ମୁଖ୍ୟତଃ ଦେଶୀଭାଟିମଦ ଲଗାମ୍ ଛଡା !
ଶହଶହକୋଟିର ରାଜସ୍ୱହାନୀ : କାହା ପକେଟ୍ କୁ ଯାଉଛି ?
ବଲାଙ୍ଗୀର : ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ଆଇଟି ଚଢାଉରେ ବିପୁଳ ନୋଟ୍ ଜବତ ହେବା ଘଟଣା ଦେଶବ୍ଯାପୀ ଚାଞ୍ଚଲ୍ଯ ସୃଷ୍ଟି କରିଥିଲା ବେଳେ , ଏତେ ପରିମାଣର ଟଙ୍କା କାହାର ବୋଲି ପ୍ରଶ୍ନ ଉଠିଥିଲା । ତାହାଥିଲା ଦେଶର ସବୁଠାରୁ ବଡ ଆଇଟି ରେଡ୍ । ପୁଳା ପୁଳା ଟଙ୍କା ଏକାଧିକ ଟ୍ରକ୍ ରେ ଲୋଡ୍ ହେଇ ବଲାଙ୍ଗୀର ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ନିଆଗଲାବେଳେ ଦେଖଣାହାରୀଙ୍କ।ଆଖି ଖୋସି ହେଇ ଯାଇଥିଲା ! ଏହି ଟଙ୍କାର ପରିମାଣ ଥିଲା ସାଢେ ତିନିଶହ କୋଟି । ସହରର ସୁଦ୍ ପଡା ଦେଶୀମଦଭାଟି , ମ୍ୟାନେଜର ବଣ୍ଟିସାହୁର ଭଡାଘର , ବଙ୍ଗଳା ବା ମୁଖ୍ୟଅଫିସ୍ ଓ ଟିଟିଲାଗଡ ଦେଶୀମଦଭାଟି ଉପରେ ହୋଇଥିବା ଏହି ଆୟକର ବିଭାଗର ଚଢାଉ ସହ ବୌଦ୍ଧ ଓ ଅନ୍ୟାନ୍ୟ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ ହୋଇଥିଲା । ଏଥିମଧ୍ୟରେ ବୌଦ୍ଧର ଏକ ରାଇସ୍ ମିଲ୍ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ବଲାଙ୍ଗୀରର ଏହି ପୁରୁଣା ମଦଭାଟି ମାଲିକ ଝାଡଖଣ୍ଡର ଜଣେ ସାଂସଦ ଓ ସେଠାରେ ମଧ୍ୟ ଚଢାଉ କରାଯାଇଥିଲା । ଏହି ଚଢାଉରେ ବଲାଙ୍ଗୀର ମଦଭାଟିର ଦୁଇଜଣ ମ୍ୟାନେଜର ଗିରଫ ହୋଇଥିଲେ ।

ସେ ଯା’ହେଉ , ଏତେ ବିପୁଳ ପରିମାଣରେ ଜବତ ଗଚ୍ଛିତ ଟଙ୍କା ମଦଭାଟିର ବିକ୍ରିର ନା ନିର୍ବାଚନରେ ଭୋଟ୍ କିଣାପାଇଁ ଏଠାରେ ଆଣି ଠୁଳ କରାଯାଇଥିବା କଳାଧନ , ଶେଷପର୍ଯ୍ୟନ୍ତ ରହସ୍ୟମୟ ରହିଯାଇଛି । ତେବେ ମଦଭାଟି ମାଲିକ ଏହା ତାଙ୍କର ମଦବ୍ଯବସାୟର ଟଙ୍କା ବୋଲି ସଫେଇ ଦେଇଥିଲେ । କୁହାଯାଇଥିଲା , ଏହା ମାତ୍ର ଚାରିମାସର ମଦବିକ୍ରି ଟଙ୍କା । ଅଫିସିଆଲି ଏହି ପରିମାଣ ସାଢେ ତିନିଶହ କୋଟି ଦର୍ଶାଯାଇଥିଲେ ହେଁ , ଚର୍ଚ୍ଚା ଅନୁଯାୟୀ , ଏହା ଥିଲା ପ୍ରାୟ ୫୦୦ କୋଟି । ଫଟାଟୁଟା , ଚିରାପୁରୁଣା , ଫିଙ୍ଗାଫୋପଡା ମିଶାଇଲେ , ଏହି ବର୍ଦ୍ଧିତ ପରିମାଣ ଏତେ ଅବିଶ୍ବସନୀୟ ମଧ୍ୟ ନୁହେଁ !
ତେବେ ଏହା ଭାଟିରେ ମହୁଲରୁ ରନ୍ଧାଯାଉଥିବା ମଦ ନା ବୌଦ୍ଧ ଡିଷ୍ଟ୍ରିଲାରୀରୁ ଉତ୍ପାଦିତ ଖୁଦଚାଉଳି , ଏହା ମଧ୍ୟ ରହସ୍ୟରେ ! କାରଣ ଲୋକଙ୍କ ଚର୍ଚ୍ଚାନୁଯାୟୀ , ଭାଟିଗୁଡିକରୁ ସେତିକି ପରିମାଣର ‘ଫାସ୍ ‘ ବାହାରୁ ନଥିଲା ! ଏଥିରୁ ଏଥିରେ ୟୁରିଆ ଆଦି ବିଷାକ୍ତସାର , ସାହାଜପତ୍ର , ନିଶାବଟିକା ଓ ରାସାୟନିକ ଦ୍ରବ୍ୟ ଇତ୍ୟାଦିର ଅପମିଶ୍ରଣର ସନ୍ଦେହ ଉଠିବା ସ୍ବାଭାବିକ୍ । ସର୍ବୋପରି ଏଇମଦ ବଲାଙ୍ଗୀର ଓ ଆଖପାଖ।ଜିଲ୍ଲାକୁ ଆକ୍ରାନ୍ତ କରିରଖିଥିଲା ।
ଆହୁରି ମଧ୍ୟ ଜିଲ୍ଲାର ଅନ୍ୟାନ୍ୟ ଛୋଟମୋଟ ମଦଭାଟି ଉପରେ ଚଢାଉ ହୋଇ ନଥିଲା । ଏଥିରୁ ଲାଠୋରର ତେଜୁକମ୍ପାନୀ ଅନ୍ୟତମ । ସେତେବେଳେ ଏହି ପ୍ରତିନିଧି ଲାଠୋର ଓ ଏହାର ଜଣେ ମାଲିକ ସୁଭାଷ ଅଗ୍ରବାଲଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ ସେ ବେଫିକର ଥିବା ଆଶ୍ଚର୍ଯ୍ୟାନ୍ବିତ କରିଥିଲା । ବେଲପଡା ସରମୁହାଣଠାରେ ତାଙ୍କର ମଧ୍ୟ ମାଇକେଲ୍ ନାମକ ଏକ ବିୟର୍ ଫ୍ୟାକ୍ଟରୀ ରହିଛି । ଅନୌପଚାରିକ ଭାବେ ସେ ଏଭଳି ଆଇଟି ଚଢାଉ କିଛି ନୁହେଁ ଓ କିଛିଦିନ ପରେ ମଦଭାଟିମାଲିକଙ୍କୁ ବିଭାଗ କିଛିଅଂଶ କାଟି ଜବତ ଟଙ୍କା ଫେରାଇଦେବ ବୋଲି ଆସ୍ଫାଳନ ପ୍ରକାଶ କରିଥିଲେ । ଏହି ଘଟଣା ପରେ ଏତେଦିନ ଧରି ସବୁ ଚୁପ୍ ପଡିଯାଇଛି ଓ ରେଡ୍ ବା ତଦନ୍ତର ଫଳାଫଳ କଣ ହେଲା , ଲୋକେ ଜାଣିପାରି ନାହାଁନ୍ତି ।
ଏଠି କଥାହେଲା , ଦାରିଦ୍ର୍ୟ , ପିଲାବିକ୍ରି , ଦାଦନ ଓ ଏକଦା ଅନାହାରମୃତ୍ୟୁ ପାଇଁ ଆନ୍ତର୍ଜାତିକସ୍ତରରେ ଚର୍ଚ୍ଚିତ ଆଦିବାସୀଅଧ୍ୟୁଷିତ ମାଓପ୍ରବଣ ବଲାଙ୍ଗୀରଜିଲ୍ଲାର ଖାଉଟିମାନେ ଏତିକି ସୀମିତ ସମୟସୀମା।ମଧ୍ୟରେ ଏତେ ମଦ ପିଅନ୍ତି , ଏହା ଅନେକଙ୍କୁ ତାଜ୍ଜୁବ୍ କରିଥିଲା ! ଉକ୍ତ ରେଡ୍ ବା ତଦନ୍ତ ଫୁସ୍ ହେଇଗଲା ?
ଏବେ ପୁଣିଥରେ ସ୍ଥାନୀୟ ପ୍ରତିଷ୍ଠିତ ଗଣମାଧ୍ୟମରେ ବଲାଙ୍ଗୀର ଜିଲ୍ଲାର ଦେଶୀମଦଭାଟି ଓ ଅବକାରୀ ବିଭାଗର କାର୍ଯ୍ୟକଳାପ ସମ୍ପର୍କରେ ଚର୍ଚ୍ଚା ଉଠିଛି । ଏଥିରେ କୁହାଯାଉଛି ଯେ , ଲାଇସେନ୍ସପ୍ରାପ୍ତ ମଦଭାଟି ବ୍ୟତୀତ ଜିଲ୍ଲାରେ ବେଧଡକ୍ ଖୋଲାମଦ ଚାଲାଣ ଓ କିଛିବର୍ଷତଳେ ପୁଲିସ୍ ପକ୍ଷରୁ ଏହି ମଦଭାଟି ଉପରେ ଅତର୍କିତ ଚଢାଉ କରାଯାଇ ନିଷିଦ୍ଧ ପଲିଥିନ୍ ପାଉଚ୍ ପ୍ୟାକିଂ କାରଖାନା ଜବତ କରାଯାଇ ମ୍ୟାନେଜରମାନଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଦିଆଯାଇଥିବା ସ୍ଥଳେ ପରବର୍ତ୍ତୀ କାଳରେ ଏଇ ପାଉଚ୍ ମଦ ପ୍ରସ୍ତୁତି ଓ ପରିବହନକୁ ସରକାର ବୈଧ ଘୋଷଣା କରିଦେଇଥିଲେ । ଫଳରେ ସହଜରେ ଦେଶୀମଦକୁ ସର୍ବତ୍ର ପଠାଯାଇ ବିକାଯାଇପାରୁଛି ।
ଏବେ ଗଣମାଧ୍ୟମରେ ସେଇ ସୂତ୍ରକୁ ଆଧାର କରି ଗାଁ ଗାଁ ରେ ଦଶଗୁଣା ବେଆଇନ୍ କୁଚିଆମଦଭାଟି ଚାଲୁଥିବା ଓ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଗାଆଁ ନିଲାମ ହେଉଥିବା ଅଭିଯୋଗ।ପ୍ରକାଶ ପାଇଛି । କେବଳ ଗାଁ କାହିଁକି ସହର ପ୍ରତ୍ୟେକ ଗଳିକନ୍ଦିରେ ଦିନରାତି ଦେଶୀମଦ ବିକ୍ରି ଚାଲିଛି । ଆପାତତଃ ଏହା ହିଁ ବିପୁଳ ମଦବିକ୍ରି ଓ ରାଜସ୍ୱହାନୀର କାରଣ କି ? ଅତଏବ ଏଇ ବେଆଇନ୍ କାରବାରର ମୁଠାମୁଠା ଟଙ୍କା କାହା ପକେଟ୍ କୁ ଯାଉଛି ? ଏ ସମ୍ପର୍କରେ ନୂଆ ସରକାର ସଚେତନ କି ?
ରାଜ୍ୟରେ ଅବକାରୀନୀତି ଏଇଭଳି ଚାଲେ କି ?