ଅପରାଧ

ଚୋରାବଜାରରେ ମାନବଶିଶୁର ମୂଲ୍ୟବୃଦ୍ଧି ?

Email :

ରାଜଧାନୀରେ ଶିଶୁଚୋରୀ :

ଭୁବନେଶ୍ବର : ଗତ କିଛିବର୍ଷ ହେଲା ବହୁଚର୍ଚ୍ଚିତ ବିବାଦୀୟ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗର ପରୀକାଣ୍ଡ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିଶୁଚୋରୀ ଓ ଶିଶୁବିକ୍ରି ଘଟଣା ଘଟିଆସୁଛି ।

ସରକାରୀ ଡାକ୍ତରଖାନାରୁ ସଦ୍ୟଜାତ ଶିଶୁଙ୍କୁ ଅପହରଣ କରି ଦଲାଲଙ୍କ ଜରିଆରେ ହଜାର ଓ ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଥିବା ପ୍ରକାଶ। ଏଥିରେ ପ୍ରସୂତୀଙ୍କ ସହାୟିକା ଆଶାକର୍ମୀ , ନର୍ସ ଓ ସ୍ବାସ୍ଥ୍ୟକେନ୍ଦ୍ରର ସହାୟିକା ପ୍ରମୁଖ ଜଡିତ ରହୁଥିବା ଦେଖାଯାଇଥିବା ବଲାଙ୍ଗୀର ଜିଲ୍ଲାରେ ସରକାରୀ ସ୍ବାସ୍ଥ୍ୟକର୍ମୀ ଗିରଫ ହେଇଛନ୍ତି । କହିବାବାହୁଲ୍ୟ , ଏହି ଶିଶୁବିକ୍ରିର ଦଲାଲମାନେ ଟଙ୍କାର ଲୋଭ ଦେଖାଇ ଏହିକାମରେ ବସ୍ତୁତଃ ସେମାନଙ୍କୁ ବ୍ୟବହାର କରୁଛନ୍ତି । ଅଧିକନ୍ତୁ ବଲାଙ୍ଗୀର ଜିଲ୍ଲାର ଲାଠୋର ଅଞ୍ଚଳରେ ମାରୁଆଡି ଏବଂ ରାୟଗଡା ଜିଲ୍ଲାରେ ବେପାରୀମାନେ ଏପରି ଲକ୍ଷ ଲକ୍ଷ ଟଙ୍କାରେ ସ୍ବାସ୍ଥ୍ୟକେନ୍ଦ୍ରରୁ ବିଭାଗୀୟ ଆଶା ଓ ନର୍ସଙ୍କ ସହାୟତାରେ ସଦ୍ୟପ୍ରସସୂତ ଶିଶୁଙ୍କୁ କିଣିନେଇ ଛତିଶଗଡର ରାୟପୁର , ବିଶାଖପାଟଣା ଓ ଅନ୍ଯାନ୍ଯ ରାଜ୍ୟବାହାରକୁ ଚୋରାଚାଲାଣ କରି ଧରାପଡିଥିବା ପରି ଘଟଣା ଘଟିଛି । ଏଥିରେ ତଦନ୍ତକାରୀ ପୁଲିସର ଅଧାପନ୍ତରିଆ କାର୍ଯ୍ୟାନୁଷ୍ଠାନ ଓ ଉତ୍କୋଚଖୋର୍ ମନୋବୃତ୍ତି ଦାୟୀ ।

ବଲାଙ୍ଗୀର ଜିଲ୍ଲାରେ ଗତ କିଛିବର୍ଷରୁ ଅଦ୍ୟାବଧି ଏପରି ଏକାଧିକ ଶିଶୁବିକ୍ରି ମାମଲା ଘଟି ଆସୁଥିବା ବେଳେ ଏଥିରେ ଏପରିକି ସିଡବ୍ଲୁସି ପକ୍ଷରୁ ଡିପିସିୟୁର କେତେକ ଅଧିକାରୀ ଜଡିତ ରହୁଥିବା ଏବଂ ବିଦେଶକୁ ଅବୈଧ ଭାବରେ ପୋଷ୍ୟସନ୍ତାନ ଚୋରାଚାଲାଣ ଅଭିଯୋଗର ଅଙ୍ଗୁଳି ଉଠିଛି । ତଥାପି ସରକାର ଶିଶୁବିକ୍ରି ବା ଶିଶୁ ଚୋରାଚାଲାଣର ଏହି ସମ୍ବେଦନଶୀଳ ସନ୍ଦିଗ୍ଧ ଦିଗ ପ୍ରତି ଗୁରୁତ୍ବାରୋପ କରିନାହାଁନ୍ତି !

ଏହି ପରିପ୍ରେକ୍ଷୀରେ ନୂତନ ସରକାର , ଗତ ସରକାରଙ୍କ ଅମଳରୁ ଗଠିତ ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଶିଶୁ ସୁରକ୍ଷା ସମିତିର ପୁନର୍ଗଠନ କରିବା ଜରୁରୀ ହୋଇପଡିଛି । ଏଗୁଡିକର ନିଯୁକ୍ତିରେ ଅହେତୁକ ଲବି , ରାଜନୈତିକ ସୁପାରିଶ ଓ ଅଯୋଗ୍ୟ ଅଧିକାରୀ , କର୍ମଚାରୀ ଓ ଅପାରଗ କର୍ମକର୍ତ୍ତାମାନଙ୍କ ସହିତ ସଦସ୍ଯ/ ସଦସ୍ଯମାନଙ୍କୁ ବର୍ଷ ବର୍ଷ ଧରି ଥଇଥାନ ଏବଂ କୋଟି କୋଟି ଟଙ୍କାର ଅର୍ଥ ଶ୍ରାଦ୍ଧ ହୋଇ ଚାଲିଛି । ଫଳସ୍ୱରୂପ, ଦିନକୁ ଦିନ ରାଜ୍ୟରେ ଏହି ସମ୍ବେଦନଶୀଳ ଅପରାଧ ନିରଙ୍କୁଶ ହୋଇ ବୃଦ୍ଧି ପାଇବାରେ ଲାଗିଛି ।

ସଦ୍ୟତମ ଚାଞ୍ଚଲ୍ୟକର ଘଟଣା ସ୍ବରୂପ ଗତକାଲିର ଖୋଦ୍ ରାଜଧାନୀର ରାମମନ୍ଦିର ସମ୍ମୁଖରୁ ଜନୈକା ଦୃଷ୍ଟିବାଧିତା ଅସହାୟା ଗରିବ ମାଆ କୋଳରୁ ତା’ର ଦେଢବର୍ଷର ଶିଶୁପୁତ୍ରଟିକୁ ଦୁଇଜଣ ଦୁର୍ବୃତ୍ତ ଅପହରଣ କରିନେବା ମାମଲା ।

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଉପଖଣ୍ଡ ହାସପାତାଳର ମାତୃ ଓ ଶିଶୁ ବିଭାଗ ବା ଏମ୍ ସି ଏଚ୍ ଓ ଭୀମଭୋଇ ମେଡିକାଲ କଲେଜ ହାସପାତାଳର ଶିଶୁବିକ୍ରି ମାମଲା ଘଟଣାରେ ମିଳିଥିବା ସୂଚନା , ଲୋକଙ୍କ ଚର୍ଚ୍ଚା ଓ ଅଭିଯୋଗ ଅନୁଯାୟୀ ଏହାପଛରେ କୌଣସି ଆନ୍ତଃରାଜ୍ୟ ବା ଆନ୍ତର୍ଜାତିକ ଶିଶୁଚୋରାଚାଲାଣର ରାକେଟ୍ ଜଡିତ ଥିବା ସତ୍ଯ ହେଇଥାଏ , ସରକାରଙ୍କ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ଜରୁରୀ । ଯଦି ଆନ୍ତର୍ଜାତିକ ଚୋରାବଜାରରେ ଶିଶୁଙ୍କ ମୂଲ୍ୟବୃଦ୍ଧି ହୋଇଥାଏ, ତେବେ ରାଜଧାନୀର ମାଆକୋଳରୁ ମାନବଶିଶୁ ଚୋରାଚାଲାଣ ରାକେଟ୍ ର ଦୁବୃର୍ତ୍ତ ମାନେ ଏହି ଦେଢବର୍ଷର ଶିଶୁପୁତ୍ରଟିକୁ ଝାମ୍ପିନେଇ ବିକିଦେବା ଅସମ୍ଭବ ନୁହେଁ ! କାରଣ କିଛିମାସ ତଳର ଟିଟିଲାଗଡ ଉପଖଣ୍ଡ ହାସପାତାଳର ଏମ୍ ସି ଏଚ୍ ରୁ ରାୟପୁରର ଦଲାଲ ଜରିଆରେ ଶିଶୁପୁତ୍ର ବିକ୍ରି ଓ ଉଦ୍ଧାର ଘଟଣା ବେଳେ ବଲାଙ୍ଗୀର ଡିପିସିୟୁର ଅଧିକାରିଣୀଙ୍କ ଠାରୁ ପ୍ରକାଶ ପାଇଥିଲା ଯେ , ଏପରିସ୍ଥଳେ ଯଦି ଶିଶୁଟି ପୁଅ ହେଇଥାଏ , ତା’ର ମୂଲ୍ୟ ଏଠାରେ ଅଢେଇଲକ୍ଷ ପର୍ଯ୍ୟନ୍ତ ହୋଇଥାଏ ।

ଏଣୁ ସରକାରଙ୍କ ପକ୍ଷରୁ ଏପରି ଚର୍ଚ୍ଚା ଓ ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତ କରାଇବା ଜରୁରୀ ବୋଲି ଲୋକଙ୍କର ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *

Related Post