ଏକ ଆଦିବାସୀ ଦମ୍ପତିଙ୍କୁ ଦଳିଦେଲା ଦନ୍ତା :
ବହୁଚର୍ଚ୍ଚିତ ‘ ଖର୍ସେଲ ‘ ର ମୃତ୍ୟୁ !
ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ହାତୀମଣିଷଙ୍କ ମଧ୍ୟରେ ଲଢେଇ ନୂଆକଥା ନୁହେଁ । କେବେ ଦାନ୍ତ ପାଇଁ ଚୋରାଶିକାରୀ ବା ଫସଲନଷ୍ଟର ପ୍ରତିଶୋଧ ନେବାକୁ ଚାଷୀ ବଣୁଆହାତୀଙ୍କୁ ଚୋରା ହାଇଭୋଲ୍ ଟେଜ୍ ବିଦ୍ୟୁତ୍ ତାର ଲଗାଇ ହତ୍ୟା କରୁଥିବାବେଳେ ଓ କେବେ ଆନ୍ଥ୍ରାକ୍ସ ଆଳ ଦର୍ଶାଇ ହାତୀମରା ହୋଇଥିବାବେଳେ , କେବେ ଖାଦ୍ୟଲୋଭରେ ଜନବସତିକୁ ପଶିଆସୁଥିବା ବଣୁଆହାତୀ ହାବୁଡରେ ପଡି ଲୋକଙ୍କର ପ୍ରାଣହାନୀ ଘଟୁଛି ।
ଗତ ୨ ତାରିଖରେ ଖପ୍ରାଖୋଲ ଥାନା ହରିଶଙ୍କର ରେଞ୍ଜ ଅନ୍ତର୍ଗତ ଭାନପୁର ପଞ୍ଚାୟତର ବୁରୋମାଲ- ଚାବିରୀପାଲିରେ ରାତିରେ ଧାନକ୍ଷେତରେ ଘରକରି ଫସଲ ଜଗିଥିବା ଏକ ଆଦିବାସୀ ପରିବାରର ୨ ଜଣ ବୃଦ୍ଧ ସ୍ବାମୀ-ସ୍ତ୍ରୀ ନୀଳାମ୍ବର ବରିହା ୫୬ ଓ ତାଙ୍କ ପତ୍ନୀ ଯଶୋବନ୍ତୀ ବରିହା ୫୪ଙ୍କୁ ଏକ ବଣୁଆହାତୀଙ୍କର ଦଳର ଦନ୍ତାହାତୀ କଚାଡି ଦଳି ମାରିଦେଇଥିବାବେଳେ ଦୌଡି ପଳାଇଆସିବାରୁ ତାଙ୍କ ପୁଅବୋହୁ ବର୍ତ୍ତିଯାଇଛନ୍ତି । ଘଟଣାସ୍ଥଳରେ ବଲାଙ୍ଗୀର ଡିଏଫଓ ସୁଦର୍ଶନ ବେହେରା ଓ ଖପ୍ରାଖୋଲ ପୁଲିସ୍ ସଦଳବଳେ ପହଞ୍ଚି ଘଟଣାର ସରଗରମନ ତଦନ୍ତ କରିଛନ୍ତି ।
ଅପରତଃ ଗତ ୧୯୮୯ ରେ କୁଆଡୁ ଆସି ବଲାଙ୍ଗୀର ଜିଲ୍ଲାରେ ଦୀର୍ଘଦିନ ଧରି ଉପଦ୍ରବ କରିବା ସହିତ ମଣିଷ ମାରିଥିଲା । ଏହାକୁ ବନବିଭାଗ ପକ୍ଷରୁ ନନ୍ଦନକାନନରୁ ନିଶ୍ଚେତକ ବିଶେଷଜ୍ଞଦଳକୁ ଅଣାଯାଇ ଧରାଯାଇ କିଛିଦିନ ସ୍ଥାନୀୟ ବିଡିଘାଟ ଜଙ୍ଗଲରେ ଗୋଡରେ ଲୁହାଶିକୁଳି ବନ୍ଧାଯାଇ ରଖାଗଲା ପରେ ଦୁଇଟି ପୋଷା ମାଈହାତୀଙ୍କ ସହାୟତାରେ ପ୍ରଥମେ ନନ୍ଦନକାନନ ଓ ତା’ପରେ ସାତକୋଶିଆ ଓ ଡେବ୍ରିଗଡ ଅଭୟାରଣ୍ୟକୁ ନିଆଯାଇ ଜଙ୍ଗଲସୁରକ୍ଷାରେ ନିୟୋଜିତ କରାଯାଇଥିଲା ।

ବଲାଙ୍ଗୀରର ଖର୍ସେଲ ଜଙ୍ଗଲରୁ ଧରାଯାଇଥିବା ଏଇ ହାତୀର ‘ ଖର୍ସେଲ ‘ ନାମକରଣ କରାଯାଇଥିଲା । ଗତ ୨ ତାରିଖରେ ଡେବ୍ରିଗଡରେ ୬୫ ବର୍ଷ ବୟସରେ ତା’ର ସ୍ବାଭାବିକ ମୃତ୍ୟୁ ହୋଇଥିବା ପ୍ରକାଶ । ହାତୀଟି ସହ ବଲାଙ୍ଗୀର ଲୋକଙ୍କର ଭାବାବେଗ ଜଡିତ ରହିଥିବାରୁ ଲୋକେ ତା’ର ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି I