ଜିଲ୍ଲା

ଦାଦନରୁ ଦାରିଦ୍ର୍ଯ : ଦାରିଦ୍ର୍ଯରୁ ଶିଶୁବିକ୍ରି

Email :

ସଦ୍ୟଜାତ ଶିଶୁ ବିକୁଛନ୍ତି ଦାଦନ ପରିବାର

ବଲାଙ୍ଗୀର : ସଂପ୍ରତି ଟିଟିଲାଗଡ ବ୍ଲକ୍ ରେ ଏକ ଦାଦନପରିବାର ଅଭାବ ହେତୁ ତାଙ୍କର ସଦ୍ୟଜାତ ଶିଶୁକନ୍ୟାଟିକୁ ୨୦ ହଜାର ଟଙ୍କାରେ ବିକି ଦେଇଥିବା ଖବର ଚର୍ଚ୍ଚିତ ହୋଇଛି । ଖବର ପ୍ରକାଶ ପାଇବା ପରେ ଥାନାରେ ଏ ସମ୍ପର୍କରେ ଏକ ମାମଲା ଋଜୁ ପୂର୍ବକ ଚାଇଲ୍ଡ ଲାଇନ ସହାୟତାରେ ବରଗଡ ଜିଲ୍ଲା ପାଇକମାଳରୁ ଶିଶୁଟିକୁ ପ୍ରଶାସନ ଉଦ୍ଧାର କରିଥିଲେ ହେଁ , ବାରମ୍ବାର ଟିଟିଲାଗଡ ଓ ବଲାଙ୍ଗୀର ଜିଲ୍ଲାରୁ ହେଉଥିବା ଶିଶୁବିକ୍ରି ରୋକିବା ଦିଗରେ ସରକାର ପଦକ୍ଷେପ ନେଉନାହାଁନ୍ତି । ଏଥିପାଇଁ କୋଟି କୋଟି ଟଙ୍କାର ଖର୍ଚ୍ଚବାର୍ଚ୍ଚ କରୁଥିବା ଡିପିୟୁସି , ସିଡବ୍ଲୁସି , ଚାଇଲ୍ଡ ଲାଇନ ପରି ସଂସ୍ଥାଗୁଡିକର ଅବସ୍ଥିତି ବିଫଳ ପ୍ରମାଣିତ ହୋଇଛି । ସବୁଠାରୁ ଉଦ୍ ବେଗଜନକ ହେଉଛି , ଦାଦନଶ୍ରମିକ ପରିବାରରୁ ଏଭଳି ଶିଶୁବିକ୍ରି ବୃଦ୍ଧି ପାଉଥିବା ବେଳେ ଶ୍ରମବିଭାଗ ଜିଲ୍ଲାରୁ ପ୍ରକୃତରେ କେତେ ଦାଦନଶ୍ରମିକ ଚାଲାଣ ହେଉଛନ୍ତି , ତାହାର ହିସାବ ନ ରଖିବା ! କିଛିମାସ ତଳେ ଟିଟିଲାଗଡ ଉପଖଣ୍ଡର ଏମସିଏଚ୍ ରେ ଜନ୍ମିତା ଗୋଟିଏ ଶିଶୁକନ୍ୟାକୁ ବିକ୍ରି ଉଦ୍ୟମ ଓ ତା’ ଆଗରୁ ଗତ କିଛିମାସ ପୂର୍ବରୁ ଏହି ଚିକିତ୍ସାଳୟରୁ ଏକ ଶିଶୁପୁତ୍ର ବିକ୍ରି ଉଦ୍ୟମ ପରେ ଉଦ୍ଧାର କରାଯାଇଥିଲା । ତେବେ ଖପ୍ରାଖୋଲ ବ୍ଲକର ଲାଠୋର ଥାନାନ୍ତର୍ଗତ ସୁନାମୁଦି ଉପସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମିତ ଏକ ଶିଶୁକନ୍ୟା ବିକ୍ରି ପରେ ଉପମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ରାୟପୁରରୁ ଉଦ୍ଧାର ଏବଂ ବଲାଙ୍ଗୀର ଜିଲ୍ଲା ମୁଖ୍ଯ ହାସପାତାଳ ବନାମ ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଜନ୍ମିତା ମୁରିବାହାଲ ଥାନାନ୍ତର୍ଗତ କର୍ଲା ଗ୍ରାମର ଏକ ଦମ୍ପତିଙ୍କ ଏକ ଶିଶୁକନ୍ୟା ବିକ୍ରି ଘଟଣାରେ ଉଭୟ ଦାଦନଶ୍ରମିକ ପରିବାରର ବୋଲି ଜଣାଯାଇଥିଲା । କିନ୍ତୁ ଏହି ପରିବାର ସମ୍ପର୍କରେ ଶ୍ରମବିଭାଗ ନୀରବତା ସହିତ ଜିଲ୍ଲାର ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କର ଅଧ୍ୟକ୍ଷତାରେ ଦାଦନଶ୍ରମିକ ସମସ୍ୟାର ସମାଧାନ ପାଇଁ ଗଠିତ ଟାସ୍କଫୋର୍ସ ପ୍ରତି ଜିଲ୍ଲା ଶ୍ରମବିଭାଗର ବେଖାତିର୍ ମନୋଭାବ !

ଜିଲ୍ଲାର ୨ ଜଣ ବରିଷ୍ଠ ସାମ୍ବାଦିକ ବଲାଙ୍ଗୀର ଜିଲ୍ଲା ଶ୍ରମବିଭାଗ କାର୍ଯ୍ୟାଳୟକୁ ଯାଇ ଭିତରକୁ ଯିବାର ଅନୁମତି ମାଗିଥିଲେ ଓ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ ସେମାନଙ୍କୁ ବସିବାକୁ କହିବା ପରେ ସେମାନେ ପରିଚୟ ଦେଇ ‘ଜିଲ୍ଲାରୁ ବର୍ଷକୁ କେତେ ଦାଦନଶ୍ରମିକ ରାଜ୍ଯ ବାହାରକୁ ଯାଉଛନ୍ତି , ଉପରୋକ୍ତ ଦାଦନଶ୍ରମିକ କେଉଁ ଲାଇସେନ୍ସ ପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ତାଲିକାଭୁକ୍ତ ଥିଲେ ? ‘ ଓ ଟାସ୍କଫୋର୍ସ ରେ ଆପଣଙ୍କ ଦାୟିତ୍ବ କ’ଣ ଇତ୍ୟାଦି ତଥ୍ଯସଂଗ୍ରହ କରିବାକୁ ଚାହିଁଥିଲା ବେଳେ , ତାଙ୍କ ରୁଦ୍ଧ ଅଫିସ କୋଠରୀରେ ଜନୈକା ଯୁବତୀ ଅଧିକାରିଣୀଙ୍କ ସହ ବସି ନିଭୃତ ଆଲୋଚନା କରୁଥିବାରୁ ସେ ଚିହିଁକି ଉଠି ଜିଲ୍ଲାପାଳ ଡିଆଇପିଆରଓଙ୍କୁ ଦେଇଥିବା ସାମ୍ବାଦିକ ତାଲିକାରେ ଆପଣମାନେ ଅଛନ୍ତି କି ? ମୋ ପାଖରେ ୪/ ୫ ଜଣଙ୍କର ନାମତାଲିକା ଅଛି । ସେଇମାନେ ଆସି ପଚାରିପାରିବେ ଓ କେବଳ ନୂଆବର୍ଷ ଓ ନୂଆଖାଇରେ ସେମାନେ ଆସନ୍ତି ‘ ବୋଲି କହି କାର୍ଯ୍ୟବ୍ୟସ୍ତତା ଆଳରେ ଏଡାଇ ଯାଇଥିବା ଆଶ୍ଚର୍ଯ୍ୟ କରିଥିଲା ! ଏପରିକି ତାଙ୍କ ଫୋନ୍ ନମ୍ବର ମାଗିବାରୁ ସେ ନିଜ ନମ୍ବର ନଦେଇ ପିଅନକୁ ସହକାରୀ ଶ୍ରମକମିଶନର କେଶବ ବେହେରାଙ୍କ ନମ୍ବର ମାଗିଦେବାକୁ କହିଥିଲେ । ଉକ୍ତ ଅଧିକାରୀ ମଧ୍ଯ ଟିକେ ହଡବଡେଇ ଯିବାପରେ ନମ୍ବର ଦେଇଥିଲେ ! ସବୁଠାରୁ ଆଶ୍ଚର୍ଯ୍ୟ କରିଥିଲା ଏଠାରେ ପ୍ରାୟ ତିନିବର୍ଷ ହେଲା ରହିଥିବା ଜିଲ୍ଲା ଶ୍ରମ ଅଧିକାରୀଙ୍କ ବେପରୁଆ କୈଫିୟିତ୍ । ଟାସ୍କଫୋର୍ସ ସମ୍ପର୍କରେ ସେ କହିଥିଲେ ଯେ , ତାହା ବ୍ଲକର ବିଡିଓଙ୍କ କାମ । ମୋ କାମ ନୁହେଁ । ମୋ କାମ ଶ୍ରମିକଙ୍କ ରେଜିଷ୍ଟ୍ରେସନ ବି ନୁହେଁ । କେବଳ ବେଆଇନ ଧରପଗଡ ଓ ରେସ୍କ୍ୟୁ । ‘

ଜିଲ୍ଲାରୁ ବର୍ଷ ବର୍ଷ ଧରି ବେଆଇନ ଦାଦନଚାଲାଣ

ତା’ହେଲେ ବଲାଙ୍ଗୀର ଜିଲ୍ଲା ଶ୍ରମଅଧିକାରୀଙ୍କର କାମ କ’ଣ ? ତଥ୍ଯ ପ୍ରଦାନରେ ତାଙ୍କର ଏତେ ଭୟ କାହିଁକି ବୋଲି ଲୋକେ ପ୍ରଶ୍ନ କରିଛନ୍ତି ? ଏଥିସହ ଏହି ବିଭାଗ ଓ ଏଠାରେ ଅବସ୍ଥାପିତ ଅଧିକାରୀଙ୍କର ପୁଙ୍ଖାନୁପୁଙ୍ଖ ବିବରଣୀ ନିମନ୍ତେ କେତେକ ମହଲରେ ସୂଚନା ଆଇନ ବଳରେ ତଥ୍ଯ ମଗାଯିବାକୁ ପ୍ରସ୍ତୁତ ହେଉଥିବାର ସୂଚନା ମିଳିଛି ।

ତେବେ ଗତବର୍ଷ ଜିଲ୍ଲାର ୧୪ ଟି ବ୍ଲକରେ ମୋଟ ୨୩ ହଜାର ୭୮୮ ଦାଦନଶ୍ରମିକ ବାହାରକୁ ରେଜିଷ୍ଟ୍ରିଭୁକ୍ତ ସର୍ଦ୍ଦାର ବନାମ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାରଙ୍କ ଜରିଆରେ ପଠାଯାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଯଦିଓ ଶ୍ରମବିଭାଗର ସମ୍ପୂର୍ଣ୍ଣ ଜ୍ଞାତସାରରେ ଏହାଠାରୁ ବହୁଅଧିକ ଶ୍ରମିକ ଓ ବେଆଇନ ଶ୍ରମିକ ଚାଲାଣ ଚାଲିଛି । ଲାଇସେନ୍ସ ରିନୁଆଲ୍ , ଲାଇସେନ୍ସ ପ୍ରଦାନ, ରେସ୍କ୍ୟୁ ବା ଉଦ୍ଧାର ଓ ଅନ୍ଯାନ୍ଯ ଉପାୟରେ ବଲାଙ୍ଗୀର ଜିଲ୍ଲା ଶ୍ରମବିଭାଗ ନିୟମିତ ପ୍ରଚୁର ବଟି ଓ ଲାଞ୍ଚ ନେଇ ସରକାରଙ୍କୁ ଭୁଲ୍ ରିପୋର୍ଟ ଦେଉଥିବା ଅଭିଯୋଗ ହୋଇଆସୁଛି । ଉଲ୍ଲେଖଯୋଗ୍ଯ ଯେ , କିଛିଦିନ ତଳେ ଅଫିସ୍ ଭିତରେ ଏହି କାର୍ଯ୍ୟାଳୟର ତତ୍କାଳୀନ ସହକାରୀ ଶ୍ରମ କମିଶନର ୧୦୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଥିଲେ । ଏହି ଅଫିସ୍ ରେ ଜଣେ ସ୍ଥାନୀୟା ମହିଳା କର୍ମଚାରୀ ଦୀର୍ଘ ବର୍ଷ ଧରି ଅବସ୍ଥାପିତା ରହିଛନ୍ତି ଓ ତାଙ୍କ ଜରିଆରେ ଅଫିସ୍ ର ପ୍ରାୟ ସବୁ କର୍ମଚାରୀ ଓ ସବୁ ବ୍ଲକର ଅଧିକାରୀଙ୍କର ଦାଦନଦଲାଲମାନଙ୍କ ସହିତ ଦେଣନେଣ କାରବାରର ଅଭିଯୋଗ ହୋଇଆସୁଛି । ଏହି ଅଧିକାରୀଙ୍କର ଉପର ମହଲରେ ଉପରୋକ୍ତ ସମ୍ପୃକ୍ତି ରହିଥିବାରୁ ସେ ଅଧିକ ନିରଙ୍କୁଶ ହୋଇଉଠିଥିବା ଚର୍ଚ୍ଚା ହେଉଛି ।

ତେଣୁ ସରକାର ଯେତେ ଯାହା ଟାସ୍କଫୋର୍ସ ବା ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ କଲେ ହେଁ , ବଲାଙ୍ଗୀର ଜିଲ୍ଲା ସମେତ ଦାଦନପ୍ରବଣ ପଶ୍ଚିମଓଡିଶାର ଦାଦନଶୋଷଣ କଦାଶ୍ଚନ ଲୋପ ପାଇବ ନାହିଁ ।

Leave a Reply

Your email address will not be published. Required fields are marked *

Related Post