମପୁର ମଧ୍ୟରେ ପାଟଣାଗଡ- ବଲାଙ୍ଗୀର ମୁଖ୍ୟରାସ୍ତା କଡର ସୁବର୍ଣ୍ଣରେଖା ନଦୀର ପୋଲ ସଂଲଗ୍ନ ସ୍ଥାନରେ ପ୍ରଥମେ ପିଇବା ପାଣି ପାଉଚ୍ ଓ ସ୍ପ୍ରିଲ୍ ନାମକ କୋଲ୍ ଡ ଡ୍ରିଂକ୍ସ କାରଖାନା ଖୋଲିଥିଲେ । ସେହିସ୍ଥାନରେ ସହରାଞ୍ଚଳର ଅଧିବାସୀଙ୍କୁ ପାନୀୟଜଳ ଯୋଗାଣ ନିମନ୍ତେ ଜନସ୍ୱାସ୍ଥ୍ୟ ବିଭାଗର ଇନ୍ ଟେକ୍ କୂପ ବସାଯାଇଛି । ଏହାର ମାତ୍ର ପ୍ରାୟ ୫୦ ମିଟର ସ୍ଥାନରେ ଏପରି ଘରୋଇ ପାଣି ଓ କୋଲ୍ଡଡ୍ରିଙ୍କ୍ସ କାରଖାନା ଖୋଲି ଶୁଷ୍କ ଅନ୍ତଃସଲୀଳା ସୁବର୍ଣ୍ଣରେଖା ନଦୀରୁ ଜଳ ଶୋଷିବାକୁ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ ।

ପାଟଣାଗଡର ସିଭିଲ୍ ସୋସାଇଟି ବା ଜନମଞ୍ଚ ତରଫରୁ ଏହା ବିରୋଧରେ ଆନ୍ଦୋଳନ ହେବାରୁ ଉକ୍ତ ବ୍ୟବସାୟୀ ଜଣକ ତାଙ୍କର ଉକ୍ତ କାରଖାନାକୁ ସେଠାରୁ ଉଠାଇ ନେଇ ରାମପୁର ନିକଟସ୍ଥ କୁକୁରକାନୀ ମୌଜାରେ ଏବେ ଉପରୋକ୍ତ ସ୍ପ୍ରିଲ୍ ଥଣ୍ଡାପାନୀୟ ଓ ପାଣି ପାଉଚ୍ ଉତ୍ପାଦନ ବନ୍ଦ କରି ‘ବିଶେଲାରୀ ‘ର ଫ୍ରାଞ୍ଚାଇଜ୍ ନେଇ ପାଣିବୋତଲ ଓ ଅନ୍ୟ ଏକ ଅନାମଧ୍ୟେୟ କୋଲ୍ଡଡ୍ରିଙ୍କ୍ସର କାରଖାନା ଖୋଲି ଉତ୍ପାଦନ ଜାରୀ ରଖି ସମଗ୍ର ପଶ୍ଚିମ ଓଡିଶାକୁ ଏହା ବିକ୍ରିଛନ୍ତି । ଗତକାଲି ଏ ସମ୍ପର୍କରେ ଏକ ବରିଷ୍ଠ ସାମ୍ବାଦିକଦଳ ଉକ୍ତ କାରଖାନାରେ ପହଞ୍ଚି ଉକ୍ତ ଏସ୍ ଏସ୍ ଇଣ୍ଡଷ୍ଟ୍ରିଜ୍ ର ପରିଚାଳକଙ୍କୁ ଭେଟି ଅନୁସନ୍ଧାନ କରିଥିଲେ ।
ସହରରେ ଏହାର ମାଲିକ ସରୋଜ ମେହେର ଏକ ଘରୋଇ ସ୍କୁଲ ଖୋଲି ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗର ‘ ଅନ୍ବେଷା ‘ ହଷ୍ଟେଲ ସହ ସହବନ୍ଧନରେ ଚଳାଉଥିବାରୁ ତାଙ୍କ ସହ କଥାବାର୍ତ୍ତା ହେବାକୁ ଡକାଇ ଥିଲେ ହେଁ , ସେ ଏଡାଇ ଯାଇଥିଲେ । ତେବେ ବଲାଙ୍ଗୀର ପରି ଏକ ଶିଳ୍ପବିହୀନ ଜିଲ୍ଲାରେ ତାଙ୍କର ଶିଳ୍ପସ୍ଥାପନର ଏଭଳି ଉଦ୍ୟମକୁ ସ୍ବାଗତ କରାଯାଇ ଥିଲେ ହେଁ , ଆଉ କିଛିବର୍ଷ ପରେ ବଲାଙ୍ଗୀର ଜିଲ୍ଲା ମରୁଭୂମିରେ ପରିଣତ ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଥିବା ଓ ଦିନ ଭୂତଳ ଜଳସ୍ତର ହ୍ରାସ ପାଉଥିବା ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ଵେ ଏହି ଭୂତଳରୁ ପାଣି ଶୋଷି ବେପାର କରୁଥିବା ପ୍ରତି ସରକାର ଦୃଷ୍ଟିଦେବାକୁ ଲୋକେ ଦାବି କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ , ଦୁଇଦିନ ତଳେ ବଲାଙ୍ଗୀରର ଭୂତଳଜଳ ଯାଞ୍ଚ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଜଣେ ବ୍ୟକ୍ତିଙ୍କ ଠାରୁ ପ୍ରମାଣପତ୍ର ଦେବାକୁ ୫୦ ହଜାର ଟଙ୍କା ଦାବି କରି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ।