ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଦୁଇଜଣ ସୁନ୍ଦରୀଙ୍କ କଳାକାହାଣୀ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଛି । ଦୁଇ ବର୍ଷ ତଳେ କେସିଙ୍ଗାର ଝିଅ ଅର୍ଚ୍ଚନା ନାଗଙ୍କ ସେକ୍ସସ୍କାଣ୍ଡାଲ୍ ସହ ବ୍ଲାକ୍ ମେଲିଂରେ ଓଡିଶାର କେତେକ ବରିଷ୍ଠ ପଦାଧିକାରୀ , ରାଜନେତା ଓ ଫିଲ୍ମ ପ୍ରଡ୍ୟୁସର ଜାଲରେ ପଡି ଶିକାର ହୋଇଥିବା ଚର୍ଚ୍ଚା ପରେ ଏବେ ବିଷ୍ଣୁପ୍ରିୟା ଓରଫ୍ ହର୍ଷପ୍ରିୟା ମିଶ୍ର ଓରଫ୍ ହଂସିତାଙ୍କର ହାଇପ୍ରୋଫାଇଲ୍ ଠକେଇମାମଲା ଦାଣ୍ଡରେ ପଡି ହାଟରେ ଗଡୁଛି । ତେବେ ଅର୍ଚ୍ଚନା ଏହି ଜିଲ୍ଲାର କେସିଙ୍ଗାର ହୋଇଥିବା ବେଳେ ହଂସିକା ନର୍ଲାର । ଅର୍ଚ୍ଚନା ଜଣେ ସାଧାରଣ କର୍ମଚାରୀଙ୍କ ଝିଅ ହୋଇଥିବା ବେଳେ ହଂସିତା ଜଣେ ପୂର୍ବତନ ମନ୍ତ୍ରୀଙ୍କ ସମ୍ପକୀୟା । ଉଭୟେ ବିବାହିତା ଓ ସନ୍ତାନର ମାଆ । ତେବେ ଦୁହିଁଙ୍କର ରାଜନୈତିକ ଉଚ୍ଚାକାଂକ୍ଷା ବା ପ୍ରଚୁର ଧନ ଓ ଭୋଗବିଳାସର ଲାଳସା ହିଁ ଏଭଳି ଠକାମିର କାରଣ । ଅର୍ଚ୍ଚନାଙ୍କର ପହଞ୍ଚ ଓଡିଶାର ରାଜଧାନୀ ଭୁବନେଶ୍ବରରେ ତ ହଂସିତାଙ୍କର ପହଞ୍ଚ ଦେଶର ରାଜଧାନୀ ନୂଆଦିଲ୍ଲୀ ପର୍ଯ୍ୟନ୍ତ ପ୍ରଲମ୍ବିତ ।

ତେବେ ଆଶ୍ଚର୍ଯ୍ୟ ଲାଗେ , ଓଡିଶାର ଏକ ବଣପାହାଡଘେରା ଦାରିଦ୍ର୍ଯ ପ୍ରପୀଡିତ ଜିଲ୍ଲାରୁ ଏମାନେ ଏତେ ବଡ ସ୍ବପ୍ନବିଳାସିନୀ ହୋଇପଡିଲେ କେମିତି ? ଅବଶ୍ୟ ଅର୍ଚ୍ଚନାଙ୍କ ପୃଷ୍ଠଭୂମି ଠାରୁ ହଂସିକାଙ୍କର ପୃଷ୍ଠଭୂମି ଭିନ୍ନ । ସେ ଏକ ରାଜନୈତିକ ପରିବାରରୁ ଆସିଛନ୍ତି । ଉଲ୍ଲେଖନୀୟ ଯେ , ମୁଖ୍ୟତଃ ଦାରିଦ୍ର୍ଯ ପ୍ରପୀଡିତ ପଶ୍ଚିମଓଡିଶାର ଆହୁରି କେତେକ ଉଜୁଡା ରାଜାରାଜୁଡାଙ୍କ ପରିବାରର ମହିଳାମାନଙ୍କର ବି ଏଭଳି ଅସ୍ବାଭାବିକ ଧନ ଓ ପଦଲାଳସା ଲକ୍ଷ୍ୟ କରାଯାଇଛି । କିନ୍ତୁ ଉପରୋକ୍ତ ଦୁଇଜଣ ମହିଳାଙ୍କ ଭାଗ୍ୟରେ ସେଭଳି ସୁଯୋଗ ନ ମିଳିବା ଯୋଗୁଁ ହୁଏତ ସେମାନେ ଅବାଟରେ ପାଦ ଦେଇଛନ୍ତି ? ସେ ଯା’ହେଉ , ଏମାନଙ୍କୁ ସେମାନଙ୍କର ଉଚ୍ଚାକାଂକ୍ଷାକୁ ସାକାର କରିବାରେ ସେମାନଙ୍କର ପୁରୁଷବନ୍ଧୁ ବା ଉଚ୍ଚସ୍ତରୀୟ ପଦାଧିକାରୀ ରାଜନେତାମାନଙ୍କର ଅବଦାନ ରହିଛି । ଅଥଚ ଏମାନେ ଭଲବାଟରେ ଯାଇଥିଲେ , ଆଜିଭଳି ଅପଚର୍ଚ୍ଚିତା ହୋଇପାରି ନଥା’ନ୍ତେ ! ମନ୍ଦିର ତୋଳିବା ଠାରୁ ବାଟରେ ହଗି ନାଁ’ ପକାଇବା ବି ଗୋଟେ କଳାକାରିତା ? ନାରୀର ନାଗୁଣୀହେବାର ଦୁର୍ଯୋଗ ଅପେକ୍ଷା ସୁନ୍ଦରୀ ହେବାର ଅଭିଶାପ ଆହୁରି ଭୟଙ୍କର ପରିଣତିରେ ପହଞ୍ଚାଇଦିଏ , ଏହା ଏମାନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।