କିରିଆମେଟା କାର୍ଯ୍ୟାନୁଷ୍ଠାନ ନା ନିଦ୍ରାଭଙ୍ଗ ?
କଣ୍ଟାବାଞ୍ଜି : ଦାଦନଚାଲାଣକୁ ନେଇ କଣ୍ଟାବାଞ୍ଜି ସବୁଦିନ ଚର୍ଚ୍ଚାରେ ରହିଆସିଛି । ଏହା ହେଉଛି ଦାଦନଗଡ ଓ ଏଠାକୁ ରାଜ୍ଯବାହାରର ଇଟାଭାଟି ମାଲିକମାନେ ଆସି ଲଜ୍ ଗୁଡିକରେ ଓ କ୍ରମଶଃ ସର୍ଦ୍ଦାରମାନଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ଘରେ ବା ଫାର୍ମହାଉସ୍ ରେ ରହିଥାଆନ୍ତି । ଏଠାରେ ବଡ ବଡ କୋଟିପତି ସର୍ଦ୍ଦାରଙ୍କ ଘର । ଏହା ସହିତ ନିକଟସ୍ଥ ବେଲପଡା , ଖପ୍ରାଖୋଲ ଅଞ୍ଚଳରେ ସର୍ଦ୍ଦାର ମାନଙ୍କର କୋଟି କୋଟି ଟଙ୍କାର ଭବ୍ୟକୋଠାବାଡି ରହିଛି । ଏହି କାରବାରର ପୃଷ୍ଠପୋଷକ ଭାବରେ ବିଧାୟକମାନେ ମଧ୍ଯ ପ୍ରତ୍ୟେକ୍ଷ ସହଯୋଗ କରୁଥିବା ଦେଖାଯାଇ ଆସିଛି । ପ୍ରଚୁର ଟଙ୍କା ବ୍ଯତୀତ ନିର୍ବାଚନ ବେଳକୁ ବନ୍ଧକଶ୍ରମିକଙ୍କୁ ଭୋଟ୍ ଦେବାକୁ ଛାଡି ଦିଆଯାଏ । ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଧରପଗଡରେ ଧରାପଡୁଥିବା ରାଜ୍ଯବାହାରର ଆନ୍ଧ୍ରସେଠ୍ ମାନଙ୍କୁ ଛାଡିଦେବାକୁ ଥାନା ଘେରାଉ କରି ଧାରଣା ଦେଇଥିବା ଓ ଏବର ଶାସକଦଳର ବିଧାୟକ ଲକ୍ଷ୍ମଣ ବାଗ ନିଜେ ଜଣେ ସର୍ଦ୍ଦାର ହୋଇଥିବା ସହିତ ଖୋଲାଖୋଲି ଦାଦନଶ୍ରମିକ ଚାଲାଣ କରୁଥିବା ସେଠ୍ ସର୍ଦ୍ଦାରଙ୍କୁ ‘ ଅନ୍ନଦାତା ‘ ବୋଲି କହିବା ସହିତ ଗଣମାଧ୍ୟମରେ ‘ ଦାଦନ ହେବାରେ ମଜା ଅଛି ‘ ବୋଲି କହିଥିବା ପ୍ରକାଶ ପାଇଛି ।
ଆହୁରି ମଧ୍ଯ ଖାସ୍ ଦାଦନଚାଲାଣ ପାଇଁ ବଟି ଆଦାୟ କରି ଭାଗବାଣ୍ଟ କରିବାକୁ କଣ୍ଟାବାଞ୍ଜି , ବେଲପଡା , ଖପ୍ରାଖୋଲ, ତୁରେକେଲା , ମୁରିବାହାଲ, ଲାଠୋର , ବଙ୍ଗୋମୁଣ୍ଡା , ପାଟଣାଗଡ, ସିନ୍ଧେକେଲା , ଟିଟିଲାଗଡ ଆଦି ଥାନାର ଓ ଅନ୍ଯାନ୍ଯ ପୁଲିସ ଅଧିକାରୀଙ୍କୁ ନିଲାମ୍ ଭିତ୍ତିରେ ନିଯୁକ୍ତି ଦିଆଯାଇଆସୁଥିବାର ଅଭିଯୋଗ ପ୍ରକାଶ ପାଇ ଆସୁଛି ।
କେବଳ ସେତିକି ନୁହେଁ , ଦୁଇବର୍ଷ ତଳେ କଣ୍ଟାବାଞ୍ଜିର ଜଣେ ଏସ୍ ଡିପିଓ ହୃଷିକେଶ ମେହେର କଣ୍ଟାବାଞ୍ଜିର ଅନ୍ନପୂର୍ଣ୍ଣା ଲଜ୍ ରେ ଚଢାଉ କରି ପ୍ରାୟ ୧ କୋଟି ଟଙ୍କାର ସେମାନେ ଅଗ୍ରୀମ ବାଣ୍ଟିବାକୁ ଆଣିଥିବା ନଗଦ ଟଙ୍କା ଲୁଟ୍ କରି ହଡପ କରିବା ସହିତ ଆନ୍ଧ୍ର ଓ ତାମିଲନାଡୁରୁ ରାଜ୍ୟବାହାରୁ ଆସିଥିବା ୭ ଜଣ ଇଟାଭାଟି ସେଠ୍ ଙ୍କୁ ଜୁଆ ଖେଳୁଥିବା ମିଥ୍ୟାମାମଲାରେ ଫସାଇ ଦେଇ ଧରାପଡି ଅଳ୍ପ ପରିମାଣର ଲକ୍ଷାଧିକ ଟଙ୍କାର ଉଦ୍ଧାର କରାଯାଇ ନିଲମ୍ବିତ ହୋଇଥିଲେ । ସେତେବେଳେ ସେହି ସେଠ୍ ମାନଙ୍କୁ ବର୍ତ୍ତମାନର ବିଧାୟକ ଲକ୍ଷ୍ମଣ ବାଗ ନିଜ ଜାମିନରେ ନେଇଥିବା ପ୍ରକାଶ । ଏହା ସହିତ ତୁରେକେଲା ଥାନାର ଜଣେ ପୁଲିସ ଅଧିକାରୀ ମଧ୍ଯ ସେହିସମୟରେ ଜଣେ ସର୍ଦ୍ଦାରଠାରୁ ଲାଞ୍ଚ ନେଇ ଧରାପଡି ବଦଳି ହୋଇଥିଲେ ।
ସଂପ୍ରତି କିଛିଦିନ ତଳେ କଣ୍ଟାବାଞ୍ଜିର ୮ ନମ୍ବର ୱାର୍ଡରେ ଜଣେ ଭୂତପୂର୍ବ ସର୍ଦ୍ଦାରଙ୍କ ପୁଅ ସ୍ଥାନୀୟ କେଭି କଲେଜର ଲାଇବ୍ରେରୀଆନ୍ ପ୍ରକାଶ ବେହେରାଙ୍କ ଘରେ ପୁଲିସ ଚଢାଉ କରି ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ୫୫ ଜଣ ଦାଦନଶ୍ରମିକ ପରିବାରର ଲୋକଙ୍କୁ ଉଦ୍ଧାର କରିଛି । ତେବେ ବଲାଙ୍ଗୀର ଅତିରିକ୍ତ ଏସ୍ ପି ଙ୍କ ନିର୍ଦ୍ଦେଶରେ କରାଯାଇଥିବା ଏହି ରାତିଅଧିଆ ଚଢାଉ ବେଳେ ଅଭିଯୁକ୍ତ ସର୍ଦ୍ଦାର ଓ ତାଙ୍କ ଭାଇ ବ୍ରଜେନ୍ଦ୍ର ବେହେରା ଫେରାର୍ ହୋଇଯାଇଥିବା ନେଇ ଲୋକେ ପୁଲିସ ଜାଣିଶୁଣି ସେମାନଙ୍କୁ ଛାଡିଦେଇଥିବା ସନ୍ଦେହ ପ୍ରକାଶ କରିଛନ୍ତି । ଏହି ଧରପଗଡ ପରେ ପାଟଣାଗଡରେ ବି ପୁଲିସ ଧରପଗଡ କରି ଆଉ କେତେକ ଦାଦନଶ୍ରମିକଙ୍କୁ ଉଦ୍ଧାର କରିଥିବା ପ୍ରକାଶ । ବୋଧହୁଏ ଏହି ଅଭିଯୁକ୍ତ ସର୍ଦ୍ଦାରମାନଙ୍କ ପାଖରେ ଶ୍ରମିକଚାଲାଣ ଲାଇସେନ୍ସ ନଥିଲା ବା ପୂର୍ବ ଲାଇସେନ୍ସର ନବୀକରଣ କରି ନଥିବାରୁ ଜିଲ୍ଲା ଶ୍ରମବିଭାଗର ସୂଚନାକ୍ରମେ ଏହା କରାଯାଇ ଟାସ୍କଫୋର୍ସର କିରିଆମେଟା କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ଲୋକେ କଟାକ୍ଷ କରୁଛନ୍ତି । କାରଣ ଏହି ତଥାକଥିତ ଟାସ୍କଫୋର୍ସ ଗଠନ ହେବା ପରଠାରୁ ଜିଲ୍ଲା ପୁଲିସର ଏଭଳି ଚଢାଉ ହୋଇ ନଥିଲା । ନୂଆଖାଇ ପୂର୍ବରୁ ଅଗ୍ରୀମ ନେଇ ଜିଲ୍ଲାରୁ ଅଧିକାଂଶ ଦାଦନଶ୍ରମିକ ଚାଲାଣ ହେବା ପରେ ନିଦରୁ ଉଠିଲା ଭଳି ଏହି ଗୋଟିଏ/ ଦୁଇଟି ଚଢାଉ କରିବାଦ୍ବାରା କିଭଳି ଦାଦନଶ୍ରମିକ ଚାଲାଣକୁ ରୋକିହେବ , ପ୍ରଶ୍ନବାଚୀ ସୃଷ୍ଟିହୁଏ ?

ଉଲ୍ଲେଖଯୋଗ୍ଯ ଯେ , କିଛିଦିନ ତଳେ ସରକାରଙ୍କ ପକ୍ଷରୁ ବିଭିନ୍ନ ରେଳଷ୍ଟେସନକୁ ଶ୍ରମବିଭାଗ ଓ ପୁଲିସ ଜଗିବା ବୋଲି ମୁଖ୍ଯଶାସନସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ ପାଇଥିଲା । ହୁଏତ ଏବେ ପ୍ରଶାସନ ତାହା ପ୍ରତିପାଳନ କରୁଛି ! ଏବେ ଗଣମାଧ୍ୟମରେ କଣ୍ଟାବାଞ୍ଜି ରେଳଷ୍ଟେସନରୁ ସେଠ୍ ଓ ସର୍ଦ୍ଦାରଙ୍କ ଉପସ୍ଥିତିରେ ହଜାର ହଜାର ଦାଦନଶ୍ରମିକ ଚାଲାଣ ହେଉଥିବାର ଖବର ସଚିତ୍ର ପ୍ରକାଶ ପାଇ ଟାସ୍କଫୋର୍ସ ଗଠନ ଉପରେ ପ୍ରଶ୍ନ ପ୍ରକାଶ ପାଇଛି । କାହାଠାରୁ ସାହସ ପାଇ କଣ୍ଟାବାଞ୍ଜିରେ ସରକାରଙ୍କ ଆଦେଶକୁ ପାଳନ କରାଯାଉନାହିଁ ? କଣ୍ଟାବାଞ୍ଜିର ଶାସକଦଳର ବିଧାୟକଙ୍କର ଏଥିରେ ପ୍ରୋତ୍ସାହନ ରହିନାହିଁ ତ ?
କଣ୍ଟାବାଞ୍ଜି ସମେତ ବେଲପଡା , ଖପ୍ରାଖୋଲ ଅଞ୍ଚଳର ବହୁ କୋଟିପତି କୁଖ୍ୟାତ ଦାଦନସର୍ଦ୍ଦାର ରହିଥିବା ସବୁ ଥାନା ପୁଲିସର ଟିପାଖାତାରେ ରହିଛି ଓ ପୁଲିସ ସେମାନଙ୍କ ଠାରୁ ନିୟମିତ ବଟି ଆଦାୟ କରୁଛି । ଏମାନଙ୍କ ମଧ୍ଯରେ କଣ୍ଟାବାଞ୍ଜିର ନିଜାମ ଖାନ୍ , ଜଗଦୀଶ ସୁନା , ବାବୁଲାଲ ,ପ୍ରଦୀପ ମୋରେ , ସୁରେଶ ସୋନୀ , ବିନୋଦ , ଗୋବିନ୍ଦ ତାଣ୍ଡି , ବିଧାୟକଙ୍କ ଗାଁ’ ଖୁଟଲୁମୁଣ୍ଡାର ଗଫାର ଖାଁ , ବିଧାୟକଙ୍କ ଭାଇ ପୁରନ୍ ବାଗ , ବେଲପଡାର କ୍ଷେମା କୁମ୍ଭାର , ଗଣେଶ କୁମ୍ଭାର , କାଲିଆ , ସୁନ୍ଦର , ବୁଡୁ ତାଣ୍ଡି , ଅଣ୍ଡାଲଦରୋ ର ପପୁ ପାତ୍ର , ସୁଶାନ୍ତ ପାତ୍ର ,ସରମୁହାଣର ଟିକଚନ ମେହେର , ଖପ୍ରାଖୋଲ -କପସିପାଲିର ଚଏତୁ ଛୁରା , କନ୍ଧେନ୍ ଝୁଲାର , କିଙ୍ଗ୍ରିଟାଲ୍ ର ବୈକୁଣ୍ଠ , ଲାଠୋରର ରଘୁ , ଦାରା , ମୁରିବାହାଲର ଗିରି ମହାନନ୍ଦ ଏପରି କେତେ ନାଁ’ ସର୍ଦ୍ଦାରଙ୍କର । ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ଶ୍ରମବିଭାଗର ଲାଇସେନ୍ସ ପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ତାଲିକା , ଆବେଦନକାରୀଙ୍କ ତାଲିକା ଓ କମ୍ ସଂଖ୍ୟକ ନାମ ଦର୍ଶାଇ ଯଥେଷ୍ଟ ଅଧିକ ନେଉଥିବା ସର୍ଦ୍ଦାରଙ୍କ ନାମ ଏବଂ ପୂର୍ବ ଅଭିଯୁକ୍ତ ସର୍ଦ୍ଦାରମାନଙ୍କ ନାମ ମିଶାଇଲେ ସହସ୍ରାଧିକ ହେବେ । କିନ୍ତୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଠାରୁ ସେମାନଙ୍କ ନାମ ଗୋପନ ରଖାଯାଇଥାଏ । ତେବେ ବର୍ଷ ବର୍ଷ ଧରି ଏଭଳି ବେଆଇନ ଦାଦନଶ୍ରମିକ ଚାଲାଣରୁ କୋଟିପତି ପାଲଟିଥିବା ସର୍ଦ୍ଦାରଙ୍କ ଉପରେ ଶ୍ରମବିଭାଗ , ପୁଲିସ ବା ଆୟକର ବିଭାଗର ଚଢାଉ ହୁଏ ନାହିଁ କାହିଁକି ବୋଲି ଲୋକେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ?
କଣ୍ଟାବାଞ୍ଜିର ଉକ୍ତ ଚଢାଉର ଉଦ୍ଦେଶ୍ଯ ଅଗ୍ରୀମ ହଡପ କରିବାକୁ ସର୍ଦ୍ଦାରଠାରୁ ଲକ୍ଷାଧିକ ଟଙ୍କା ନେଇ ପେଶାଦାର ଉଦ୍ଧାରକାରୀ ଦଲାଲଙ୍କ ଜରିଆରେ ପୁଲିସ ଓ ପ୍ରଶାସନକୁ ଅଭିଯୋଗ କରିବା ହେଉ ଅଥବା ଯାହାହେଉ, ଠିକ୍ ହୋଇଥିଲେ ହେଁ , ଉପରୋକ୍ତ ଓ ଜିଲ୍ଲାର ସମସ୍ତ ସର୍ଦ୍ଦାରଙ୍କ ଉପରେ ଚଢାଉ ହେବା ଜରୁରୀ ! ସେହିପରି ସେମାନଙ୍କର ବର୍ଷ ବର୍ଷର ଏହି ବେଆଇନ ଓ ବେହିସାବୀ ଦାଦନଶ୍ରମିକ ଚାଲାଣରୁ ଅନ୍ୟାୟୋପାର୍ଜିତ ଧନସମ୍ପତ୍ତିର ଏକ ଆୟକର ଚଢାଉର ଆବଶ୍ୟକତା ରହିଛି ।



“ଦୃଷ୍ଟିପାତ “ଓଡିଆ ନିଉଜ୍ ପୋର୍ଟାଲ୍ ହେଉଛି , ୧୯୯୪ ରୁ ବଲାଙ୍ଗୀରରୁ ପ୍ରକାଶ ପାଉଥିବା ‘ପାକ୍ଷିକ ଦୃଷ୍ଟିପାତ ‘ ଓ ପରେ ପ୍ରକାଶିତ ‘ ସାପ୍ତାହିକ ‘ ଦୃଷ୍ଟିପାତ ‘ ସମ୍ବାଦପତ୍ରର ଆଧୁନିକ ଇ- ପତ୍ରିକା ସଂସ୍କରଣର ରୂପାନ୍ତରିତ ଉଏବ୍ ପୋର୍ଟାଲ୍ । ଏହା ମୁଖ୍ୟତଃ ରାଜ୍ୟ ତଥା ଦେଶର ଗଣମାଧ୍ୟମରେ ପ୍ରକାଶିତ ଖବରର ଏକ ତର୍ଜମାତ୍ମକ ଉପସ୍ଥାପନା ଓ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ସଂଗୃହୀତ ତଥ୍ୟର ନିଜସ୍ୱ ଅନୁସନ୍ଧାନମୂଳକ ନିରପେକ୍ଷ ଖବର ପରିବେଷଣ । ଏଥିରେ କାହାର ମାନହାନୀ ବା ଏହା କ୍ଷତିସାଧନ ନିମନ୍ତେ ଉଦ୍ଦିଷ୍ଟ ନୁହେଁ ଓ ଜନହିତରେ ପ୍ରସାରିତ ସରକାର ବା ପ୍ରଶାସନର ଦୃଷ୍ଟିଆକର୍ଷଣର ଜନମତ ସମ୍ବଳିତ ଏକ ପ୍ରୟାସ ମାତ୍ର । ଏକ ଦୁର୍ନୀତିମୁକ୍ତ ସୁସ୍ଥ ସମାଜ ଗଠନ ଏହାର ଲକ୍ଷ୍ୟ ଓ ଏକାନ୍ତ ଉଦ୍ଦେଶ୍ୟ ଅଟେ।