ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ୧୦ ହଜାର ଚାଉଳ ଆବେଦନକାରୀ !
ଅନ୍ୟାନ୍ୟ ଜିଲ୍ଲାରେ କେତେ ?
ଭୁବନେଶ୍ବର : ନିକଟରେ ଏକ ବହୁପ୍ରସାରିତ ଦୈନିକ ଓଡିଆ ସମ୍ବାଦପତ୍ରର ମୁଖପୃଷ୍ଠରେ ପ୍ରକାଶ ପାଇଛି ଯେ , ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜଜିଲ୍ଲା କେନ୍ଦୁଝରର ମୋଟ ଜନସଂଖ୍ୟାର ୮୦ ପ୍ରତିଶତ ରାସନ ଚାଉଳ ଉପରେ ନିର୍ଭରଶୀଳ । ଏବେ ପୁଣି ଜିଲ୍ଲାର ୧୦ ହଜାର ଗରିବ ପରିବାର ରାସନକାର୍ଡ ପାଇଁ ଆବେଦନ କରିଛନ୍ତି ।
ଉଲ୍ଲେଖନୀୟ ଯେ ଏଇ ଜିଲ୍ଲାଟି ସରକାରଙ୍କ ରାଜକୋଷକୁ ଖଣିରାଜସ୍ବ ପ୍ରଦାନରେ ପ୍ରଚୁର ଅର୍ଥ ଯୋଗାଇଆସୁଛି । ପ୍ରକାଶ ଯେ ଜିଲ୍ଲାରେ ବର୍ଷକୁ ଖଣିଜନ୍ୟାସ ପାଣ୍ଠି ବାବଦରେ ୫୦୦ କୋଟି ଖର୍ଚ୍ଚ କରାଯାଉଛି । ଗତ ୯ ବର୍ଷ ମଧ୍ୟରେ ଏହି ପାଣ୍ଠିରୁ ୪୮୮୩ କୋଟି ଖର୍ଚ୍ଚ ହୋଇଛି । ଏହାସହ କେନ୍ଦୁଝର ଓମ୍ ବାଡସି ପାଣ୍ଠିରୁ ୧୬୦୦ କୋଟି ଧାରନେଇ ସରକାର ଅନ୍ୟତ୍ର ଖର୍ଚ୍ଚ କରିଛନ୍ତି । ତେଣୁ ଏହି ପ୍ରକାଶିତ ତଥ୍ୟ ଯଦି ସତ୍ୟ ହୋଇଥାଏ , ଏତେଦିନ ଧରି ରାଜ୍ୟରେ ବିରୋଧୀଦଳ , ଅମଲାତନ୍ତ୍ର ଓ ଅନ୍ୟାନ୍ୟ ପ୍ରଶାସନିକ ବ୍ୟବସ୍ଥା କ’ଣ କରୁଥିଲା , ଏ ନେଇ କାହାକୁ ଉତ୍ତରଦାୟୀ କରାଯିବ ?
ସେହିପରି ଡିଏମଏଫ ରୁ ପ୍ରଚୁର ଅର୍ଥ ଖର୍ଚ୍ଚର ଭିତ୍ତିଭୂମି ବିକାଶ କରାଯାଉଥିବା କୁହାଯାଇଛି । ପୂର୍ବର ଏଇ ପାଣ୍ଠିରୁ ଅପବ୍ୟୟ କରାଯାଇଥିବା ଅଭିଯୋଗର ତଦନ୍ତ ଦାବି କରାଯାଉଛି । ରାଜ୍ୟ ସରକାର ଏଇ ଜିଲ୍ଲାରେ ଅନ୍ୟ ଅନୁଦାନର ଖର୍ଚ୍ଚ ସକାଶେ ମଧ୍ୟ ଅନୁଦାନ ଦେଉଛନ୍ତି । ମେଡିକାଲ କଲେଜ ପାଇଁ ୩୦୦ କୋଟି ଦିଆଯାଇଥିବା ପ୍ରକାଶ । ତଥାପି ଏଇ ଜିଲ୍ଲାରେ ଏତେସଂଖ୍ୟାରେ ଗରିବ ଲୋକମାନେ ଚାଉଳମୁଠାଏ ପାଇଁ ଡହଳବିକଳ କାହିଁକି ?
ଯଦି ରାଜ୍ୟର ଏଇ ଖଣିଜସମୃଦ୍ଧ ଜିଲ୍ଲାଟିର ଅବସ୍ଥା ସ୍ବାଧୀନତାର ଏତେବର୍ଷ ପରେ ଏଇଆ , ତା’ହେଲେ ରାଜ୍ୟରେ ବିକାଶର ଡିଣ୍ଡିମ ପିଟିଆସୁଥିବା ବିଗତବର୍ଷ ମାନଙ୍କର ରାଜ୍ୟ ସରକାର ବା କେନ୍ଦ୍ର ସରକାର କ’ଣ କରୁଥିଲେ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ୍ । ସର୍ବୋପରି ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ବିକାଶର ଚିତ୍ର କିଭଳି ? ମୁଖ୍ୟତଃ ଦାଦନପ୍ରବଣ ବଲାଙ୍ଗୀର , କଳାହାଣ୍ଡି , ନୂଆପଡା ଓ ମାଓଉପଦ୍ରୁତ ସୀମାନ୍ତବର୍ତ୍ତୀ ଜିଲ୍ଲାର ସ୍ଥିତି କିଭଳି , ପରଖିବାର ଜରୁରୀସମୟ ଉପନୀତ । ମନରେଗା ଯୋଜନାରେ ମିଥ୍ୟାଶ୍ରମଦିବସ ଓ ଜାଲ୍ ଜବକାର୍ଡରେ କୋଟି କୋଟି ଟଙ୍କାର ଲୁଣ୍ଠନ ଜାରୀ ରହିଛି ।
ସବୁ ସରକାରୀ ଯୋଜନାରୁ ବାଟମାରଣା ଓ ପିସି ପରମ୍ପରାରେ ପରିଣତ ହୋଇଛି । ଏତେଦିନ ହେଲାଣି , ନୂଆ ସରକାରର କୌଣସି ଉପସ୍ଥିତି ଲୋକେ ଅନୁଭବ କରିପାରି ନାହାଁନ୍ତି । ସବୁ ସେଇ ‘ନୂଆବୋତଲରେ ପୁରୁଣାମଦ ‘ ନ୍ୟାୟରେ ଚାଲିଛି । ଓଡିଶା ଜୀବିକା ମିଶନ ହେଉ ବା ପେକ୍ସ ଅଥବା ଶିକ୍ଷା , ସ୍ବାସ୍ଥ୍ୟ, ପଞ୍ଚାୟତରୁ ପଞ୍ଚାୟତ ସମିତିରେ ଦୁର୍ନୀତି ସୀମାଲଙ୍ଘନ କଲାଣି । ଏହାର ପରିବର୍ତ୍ତନ କେବେ ?