ଦାଦନ ଧରପଗଡ ନିୟମର ପ୍ରକାରଭେଦ
ଶ୍ରମବିଭାଗ ଅପେକ୍ଷା ଥାନାଫାଣ୍ଡି ପୁଲିସ୍ ର ସକ୍ରିୟତା ଅନ୍ତରାଳେ
କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଖାଲି ନୁହେଁ , ଏବେ ଆରମ୍ଭ ହୋଇଯାଇଛି , ସାରା ପଶ୍ଚିମଓଡିଶାରୁ ଦାଦନଶ୍ରମିକ ଚାଲାଣର ଋତୁ । ଶହେବର୍ଷର ଏଇ ମଣିଷବେପାରର ପରମ୍ପରାରେ କୋଟି କୋଟି ଟଙ୍କାର କାରବାର ହୋଇଥାଏ । ଶ୍ରମବିଭାଗରୁ ଆରମ୍ଭ କରି ପୁଲିସ୍, ରେଳବାଇ , ଗାଡିମଟର ଭଡାବାଲେ , ଗୁଣ୍ଡା , ଲୁଟେରା , ଠକ , ସେଠ୍ , ସର୍ଦ୍ଦାର , ହୋଟେଲ୍ ଓ ଲଜ୍ , ମଦଭାଟି ଓ କୁଚିଆ , ସାମ୍ବାଦିକ , ପ୍ରଶାସନ , ରାଜନେତା , ଗାଁ’ ବାଲେ ପ୍ରାୟ ସମସ୍ତେ ଏଥିରେ ହାତଚିକ୍କଣ କରିଥା’ନ୍ତି । ତେବେ ସବୁଠାରୁ ବେଶି ଥାନାପୁଲିସ୍ । ଉପରେ ହାତ ରହୁଛି ।
ତେବେ ଏବେ ଏଇ ଦାଦନଚାଲାଣକୁ ତିନିଭାଗରେ ବିଭକ୍ତ କରିଦିଆଯାଇଛି । ଶ୍ରମବିଭାଗରେ ଲାଇସେନ୍ସ ପ୍ରାପ୍ତ ଶ୍ରମିକଠିକାଦାର ଜରିଆରେ ଦାଦନଶ୍ରମିକ ଚାଲାଣ , ବେଆଇନ୍ ଚାଲାଣ , ରାଜ୍ୟ ଭିତରେ ଚାଲାଣ ଓ ବାହାରରାଜ୍ୟକୁ ଚାଲାଣ । ଯଦି କୌଣସି ଲାଇସେନ୍ସ ଓ ମୁଭ୍ ଅର୍ଡର ହାତେଇଥିବା ସର୍ଦ୍ଦାର ଦ୍ବାରା ସ୍ଥାନୀୟ ଥାନାଫାଣ୍ଡି ପୁଲିସ୍ ସହ ବଟି ଚୁକ୍ତିକରି ପାଞ୍ଚକୁ ପଚିଶ କରି ଲେବର ପଠାଉଥାଏ , ତାହା ବୈଧ । ସେଇପରି ରାଜ୍ୟ ଭିତରେ କଟକ , ବ୍ରହ୍ମପୁର ଆଦି ଜିଲ୍ଲାକୁ ଶ୍ରମିକ ଚାଲାଣରେ ବାଧା ନାଇଁ । ଧରପଗଡ ବେଳେ ଅଳ୍ପକିଛି ହାତଗୁଞ୍ଜା ଦେଲେ , ଚଳିବ । କିନ୍ତୁ ରାଜ୍ୟ ବାହାରକୁ ସେକେଣ୍ଡ୍ ସର୍ଦ୍ଦାର ବା ଦଲାଲ ଯଦି ଲୁଚିଛପି ଚାଲାଣ କଲାବେଳେ ଦୈବାତ୍ ପୁଲିସ୍ ଧରିପକାଏ , ତା’ହେଲେ ଦାଦନଶ୍ରମିକ ରୋକିବାର ଆଇନକୁ ମାନି ଗିରଫ ଟାର୍ଗେଟ୍ ପୂରଣ କରିବାକୁ ସଲାସୁତୁରାରେ ଗୋଟେ ଅଧେ ବଳି ତ ଚଢାଇବାକୁ ପଡିବ ନା ! ଏହାକୁ ବେଆଇନ୍ ଚାଲାଣ କୁହାଯାଏ ।
କିନ୍ତୁ ସ୍ଥାନୀୟ ସର୍ଦ୍ଦାରଙ୍କ ଲିଙ୍କ୍ ରେ ଆସି ହୋଟେଲ୍ ଲଜ୍ , ସର୍ଦ୍ଦାରଙ୍କ ସମ୍ପର୍କୀୟ ସାଜି ତାଙ୍କ ଘର , ବଗିଚାଦିରେ ରହି ଶ୍ରମିକ ନେଉଥିବା ରାଜ୍ୟ ବାହାରର ସେଠ୍ ମାନଙ୍କର ଧନ୍ଦା ବେଆଇନ୍ ବୋଲି କିଏ କହିବ ? ଅବଶ୍ୟ ଗତବର୍ଷ ସହରର ଅନ୍ନପୂର୍ଣା ଲଜ୍ ରେ ୭ ଜଣ ଆନ୍ଧ୍ରାସେଠ୍ ଙ୍କୁ ଜୁଆଖେଳୁଥିବା ମିଥ୍ୟାଦଫାରେ ଗିରଫ କରିଥିବା ସେ ନିଆଁଗିଳା କଣ୍ଟାବାଞ୍ଜି ଏସଡିପିଓ ହୃଷିକେଶ ମେହେରଙ୍କର କୋଟିଏ ପାଖାପାଖି ଟଙ୍କା ହଡପ କରି ଧରାପଡି ନିଲମ୍ଵିତ ହେବା ଘଟଣାର ନିୟମ ଭିନ୍ନ ଥିଲା ! ଏବେ ନିଜେ ଅନ୍ନଦାତା ମାନ୍ୟବର ବିଧାୟକଙ୍କ ହାତରେ ଆଇନ୍ ଓ ନୀତିର ସୁରକ୍ଷା । ପୁରା ଖୁଲ୍ଲମଖୁଲା ବୁଲି କୋଟି କୋଟି ଅଗ୍ରୀମ ବାଣ୍ଟି କାଟିଛାଣ୍ଟି କରି ଛେଳିମେଣ୍ଢା ପରି ମଣିଷଲେବର ନିଆ କାରବାର । କହିବାକୁ କେହିନାଇଁ ! ଲୋକଙ୍କ ଆଖିରେ ଧୂଳି ଝିଣ୍ଟିବାକୁ ଚାରିପାଞ୍ଚଟି ଅଭ୍ୟାସଗତ ଛୋଟମୁଣ୍ଡିଆ ବେଆଇନ୍ ସର୍ଦ୍ଦାରଙ୍କୁ ଧରାଇଦେଲେ କାମ ଫତେ ! ବେଲପଡା , ତୁରେକେଲା , ଖପ୍ରାଖୋଲରେ ଆପାତତଃ ସେଇଆ ହିଁ ଚାଲିଛି । ଏଥିରେ ଅବଶ୍ୟ ଦାଦନଶ୍ରମିକଙ୍କର ଅସୁବିଧା ନାଇଁ । କାରଣ ସେମାନଙ୍କୁ ଧରି ପୁଲିସ୍ ଆଣି ତାଙ୍କ ଗାଁ’ରେ ଛାଡିଦେଉଛି । ପୁଣି ଅନ୍ୟ ସର୍ଦ୍ଦାରଠାରୁ ଅଗ୍ରୀମ ନେଇ ଚାଲାଣ ହେବାରେ ସମସ୍ୟା ନାଇଁ ।
ଏଣେ ଏଇ ଦାଦନଚାଲାଣ ଜିଲ୍ଲାରେ ଏହାକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମନରେଗା ଦୀର୍ଘମିଆଦୀ ଶ୍ରମଭିତ୍ତିକ ଯୋଜନାରେ ପଞ୍ଚାୟତ , ବ୍ଲକ୍ ର ଗ୍ରାମସାଥୀଙ୍କଠୁଁ ଜିଆରଏସ୍ , ଏପିଓଙ୍କ ଠାରୁ ବିଡିଓ , ନିର୍ବାଚିତ ଲୋକପ୍ରତିନିଧି ସାମିଲ୍ । ତଦୃପ ମୃତ୍ତିକା ସଂରକ୍ଷଣ ବିଭାଗ , ଉଦ୍ୟାନ ବିଭାଗ ବା ବନବିଭାଗ ଓ ଅନ୍ୟାନ୍ୟ ବିଭାଗର ତାଲିକା ଏଇଭଳି ମାଳ ମାଳ ମିଛରେ ପୁଷ୍ଟ । ମିଥ୍ୟାଶ୍ରମିକ , ମିଛ ଶ୍ରମଦିବସ ଓ ଜବ୍ କାର୍ଡ ବନ୍ଧକ ରଖି ମଷ୍ଟରରୋଲ୍ କାରସାଦୀ ସରକାରୀ ବାବୁମାନଙ୍କ ହାତରେ । ମେସିନ୍ ଲଗାଇ ମାଟିଖୋଳି କୋଟି କୋଟି ଟଙ୍କାର ହିସାବ ହଡପ ! ପ୍ରକଳ୍ପ ନିର୍ଦ୍ଦେଶକ , ପ୍ରଶାସନ ଓ ସରକାର ସବୁ ଜାଣନ୍ତି । ମିଛ ?
ଏବେ ଦାଦନଚାଲାଣ ପାଇଁ ମୁଖ୍ୟତଃ କଣ୍ଟାବାଞ୍ଜି , ତୁରେକେଲା , ଲାଠୋର , ଟିଟିଲାଗଡ ମୁରିବାହାଲ ଓ ଖରିଆରରୋଡ୍ ରେଳ ଷ୍ଟେସନରେ ଭା’ରି ଭିଡ । ରେଳବାଇ ଟିକେଟ୍ କାଉଣ୍ଟର ଓ ସେମାନଙ୍କୁ ଅବୈଧ ସହାୟତା କରୁଥିବା ଟିକେଟ୍ କାଟିବାକାମ ଦଲାଲଙ୍କର ଧନ୍ଦା ସୁରୁ । ତେଣୁ ପୁଲିସ୍ ଓ ରେଳବାଇ ପୁଲିସ୍ ର ଧରପଗଡ କରା ନଯିବାକୁ ବଟି ଫିକ୍ସିଂ ।
ପଥରିଆ ବା ୩ ଜଣିଆ ଦାଦନ ପରିବାର ପିଛା ୬୦ ରୁ ୭୦ ହଜାରଟଙ୍କା ଅଗ୍ରୀମ ଦିଆଯାଉଥିବା ବେଳେ ଇଟାଭାଟି ମାଲିକ ବା ସେଠ୍ ଦେଉଛନ୍ତି ଏହି ପଥୁରିଆ ପରିବାର ପ୍ରତି ୮୦ରୁ ୮୫ ଟଙ୍କା ଓ ଏହି ହିସାବରେ ସର୍ଦ୍ଦାର ବା ମଧ୍ୟସ୍ଥିକୁ ମିଳୁଛି କମିଶନ ୧୫ ହଜାର ଟଙ୍କା ବୋଲି ପ୍ରକାଶ । ତେବେ ସ୍ଥଳବିଶେଷରେ ଏହା ଅଧିକ ଓ ଏଥିରେ ଶ୍ରମିକଙ୍କୁ ନଦେଇ ଠକେଇ , ବାଟମାରଣା ଓ ଲୁଣ୍ଠନ ଆଦି ବି ଘଟୁଛି । ସେହିପରି ଜିଆରପି ଓ ଆରପିଏଫ୍ ନେଉଛନ୍ତି ଏହି ପରିବାର ପିଛା ୨୦୦ ଓ ସ୍ଥାନୀୟ ପୁଲିସ୍ ୫୦୦ ଟଙ୍କା ବୋଲି ପ୍ରକାଶ ପାଇଛି ।