ବ୍ରହ୍ମପୁରରେ ବି ଅନ୍ ଲାଇନ୍ ଟ୍ରେଡିଂରେ ୧୬ ଲକ୍ଷ ହଡପ !
ବ୍ରହ୍ମପୁର : ଦିନକୁଦିନ ରାଜ୍ୟରେ ବିଭିନ୍ନ ଆପ୍ , ମୋବାଇଲ୍ ହ୍ବାଟ୍ସଅପ୍ , ଅନ୍ ଲାଇନ୍ ଟ୍ରେଡିଂ ଆଦି ଜରିଆରେ ସାଇବର ଠକେଇ ବୃଦ୍ଧି ପାଇବାରେ ଲାଗିଛି । ସାଇବର ଠକମାନେ ଏହା ଜରିଆରେ ପ୍ରଥମେ କିଛି କିଛି ଥୋପର ପ୍ରଲୋଭନ ଦେଇ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ଲୁଟି ନେଉଛନ୍ତି । ବିଶେଷତଃ ଯୁବଗୋଷ୍ଠୀ ଏହାର ଶିକାର ହେଉଥିବା ଦେଖାଯାଇଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ଏହା ଚାଲିଥିବା ଜଣାପଡୁଥିଲେ ହେଁ , ସଚେତନତା ଓ ସଠିକ୍ ତଦନ୍ତର ଭରସା ନଥିବାରୁ ଏସବୁ ବିରୋଧରେ ଥାନାପୁଲିସ୍ ରେ ଅଭିଯୋଗ ହେଉନାହିଁ । ଯେଉଁଠି ଏତଲା ଦିଆଯାଉଛି , ସେହି ଜଟିଳ ମାମଲାଗୁଡିକର ସମ୍ପୃକ୍ତି ବାହାରରାଜ୍ୟ ବା ବିଦେଶ ସହ ରହିଥିବାରୁ ତଦନ୍ତକାରୀ ପୁଲିସ୍ ତଦନ୍ତ ନିମନ୍ତେ ସେତେଟା ଆଗ୍ରହ ପ୍ରକାଶ କରୁ ନଥିବା ବା ଏହାର ଫଳାଫଳ କିଛି ହେଉ ନଥିବା ଜଣାଯାଇଛି ।
ଏବେ ବ୍ରହ୍ମପୁରର ଜଣେ ଯୁବକଙ୍କ ଠାରୁ ସାଇବର ଠକମାନେ ଅନ୍ ଲାଇନ୍ ଟ୍ରେଡିଂ ନାଁ’ରେ ୧୬ ଲକ୍ଷ ୩୫ ହଜାର ଟଙ୍କା ଠକିନେଇଥିବାର ବ୍ରହ୍ମପୁର ସାଇବର ଓ ଅର୍ଥନୈତିକ ଅପରାଧ ଶାଖାରେ ଠକାମିର ଶିକାର ହୋଇଥିବା ଯୁବକଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିବା ପ୍ରକାଶ । ଏତଲାକ୍ରମେ ପୁଲିସ୍ ଏକ ମାମଲା ଋଜୁ କରି ତଦନ୍ତ କରୁଥିବା ଜଣାଯାଇଛି ।
ପ୍ରକାଶିତ ଅଭିଯୋଗ ଅନୁଯାୟୀ , ବ୍ରହ୍ମପୁର ଚୈତନ୍ଯନଗର ୨ୟ ଲାଇନ୍ ତଥା ବଡବଜାର ପାଣିଗ୍ରାହୀପେଣ୍ଠର ଉକ୍ତ ଅଭିଯୋଗକାରୀ ଯୁବକଙ୍କ ନିକଟକୁ ୭୮ ୭୨୩୫୧୬୫୩ ଓ ୯୦୩୨୩୯୨୪୧୫ ମୋବାଇଲ୍ ନମ୍ବରରୁ ଅନ୍ ଲାଇନ୍ ରେ ଆସିଥିବା ଦୁଇଟି ମେସେଜ୍ ରେ ଆକାଉଣ୍ଟ ଷ୍ଟକ୍ ବ୍ରୋକିଂ ପ୍ରା.ଲିଃ ଜରିଆରେ ଟ୍ରେଡିଂ କରିବାକୁ ଉଲ୍ଲେଖ ରହିଥିଲା । ଯୁବକ ଜଣକ ଇଚ୍ଛୁକ ଥିବା ଜାଣି ଏହି ସଂସ୍ଥା ପକ୍ଷରୁ ଏ -୫୨ ଆଡଭେଣ୍ଟ ଇଣ୍ଟରନେସନାଲ୍ ନାମକ ଏକ ହ୍ବାଟ୍ସଅପ୍ ଗ୍ରୁପ୍ ତାଙ୍କୁ ଯୋଡିଦିଆଯାଇଥିଲା ।
ଏଥିରେ ଯୁବକ ଜଣକ ଥର ଥର କରି ହଜାର ହଜାରରୁ ଲକ୍ଷ ଲକ୍ଷ ଟଙ୍କା ଖଟାଇଥିଲେ । ତା’ପରେ ଅନ୍ୟୁନ ୫ ଲକ୍ଷ ଟଙ୍କା ବିନିଯୋଗ କଲେ କୋଟିପତି ହେବାର ପ୍ରଲୋଭନ ଦେଖାଇ ଯୁବକଙ୍କ ଠାରୁ ଉକ୍ତ ସଂସ୍ଥା ମୋଟ ୧୬ ଲକ୍ଷ ୩୫ ହଜାର ଟଙ୍କା ଦେବାପରେ ବିଭିନ୍ନ ଆଳ ଦେଖାଇ ସଂସ୍ଥା ତାଙ୍କକଥା ଶୁଣୁ ନଥିବା ପ୍ରକାଶ । ତେଣୁ ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିପାରି ଥାନାର ଦ୍ବାରସ୍ଥ ହୋଇଛନ୍ତି।
ଏଣୁ ଏଥିରେ କାହାର ଭୁଲ୍ ଓ ଏଥିପାଇଁ ତାଙ୍କୁ ଠକମାନେ କିଭଳି ପ୍ରଲୋଭନ ଦେଉଛନ୍ତି , ଅନୁସନ୍ଧାନ ସାପେକ୍ଷ ।
ତେବେ ସାଇବର ପୁଲିସ୍ ବା ସରକାର ଏଭଳି ଆନ୍ତଃରାଜ୍ୟ ବା ଆନ୍ତର୍ଜାତିକ ସାଇବର ଠକେଇକୁ ଧରିବା ପାଇଁ କି ଉପାୟ ଅବଲମ୍ବନ କରୁଛନ୍ତି ଓ ଏଭଳି ଠକଙ୍କୁ ଧରିବାରେ କେତେ ସମର୍ଥ , ଦେଖିବାକୁ ବାକି ରହିଲା । ଅଧୁନାତନ ଏଆଇ ଯୁଗରେ ଏଭଳି ଅପରାଧକୁ ନିୟନ୍ତ୍ରଣ କରାଯିବାକୁ ସରକାର ପୁଲିସ୍ ର କ୍ଷମତାବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି ।