ରାଜନୈତିକ ଷଡଯନ୍ତ୍ର ନା ଦୁର୍ନୀତିର ଘଡା ପୁରିଗଲା ?
ଭୁବନେଶ୍ବର / ବଲାଙ୍ଗୀର : ପ୍ରାୟତଃ ଅଧିକାଂଶ ସମୟରେ ଦୁର୍ନୀତି ଅଭିଯୋଗରେ ବିବାଦୀୟ ରହିଆସୁଥିବା ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କର ପୁଣି ଏବର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ ର ଓଡିଶା ମୁଖ୍ୟ ଡିଜିଏମ୍ ଙ୍କ ସମେତ ଠିକାଦାର ଓ ଅନ୍ୟ ଜଣେ ମଧ୍ୟସ୍ଥିଙ୍କ ସମେତ ୩ ଜଣ ଅଭିଯୁକ୍ତ ସିବିଆଇ ହାତରେ ଗିରଫ ହେବାର ୧୦ ଲକ୍ଷ ଟଙ୍କାର ସ୍ପଟ୍ ରେ ଲାଞ୍ଚ ଧରପଗଡ ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ଘଟଣା ପରେ ତାଙ୍କର ଅଡୁଆ ଆହୁରି ବଢିଯାଇଛି । ଆହୁରି ମଧ୍ୟ ଯୁବକଂଗ୍ରେସର ଗଣଶିକ୍ଷା ମନ୍ତ୍ରୀଙ୍କ ସହ ତାଙ୍କର କୋଟି କୋଟି ଟଙ୍କାର ନିର୍ମାଣଠିକାରେ ସମ୍ପୃକ୍ତି ରହିଥିବା ଅଭିଯୋଗର ଖୋଳତାଡ ଦାବି କରାଯାଇ ଘେରାଉ ପରେ ସେ ଆହୁରି ବେଶି ବେଶି ଛନ୍ଦିହୋଇ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ।
ଉଲ୍ଲେଖନୀୟ ଯେ , ମୂଳରୁ ଏହି ଆଇଏଏସ ଅଧିକାରୀ ଜଣକ ଦୁର୍ନୀତି ଅଭିଯୋଗରେ ବିବାଦୀୟ ରହିଆସିଛନ୍ତି । ତଥାପି ଗତ ସରକାରଙ୍କ ଅମଳରେ ତାଙ୍କୁ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରଖି ଆସିଥିଲେ। ତାଙ୍କୁ ପାଣ୍ଡିୟାନଙ୍କର ଜଣେ ହାତବାରିସୀ ଅଧିକାରୀ ରୂପେ କୁହାଯାଉଥିଲା । ସେ କଦାଶ୍ଚନ ନୀତିଗତ ପଦକ୍ଷେପ ନେଉ ନଥିବା ସହିତ ଅନିୟମିତତାର କାରସାଦୀ କରିବାରେ ଜଣେ ବିଚକ୍ଷଣ ଖେଳାଳୀ ଥିବାର ତାଙ୍କର ଦୁର୍ନାମ ରହିଥିଲା । ଏକଦା ସୁବର୍ଣ୍ଣପୁରର ଜିଲ୍ଲାପାଳ ଭାବରେ ଥିଲାବେଳେ ହେଉ ବା ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ୱରେ ଥିଲାବେଳେ ହେଇଥାଉ ; ତାଙ୍କର ଜାତିଆଣବିଦ୍ବେଷରୁ ଉଦ୍ଦେଶ୍ୟମୂଳକ ପ୍ରତିଶୋଧାତ୍ମକ ମନୋବୃତ୍ତିର କାର୍ଯ୍ୟକଳାପ ବିରୁଦ୍ଧରେ ବହୁ ଜନଅସନ୍ତୋଷ ରହିଥିଲା । ଏପରିକି ସେ ତାଙ୍କ ଇଚ୍ଛାନୁଯାୟୀ , ଗତଥରର ଓଡିଶା ସାହିତ୍ୟ ଏକାଡେମୀର କର୍ମକର୍ତ୍ତା ତାଲିକାକୁ କାଣ୍ଟଛାଣ୍ଟ କରିଦେଇ ବା ତାଲିକାରୁ ନାଁ’ ଉଡାଇଦେଇ ଜଣେ ଯୋଗ୍ୟ ଆବେଦନକାରୀଙ୍କୁ ପ୍ରତିଶ୍ରୁତି ଦେଇ ମଧ୍ୟ ହଟାଇଦେଇ ତାଙ୍କବର୍ଗର ଜଣେ କବିଙ୍କୁ ବ୍ୟାକ୍ ଡୋର୍ ରେ ଅନୁପ୍ରବେଶ କରାଇ ନିଯୁକ୍ତି ଦେଇଥିବା ଅଭିଯୋଗ ପ୍ରକାଶ ପାଇଥିଲା। ଏଣୁ ଏବେ ତାଙ୍କର ଦୁର୍ନୀତି ବା ପାପର ଘଡା ପୁରିଗଲା ବୋଲି ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସେ ଯାହାହେଉ , ଏବର ଏହି ଅଭିଯୋଗକୁ ସେ ନିଜମୁଣ୍ଡରୁ ଖସାଇ ଦେଇ ପାରନ୍ତି ବୋଲି ଲୋକେ କେତେକ ଘଟଣାରୁ ଆଶଙ୍କା ପ୍ରକାଶ କରିଛନ୍ତି । ଗତ ୧୧ ତାରିଖ ସକାଳ ୧୦ ଟାରେ ଭୁବନେଶ୍ବରର ସିବିଆଇ ଅଫିସରେ ତାଙ୍କୁ ହାଜର୍ ହେବାକୁ ନୋଟିସ୍ ଦିଆଯାଇଥିବା ସତ୍ତ୍ୱେ ସେ ଦିଲ୍ଲୀ ଚାଲିଯାଇଥିଲେ ଓ ଗୃହବିଭାଗ ପକ୍ଷରୁ ୧୩ ତାରିଖ ପର୍ଯ୍ୟନ୍ତ ବୁକ୍ ହୋଇଥିବା ଦିଲ୍ଲୀର ଅଶୋକା ହୋଟଲରେ ରହିଥିବା ପ୍ରକାଶ । ଯଦିଓ ସରକାର ତାଙ୍କୁ ସେ ରହିଥିବା ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ , ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିକାଶ ବିଭାଗରୁ ହଟାଇ ଦେଇ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି । ତଥାପି ସେ କେଉଁ ବାଟେ କେମିତି ତାଙ୍କ ମୁଣ୍ଡରୁ ଅଠାଛଡାଇ ପୁଣି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦେଖାଯାଉ , କୋଉ ପାଣି କୁଆଡକୁ ଯାଉଛି ?
ଅପରପକ୍ଷରେ ଇତିମଧ୍ୟରେ ବ୍ରିଜ ଆଣ୍ଡ୍ ରୁଫ୍ ର ଲାଞ୍ଚ ମାମଲାର ତିନି ଅଭିଯୁକ୍ତଙ୍କୁ ଜାମିନ୍ ମିଳିସାରିଛି ଓ ଡିଜିଏମ।ଚଞ୍ଚଲ ମୁଖାର୍ଜୀ ଏହା ପଛରେ ଏକ ଷଡଯନ୍ତ୍ର ରହିଥିବା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ପ୍ରକାଶ କରିଛନ୍ତି । ଯଦିଓ ସେମାନଙ୍କୁ ଜାମିନ୍ ମିଳିବାରେ ଉକ୍ତ କରିତ୍ କର୍ମା ଅଧିକାରୀଙ୍କର ଦିଲ୍ଲୀଯିବା ସହିତ କୌଣସି ସମ୍ପର୍କ ଅଛି କି ନାଇଁ , ଜଣାପଡିପାରିନାହିଁ । ସେହିପରି ପାଣ୍ଡିୟାନ୍ ଅନୁଗତ ଅଧିକାରୀ ବୋଲି କୁହାଯାଉଥିବା ଏହି ଅଧିକାରୀଙ୍କୁ ଅପଦସ୍ତ କରିବାକୁ ୧୦ ଲକ୍ଷ ଟଙ୍କାର ଡ୍ରାମା ସୃଷ୍ଟି ପୂର୍ବକ ତାଙ୍କପଛରେ ସିବିଆଇ ଲଗାଯାଇ ଓ ପରମୁହୂର୍ତ୍ତରେ ଅଭିଯୁକ୍ତଙ୍କୁ ଜାମିନ୍ ମିଳିଯିବାର ପ୍ରଚ୍ଛଦପଟ୍ଟରେ କିଏ ଓ କି କାରଣ ରହିଥାଇପାରେ , ଏବଠୁଁ ଏହା କୁହାଯାଇ ପାରିବନାହିଁ ।
ତେବେ ବ୍ରିଜ୍ ଆଣ୍ଡ୍ ରୁଫ୍ ର ବଲାଙ୍ଗୀର ସମ୍ପୃକ୍ତିର ଖୋଳତାଡ କରାଯାଉଛି ଓ ପରେ ଏ ସମ୍ପର୍କରେ ତଥ୍ୟପ୍ରମାଣ ମିଳିବା ପରେ ରିପୋର୍ଟ ପ୍ରକାଶ ପାଇବ ।