ଟାସ୍କଫୋର୍ସ ଅଧ୍ୟକ୍ଷ ଓ ‘ଅନ୍ନଦାତା’ଙ୍କ ଛତ୍ରଛାୟାରେ ସେଠ୍ /ସର୍ଦ୍ଦାର ?
ବଲାଙ୍ଗୀର : ଚଳିତ ଦାଦନଋତୁରେ ପୁଣି ବଲାଙ୍ଗୀର ପୁଲିସ୍ କପାଳରେ ଲାଗିଛି ଦାଦନସର୍ଦ୍ଦାରଙ୍କ ଠାରୁ ଲାଞ୍ଚ ପାଇଁ ସଲାସୁତୁରା କରୁଥିବାର କଳଙ୍କର ଟୀକା !
ଗତ ୨୦୨୨ ରେ ତୁରେକେଲା ଥାନାର ତତ୍କାଳୀନ ଜଣେ ଏଏସ୍ଆଇ ଦୀପକ ଡୁଙ୍ଗଡୁଙ୍ଗ ଜଣେ ଦାଦନ ସର୍ଦ୍ଦାରଠାରୁ ୧୨ ହଜାର ଟଙ୍କା ଲାଞ୍ଚନେଉଥିବାର ଭିଡିଓ ଭାଇରାଲ୍ ହେବା ଓ ତତ୍କାଳୀନ କଣ୍ଟାବାଞ୍ଜି ଏସ୍ ଡି ପି ଓ ହୃଷିକେଶ ମେହେର ଅନ୍ନପୂର୍ଣା ଲଜ୍ ରେ ଚଢାଉ କରି ୭ ଜଣ ଆନ୍ଧ୍ରସେଠ୍ ଙ୍କଠାରୁ ୫୮ ଲକ୍ଷ ଓ ଅଭିଯୋଗକ୍ରମେ ଅତିରିକ୍ତ ଏସ୍ ପି ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଥାନାରେ ଲୁଚାଇ ରଖାଯାଇଥିବା ଏକ ବ୍ୟାଗ୍ ରୁ ୧୩ ଲକ୍ଷ (ପ୍ରାୟ ଏକକୋଟି ଟଙ୍କା ) ଜବତ ନାଁ’ରେ ହଡପ କରିବା ପରେ ନିଲମ୍ବିତ ହେବା ଘଟଣା ପରେ ଏବେ କଣ୍ଟାବାଞ୍ଜିର ଏକ ଚା’ ଦୋକାନରେ ପାଟଣାଗଡର ଥାନାବାବୁ ଦୁଇଜଣ ସର୍ଦ୍ଦାରଙ୍କ ସହ ସଲାସୁତୁରା କରୁଥିବା ସମ୍ପର୍କିତ ଏକ ଫଟୋ ସାମାଜିକ ଗଣମାଧ୍ୟମରୁ ଆରମ୍ଭ କରି ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶ ପାଇବା ଖବର ବଲାଙ୍ଗୀର ପୁଲିସ୍ ର ଭାବମୂର୍ତ୍ତିରେ ଦାଗ ଆଣିଛି ।
ତେବେ ଚଳିତ ବର୍ଷ ଦାଦନ ସମସ୍ୟାର ନିରାକରଣ ନିମନ୍ତେ ସରକାର ଟାସ୍କଫୋର୍ସ ଗଠନ କରିଥିବା ସହ ବେଆଇନ ଦାଦନଚାଲାଣ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଘୋଷଣା କରିଥିବା ବେଳେ , ଶ୍ରମବିଭାଗ ଜରିଆରେ ଶ୍ରମିକଚାଲାଣ ପାଇଁ ଠିକାଦାରଙ୍କୁ ଲାଇସେନ୍ସ ଦେବାର ବ୍ୟବସ୍ଥା ଜାରି ରହିଛି । ତେବେ ପୂର୍ବରୁ ଦାଦନଶ୍ରମିକଙ୍କୁ ନିର୍ଯାତନା ବା ଶୋଷଣ ନିମନ୍ତେ ଅଭିଯୁକ୍ତ ସର୍ଦ୍ଦାରଙ୍କର ଲାଇସେନ୍ସ ବାତିଲ୍ କରାଯାଉ ନଥିବା , ଭିନ୍ନ ଆଳରେ ସେମାନଙ୍କୁ ବା ସେମାନଙ୍କ ଲୋକଙ୍କୁ ଲାଇସେନ୍ସ ଦିଆଯିବା , ସେକେଣ୍ଡ୍ ସର୍ଦ୍ଦାର ବା ସେମାନଙ୍କର ଅନୁଚରମାନଙ୍କ ଜରିଆରେ ଏହା ନିର୍ବିଘ୍ନରେ ଶ୍ରମିକଚାଲାଣ ବନାମ ବେଆଇନ୍ ଚାଲାଣ ଚାଲିଥିବା ସହିତ ପୂର୍ବରୁ ବାହାରର ଆନ୍ଧ୍ରାସେଠ୍ ଙ୍କୁ ଧରପଗଡ ଇତ୍ୟାଦି କଟକଣା କରାଯାଉଥିବା ବେଳେ ଚଳିତବର୍ଷ ଏସବୁ ଖୋଲାଖୋଲି ଚାଲିଛି । ଏପରିକି ଖୋଦ୍ ଟାସ୍କଫୋର୍ସ ଅଧ୍ୟକ୍ଷଙ୍କ ନିବାସ ଓ ନିର୍ବାଚନମଣ୍ଡଳୀ ପାଟଣାଗଡ , ଦାଦନସର୍ଦ୍ଦାର ଥିବା କଣ୍ଟାବାଞ୍ଜି ବିଧାୟକଙ୍କ ସହର କଣ୍ଟାବାଞ୍ଜି ଓ ବେଲପଡା ଇତ୍ୟାଦି ଅଞ୍ଚଳରେ ରାଜ୍ୟବାହାରର ଇଟାଭାଟି ମାଲିକ ସେଠ୍ ମାନେ ଆସି ସ୍ଥାନୀୟ ସର୍ଦ୍ଦାରଙ୍କ ଘରେ ଓ ଲଜ୍ ରେ ରହି ଖୁଲମ୍ ଖୁଲ୍ଲା ଦାଦନଚାଲାଣ କରୁଥିବା ଏବଂ ସେମାନଙ୍କର ଲମ୍ବା ଲମ୍ବା ଟି ଏସ୍ ନମ୍ବର ଥିବା ଗାଡି ଘୁରିବୁଲୁଥିବା ପ୍ରକାଶ ।
ସଦ୍ୟତମ ଖବର ଅନୁଯାୟୀ , ଅଳ୍ପଦିନତଳେ କଣ୍ଟାବାଞ୍ଜିର ଏକ ଚା’ ଦୋକାନରେ ପାଟଣାଗଡ ଥାନାଧିକାରୀ ହରିବନ୍ଧୁ ଗଡତିଆ ବେଲପଡା ଥାନା ଖଲିପଥରର ଜଣେ ସର୍ଦ୍ଦାର ଶ୍ରୀଧର କୁମ୍ଭାର ଓ କଣ୍ଟାବାଞ୍ଜି ଥାନାନ୍ତର୍ଗତ ଅଣ୍ଡାଦର୍ହୋର ପୂର୍ବବର୍ଷ ବେଆଇନ୍ ଦାଦନଚାଲାଣ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିବା ଅନ୍ୟଜଣେ ସର୍ଦ୍ଦାର ସୁକାନ୍ତ ପାତ୍ର ସହ କଣ୍ଟାବାଞ୍ଜିର ଏକାଠି ଚା’ ପିଇ କଥାବାର୍ତ୍ତା ହେଉଥିବାର ଏକ ଫଟୋ ଭାଇରାଲ୍ ହୋଇଛି । ଏହା ଦାଦନଚାଲାଣ ସମ୍ପର୍କରେ ସଲାସୁତୁରା ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି । ଯଦିଓ ଉକ୍ତ ପୁଲିସ୍ ଅଧିକାରୀ ଏଭଳି ଅଭିଯୋଗକୁ ଅସ୍ବୀକାର କରି ଭିନ୍ନ ସଫେଇ ଦେଇଛନ୍ତି ।
ତେବେ ଚଳିତବର୍ଷ ଏଭଳି ନିରଙ୍କୁଶ ଦାଦନଚାଲାଣ ବୃଦ୍ଧି ପାଇଥିବାର କାରଣ ଉକ୍ତ ନିର୍ବାଚିତ ଶାସକଦଳର ଜଣେ ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଭାଜପା ବିଧାୟକ ଲକ୍ଷ୍ମଣ ବାଗଙ୍କ ପରି ଲୋକପ୍ରତିନିଧିଙ୍କର ଛତ୍ରଛାୟା ଯୋଗୁଁ ବୋଲି ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ। ଯଦି ଏହା ଚାଲିବାର ଥିଲା , ସରକାର ଅଯଥାଟାରେ ଏ ଟାସ୍କଫୋର୍ସ ଫାସ୍କଫୋର୍ସ ଗଠନର ପ୍ରହସନ କରୁଥିଲେ କିଆଁ ?’ ବୋଲି ପ୍ରଶ୍ନ କରାଯାଇଛି ।
ଧରପଗଡର ଭୟ ଯୋଗୁଁ ଏହି ପୁଲିସକୁ ଲାଞ୍ଚ ଦିଆଯାଉଛି ଓ ଆପାତତଃ ଏହା ହିଁ ବେଆଇନ୍ ଦାଦନଚାଲାଣର ପ୍ରମାଣ ।
ତେବେ କେବଳ ଏଇ ଗୋଟିଏ ଦୁଇଟି ଥାନା ବା ପୁଲିସଙ୍କ କ୍ଷେତ୍ରରେ ନୁହେଁ କି କେବଳ ବଲାଙ୍ଗୀର ଜିଲ୍ଲାରେ ନୁହେଁ , ରାଜ୍ୟର ଦାଦନପ୍ରବଣ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏହା ଚାଲିଆସୁଛି । ସର୍ବୋପରି ପୁଲିସ୍ ର କ୍ଷମତାର ଅପପ୍ରୟୋଗ ଓ ତଳସ୍ତରରୁ ଉପରସ୍ତର ପର୍ଯ୍ୟନ୍ତ ଜଡିତ ରହିଆସିଥିବାରୁ ଏଭଳି ଦାଦନଲାଞ୍ଚ ଅଭିଯୋଗ ବା ଚର୍ଚ୍ଚାର ତଦନ୍ତ ସୁଦ୍ଧା ହେଉନାହିଁ ।