ଜିଲ୍ଲା

ବଲାଙ୍ଗୀରରେ ସୁଭଦ୍ରା ଶକ୍ତି ମେଳା ବିଫଳ !

Email :

ଦଲାଲ ପୋଷିଛନ୍ତି ଅଧିକାରୀ ?

ବଲାଙ୍ଗୀର : ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇ ୭ ଦିନ ଧରି ଅନୁଷ୍ଠିତ ସରକାରଙ୍କ ମିଶନଶକ୍ତିର ସୁଭଦ୍ରା ଶକ୍ତି ମେଳା ବସ୍ତୁତଃ ବିଫଳ ହୋଇଥିବା ଲୋକେ ଆଲୋଚନା କରୁଛନ୍ତି । ପ୍ରକାଶିତ ଖବର ଅନୁଯାୟୀ , ଏହି କାର୍ଯ୍ୟକ୍ରମ ପାଇଁ କୌଣସି ଅନୁମତି ମିଳି ନ ଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଥିବା ବେଳେ , କେବଳ ଏକ ଗାଇଡଲାଇନ ଅନୁସାରେ ଏହି କାର୍ଯ୍ୟକ୍ରମ ଚାଲିଥିଲା । ତେବେ ଶୁଣାଶୁଣିରୁ ଏଥିପାଇଁ ୧ କୋଟି ୨୨ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ସାମ୍ବାଦିକ ମାନଙ୍କ ଠାରୁ ଜଣାଯାଇଛି । ଯଦି ଏହା ସତ୍ଯ ହୋଇଥିବ, ତାହେଲେ ଅନ୍ଯାନ୍ଯ ସରକାରୀ ଯୋଜନା ପରି ‘ ଆଗ କାମ , ପରେ ବିଲ୍ ‘ ନ୍ୟାୟରେ ଡବଲ୍ ଇଞ୍ଜିନ୍ ସରକାରଙ୍କ ଏହି ‘ନୂଆ ବୋତଲରେ ପୁରୁଣା ମଦ ପରି ‘ ମହିଳା ମିଶନ ଶକ୍ତି’କୁ ‘ସୁଭଦ୍ରା ଶକ୍ତି’ରେ ବଦଳାଇ ଦେବାର ରଙ୍ଗ ବଦଳା ରାଜନୀତି ଏପରି ବାଟମାରଣା କରୁଥିବା ଅସାଧୁ ଅଧିକାରୀ ଓ ଦଲାଲ ମାନଙ୍କୁ ସୁହାଉଛି ।

ତେବେ କେତେକ ସୂତ୍ରରୁ ଜଣାଯାଇଛି ଯେ ମୁଖ୍ୟତଃ ଟେଣ୍ଟଭଡା , ଗାଡିମଟର ଲଗାଇ ମହିଳାମାନଙ୍କୁ ବୁହାଇ ଆଣିବା , ସାଂସ୍କୃତିକ କାର୍ଯ୍ୟକ୍ରମ ଦଳ , ଖିଆପିଆ, ଉପହାର ସାମଗ୍ରୀକିଣା ଇତ୍ୟାଦିର ଖର୍ଚ୍ଚରେ ମନଇଚ୍ଛା ଟଙ୍କା ଉଠାଯାଇଛି ! ତଥାପି ଲୋକ ବାସ ମହିଳାମାନେ ଆସିଲେନି ଓ ଉଦ୍ଘାଟନ ଦିନ ବି ଚୌକି ଖାଲିପଡ଼ିଲା । ଏପରିକି , ଉଦ୍ ଯାପନ ପୂର୍ବ ଦିନ ମଧ୍ଯ ମଞ୍ଚତଳେ ଲୋକ ନ ହେବାରୁ ବଲାଙ୍ଗୀର ମହିଳା ସାଂସଦ ସଂଗୀତା ସିଂହଦେଓ ମଞ୍ଚକୁ ଯିବାକୁ ମନା କରି ଦେଇଥିଲେ । ତେବେ ବଲାଙ୍ଗୀରର କଳା ଓ ସଂସ୍କୃତି ନିମନ୍ତେ ଉତ୍ସର୍ଗ କରାଯାଇଥିବା ଏଇ କୋଶଳ କଳା ମଣ୍ଡଳ ପଡିଆଟିକୁ ପୂର୍ବରୁ ଦୀର୍ଘ ୧୬ ବର୍ଷ ହେଲା ସମ୍ପୂର୍ଣ୍ଣ ମାଗଣା ଦିଆଯାଇ ଆସୁଥିଲା । କିନ୍ତୁ ଏଥର ମାତ୍ର ୧୦ ଦିନ ପାଇଁ ୧୫ ହଜାର ଟଙ୍କା ଭଡା ଅସୁଲ କରାଯାଇଥିଲା ବେଳେ , ଏହି ରାଜନୈତିକ ବନାମ ସରକାରୀ ପ୍ରଚାର ମୂଳକ କାର୍ଯ୍ୟକ୍ରମ ନିମନ୍ତେ ତିନିଭାଗକୁ ମାହାଳିଆ ଛାଡିଦିଆ ଯାଇଥିଲା ଓ ଗତ ଫେବୃଆରୀ ୨୪ ରୁ ଚଳିତ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଜିଲ୍ଲା ଲେଖକ ପରିଷଦର ବହିଦାର ଲୋକଗହଳକୁ ଡ୍ରୋନ୍ କ୍ୟାମେରା ଫଟୋକୁ ଦେଖାଇ ସୁଭଦ୍ରା ଶକ୍ତି ମେଳାର ଭ୍ରମ ଦର୍ଶାଯାଇଥିଲା । ଖାସ୍ ଏଇଥିପାଇଁ ପିଡି ତାଙ୍କ ମେଳା ପାଇଁ ଗତ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବହିହାଟକୁ ବଢାଇ ଦେବାକୁ ଅନୁରୋଧ କରିଥିଲେ ହେଁ , ଜିଲ୍ଲା ଲେଖକ ପରିଷଦ ତାହା ପ୍ରତ୍ଯାଖାନ କରି ଦେଇଥିଲା ।

ଏସ୍ ଏଚ୍ ଜି ମହିଳା , ପ୍ରଡ୍ୟୁସର ଗ୍ରୁପ୍ ଗୁଡିକୁ ପ୍ରୋତ୍ସାହିତ କରିବା ସହ.ସେମାନଙ୍କ ସାମଗ୍ରୀର ବ୍ୟବସାୟ ପାଇଁ ଏକ ବଜାର ବ୍ୟବସ୍ଥା କରିବା ଏହି ମେଳାର ଲକ୍ଷ୍ୟ ରହିଥିବା ବେଳେ , ଏହା ଏକ ଲୋକଦେଖାଣିଆ କାର୍ଯ୍ୟକ୍ରମ ଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ।

ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଅନୀଲ ଦହଙ୍ଗା ମଞ୍ଚ ଓ ଷ୍ଟଲ୍ ଇତ୍ୟାଦି ନିମନ୍ତେ ବହୁ ଅର୍ଥ ଖର୍ଚ୍ଚ ହୋଇ ଥିଲା ବେଳେ , ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ , ତାଙ୍କ ପାଖରେ କୌଣସି ସୂଚନା ନଥିବା ଓ ସେ କହିବାନୁଯାୟୀ , ଏହି କାର୍ଯ୍ୟକ୍ରମ ପାଇଁ କୌଣସି ବ୍ୟୟ ଅଟକଳର ଆପ୍ରୁଭାଲ୍ ନଥିବା ପ୍ରକାଶ । ତେବେ ଏକ ଜିଲ୍ଲାସ୍ତରୀୟ ମହୋତ୍ସବରେ ଯେତେ ଟଙ୍କା ଖର୍ଚ୍ଚ ହୁଏ , ସେହି ଅନୁସାରେ ଏହା ଖର୍ଚ୍ଚ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ସେ ଶୁଣିଥିବା ପ୍ରକାଶ । ଏଣୁ ଏହା କିପରି ସରକାରୀ ନିଷ୍ପତ୍ତି ବୋଲି ପ୍ରଶ୍ନ ଉଠିଛି ?

ଏଭଳି ପ୍ରକାଶିତ ଖବରର ଚର୍ଚ୍ଚା ଓ ଆଲୋଚନା ପରେ ଲୋକଙ୍କ ଅଭିଯୋଗରୁ ପ୍ରକାଶ ଯେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲବାର୍ , ଏଡିଏମ ବିଜୟାନନ୍ଦ ସେଠୀ , ପିଡି ବନାମ ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ପ୍ରଭାତ ମହାପାତ୍ର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁଷମା ମହାପାତ୍ର , ଜନୈକା ମିଶନଶକ୍ତି ମହିଳା ଅଧିକାରିଣୀ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ.ସରୋଜ କୁମାର ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଓ ଗତ ଭାରପ୍ରାପ୍ତ ଡିସିଓଙ୍କ ଅମଳରୁ ଜିଲ୍ଲା ସଂସ୍କୃତି ବିଭାଗର ଜନୈକ ଅଣସରକାରୀ ପୋଷା ଦଲାଲ ପ୍ରମୁଖ ମିଳିତ ଭାବରେ ଏହି ବିଭ୍ରାଟ ପାଇଁ ଦାୟୀ ଅଟନ୍ତି । ଏମାନଙ୍କ ମିଳିତ ଷଡଯନ୍ତ୍ରରେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟସ୍ତରରେ ଟେଣ୍ଡର ନେଇଥିବା ଭୁବନେଶ୍ବରର ଏକ ସଂସ୍ଥାର ଠିକାଦାର ସହ ପ୍ରଶାସନର ସଲାସୁତୁରାରେ ପ୍ରଚୁର ଟଙ୍କାର ବାଟମାରଣା କରାଯାଇ ଥିବା ଚର୍ଚ୍ଚା ହେଉଛି । ଏହି ତଥାକଥିତ ମେଳାରେ ଗତ କିଛିବର୍ଷ ହେଲା ଜିଲ୍ଲା ସଂସ୍କୃତି ଅଫିସ୍ କୁ ରୀତିମତ ମଦବାର୍ ରେ ପରିଣତ କରିଦେଇଥିବା ଉକ୍ତ ସାସ୍କୃତିକ ଦଲାଲ ଏହି କାର୍ଯ୍ୟକ୍ରମ ପାଇଁ ମନଇଚ୍ଛା ଆର୍କେଷ୍ଟା୍ ଦଳଗୁଡିକୁ ଡକାଇ ଅତ୍ୟଧିକ ବିଲ୍ ବଢାଇ ଦେଇଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଆହୁରି ମଧ୍ଯ ଏହି ଆଳରେ ସଂସ୍କୃତିଭବନରେ ମହିଳା କଳାକାରଙ୍କ ସହ ଅନୈତିକ କାର୍ଯ୍ୟକଳାପ ହୋଇ ଥିବା ଭଳି ଗୁରୁତର ଚର୍ଚ୍ଚା ଉଠିଛି । ଏଣୁ ଏଭଳି ଏକ ମହତ୍ ସରକାରୀ କାର୍ଯ୍ୟକ୍ରମର ବିଫଳତା ,ପ୍ରହସନ , ମିଥ୍ୟାବ୍ୟୟ , ବେସରକାରୀ ବ୍ୟକ୍ତିର ଅଯଥା ହସ୍ତକ୍ଷେପ ଓ ଅନୈତିକ କାର୍ଯ୍ୟକଳାପର ଏକ ଉଚ୍ଚ ସ୍ତରୀୟ ତଦନ୍ତ ନିମନ୍ତେ ସରକାର ଦୃଷ୍ଟିଦେବାକୁ ବଲାଙ୍ଗୀରର ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି କରାଯାଏ ।

Leave a Reply

Your email address will not be published. Required fields are marked *

Related Post