ଅପରାଧ

ଚୋରଘର ସବୁଦିନ ଅନ୍ଧାର ରହେନା

Email :

ପାଟଣାଗଡରୁ ଭୁବନେଶ୍ବର ଓ ସେଠାରୁ ଦିଲ୍ଲୀ

ସହଯୋଗ କରୁଥିଲେ ବହୁ ସରକାରୀ ବରିଷ୍ଠ ଅଧିକାରୀ

ବଲାଙ୍ଗୀର : ଶେଷରେ ବିଭିନ୍ନ ଠକେଇ ଓ ଦଲାଲିରେ କୋଟି କୋଟି ଟଙ୍କା ଓ ସମ୍ପତ୍ତିର ମାଲିକ ପାଲଟିଥିବା ମହାଠକ ଓଡ଼ିଶାର ଅଜିତ୍ ପାତ୍ର ଏକ ଜିଏସ୍ ଟି ମାମଲାରେ ବଞ୍ଚାଇବାକୁ ନକଲି ଅଧିକାରୀ ସାଜି ୧୮ ଲକ୍ଷ ଟଙ୍କା ନେଉଥିବା ବେଳେ ରାଜସ୍ଥାନରେ ଦିଲ୍ଲୀ ସିବିଆଇ ହାତରେ ଧରାପଡି ଗିରଫ ହୋଇଛି । ସିବିଆଇ ଏହି ପୁରୁଣା ଠକ ଓ ତା’ର ଜଣେ ସହଯୋଗୀ ମିଙ୍କୁଲାଲ୍ ଜୈନକୁ ଏହି ମାମଲାରେ ଗିରଫ କରିଥିବା ସହିତ ଦିଲ୍ଲୀ , ରାଜସ୍ଥାନ, ଓଡିଶା , ଶଶୁରଘର ପୁରୀ ଓ ନିଜଘର ପାଟଣାଗଡ ଓ ଅନ୍ଯାନ୍ଯ ସ୍ଥାନରେ ଚଢାଉ କରି ତା’ଠାରୁ ନଗଦ ୩ କୋଟି ୭୦ ଲକ୍ଷ ଟଙ୍କା ,୧ କେଜି ସୁନା ଅଳଙ୍କାର, ୪ ଟି ଦାମୀ ସୌଖୀନ ଗାଡି ସହ ୧୨ ଟି ଗାଡି , ୨୫ ଟି ବହୁମୂଲ୍ଯ ପ୍ଲଟ୍ , ବିପୁଳ ସମ୍ପତ୍ତିବାଡିର କାଗଜପତ୍ର, ବ୍ୟାଙ୍କ ଜମା ଓ ଅନ୍ଯାନ୍ଯ ଜିନିଷପତ୍ର ଜବତ କରିଥିବା ପ୍ରକାଶ । ଆହୁରି ବି ପାଟଣାଗଡର ତା’ଘର ବନାମ ସାନଭାଇର ଘର ଉପରେ ଗତ ୧୦ ତାରିଖ ରାତିସାରା ଚଢାଉ ପରେ ଗତ ୧୨ ତାରିଖ ଦିନ ଅଜିତ୍ ର ଭାଇ ରଞ୍ଜିତ ପାତ୍ରଙ୍କୁ ଧରି ସିବିଆଇ ଅଧିକାରୀମାନେ ସେଠାକାର ବିଭିନ୍ନ ବ୍ୟାଙ୍କ ଓ ଲକର ଆଦି ତନଖି କରିବା ଦେଖାଯାଇଥିଲା । ଏହି ଚଢାଉରେ ପ୍ରାୟ ୪୦ ଲକ୍ଷ ଟଙ୍କା ଏକ ବସ୍ତାରେ ଭରି ଏବଂ କାଗଜପତ୍ର ଜବତ ହୋଇଥିବା ଚର୍ଚ୍ଚାରୁ ପ୍ରକାଶ । ତେବେ ଏସବୁ ଚଢାଉରେ ମୋଟ କେତେ ଟଙ୍କାର ସମ୍ପତ୍ତି ସିବିଆଇ ଜବତ କରିଛି , ସ୍ପଷ୍ଟ ନ ହୋଇଥିଲେ ହେଁ , ଏହି ପରିମାଣ ଆହୁରି ଅଧିକ ହେବ ବୋଲି କୁହାଯାଉଛି ।

ଏବେ ରାଜସ୍ଥାନର ଜୟପୁରଠାରେ ସେ ଜଣେ ନେଟ୍ ୱର୍କ ସଂସ୍ଥାର ସିଇଓଙ୍କ ଠାରୁ ଜି ଏସ୍ ଟି ରୁ ବଞ୍ଚାଇବା ନକଲି ଅଧିକାରୀ ସାଜି ବଞ୍ଚାଇବା ପାଇଁ ୧୮ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ସିବିଆଇ ପଞ୍ଝାରେ ଉକ୍ତ ସହଯୋଗୀ ସହ ପଡିଯାଇଛି ।

ଏହାପୂର୍ବରୁ ସେ କଟକରେ ଜମି ଜାଲିଆତି ମାମଲାରେ ଗିରଫ ହୋଇଥିଲା । ସେତେବେଳର ଚର୍ଚ୍ଚା ଅନୁଯାୟୀ ଜଣେ ସୁପ୍ରିମ୍ କୋର୍ଟର ଜଜ୍ ଙ୍କୁ ଦିଲ୍ଲୀରେ ପ୍ଲଟ୍ ଯୋଗାଇଦେବାକୁ ଠକି ତାଙ୍କ ଠାରୁ ପ୍ରାୟ ୫୨ ଲକ୍ଷ ଟଙ୍କା ଚୂନ ଲଗାଇଥିଲା । ତେବେ ଜମିଜମା ଯୋଗାଇଦେବା , ଚାକିରୀ , ବଦଳି , ପଦୋନ୍ନତି ଓ ମାମଲାରୁ ଖସାଇବା ଇତ୍ୟାଦି ସହ ବଡ ବଡ ଅଧିକାରୀଙ୍କୁ ଝିଅ ଯୋଗାଇ ଦେଇ ହନିଟ୍ରାପ୍ ରେ ଫସାଇ ବିପୁଳ ଟଙ୍କା ଆଦାୟ କରିବା ଦଶନ୍ଧି ଦଶନ୍ଧି ଧରି ଭୁବନେଶ୍ବର ଓ ଦିଲ୍ଲୀରେ କଳାକାରବାରର ଜାଲ ବିଛାଇ ସେ ଏପରି କରୁଥିଲା । ଏହି ମହାଠକର ଥାଟ୍ ବାଟ୍ ଜଣେ ଭିଭିଆଇପି ଭଳି ଥିଲା ଓ ତାକୁ ସମସ୍ତ ପ୍ରକାରର ପ୍ରୋଟୋକଲ୍ ଯୋଗାଇ ଦିଆଯାଉଥିଲା । ସେ ମଧ୍ଯ କେତେକ ସ୍ଥାନରେ ମୁଖ୍ଯଅତିଥି ଭାବରେ ଯୋଗ ଦେଉଥିଲା । ଥରେ ପାଟଣାଗଡରେ ତା’ର ସାନଭାଇର ପୁଅ ଅନ୍ନପ୍ରାଶନରେ ଓ ମାଆଙ୍କ ଶ୍ରାଦ୍ଧଭୋଜରେ ତତ୍କାଳୀନ ଜିଲ୍ଲାପାଳ, ଏସ୍ ପି , ଜିଲ୍ଲାଜଜ୍ , ଛତିଶଗଡରୁ ନାଲିବତୀ ଗାଡି ଓ ଅନ୍ଯାନ୍ଯ ବଡବଡିଆଙ୍କ ସମାବେଶ ହୋଇଥିଲା । ତା’ର ବିବାହରେ ବଲାଙ୍ଗୀରର ଜଣେ ତତ୍କାଳୀନ ବଙ୍ଗାଳି ଜିଲ୍ଲାପାଳ ‘ଦେ ସାହେବ ‘ତଳେ ବସି ପରିବା କାଟୁଥିବା ଦେଖାଯାଇଥିଲା । ବୌଦ୍ଧର ଜଣେ ତତ୍କାଳୀନ ସମ୍ବଲପୁରୀ ଗୀତିକାର ଜିଲ୍ଲାପାଳ ଏହି ଠକର ପାଲରେ ପଡିଥିଲେ । ବଡ ବଡ ଏଜ୍ କ୍ୟୁଟିଭ୍ ଇଞ୍ଜିନିୟର, ପୁଲିସ ଅଧିକାରୀ ବା ବରିଷ୍ଠ ଅଧିକାରୀଙ୍କୁ ଏପରି ହ୍ୟୁମେଲେଟ୍ କରି ସାଡିଷ୍ଟିକ୍ ଆନନ୍ଦ ଉପଭୋଗ କରୁଥିଲା ।

ଜଣେ ଶିକ୍ଷକଙ୍କ ପୁଅ ଅଜିତ୍ ଶିକ୍ଷାଗତ ଯୋଗ୍ୟତା ମାତ୍ର ମାଟ୍ରିକ୍ ଓ ସେ ପ୍ରଥମେ ଛୋଟ ଛୋଟ ଥାନାମାମଲାର ମଧ୍ୟସ୍ଥି ହୋଇ ଓ ଥାନାବାବୁଙ୍କ ବଦଳି କରିବାକୁ ଥୋପ ପକାଇ ଟଙ୍କା ଆଦାୟ କରୁଥିଲା । ଏହାସହ ପାଟଣାଗଡ ସମବାୟ ବ୍ୟାଙ୍କରୁ ଏକ ଆମ୍ବାସଡ଼ର ଲୋନ୍ ନେଇ ଭଡାରେ ଲଗାଉଥିଲା । ସେତେବେଳେ ଏହି ପ୍ରତିନିଧି ସହ ଖପ୍ରାଖୋଲ ଥାନାରେ ତା’ର ଭେଟ ହୋଇଥିଲା ଓ ସେହିଦିନ ଠାରୁ ସେ ଏହି ପ୍ରତନିଧିକୁ ‘କକା’ ଡାକି ସାମ୍ବାଦିକତାରେ କିଛିଦିନ ସହଯୋଗୀ ହୋଇ ଗୁରୁ ଭାବେ ମାନୁଥିଲା । ଏପରିକି ସେ ସେତେବେଳେ ତାର ଏକ ସିଲ୍ ଭର୍ କଲରର ୟାମାହା ବାଇକ୍ ରେ ବସାଇ ବଲାଙ୍ଗୀରରୁ ବରଗଡ ଯାଏ ବୁଲାଇ ସମ୍ବାଦପତ୍ରର କିଛି ବାର୍ଷିକଗ୍ରାହକ ଯୋଗାଡ କରିଦେଇଥିଲା । କିନ୍ତୁ ସେତେବେଳେ ସେ ତା’ର କାର୍ ଲୋନ୍ ସୁଝି ନ ପାରିବାରୁ କାର୍ ଟିକୁ ସେ ଯାଇ ଭୁବନେଶ୍ବରରେ ଭଡାରେ ରହୁଥିବା ଘରକୁ ନେଇ ଲୁଚାଇ ଦେଇଥିଲା ଓ ଜଣେ ବିଦେଶରେ ରହୁଥିବା ବ୍ୟକ୍ତିଙ୍କ ବୃଦ୍ଧାମାଆଙ୍କୁ ଫୁସୁଲାଇ ପରେ ତାଙ୍କ କୋଠାକୁ କିଣି ବା ହଡପ କରିନେଇଥିବା ଶୁଣାଯାଇଥିଲା । ସେ ନେତା , ଅଫିସର ଓ ବ୍ୟବସାୟୀଙ୍କୁ ବାହାରୁ କଲ୍ ଗାର୍ଲ ଅଣାଇ ବା କେତେକ ସ୍ଥାନୀୟ ଝିଅଙ୍କୁ ଦେହବ୍ୟାପାରରେ ଲଗାଇ ଧନ୍ଦା କରୁଥିବା ଜାଣିପାରି ଏହି ପ୍ରତିନିଧି ତାକୁ ଭର୍ତ୍ସନା କରି ଆଉ ପାଖପୁରାଇ ଦେଲାନାହିଁ । ସେତେବେଳେ ସେ ଲାଠୋରର ଜଣେ ସ୍ବାମୀପରିତ୍ୟକ୍ତା ମହିଳାଙ୍କ ସୁନ୍ଦରୀଝିଅକୁ ଅନୁଗୁଳରେ ବିବାହ ଆଳରେ ଏଭଳି କାମରେ ବ୍ୟବହାର କରୁଥିବା ଓ କଟକ/ ଭୁବନେଶ୍ବରରୁ ଝିଅ ଅଣାଇ ବଲାଙ୍ଗୀର ଓ ହରିଶଙ୍କର ବଙ୍ଗଳାରେ ଦେହବ୍ୟାପାର କରୁଥିବା ସମ୍ପର୍କରେ ଏହି ପ୍ରତିନିଧି ଏକ ରିପୋର୍ଟ ପ୍ରକାଶ କରିଥିଲା । ସେ ପୂର୍ବରୁ ଜମିଜମା ଠକେଇ କରି ଗିରଫ ହୋଇଥିବା ସମ୍ପର୍କରେ ମଧ୍ୟ ଏହି ପ୍ରତିନିଧି ‘ ଚକ୍ଷକ ‘ ରେ ମଧ୍ଯ ଏକ ମୁଖପୃଷ୍ଠ ରିପୋର୍ଟ ପ୍ରକାଶ କରିଥିଲା ।

ତେବେ ଏହି ମହାଠକର କଳାକାରନାମା ପାଟଣାଗଡ , ବଲାଙ୍ଗୀରରୁ ଆରମ୍ଭ ହୋଇ ଭୁବନେଶ୍ବର ଓ ପରେ ଦିଲ୍ଲୀରୁ ରାଜସ୍ଥାନ ଆଦି ସ୍ଥାନକୁ ବ୍ୟାପି ଯିବା ପଛରେ ସେ ବହୁ ଆଇଏଏସ୍ , ଆଇପିଏସ୍ , ରାଜନେତା , ଅଧିକାରୀଙ୍କୁ ହନିଟ୍ରାପ୍ ଓ ସେମାନଙ୍କୁ ବ୍ଲାକ୍ ମେଲିଂ କରି କରୁଥିବା ବହୁଲୋକ ଜାଣନ୍ତି । ୨୦୦୦ ମସିହା ପରେ ସେ ଭୁବନେଶ୍ଵରରେ ରହିଆସୁଥିଲା । କମିସନେରେଟ୍ ପୁଲିସ ଅଫିସ ସାମ୍ନାରେ ଥିବା ତା’ ଘର ଆଗରେ ସେତେବେଳେ ଫୋର୍ ଏଣ୍ଡଭର୍ ଓ ଲାନସର କାର୍ ରଖାଯାଇଥିବା ଦେଖାଯାଇଥିଲା । ଏହି ମହାଧୂର୍ତ୍ତ ଯୁବକ ଜଣକ ଏବର ଜଣେ ଆଇଜି ପାହ୍ୟାର ଆଇପିଏସ ଅଧିକାରୀ ବନାମ ତତ୍କାଳୀନ ବଲାଙ୍ଗୀର ଏସ୍ ପିଙ୍କ ଭଉଣୀର ପିଲାଛୁଆ ହେଉ ନ ଥିବାରୁ ପାଟଣାଗଡରୁ ଜଣେ ବୈଦ୍ୟଠାରୁ ବୋତଲେ ମନ୍ତୁରା ଦେଶୀଔଷଧ ନେଇ ଯୋଗାଇଥିବା ପରି ପାରିବାରିକ ବ୍ୟକ୍ତିଗତ ସେବା ସମ୍ପର୍କ ସ୍ଥାପନ କରିଥିବା , ସେକ୍ରେଟାରିଏଟ୍ ର ଗୃହବିଭାଗର ପ୍ରବେଶ ଅନୁମତି କାର୍ଡ ପାଇଥିବା ଓ ତା’ ଚୁ ଟ୍ କୀ ରେ ଲୋକଙ୍କର ସରକାରୀ କାମ ହୋଇଯାଇ ପାରୁଥିବା ଏହି ପ୍ରତିନିଧି ଦେଖିଛି । ସଂପ୍ରତି ସେ ପୁରୀର ଜଣେ ଓକିଲଙ୍କ ଝିଅକୁ ବାହା ହୋଇ ଦିଲ୍ଲୀରେ ଏକ ବିଶାଳ ଭବ୍ୟଅଟ୍ଟାଳିକା ଆଦି କିଣି ରହୁଥିବା ଓ ତା’ରି ପ୍ରଭାବରେ ପାଟଣାଗଡରେ ତା’ ସାନଭାଇର ଠିକାଦାରୀ କାରବାର ଫଳିଫୁଲି ଉଠିଥିବା କାହାକୁ ଅଛପା ନୁହେଁ ।

ତେଣୁ ଅଜିତ ପାତ୍ର ଭଳି ଦେଶର ଜଣେ କୁଖ୍ୟାତ ମହାଠକକୁ ଗଢିତୋଳିବା ପଛରେ ଯେଉଁମାନଙ୍କର ହାତ ରହିଛି , ସେମାନେ ଚିରଦିନ ଅନ୍ଧାରରେ ରହିଯିବେ । ସେହିପରି ଏହି ସିବିଆଇ ଚଢଉ ମାମଲାରୁ ବି ସେ ଅକ୍ଳେଶରେ ବେକ ଖସାଇ ନେବା ଅସମ୍ଭବ ନୁହେଁ ବୋଲି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ । ତେଣୁ ଏକଦା ଚିଟ୍ ଫଣ୍ଡ୍ କାରବାର ବେଳେ ଆଇପିଏସ ଅଧିକାରୀଙ୍କ ପତ୍ନୀଙ୍କ ସହ ଆର୍ଥିକ କେଳେଙ୍କାରୀରେ ଜଡିତ ସମ୍ବଲପୁରର ଶୁଭଙ୍କର ପରି ଏହି ଠକମାନଙ୍କ ପ୍ରାର୍ଦୁଭାବ ନିମନ୍ତେ କେଉଁମାନେ ପ୍ରକୃତରେ ଦାୟୀ , ସମୀକ୍ଷାସାପେକ୍ଷ !

ତେବେ ମନେରଖିବା ଉଚିତ୍ ଯେ କୁହାଯାଇଥିବା ଆପ୍ତବାକ୍ୟ ପରି ‘ ଚୋରଘର ସବୁଦିନ ଅନ୍ଧାର ରହେନାଇଁ ! ‘

Leave a Reply

Your email address will not be published. Required fields are marked *

Related Post