ବିଧାୟକଙ୍କ ସହଯୋଗୀ ଭାଜପାନେତା ଗିରଫ : କାରଣ ଅସ୍ପଷ୍ଟ !
ଟିଟିଲାଗଡ : ଗତ ସେପ୍ଟେମ୍ବର ୨୮ ତାରିଖ ରାତିରେ ଜଣେ ସ୍ଥାନୀୟ ହୋଟେଲ ମାଲିକଙ୍କୁ ଏକ ନମ୍ବରବିହୀନ ବୋଲେରୋରେ ତାଙ୍କ ଘରପାଖରେ ଚପାଇ ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ୧୦ ଦିନପରେ ସ୍ଥାନୀୟ ବିଧାୟକଙ୍କ ଡାହାଣହାତ କୁହାଯାଉଥିବା ଜଣେ ସ୍ଥାନୀୟ ଭାଜପା ନେତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗତ ୪ । ୧୦ । ୨୦୨୫ ତାରିଖରେ ଅଭିଯୋଗକାରୀ ଶିବଦୟାଲ ଜୈନଙ୍କ ଏ ସମ୍ପର୍କରେ ଜଣେ ଅଜଣାବ୍ୟକ୍ତିଙ୍କ ବିରୁଦ୍ଧରେ ଉକ୍ତ ବିଷୟରେ ଲିଖିତ ଏତଲାକ୍ରମେ ସ୍ଥାନୀୟ ଟିଟିଲାଗଡ ଥାନାରେ ହତ୍ୟା ଉଦ୍ୟମ ଓ ବ୍ଲାକ୍ ମେଲିଂ ଦଫାରେ ମାମଲା ଋଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲେ ହେଁ , ଏହି ଅଭିଯୋଗର ଉଦ୍ଦେଶ୍ଯ ବା କାରଣ ଏଯାବତ୍ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିବା ସହ ଉକ୍ତ ବୋଲେରୋଟିକୁ ଜବତ କିମ୍ବା ଗିରଫ ଅଭିଯୁକ୍ତଙ୍କ ନିର୍ଦ୍ଦେଶରେ ତାଙ୍କ ଡ୍ରାଇଭର ଏହା କରିଥିବା ଚର୍ଚ୍ଚା ହେଉଥିଲେ ହେଁ , ପୁଲିସ କଲ୍ ରେକର୍ଡ ଓ ବିଭିନ୍ନ ସାଇବର ତଥ୍ଯ ପ୍ରମାଣକୁ ଆଧାର କରି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଘରୁ ଉଠାଇ ନେଇଥିବା ଓ ଉକ୍ତ ଝାଡ଼ଖଣ୍ଡର କୁହାଯାଉଥିବା ଡ୍ରାଇଭରକୁ ଗିରଫ କରି ନଥିବା ସହ ସେ ସମ୍ପର୍କରେ ମୁହଁ ଖୋଲୁ ନଥିବା ପ୍ରକାଶ । ଆହୁରି ବି ସଇଁତଳା ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ଯରେ ପୁଲିସ ଗଣମାଧ୍ୟମକୁ ଦୂରେଇ ରଖି ଆପୋସ ବୁଝାମଣା କରିବାକୁ ଉଦ୍ୟମ କରିଥିବା ଗଣମାଧ୍ୟମରୁ ପ୍ରକାଶ । ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ଏଣୁ ଉପରୋକ୍ତ ଘଟଣାରେ ବହୁକଥା ସନ୍ଦେହଜନକ ରହିଛି । ପ୍ରଥମତଃ ଏହାପଛର କାରଣ ପୂର୍ବଶତ୍ରୁତା ନା ବ୍ୟବସାୟିକ ନା ରାଜନୈତିକ ବୋଲି ଗଣମାଧ୍ୟମରେ ସନ୍ଦେହ ପ୍ରକାଶ ପାଇଥିଲେ ହେଁ , ଜଣେ ମହିଳାଙ୍କୁ ବ୍ଲାକ୍ ମେଲିଂ ବୋଲି ପ୍ରକାଶ ପାଇଥିବାରୁ ଓ ପୁଲିସର ଦଫାରେ ତାହା ରହିଥିବାରୁ ଆହୁରି ଦ୍ବନ୍ଦ ଓ ସଂଶୟ ସୃଷ୍ଚି ହୋଇଛି । ତେଣୁ ‘କିଏ ଏହି ମହିଳା ? ‘-ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ୍ ! ତେବେ ଏଥିରେ ରାଜନୈତିକ ଗନ୍ଧ ରହିଥିବାରୁ ଏହାକୁ ଚପାଇ ଦିଆଯିବାକୁ ଉଦ୍ୟମ ମଧ୍ଯ ଆରମ୍ଭ ହୋଇଥିବା ଅସମ୍ଭବ ନୁହେଁ । ଘଟଣାଟି ଗତମାସ ୨୮ ତାରିଖରେ ଘଟିଥିବା , ଗତ ୪ ତାରିଖରେ ଥାନାରେ ଏତଲା ଗ୍ରହଣ କରାଯାଇ ମାମଲା ଋଜୁ , ତଥାକଥିତ ସଇଁତଳା ଥାନାରେ ଆପୋସ ବୁଝାମଣା ଉଦ୍ୟମ ଓ ଦୀର୍ଘ ୧୦ ଦିନ ପରେ ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ଅଭିଯୁକ୍ତକୁ ଗିରଫ ସହ ଅଦ୍ୟାବଧି ଘଟଣାରେ ବ୍ୟବହୃତ ବଲେରୋ ଓ ଡ୍ରାଇଭର ନିରୁଦ୍ଦିଷ୍ଟ ଇତ୍ୟାଦି ଏହାର ଉଦାହରଣ ।
ଯଦିଓ ସିସିଟିଭିର ଫୁଟେଜରୁ ତାଙ୍କ ସ୍କୁଟିଟିକୁ ବୋଲେରୋ ପଛରୁ ପିଟିବା ଜଣାପଡୁଛି , ତଥାପି ଅଭିଯୋଗକାରୀ ଅଧାକଥା ଲୁଚାଇଲା ପରି ଲାଗୁଛି । ଟିଟିଲାଗଡରେ ଆଗରୁ ଦଶନ୍ଧି ଦଶନ୍ଧି ତଳର ବିକାଶ ଲାଠ ଅପହରଣ ଓ ହତ୍ୟାକାଣ୍ଡ , ବିଜେଡି ନେତା ଅଭି ସାହୁ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପରି ରାଜ୍ୟର ବହୁଚର୍ଚ୍ଚିତ ଅପରାଧର ସମ୍ପୂର୍ଣ୍ଣ ଖୁଲାସା ହୋଇପାରିନାହିଁ । ଏଣୁ ଟିଟିଲାଗଡବାସୀ ପୁଲିସ, କ୍ରାଇମବ୍ରାଞ୍ଚ ବା ଏପରିକି ସିବିଆଇ ପରି ସଂସ୍ଥାର ତଦନ୍ତ ଉପରେ ଆସ୍ଥାବାନ୍ ନୁହଁନ୍ତି ।
ସ୍ଥାନୀୟ ଲୋକଙ୍କ ସୂତ୍ରରୁ ଏହି ଘଟଣା ପଛରେ ଜଣେ ବିବାହିତା ମହିଳାଙ୍କ ସହିତ ପରକୀୟା ପ୍ରୀତି ଥିବା ମୁଖ୍ଯଚର୍ଚ୍ଚା ହୋଇଛି । ଅଭିଯୁକ୍ତ ସେହି ଆପତ୍ତିଜନକ ସମ୍ପର୍କର ଫଟୋ ପଠାଇବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇ ଅଭିଯୁକ୍ତ ଶେଷରେ ଏଭଳି ଚରମ ଅପରାଧ ଘଟାଇବାକୁ ଷଡଯନ୍ତ୍ର କରିଥିବା ପ୍ରକାଶ । ତେବେ କେତେକ ଅନ୍ଯାନ୍ଯ କାରଣ ମଧ୍ଯ ଏହାପଛରେ ଥାଇପାରେ ! ଏଣୁ ଉଭୟ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ପୂର୍ବ କାର୍ଯ୍ୟକଳାପର ତର୍ଜମା ଜରୁରୀ ।
ସ୍ଥାନୀୟ ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ଯେ , ଶିବଦୟାଲ୍ ଜୈନ୍ ତାଙ୍କ ପିତାଙ୍କ ଅମଳରୁ ଆଗରୁ ଜଣେ ଟ୍ରକ୍ ମାଲିକ ଓ ସେ ତାଙ୍କର ୪/୫ ଟି ଟ୍ରକ୍ ରେ ଏବର ବିଧାୟକ ନବୀନ ଜୈନଙ୍କ ସହ କ୍ରସର୍ ରୁ ପରିବହନ ଇତ୍ୟାଦି କରୁଥିଲେ । ତାଙ୍କର ମଧ୍ଯ ସିନ୍ଧେକେଲା ରାସ୍ତାର ପାଓମେକ୍ସ ପରେ ଏକ ରାଇସ୍ ମିଲ୍ ରହିଛି । ଯୋଗାଣ ବିଭାଗର ଚାଉଳ ବିକ୍ରି ଭ୍ୟାନ୍ ଚାଳକରୁ ସରକାରୀ ଚାଉଳ ପରିବହନ ଏଜେଣ୍ଟ ଏ ଏବେ ମିଲ୍ ମାଲିକ ପାଲଟିଯାଇଥିବା ଜଣେ ସ୍ଥାନୀୟ କୋଟିପତି ବ୍ୟବସାୟୀ ସହ ସେ ପାର୍ଟନର୍ ଏବଂ ସ୍ଥାନୀୟ ରେଳଷ୍ଟେସନ ନିକଟସ୍ଥ ଏକ ଲଜ୍ ହୋଟେଲର ମାଲିକ ଅଟନ୍ତି ।

ସେହିପରି ଅଭିଯୁକ୍ତ ଅଙ୍କୁର ଅଗ୍ରବାଲ୍ ଙ୍କ ପିତା ଜଣେ ବିଶିଷ୍ଟ ବ୍ଯବସାୟୀ ତଥା ଏକ ପ୍ରତିଷ୍ଠିତ ହିନ୍ଦୀ ଖବରକାଗଜର ପୁରୁଣା ସାମ୍ବାଦିକ ଓ ନିଜେ ଅଙ୍କୁର ମଧ୍ଯ ଏକ ୱେବ୍ ଚ୍ୟାନେଲ୍ ଓ ଏକ ଇଲେକ୍ଟ୍ରୋନିକ୍ ଖବର ସଂସ୍ଥା ଏବଂ ଖବରକାଗଜ ହାତରେ ରଖି ରାଜନେତାଙ୍କ ହାତବାରିସୀ ହୋଇ ବିଭିନ୍ନ ବ୍ୟବସାୟ ଓ ଠିକା କରି କ୍ଷମତାସୀନ ଦଳର ରାଜନେତା । ଅଭିଯୁକ୍ତଙ୍କର ତାଙ୍କର ଘରକୁ ଯାତାୟାତ ରହିଥିଲା ଓ ସେ ମଧ୍ଯ ଅଭିଯୁକ୍ତଙ୍କ ଘରକୁ ଯାଆଆସ କରୁଥିଲେ । ତେଣୁ ଏହାପଛରେ ବ୍ୟବସାୟିକ ବନ୍ଧୁତାରୁ ଟଙ୍କାପଇସା ଦେଣନେଣର ଶତ୍ରୁତା ରହିଥିବା ଅସମ୍ଭବ ନୁହେଁ । ଆହୁରି ବି ଅଙ୍କୁର ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ସହ ସଂଶ୍ଲିଷ୍ଟ ଥିବା ଓ କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଏବଂ ପରବର୍ତ୍ତୀକାଳରେ ଟିଟିଲାଗଡର ପୂର୍ବତନ ବିଧାୟିକା ବନାମ ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ରହିଥିବା ଓ ଗତ କିଛିମାସ ହେଲା ଭାଜପାର ବିଧାୟକ ଭାବରେ ନବୀନ ଜୈନ ନିର୍ବାଚିତ ହେଲାପରେ ତାଙ୍କ ପୁଅ ସାଙ୍ଗରେ ସାଙ୍ଗ ହୋଇ ତାଙ୍କର ଡାହାଣହାତ ପାଲଟିଯାଇଥିବା ସମସ୍ତେ ଜାଣନ୍ତି । ଏହି ବଳରେ ସେ ଟିଟିଲାଗଡର ଜଣେ ପ୍ରଭାବଶାଳୀ ରାଜନେତା ହୋଇଯାଇଛନ୍ତି । ଏପରିକି ତାଙ୍କ ସ୍କୁଟିପଛରେ ବସି ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ବୁଲାବୁଲି ଅନେକଙ୍କ ପାଇଁ ଦୃଷ୍ଟିକଟୁ ହୋଇଥିଲା । ସଦ୍ୟତମ ଘଟଣାନୁଯାୟୀ , ଗତ ୫ ତାରିଖରେ ସେ ପୂର୍ବତନ ମନ୍ତ୍ରୀ ଟୁକୁନା ସାହୁଙ୍କ ଏକ ସଭାରେ ଉତ୍ତେଜକ ଭାଷଣ ବିରୋଧରେ ଭାଜପାକର୍ମୀମାନଙ୍କ ସହିତ ଥାନାକୁ ଯାଇ ଅଭିଯୋଗ କରିଥିବା ପ୍ରକାଶ । ଏଣୁ ଏହି ଘଟଣା ପଛରେ ଯେ ରାଜନୈତିକ ଅଭିସନ୍ଧି ନାହିଁ , କୁହାଯାଇପାରିବ ନାହିଁ ! ଅବଶ୍ଯ ତାଙ୍କର ଏତାଦୃଶ କାର୍ଯ୍ୟକଳାପ ସହ ବିଧାୟକଙ୍କ ଭୂମିକା କ’ଣ ଜଣାଯାଇନାହିଁ । ବିଧାୟକଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ , ମିଳିପାରିନାହିଁ । ଆହୁରି ମଧ୍ଯ ଅଭିଯୋଗକାରୀ ଶିବଦୟାଲ ଜୈନଙ୍କ ଠାରୁ କେଉଁ ମହିଳାଙ୍କୁ ଅଭିଯୁକ୍ତର କେଉଁଥିପାଇଁ ବ୍ଲାକ୍ ମେଲିଂର ମତାମତ , ଅଭିଯୁକ୍ତଙ୍କ ପକ୍ଷରୁ ବା ସମ୍ପୃକ୍ତ ପକ୍ଷ -ପ୍ରତିପକ୍ଷ ଓ ତଦନ୍ତକାରୀ ପୁଲିସଠାରୁ ମାମଲାର ମୋଟିଭ୍ ର ବିବୃତି ମିଳିନାହିଁ କିମ୍ବା ତଦନ୍ତ ସରି ନଥିବା ଆଳରେ ପୁଲିସ ଏତେବଡ ସମ୍ବେଦନଶୀଳ ଅପରାଧ ମାମଲାରେ ସମ୍ବାଦଦାତା ସମ୍ମିଳନୀର ଆୟୋଜନ କରିନାହିଁ !
ସେହିପରି ଭାଜପା ପକ୍ଷରୁ ବା ବିରୋଧୀ ବିଜେଡି ବା କଂଗ୍ରେସର ମତାମତ ପ୍ରକାଶ ପାଇନାହିଁ !



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।