ସେଠ୍ ସର୍ଦ୍ଦାର ଛାନିଆ !
ଭବିଷ୍ୟତ କହିବ ,କେତେ ସଫଳ ହେବ ?
ଭୁବନେଶ୍ବର : ଦାଦନ ସମସ୍ୟା ରୋକିବାକୁ ରାଜ୍ୟସରକାର ଟାସ୍କଫୋର୍ସ ଗଠନ କରିଛନ୍ତି । ପାଟଣାଗଡ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହାର ଅଧ୍ୟକ୍ଷ ରହିଛନ୍ତି । ଏହି ଉଚ୍ଚସ୍ତରୀୟ ସ୍ବତନ୍ତ୍ର କମିଟିରେ ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡା , ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ , ମୁଖ୍ୟସଚିବ , ଉନ୍ନୟନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ସଦସ୍ୟ ରହିଛନ୍ତି । କୁହାଯାଉଛି , ପ୍ରତିବର୍ଷ ରାଜ୍ୟରୁ ପ୍ରାୟ ୧୦ ଲକ୍ଷରୁ ଅଧିକଶ୍ରମିକ ବାହାରକୁ ଦାଦନ ଖଟିବାକୁ ଯାଇଥା’ନ୍ତି ଓ ଏହାଦ୍ବାରା ଦାଦନବିସ୍ଥାପନ ହ୍ରାସ , ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ଓ ଦାଦନଜନିତ ବିଭିନ୍ନ ମାମଲାର ଅନୁଧ୍ୟାନ ଓ ନିରାକରଣ କରିବ ।
ତେବେ ଏ ସମ୍ପର୍କରେ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଗଣମାଧ୍ୟମରେ ଏହାର କାର୍ଯ୍ୟକାରିତା ଓ ବିଭିନ୍ନ ଦିଗର ତର୍ଜମା ପ୍ରକାଶ ପାଇଛି । ଏହି ଅନୁଯାୟୀ , ଏଭଳି ସରକାରୀ ପଦକ୍ଷେପ ପ୍ରଥମ ବା ନୂଆ ନୁହେଁ ବୋଲି କୁହାଯାଇଛି । ପୂର୍ବ ସରକାରଙ୍କ ଅମଳରେ ଫୋକସ୍ ପଞ୍ଚାୟତ କାର୍ଯ୍ୟକ୍ରମ ମଧ୍ୟ ଏହି ଧରଣର ଥିଲା । ସେଥିରେ ଶ୍ରମବିଭାଗ , ପ୍ରଶାସନ , ପୁଲିସ୍ ର ଥାନାସ୍ତରରେ ସଚେତନତା ସୃଷ୍ଟି ସଭା , ପଞ୍ଚାୟତରେ ପଞ୍ଜୀକରଣ , ବେଆଇନ୍ ଦାଦନଚାଲାଣ ଧରପଗଡ , ଦାଦନପ୍ରବଣ ବ୍ଲକ୍ ରେ ଅଧିକ ମନରେଗା ମଜୁରୀଦର ଇତ୍ୟାଦି କରାଯାଉଥିଲା । ତାହା ପୂର୍ବରୁ ଦଶନ୍ଧି ଆଗରୁ ଏନଆରଜିଏ କେନ୍ଦ୍ରୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଆଇନ୍ ବା ଏନଆରଜିଏସ୍ ବନାମ ମନରେଗା ଦୀର୍ଘମିଆଦୀ ଯୋଜନା ଅଦ୍ୟାବଧି ଚାଲିଛି । ତଥାପି ଦାଦନଚାଲାଣ ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଇଛି । ବିଗତ ପାଞ୍ଚଥର ବିଧାୟକ/ ମନ୍ତ୍ରୀ ଥିବା ଏବର ଉପମୁଖ୍ଯମନ୍ତ୍ରୀ କେଭିଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ! ବେଲପଡା , ଖପ୍ରାଖୋଲ ଓ ପାଟଣାଗଡ ବ୍ଲକ୍ ରେ ଜିଲ୍ଲାର ସବୁଠୁଁ ଧନୀ ସର୍ଦ୍ଦାରଙ୍କ ଘର । ସେମାନେ ମୂଲିଆରୁ ବଢି ବଢି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚିତ ଲୋକପ୍ରତିନିଧି !
ତା’ପାଖର ବ୍ଲକ୍ ତୁରେକେଲା , ବଙ୍ଗୋମୁଣ୍ଡା , ମୁରିବାହାଲ ଓ କଣ୍ଟାବାଞ୍ଜି ଜିଲ୍ଲାର ଦାଦନଚାଲାଣ ପେଣ୍ଠ । ଏବେ ସେଠାରେ ଜଣେ ଦାଦନ ସର୍ଦ୍ଦାର ମାନ୍ଯବର ବିଧାୟକ , ଯାଏ ଗତ ନିର୍ବାଚନରେ ସେଠି ପ୍ରାର୍ଥୀ ହେଇଥିବା ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଛନ୍ତି । ଜାଏଣ୍ଟ୍ କିଲର୍ । ସେ ନିଜକୁ ଅନ୍ନଦାତା କହନ୍ତି । ଇଏ ସେଇ ସହର , ଯୋଉଠିକି ଆନ୍ଧ୍ରପ୍ରଦେଶ , ତାମିଲନାଡୁ , କର୍ଣ୍ଣାଟକ ଓ ରାଜ୍ୟବାହାରର ସେଠ୍ ମାନେ ଆସି ଡେରାପକାଇ କୋଟି କୋଟି ଟଙ୍କାର ଅଗ୍ରୀମ ବାଣ୍ଟନ୍ତି । ପୂର୍ବତନ ବିଧାୟକ ବି ସେମାନଙ୍କ ପକେଟ୍ ରେ ରହିଥିଲେ । ଏଇ ମାନ୍ୟବରମାନେ ପୁଣି ଥାନା ଘେରାଓ କରି ଥାନାରେ ବସି ଗିରଫ ସେଠ୍ ଙ୍କୁ ଛଡାଇଆଣନ୍ତି । ଗତବର୍ଷ ଏଠାକାର ଜଣେ ଡିଏସପି ଲଜ୍ ରେ।ଚଢାଉ କରି ୭ ଜଣ ଦକ୍ଷିଣୀସେଠ୍ ଙ୍କୁ ଜୁଆଖେଳର ମିଛ ଦଫାରେ ଗିରଫ କରି ଥାନାକୁ ଧରିଆଣି ସେମାନଙ୍କଠାରୁ ଆଣିଥିବା ନଗଦ ପ୍ରାୟ ଏକକୋଟି ଟଙ୍କା ହଡପ କରି ନିଲମ୍ବିତ ହୋଇଥିଲେ । ଏସବୁ ବ୍ୟତୀତ ଏହି ପାଟଣାଗଡ ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀର ବେଲପଡା , କଣ୍ଟାବାଞ୍ଜି , ଖପ୍ରାଖୋଲ , ମୁରିବାହାଲ , ବଙ୍ଗୋମୁଣ୍ଡା ଓ ପାଟଣାଗଡ ଆଦି ଦାଦନଋତୁରେ ଥାନା ନିଲାମ ହେବାର ଅପବାଦ ରହିଛି ।
ତେବେ ସରକାରଙ୍କର ଏଇ ଟାସ୍କଫୋର୍ସ ଗଠନ ହେବାର ଖବର ଶୁଣି ସେଠ୍ ଓ ସର୍ଦ୍ଦାରଙ୍କ ଭିତରେ ଛାନିଆ ପଶିଯାଇଛି । ତେବେ ଏଇ ଛାନିଆ ସେମାନଙ୍କ ମଣିଷବେପାର ବନ୍ଦ ହୋଇଯିବା ଆଶଙ୍କା ନା ବଟି ପରିମାଣ ବଢିଯିବାର କ୍ଷତି ; ଲୋକେ ବିଚାର କରନ୍ତୁ !
ସଦ୍ୟତମ ପ୍ରକାଶିତ ଖବର ଅନୁଯାୟୀ , ଦାଦନ ଚାଲାଣ ବଢୁଛି । ଟାସ୍କଫୋର୍ସକୁ ଚକମା ଦେବେ ସର୍ଦ୍ଦାର ! ଏହାସହିତ ବେଲପଡା , ଖପ୍ରାଖୋଲ , ତୁରେକେଲା ଆଦି ବ୍ଲକ୍ ଏବଂ ଜଙ୍ଗଲବିଭାଗ ସମେତ ଅନ୍ୟାନ୍ୟ ବିଭାଗରେ ଦାଦନଚାଲାଣ ରୋକିବାକୁ କାର୍ଯ୍ୟକାରୀ ହେଉଥିବା ମନରେଗା ଓ ଅନ୍ୟାନ୍ୟ ଶ୍ରମଭିତ୍ତିକ ଯୋଜନାରେ ବ୍ୟାପକ ମିଛଶ୍ରମିକ , ମିଥ୍ୟା ମଷ୍ଟରରୋଲ୍ ରେ କୋଟି କୋଟି ଟଙ୍କାର ଲୁଣ୍ଠନ ଅବାରିତ ରହିଛି ଓ ନିର୍ବାଚିତ ଲୋକପ୍ରତିନିଧିମାନେ ଏହି ଲୁଣ୍ଠନର ଅଂଶୀଦାର ବା ପିସିଖାଉ । ଏଥରର ନୂଆ ସରକାରରେ ଏହି ପିସି ପରିମାଣ ବଢିଯାଇଥିବା ଲୋକେ ଓ ବିଭାଗୀୟ ଅଧିକାରୀଙ୍କ ମହଲରେ ଖୋଲାଖୋଲି ଚର୍ଚ୍ଚା ହେଉଛି । ଏବେ ବି ପାଟଣାଗଡ ଅଞ୍ଚଳର ଲରମ୍ଭା ଥାନାର ଜଣେ ଆନ୍ଧ୍ର- ଓଡିଶା ସୀମାର ବହୁଦା ନଈରେ ଭାସିଯାଇଥିବା ଜଣେ ଦାଦନଶ୍ରମିକର ପତ୍ତା ମିଳିନାହିଁ ଓ ଏଠି ବଡଉଡେନ ଗାଁ’ରେ ତା’ର ଅସହାୟା ପତ୍ନୀ ଓ ଛୋଟ ଛୋଟ ଛୁଆମାନେ ହତାଶ ହୋଇ ପଡିଛନ୍ତି ! ସେମାନେ ଜାଣନ୍ତି ବି ନାଇଁ ଯେ କାହାକୁ କହିବେ ?
ସବୁବର୍ଷ ପରି ଏବେ ବି ମଝିରେ ମଝିରେ ପୁଲିସ୍ ଦାଦନ ଧରପଗଡ କରୁଛି । ସର୍ଦ୍ଦାରଙ୍କୁ ଗିରଫ କରୁଛି ଓ ବଡ ବଡ ସର୍ଦ୍ଦାରଙ୍କ ଘରେ ବା ଲଜ୍ ଓ ଫାର୍ମହାଉସ୍ ରେ ଆସି କୁଣିଆ ଆଳରେ ଶ୍ରମିକ ନେବାକୁ ଡେରାପକାଇଥିବା ସେଠ୍ ଙ୍କୁ ଛୁଉଁନି ଓ ଉଦ୍ଧାର ଶ୍ରମିକଙ୍କୁ ତାଙ୍କ ଗାଁ’ରେ ନେଇ ଛାଡିଦେଉଥିବାର ପ୍ରହସନ ଚାଲିଛି । ସରକାରଙ୍କ ଶ୍ରମବିଭାଗରେ ଶ୍ରମିକଚାଲାଣ ପାଇଁ ଠିକାଦାର ଲାଇସେନ୍ସ ଦିଆଯାଉଛି । ପୁଣି ରାଜ୍ୟଭିତରେ ଦାଦନଶ୍ରମିକ ଯିବାକୁ ଛଡାଯାଉଛି । ଶ୍ରମବିଭାଗରେ ପ୍ରତିବର୍ଷ କେତେ ଦାଦନଶ୍ରମିକ ଗଲେ , ତାହାର ସଠିକ୍ ହିସାବ ନାହିଁ ।
ତେଣୁ ଏଇ ତଥାକଥିତ ଟାସ୍କଫୋର୍ସ ଦାଦନଚାଲାଣ ରୋକିବା ଦିଗରେ କେତେ ସଫଳ ହେବ , ଭବିଷ୍ୟତ କହିବ ବୋଲି ଲୋକେ ଆଲୋଚନା କରୁଛନ୍ତି ।