ଅପରାଧ

ଡାକ ବିଭାଗର ନିଯୁକ୍ତିରେ ଜାଲ୍ ସାର୍ଟିଫିକେଟ୍ ମାମଲା

Email :

୩ ବର୍ଷ ପରେ ୨ୟ ଦଫାରେ ପୁଣି ୫ ଗିରଫ : ବାକିମାନେ କେବେ ?

ବଲାଙ୍ଗୀର : ଗତ ୨୦୨୩ ମାର୍ଚ୍ଚମାସରେ ବଲାଙ୍ଗୀର ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଧରାପଡିଥିବା ଜାଲ୍ ସାର୍ଟିଫିକେଟ୍ ମାମଲାରେ କ୍ରାଇମବ୍ରାଞ୍ଚ ଏହି ରାକେଟ୍ ର ୨ ଜଣ ମାଷ୍ଟରମାଇଣ୍ଡ୍ ଙ୍କ ସମେତ ୧୭ ଜଣ ସ୍ଥାନୀୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଟାଉନ୍ ଥାନା ପୁଲିସ, କ୍ରାଇମବ୍ରାଞ୍ଚ ଓ ସିବିଆଇ ପକ୍ଷରୁ ଏହାର ତନାଘନା ପରେ ଏବେ ବଲାଙ୍ଗୀରୁ ଆଉ ୫ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏଥିରେ ୪୧ ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନ ନାଁ’ରେ ଜାଲ୍ ସାର୍ଟିଫିକେଟ୍ ଓ ଜାଲ୍ ମାର୍କସିଟ୍ ପାଇଁ ନୋଟିସ ଜାରୀ ହୋଇଥିବା ଓ ପ୍ରତି ଜାଲ୍ ପ୍ରମାଣପତ୍ର ପାଇଁ ଦଲାଲମାନେ ୫ ଲକ୍ଷ ଟଙ୍କା ଲେଖାଁଏ ନେଇଥିବା ପ୍ରକାଶ। ୬୦ ଟି ପୋଷ୍ଟମାଷ୍ଟର ପାଇଁ ଆବେଦନକାରୀଙ୍କ ମଧ୍ଯରୁ ୩୮ ଜଣଙ୍କର ମାଟ୍ରିକ୍ ସାର୍ଟିଫିକେଟ ଜାଲ୍ ଓ ସେଗୁଡିକ ଉତ୍ତର ପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦର ବୋଲି ଜଣାପଡିଥିବା ପ୍ରକାଶ । ଏଥିରେ ଜଡିତ ଥିବା ବଲାଙ୍ଗୀର ମିଶନ ପଡିଆ ରାସ୍ତା ସେପଟର ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସ କରିଥିବା ମନୋଜ ମିଶ୍ର ଓ ତାଙ୍କ କମ୍ପ୍ୟୁଟର ଶିକ୍ଷକ ଆଲୋକ ଉଦ୍ଗାତା ସମେତ ୨୦ ଜଣଙ୍କୁ ଗିରଫ କରାଯାଇଥିବା ପ୍ରକାଶ । ସେମାନଙ୍କ ଗ୍ୟାଙ୍ଗ ଏହି ଜିଡିଏସ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ପରେ ଆବେଦନକାରୀଙ୍କୁ ପ୍ରବର୍ତ୍ତାଇ ଜାଲ୍ ସାର୍ଟିଫିକେଟ ଓ ଜାଲ୍ ମାର୍କସିଟ୍ ଦେଇ ଏହି ଲକ୍ଷାଧିକ ଟଙ୍କାର ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାରେ ତତ୍କାଳୀନ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ଏଭଳି ମାମଲା ଓ ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଆଉ ଏକ କମ୍ପ୍ୟୁଟର କମ୍ପ୍ଲେକ୍ସ ଓ ଠକଙ୍କୁ ମୋଟାଅଙ୍କର ମାଲ୍ ନେଇ ଖସାଇ ଦେଇଥିବା ସେତେବେଳେ ଜୋର୍ ଚର୍ଚ୍ଚା ହୋଇଥିଲା । ଅବଶ୍ଯ ସେଥିରୁ ଏହି ମାଷ୍ଟରମାଇଣ୍ଡଙ୍କ ଗୁରୁ କୁହାଯାଉଥିବା ଓ ଅନ୍ୟତମ ଅଭିଯୁକ୍ତ କମ୍ପ୍ୟୁଟର ଶିକ୍ଷକ କାମ କରୁଥିବା କମ୍ପଭାଇ ଭୋକେସନାଲ୍ ପ୍ରତିଷ୍ଠାନର ମାଲିକ କିଛିଦିନ ପରେ ବଲାଙ୍ଗୀର ସହରର ଅନ୍ୟ ଏକ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା ।

ତଦନ୍ତର କାଳକ୍ଷେପଣର କାରଣ କ’ଣ ?

ଏବେ କ୍ରାଇମବ୍ରାଞ୍ଚ ଦ୍ବିତୀୟପର୍ଯାୟରେ ବଲାଙ୍ଗୀର ଜିଲ୍ଲାର ମୁରିବାହାଲ, ସଦର ଥାନା ଓ ସୁବର୍ଣ୍ଣପୁର ଜିଲ୍ଲାର ଆଉ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ନିଯୁକ୍ତି ଆଶାୟୀଙ୍କୁ ଉତ୍ତର ପ୍ରଦେଶ, ତାମିଲନାଡୁ ,ରାଜସ୍ଥାନ, ସିକିମ୍ , କର୍ଣ୍ଣାଟକ , ନୂଆଦିଲ୍ଲୀ , ବିହାର ,ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ ଇତ୍ୟାଦି ସ୍କୁଲ୍ ଓ ୟୁନିଭର୍ସିଟି ନାଁ’ ରେ ପ୍ରମାଣପତ୍ର ଦେଇଥିଲେ । ଏମାନଙ୍କ ନିକଟରୁ ପ୍ରାୟ ୫ ହଜାର ସାର୍ଟିଫିକେଟ ଆଶାୟୀଙ୍କୁ ବିକ୍ରି କରାଯାଇଛି । ୨୦୧୫ ପରଠାରୁ ଏହି ସାର୍ଟିଫିକେଟ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଇଥିବା ପ୍ରକାଶ । ଏପରି ଜାଲ୍ ସାର୍ଟିଫିକେଟ ବିକ୍ରି କରି ମନୋଜ ଗତ ୨୦୧୫ ରୁ ୨୦୨୩ ମଧ୍ଯରେ କୋଟି କୋଟି ଟଙ୍କା ଓ ଜମିବାଡି ଇତ୍ୟାଦି ସମ୍ପତ୍ତି ଠୁଳ କରିଥିବା ପ୍ରକାଶ । କ୍ରାଇମବ୍ରାଞ୍ଚ ଏଥିରୁ ବିଭିନ୍ନ ପର୍ଯ୍ୟାୟରେ ଲକ୍ଷାଧିକ ଟଙ୍କା , ଜମିର କାଗଜପତ୍ର ଓ କମ୍ପ୍ୟୁଟର, ଲାପ୍ ଟପ୍ ସ୍କାନର୍ , ଜେରକ୍ସ ମେସିନ୍ , ହାର୍ଡ ଡିସ୍କ ଜାଲ୍ ରବର ଷ୍ଟାମ୍ପ ଆଦି ଜବତ କରିଛି । ଏହି ଜାଲ୍ କାରବାରର ଚେର ବଲାଙ୍ଗୀର ଜିଲ୍ଲା ସମେତ ବରଗଡ , ଭଦ୍ରକ, ଜଗତସିଂହପୁର, କଟକ ,କଳାହାଣ୍ଡି , ଦେବଗଡ ଓ ଅନ୍ଯାନ୍ଯ ଜିଲ୍ଲାକୁ ଲମ୍ବିଥିବା ପ୍ରକାଶ ।

ତେବେ କେବଳ ଏହି ବିଭାଗର ଜାଲିଆତି ବା ଅଭିଯୁକ୍ତଙ୍କ ମଧ୍ଯରେ ଏଭଳି ଠକେଇ ସୀମିତ ନୁହେଁ । ଏଭଳି ଛୋଟମୋଟ ଜାଲିଆତି ମାମଲାରେ ଏମାନେ ବହୁଦିନରୁ ଜଡିତ । ବର୍ଷ ବର୍ଷ ଧରି ଅନ୍ଯମାନେ ମଧ୍ଯ ଏପରି ଠକେଇ କରିଆସୁଥିବା ଓ ବଲାଙ୍ଗୀର ଓ କଳାହାଣ୍ଡିର ଗ୍ରାମାଞ୍ଚଳରେ ମଧ୍ଯ ଶିକ୍ଷାବିଭାଗ , ଶିଶୁ ବିକାଶ ବିଭାଗ , ବନବିଭାଗ , ରାଜସ୍ବ ବିଭାଗ , ସ୍ବାସ୍ଥ୍ୟବିକାଶ ଓ ଅନ୍ଯାନ୍ଯ ବିଭାଗରେ ପୁଳା ପୁଳା ନକଲି ସାର୍ଟିଫିକେଟ୍ ଭରି ରହିଛି । ବିଡମ୍ବନାର ବିଷୟ ଯେ, ଅଭିଯୋଗ ହେଉଥିଲେ ମଧ୍ଯ ତଦନ୍ତରେ ଅହେତୁକ କାଳକ୍ଷେପଣ ଯୋଗୁଁ ଏବଂ ଅସାଧୁ ତଦନ୍ତଅଧିକାରୀଙ୍କ ଉତ୍କୋଚଖୋର୍ ମନୋବୃତ୍ତି ନିମନ୍ତେ ଏହା ଧରାପଡୁପାରିନାହିଁ । ଉକ୍ତ ମାମଲାରେ ମଧ୍ଯ ପ୍ରଚୁର ହାତଚିକ୍କଣ କରାଯାଇଥିବା ପ୍ରକାଶ ।

Leave a Reply

Your email address will not be published. Required fields are marked *

Related Post