ପ୍ରଶାସନ ,ପୁଲିସ୍ , ଡାକ୍ତର ମିଳିମିଶି ଚପାଇଦେଲେ ?
ବିଧାୟକ କହିଲେ : ଏତେ ଘଟଣା ଜାଣିବା ସମ୍ଭବ ନୁହେଁ
ଟିଟିଲାଗଡ : ସ୍ବାଧୀନତାର ଏତେବର୍ଷ ପରେ ବି ଆଦିବାସୀ ବହୁଳ ପଶ୍ଚିମଓଡିଶାର ବଲାଙ୍ଗୀର ଜିଲ୍ଲାରେ ଦାରିଦ୍ର୍ଯର ଚରମ ନମୁନା ମାଆର ଜନ୍ମକଲା ଶିଶୁବିକ୍ରି ଘଟଣା ଥମିନାହିଁ । ବିଶେଷକରି ଟିଟିଲାଗଡ ଉପଖଣ୍ଡରେ ଇ ଏହାର ବାରମ୍ବାର ପୁନରାବୃତ୍ତି ଘଟୁଛି । ବିକାଶର ଡିଣ୍ଡିମ ପିଟିଥିବା ଗତ ୨୪ ବର୍ଷର ବିଜେଡିର ନବୀନ ସରକାର ଗରିବୀ ଲୋପ କରିଦେଇଥିବା ବହୁଳ ପ୍ରଚାରର ବାହାସ୍ଫୋଟ ବା ଏବେ କେନ୍ଦ୍ର ଓ ରାଜ୍ୟର ଡବଲ ଇଞ୍ଜିନ୍ ବିଜେପି ମୋହନ ସରକାରର ଏଭଳି ଦୁଃସ୍ଥିତି ପ୍ରତି ଉଦାସୀନତାର ଏହାର ଜ୍ବଳନ୍ତ ପ୍ରମାଣ ।
ପ୍ରକାଶ ଯେ , ଗତ ୨୬ ତାରିଖରେ ଟିଟିଲାଗଡର ସରକାରୀ ଉପଖଣ୍ଡ ଚିକିତ୍ସାଳୟର ମାତୃ ଓ ଶିଶୁ ହସ୍ପିଟାଲରୁ ଏକ ସଦ୍ୟଜାତ ଶିଶୁ ବିକ୍ରିହେଉଥିବାର ଖବର ପାଇ ରାଜ୍ୟ ଚାଇଲ୍ ଡ ଲାଇନ୍ ସହ ବଲାଙ୍ଗୀର ସିଡବ୍ଲୁସି ଶିଶୁଟିକୁ ସ୍ଥାନୀୟ ଥାନାପୁଲିସ୍ ସହଯୋଗରେ ଉଦ୍ଧାର କରିଛନ୍ତି । ଏହା ସହ ଉକ୍ତ ଶିଶୁପୁତ୍ର ଓ ତା’ର ମାଆ ସହିତ କେତେକ ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କୁ ଆଣି ସେଠାରେ ଭର୍ତ୍ତି କରିଥିବା ଟିଟିଲାଗଡ ସହରର ୧୪ ନମ୍ବର ଉଆର୍ଡର ଆଶାକର୍ମୀଙ୍କୁ ବଲାଙ୍ଗୀର ନେଇଆସି ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରି ତଦନ୍ତ କରିବା ପରେ ଆଶାକର୍ମୀଙ୍କୁ ଛାଡିଦେଇ ମାଆ ଓ ଶିଶୁକୁ ସ୍ଥାନୀୟ ବଲାଙ୍ଗୀର ପ୍ୟାଲେସ୍ ଲାଇନ୍ ସ୍ଥିତ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସଂସ୍ଥା ବା SAA ରେ ରଖିଛନ୍ତି । ସେଠାରେ ଉଭୟେ ସୁରକ୍ଷିତ ଅଛନ୍ତି ।

ଖବର ପାଇ ଆମ ପ୍ରତିନିଧି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କୁ ଯାଇ ଏହାର ଅଧିକାରିଣୀ ଲକ୍ଷ୍ମୀ ସିଂ ଙ୍କୁ ଭେଟି ପଚାରିବାରୁ ସେ କହିଥିଲେ ଯେ ଏକ ଅଜଣା ଫୋନ୍ ନମ୍ବରରୁ ଖବର ପାଇ ଓ ରାଜ୍ୟ ଚାଇଲ୍ ଡ ଲାଇନ୍ ର ସୂଚନା କ୍ରମେ ସେଠାରେ ଶିଶୁଟିକୁ ବିକ୍ରି ଉଦ୍ୟମର ସୂଚନା ପାଇବାରୁ ସେ ତାଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ଟିଟିଲାଗଡ ପଠାଇ ସ୍ଥାନୀୟ ଥାନାକୁ ଜଣାଇଥିଲେ ଓ ସେମାନଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗୀର ଅଣାଯାଇଥିଲା ।
ତେବେ ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଟିଟିଲାଗଡ ସଇଁନ୍ତଳା ଅଞ୍ଚଳର ହାଟପଦାପଡାରେ ରହୁଥିବା ଆଦିବାସୀ ପଡାର ଜଣେ ପାଇଟିପତ୍ର କରି ଚଳୁଥିବା ଅସହାୟା ବିଧବା ମଧ୍ୟବୟସ୍କା ଆଦିବାସୀ ମହିଳାଙ୍କ ସ୍ବାମୀଙ୍କର ପ୍ରାୟ ଚାରିବର୍ଷ ପୂର୍ବରୁ ମୃତ୍ୟୁ ହୋଇଯିବାରୁ ସେ ପରିସ୍ଥିତିର ଶିକାର ହୋଇ ଅବୈଧ ଭାବେ ଗର୍ଭବତୀ ହୋଇ ପଡିଥିଲେ । ତେବେ ତାଙ୍କୁ ଖାଇବା ପିଇବାକୁ ଦେଇ ଏକ ଦମ୍ପତି ଶେଷରେ ପ୍ରସବ ପାଇଁ ସ୍ଥାନୀୟ ଆଶାକର୍ମୀଙ୍କ ସହାୟତାରେ ଆଣି ଏମସିଏଚ୍ ରେ ଗତ ୨୦ ତାରିଖରେ ଭର୍ତ୍ତି କରିଥିଲେ । ଏହାପରେ ଅସ୍ତ୍ରୋପଚାର କରାଯାଇ ଉକ୍ତ ଶିଶୁଟିକୁ ଜନ୍ମ କରାଯାଇଥିଲା । ତେବେ ଉକ୍ତ ପ୍ରସୂତୀ ବିଧବା ମହିଳାଙ୍କ ସ୍ବାମୀଙ୍କ ନାଁ’ ଜାଗାରେ ଉକ୍ତ ଆଶାକର୍ମୀ ଜଣକ କୌଣସି କାରଣରୁ ତାଙ୍କ ନିଜସ୍ବାମୀଙ୍କର ନାମ ଡାକ୍ତରଖାନା ରେଜିଷ୍ଟରରେ ଦର୍ଜ କରାଇବାରୁ ଡାକ୍ତରଖାନା କର୍ମଚାରୀଙ୍କର ସନ୍ଦେହ ହୋଇଥିଲା ।
ଏହା ସହିତ ହିନ୍ଦୀଭାଷାରେ କଥାବାର୍ତ୍ତା କରୁଥିବା ଛତିଶଗଡ ଅଞ୍ଚଳର ଜଣେ ଅଜଣାବ୍ୟକ୍ତି ଦୁଇଦିନ ହେଲା ଆସି ଏମସିଏଚ ପରିସରରେ ରହିଥିବା ସହ ଶିଶୁଟିକୁ ବିକ୍ରି କରିଦିଆଯିବାର ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ସେମାନଙ୍କୁ ଡାକ୍ତରଖାନାରୁ ରିଲିଭ୍ କରା ନଯାଇ ଗୋଟିଏଦିନ ଅଧିକ ଅଟକାଇ ରଖାଯାଇଥିବା ବିଶ୍ବସ୍ତସୂତ୍ରରୁ ପ୍ରକାଶ । ଏଥିପାଇଁ ଅଢେଇଲକ୍ଷ ଟଙ୍କାର ମୂଲଚାଲ ହୋଇଥିବା କୁହାଯାଉଛି । ବଲାଙ୍ଗୀର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଓ ସ୍ଥାନୀୟ ସାମ୍ବାଦିକମାନେ ମଧ୍ୟ ଏହା ଶୁଣିଥିବା ସ୍ବୀକାର କରନ୍ତି । କିନ୍ତୁ ଶିଶୁଟିର ମାଆ ଏଭଳି ଅଭିଯୋଗକୁ ମିଛ ବୋଲି କହିଛନ୍ତି । ତେବେ ସମ୍ପୃକ୍ତ ଆଶାକର୍ମୀଙ୍କ ଏପରି ସନ୍ଦେହଜନକ କାର୍ଯ୍ୟକଳାପ ଯୋଗୁଁ ସେ ଏଥିରେ ଜଡିତ ରହିଥିବା ସହଏଇ ଶିଶୁବିକ୍ରି ଯୋଜନାବଦ୍ଧ ବୋଲି କୁହାଯାଉଛି । ଆହୁରି ମଧ୍ୟ ଏହା ଟିଟିଲାଗଡରେ ତୃତୀୟ ଘଟଣା । ପ୍ରାୟ ଦୁଇବର୍ଷ ମଧ୍ୟରେ ଏଭଳି ଦୁଇଟି ଶିଶୁବିକ୍ରି ଘଟଣା ଘଟିଥିଲା । ଗୋଟିଏ ଦେବନ୍ଧ ପଡା ଓ ଅନ୍ୟଟି ସହରର ଘଟଣା । ଏଥିରେ ପୁଲିସ୍ ଶିଶୁର ବାପାମାଆ ଓ ବାପକୁ ଗିରଫ କରିଥିବା ପ୍ରକାଶ ।
ଅଧିକନ୍ତୁ ଏଇ ପ୍ରତିନିଧିର ବିଗତ ନବେଦଶକରେ ଟିଟିଲାଗଡ ଉପଖଣ୍ଡର ବଙ୍ଗୋମୁଣ୍ଡା ବ୍ଲକ୍ ର ଭାଲୁମୁଣ୍ଡା ଗ୍ରାମର ଭୂମିସୂତା ପିଲାବିକ୍ରି ଘଟଣାର ଖବର ରାଜନୈତିକ ଓ ଆନ୍ତର୍ଜାତୀୟ ସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ଆପାତତଃ ଏଇଥିରୁ ଇ କେବିକେ ଓ ଆଜିର ମନରେଗା ପରି ଦୀର୍ଘମିଆଦୀ କେନ୍ଦ୍ରୀୟ ଯୋଜନାର ଆରମ୍ଭ । ତେବେ ସେ ଯାହାହେଉନା କାହିଁକି , ଏବେ ଦଶନ୍ଧି ଦଶନ୍ଧି ପରେ ପୁଣି ଟିଟିଲାଗଡ ଉପଖଣ୍ଡ ବା ବଲାଙ୍ଗୀର ଜିଲ୍ଲାରେ ଜନ୍ମଦାତ୍ରୀ ମାଆ ଦାରିଦ୍ର୍ଯ ଓ ଅଭାବ ଯୋଗୁଁ ପିଲାବିକ୍ରି କରିବା ଉଦ୍ୟମ ସରକାରଙ୍କ ପ୍ରତି ଏକ ଆହ୍ୱାନ ! ଉକ୍ତ ଗରିବ ବିଧବାମହିଳାଜଣକ ଭତ୍ତା , ଚାଉଳ ଆଦି ପାଆନ୍ତି ଓ ଏଭଳି ଦାରିଦ୍ର୍ଯ ପ୍ରତି ସରକାର , ନିର୍ବାଚିତ ଲୋକପ୍ରତିନିଧିଙ୍କର ଦାୟିତ୍ୱ ଥାଏ କି ?
ସର୍ବୋପରି ଏ ସମ୍ପର୍କରେ ପ୍ରଶାସନ , ପୁଲିସ୍ ଓ ସ୍ଥାନୀୟ ବିଧାୟକଙ୍କର ଭୂମିକା ଆଶ୍ଚର୍ଯ୍ୟଜନକ ! ପୁଲିସ୍ ର ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇ ବିକ୍ରିଉଦ୍ୟମକୁ ପଣ୍ଡ କରିଦିଆଯାଇଥିଲେ ହେଁ , ଏ ସମ୍ପର୍କରେ ଘଟଣାର ଦୁଆଦିନ ପରେ ବି ଥାନାରେ କୌଣସି ମାମଲା ଋଜୁ କରାଯାଇନାହିଁ ! ଏ ସମ୍ପର୍କରେ ପଚାରିବାରୁ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ପ୍ରଥମେ ଜାଣି ନଥିବା କହି , ବୁଝୁଚି କହିବା ପରେ ଆଉ ଫୋନ୍ ଉଠାଇ ନଥିଲେ । ସେହିପରି ଉପଜିଲ୍ଲାପାଳ ରେହାନ କ୍ଷେତ୍ରୀ ମଧ୍ୟ ଏହା ଜାଣି ନଥିବା ପ୍ରକାଶ କରି ଘଟଣା ସମ୍ପର୍କରେ ଆମୂଳଚୂଳ ଶୁଣିବା ପରେ ବୁଝିବାର ବୋଧ ଦେଇଥିଲେ ।
ଥାନା ଆଇ ଆଇ ସି ବିଶ୍ବଜିତ୍ ମନବୋଧ ଆମ ପ୍ରତିନିଧି ପଚାରିବାରୁ ଅଦ୍ୟାବଧି ଏ ସମ୍ପର୍କରେ କେହି ଅଭିଯୋଗ କରି ନଥିବାରୁ ଥାନାରେ କାହା ବିରୁଦ୍ଧରେ କୌଣସି ମାମଲା ଋଜୁ ହୋଇ ନଥିବା ପ୍ରକାଶ କରି ‘ ସେମାନେ ଡାକିବାରୁ ଆମେ ଯାଇ ସହାୟତା ଦେଲୁ ‘ ବୋଲି ସଫେଇ ଦେଇ ଟିକେ ପରେ କହୁଚି କହି ଏଡାଇ ଯାଇଥିଲେ । ଟିଟିଲାଗଡ ସହରର ସର୍ଗିଗୁଡାଠାରେ ଏକ ଭବ୍ୟ କୋଠା ବନାଇ ଘରକୁ ଚୌକିଆଦି ଆସବାବ ଆଣି ରଖି ଗାଡିରେ ତରତର ହୋଇ ପଳାଉଥିବା ବେଳେ ଅଟକାଇ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା ପ୍ରଦୀପ୍ତ କୁମାର ନାୟକଙ୍କୁ ଭେଟି ପଚାରିବାରୁ ସେ ଅତ୍ୟନ୍ତ ନିସ୍ପୃହ ଓ ଋକ୍ଷକଣ୍ଠରେ ‘ ମୁଁ ଜାଣିନି ‘ ବୋଲି କହି ଚାଲିଯାଇଥିଲେ ଓ ଘଟଣା ସହ ସମ୍ପୃକ୍ତ ଅସ୍ତ୍ରୋପଚାର କରି ପ୍ରସବ କରାଇଥିବା ଡା ବଳରାମ ସାହୁ ବାରମ୍ବାର ଉଦ୍ୟମ କରାଯାଇଥିଲେ ହେଁ ଫୋନ୍ ଉଠାଇ ନଥିଲେ ।
ଶେଷରେ ଟିଟିଲାଗଡର ବିଜେପି ବିଧାୟକ ନବୀନ ଜୈନ ଟିଟିଲାଗଡ ସହରର ପାଖପଡାର ଚର୍ଚ୍ଚିତଘଟଣା ହୋଇଥିବା ସତ୍ତ୍ୱେ ଏହା ଜାଣି ନଥିବା , ଟିଟିଲାଗଡରେ ଚାଞ୍ଚଲ୍ଯ ଶୀର୍ଷକ ବହୁଳ ପ୍ରସାରିତ ଗଣମାଧ୍ୟମରେ ଘଟଣାଟି ପ୍ରକାଶ ପାଇଥିଲେ ହେଁ , ‘ ମୁଁ ଲୋକଙ୍କର ସେବାରେ ଲାଗିଛି । ଦଳର ସଭ୍ୟସଂଗ୍ରହ ଅଭିଯାନରେ ବ୍ୟସ୍ତ ରହି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଖାଇବାପିଇବା ଛାଡି ବୁଲି ଏବେ ଘରକୁ ଫେରୁଛି , ମୁଁ ପେପର ଫେପର ପଢେନାହିଁ କି ହ୍ବାଟ୍ସଅପ୍ ନିଉଜ୍ ଦେଖିବାକୁ ମୋର ବେଳ ନାହିଁ । ଏଟା ଟଙ୍କା ପାଇଁ ସାମ୍ବାଦିକଙ୍କର ମିଛଖବର ହେଇଥିବ ଓ ତଥାପି ପଚାରି ବୁଝିବି , ଯଦି ସେ ଦଲାଲ୍ କୁ ଧରାଯାଇନି , ତାହେଲେ କେସ୍ ବନିବ ନାହିଁ ‘ ଇତ୍ୟାଦି କହି ପିଛା ଛଡେଇହେଇଥିଲେ ।
ତାହେଲେ ଏ ମାମଲାଟିର ତଦନ୍ତ କରାଯାଇ ଏମସିଏଚ୍ ପରିସରକୁ ଯାଇ ଦୁଇଦିନ ଧରି ଜଗିଥିବା ଛତିଶଗଡର ସେ ହିନ୍ଦୀଭାଷୀ ସନ୍ଦିଗ୍ଧ ଛୁଆକିଣିବାକୁ ଆସି ଫେରାର୍ ହୋଇରାଇଥିବା ଅଜଣା ଦଲାଲର ଠିକଣା ଖୋଜିବ କିଏ ? ସମ୍ପୃକ୍ତ ଆଶାକର୍ମୀଙ୍କର ସତରେ ଏ ଘଟଣାରେ କିଛି ନଥିଲା ? ଏ ଭଳି ରାକେଟ୍ ରେ ଆଉ କିଏ କିଏ ଜଡିତ ? ଏ ସବୁ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍କଣ୍ଠା ସୃଷ୍ଟି କରିଥିଲେ ହେଁ , ଏହାର ଉତ୍ତର ଦେବ କିଏ ? ଏହା ସରକାରଙ୍କ କାନକୁ ଗଲାଣି କି ନାଇଁ ?
ଦ୍ୱିତୀୟତଃ ଯଦି ଏ ପିଲାବିକ୍ରି ଅଭିଯୋଗ ସତ ନୁହେଁ , ତାହେଲେ ଏମସିଏଚ୍ ର ଜଣେ ଦାୟିତ୍ୱପୂର୍ଣ୍ଣ ବରିଷ୍ଠ ଡାକ୍ତର ବା ଅଧିକାରୀ / କର୍ମଚାରୀଙ୍କର ଏଭଳି ଏକ ତଥାକଥିତ ପିଲାବିକ୍ରି ଗୁଜବ୍ ସୃଷ୍ଟିକରି ପୁଲିସ୍ , ଚାଇଲଡ ଲାଇନ୍ ବା ଶିଶୁ ସୁରକ୍ଷା ୟୁନିଟ୍ ଆଦି ସଂସ୍ଥା ବନାମ ପ୍ରଶାସନ ଓ ସରକାରଙ୍କ ସହିତ ଜନମାନସକୁ ବିଭ୍ରାନ୍ତ କରି ବଲାଙ୍ଗୀର ଜିଲ୍ଲାକୁ ଆଉଥରେ ବଦନାମର ଅପଚେଷ୍ଟା କଲେ କାହିଁକି ?
ସରକାର ଏହାର ତଦନ୍ତ ପୂର୍ବକ ଉତ୍ତର ଦେବେ କି ?