ବିଜେଡି- ବିଜେପି ବିବାଦ ତେଜୁଛି : ବ୍ଲକ୍ ଅଧ୍ୟକ୍ଷ ଓ ୨ ସହଯୋଗୀ ଗିରଫ
ପାଟଣାଗଡ : ରାଜ୍ୟ ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବ୍ଲକ୍ ପାଟଣାଗଡରେ ତାଙ୍କଦଳ ବିଜେପିର ସରପଞ୍ଚଙ୍କ ସ୍ବାମୀ ଓ ବ୍ଲକ୍ ଅଧ୍ୟକ୍ଷ ଥିବା ବିଜେଡି ମଧ୍ୟରେ ଠିକାକାମକୁ ନେଇ ବିଡିଓଙ୍କ ଅଫିସ୍ ଭିତରେ ମାଡପିଟ ହେବା ଘଟଣାରେ ଅଧ୍ୟକ୍ଷ ନୀଳକାନ୍ତ ବାଗ ଓ ତାଙ୍କର ୨ ସହଯୋଗୀ ଗିରଫ ହୋଇ ଜେଲ୍ ହାଜତକୁ ଯାଇଥିବାବେଳେ ଅପରପକ୍ଷର ଏତଲାକ୍ରମେ ମଧ୍ୟ ଏକ ମାମଲା ଦର୍ଜ ହୋଇଛି । ଏହି ଘଟଣାରେ ମରୁଆ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ବିଜେପିନେତା ସ୍ବରୂପ ପରୁଆ ଆହତ ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହାସପାତାଳରେ ଚିକିତ୍ସାଧୀନ ଅଛନ୍ତି । ତେବେ ନିର୍ବାଚନ ପୂର୍ବରୁ ଏଠାରେ ଏଇ ଦୁଇଦଳ ମଧ୍ୟରେ ବିବାଦ କୁହୁଳୁଥିଲା ଓ ଏବେ ଏହା ବିସ୍ଫୋରକସ୍ଥିତିରେ ପହଞ୍ଚି ଆଗକୁ ସମିତିର ଅନାସ୍ଥାପ୍ରସ୍ତାବ ଆଡକୁ ମୁହାଁଇଥିବା ପ୍ରକାଶ ।
ଘଟଣାନୁଯାୟୀ , ଗତ ୨୮ ତାରିଖରେ ବିଜେପିର ରଞ୍ଜନ କୁମ୍ଭାର ନାମକ ଜଣେ ଠିକାଦାର ବ୍ଲକ୍ ର ଏଇ ସତ୍ୟ ନାରାୟଣ ତ୍ରିପାଠୀଙ୍କୁ କୁଆଡେ ଅଫିସ୍ ଭିତରେ ତାଙ୍କ ବିଲ୍ ନ।କଲେ , ତାଙ୍କୁ ବିଗତବର୍ଷ ହତ୍ୟାର ଶିକାର ହୋଇଥିବା ବ୍ଲକ୍ ର ପୂର୍ବତନ ଜେଇ ୰ ସୁରେଶ ସାହୁଙ୍କ ଅବସ୍ଥା ଭୋଗିବାକୁ ପଡିବ ବୋଲି ଧମକ ଦେଇଥିଲେ । ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଏ ସମ୍ପର୍କରେ ବିଡିଓ ସୁମନ ମିଞ୍ଜଙ୍କୁ ଜଣାଇବା ପରେ ବିଡିଓଙ୍କ ପକ୍ଷରୁ ଏ ସମ୍ପର୍କରେ ପାଟଣାଗଡ ଥାନାରେ ଏକ ଏତଲା ଦିଆଯାଇଥିଲା । ତେବେ ଏହାର ଚାରିଦିନ ପରେ ଅଭିଯୁକ୍ତ ଓ ଅଭିଯୋଗକାରୀ ଗତ ୩୧ ତାରିଖରେ ଅଫିସ୍ ରେ ବସି ଏହାର ସମାଧାନ ନିମନ୍ତେ କଥାବାର୍ତ୍ତା କରୁଥିବାବେଳେ ସେଠାକୁ ବ୍ଲକ୍ ଅଧ୍ୟକ୍ଷ ନୀଳକାନ୍ତ ବାଗ ତାଙ୍କର କେତେଜଣ ସହଯୋଗୀଙ୍କ ସହ ପଶିଯାଇ ସ୍ବରୂପ ଓ ରଞ୍ଜନଙ୍କୁ ମୁଖୀ ମାରିବା ସହ ବାହାରକୁ ଘୋଷାଡି ଆଣିଥିବା ଅଭିଯୋଗ ହୋଇଛି ।
ସେ ଯାହାହେଉ ନା କାହିଁକି , ଏଥିରେ ଦୁଇଟି କଥା ଉଠିଛି । ପ୍ରଥମ ଓ ମୁଖ୍ୟକଥାଟି ହେଉଛି , ଦୁଇବର୍ଷ ତଳେ ଏହି ବ୍ଲକ୍ ରେ କାର୍ଯ୍ୟରତ ସୁରେଶ ସାହୁ ନାମକ ଜଣେ ଜେଇଙ୍କୁ ସ୍ପଷ୍ଟଦିବାଲୋକରେ ହତ୍ୟା କରାଯାଇଥିବା ଅଭିଯୋଗ ଚର୍ଚ୍ଚିତ ହୋଇଥିଲା । ଏଥିରେ ପୂର୍ବତନ ବିଜେଡି ବିଧାୟକ ସରୋଜ।ମେହେରଙ୍କର କେତେକ ପୋଷ୍ୟଠିକାଦାରମାନେ ଜଡିତ ରହିଥିବା କୋଶଳ ସଂଗଠନ ପକ୍ଷରୁ ଥାନାସାମ୍ନାରେ ଧାରଣା ଦିଆଯାଇ ଦାବି କରାଯାଇଥିବା ସହ ଅଭିଯୋଗ କରାଯାଇଥିଲେ ହେଁ , ଏହାକୁ ଅଂଶୁଘାତଜନିତ ମୃତ୍ୟୁ ବୋଲି ଚପାଇ ଦିଆଗଲା । ଏବେ ବ୍ଲକ୍ ରେ ସେଇ ଘଟଣାକୁ ଟିହାଇ ଠିକାଦାରମାନେ ଖୋଲାଖୋଲି ଅଫିସ୍ ଭିତରେ ଯନ୍ତ୍ରୀମାନଙ୍କୁ ସିଧାସଳଖ ହତ୍ୟାଧମକ ଦେବା ଚିନ୍ତାଜନକ କଥା ନିଶ୍ଚୟ ! ଉଲ୍ଲେଖନୀୟ ଯେ ଏତେ ଘଟଣା ସତ୍ତ୍ୱେ ଉକ୍ତ ମୃତଜେଇଙ୍କ ସହ ବ୍ଲକ୍ ରେ ରହିଥିବା ଏଇ ସତ୍ୟ ନାରାୟଣ ତ୍ରିପାଠୀଙ୍କୁ ପଦୋନ୍ନତି ପରେ ପୁଣି ସେଇଠି ଏଇ ଭାବରେ ଅବସ୍ଥାପିତ କରି ରଖାଯାଇଛି ଓ ଅତୀତରୁ ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଅନେକ ଦୁର୍ନୀତିର ଅଭିଯୋଗ ରହିଛି ।
ଦ୍ୱିତୀୟତଃ ନିର୍ବାଚନ ଜିତି ଉପମୁଖ୍ଯମନ୍ତ୍ରୀ ହେବା ପରେ କନକବର୍ଦ୍ଧନ ସିଂଦେଓ ବା କେଭି ବଲାଙ୍ଗୀରରେ ଏଥର ନୂଆ ସରକାରରେ ପିସି / ଲାଞ୍ଚ ଆଦି ଚଳିବ ନାହିଁ ବୋଲି ଭାଷଣ ମାରିଥିଲେ । ଏବେ ତାଙ୍କରି ବ୍ଲକ୍ ରେ ନିର୍ବାଚିତ ଲୋକପ୍ରତିନିଧି ବା ପିଆର ଆଇ ମେମ୍ବରମାନେ ନିଜେ ଠିକାକରି ଅଫିସ୍ ଭିତରେ ମରଣାନ୍ତକ ଆକ୍ରମଣ କରାକରି ହେଇ ହତ୍ୟା ଧମକ।ଦେଇଥିବା ନୂଆସରକାରର କେଉଁ ଶାସନର ସ୍ବଚ୍ଛଦିଗକୁ ଇଙ୍ଗିତ କରୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ଅବଶ୍ୟ ଏ ସମ୍ପର୍କରେ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ଯମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କର ସେ ଏଠାରେ ନଥିବାରୁ ମତାମତ ନିଆଯାଇ ପାରିନାହିଁ ।